Unknown

 

 

 

 

 

 

 

 

 

 

 

ଭାଗ୍ୟଂ ଫଳତି ସର୍ବତ୍ର

ଶ୍ରୀମତୀ ସୁମିତ୍ରା ମିଶ୍ର

 

ଏଥିରେ ଅଛି

 

୧.

ପରମ କର୍ତ୍ତବ୍ୟ

୨.

ଚିକିତ୍ସା

୩.

ବିଦ୍ୟାରମ୍ଭ

୪.

ଯାତ୍ରୀ

୫.

ଖଣ୍ଡିଏ ଚିଠି

୬.

ଏ ପରା ବମ୍ବେ ସହର

୭.

ବ୍ୟର୍ଥ ସନ୍ଦେହ

୮.

ପୁଷ ପୁନିଅଁ

୯.

ଜୀବନଟା ଏପରିଯାଏ

୧୦.

ନିରନ୍ନର ପ୍ରତିଷ୍ଠା

୧୧.

ଚରମ ସନ୍ଧ୍ୟା

୧୨.

ଭାଗ୍ୟଂ ଫଳତି ସର୍ବତ୍ର

୧୩.

ମତେ ଟୋପାଏ

୧୪.

ଏ ଯୁଗର ବାବୁ ଭାୟା

୧୫.

ଭାବ ବିନିମୟ

୧୬.

ପରିତ୍ୟକ୍ତ

୧୭.

ରକ୍ତଦାନ

୧୮.

ମହାମିଳନ

୧୯.

ଛାଡ଼ପତ୍ର

୨୦.

ପଛରେ କିଏ

Image

 

ପରମ-କର୍ତ୍ତବ୍ୟ

 

‘‘ଚିଠି ନିଅ ଚିଠି’’–

 

ଡାକବାଲା ଘରର ବନ୍ଦ ଦୁଆର ଉପରେ ଖଟ୍‌ ଖଟ୍‌ କରି ଡାକିଲା । ଭିତରୁ କୌଣସି ଶବ୍ଦ ନାହିଁ । ଆଉଥରେ ଶୁଣାଗଲା–

 

‘‘ଚିଠି ନିଅ ଚିଠି ।’’

 

ଏଥର ଇନ୍ଦ୍ରାଣୀ ଆଉ ସ୍ଥିର ହୋଇ ଘର ଭିତରେ ପଢ଼ିପାରିଲା ନାହିଁ । ବାହାରକୁ ଆସି ଡାକବାଲା ହାତରୁ ନେଲା ନୀଳ ଲଫାପାଟି । ଏ ସମୟରେ ପୁଣି ତାକୁ ଚିଠି ଦେଲା କିଏ ? ଖଟ ଉପରେ ବସୁ ବସୁ ଲଫାପାଟି ଖୋଲି ଦେଖିଲା – ନିମନ୍ତ୍ରଣ ପତ୍ର ।

 

ଜୀବନରେ ଏପରି ଆଶ୍ଚର୍ଯ୍ୟ ଆଉ କେବେ ଇନ୍ଦ୍ରାଣୀ ହୋଇଥିଲା ପରି ତାର ମନେପଡ଼ୁ ନାହିଁ । ଯଦି ଶୁଣିଥାନ୍ତା ରୁଷିଆ ରକେଟଟା ପୁରୀ ସମୁଦ୍ରକୂଳରେ ପଡ଼ିଛି କିମ୍ବା ହିମାଳୟଟା ଚିଲିକା ଭିତରକୁ ଚାଲି ଆସି କାଳିଜାଈ ପାହାଡ଼ ପରି ମୁଣ୍ଡ ଟେକିଛି ତେବେ ବି ସେ ଏତେ ଆଶ୍ଚର୍ଯ୍ୟ ହୋଇ ନ ଥାନ୍ତା । ଏ ଯେ ତାହାଠାରୁ ବଳି ଆଶ୍ଚର୍ଯ୍ୟ !

 

ଅଳକାର ବିବାହ ନିମନ୍ତ୍ରଣ ବୈଦିକ ରୀତିରେ, ତାହା ପୁଣି ଦରିଦ୍ର ଶିଳ୍ପୀ ଅଶୋକ ସହିତ । ଅଳକା ତାର ବନ୍ଧୁ । ସେହି ଅଳକାର ବିବାହ, ଯେଉଁ ଅଳକା ବି. ଏ. ପାଶ୍‌ କରି ଶିକ୍ଷୟିତ୍ରୀ ରୂପେ ପୁରୀ ଗାର୍ଲସ୍କୁଲର ଗୌରବ ବଢ଼ାଉଥିଲା, ଯାହା ଉପରେ ଗୋଟିଏ ସଂସାର ନିର୍ଭରକରି ଚଳୁଥିଲା, ଯାହାର ପୋଷ୍ୟ ଥିଲେ ଚାରୋଟି ଛୋଟ ଛୋଟ ଭାଇ, ଭଉଣୀ ଓ ବିଧବା ମା । ତାଙ୍କ ମଧ୍ୟରୁ ପୁଣି ଗୋଟିଏ ଭାଇ ପଙ୍ଗୁ । ସେହି ଅଳକା ପୁଣି ବିବାହ କରୁଛି ଏତେ ବୟସରେ ?

 

ଅଳକା ଦାସ କଲେଜର ଛାତ୍ରୀ ଥିଲା । ‘ମିସ୍‌ ଦାସ୍‌’ ବୋଲି ପରିଚିତା ସେ । ‘କଲେଜ–କୁଇନ୍‌’ ନାଁ ତାର ଓଡ଼ିଶାରେ ବିଖ୍ୟାତ । ରୂପସୀ ଅଳକା ଯେତେବେଳେ ଘନନୀଳ ନାଇଲନ୍ ଶାଢ଼ୀ ପିନ୍ଧି, ବକ୍ର ଚାହାଣି ଭରି, ବେଣୀ ଦୋହଲାଇ ଚାଲେ, ସେତେବେଳେ କଲେଜର ଛାତ୍ରଠାରୁ ଆରମ୍ଭ କରି ଅଧ୍ୟାପକମାନେ ମଧ୍ୟ ସ୍ତବ୍‌ଧ ହୋଇ ଚାହାନ୍ତି; କିନ୍ତୁ ସେ ରାଣୀପରି ଠାଣିରେ ଚାଲିଯାଏ କ୍ଲାସ୍‌କୁ, କାହା ପ୍ରତି ସାମାନ୍ୟ ମଧ୍ୟ କରୁଣା ନ କରି । ତାର ଆୟତନେତ୍ରର ସାମାନ୍ୟ ଇଙ୍ଗିତ ପାଇଁ କଲେଜର ଛାତ୍ର ମାତ୍ରକେ ଆକୁଳିତ ନୟନରେ ପ୍ରତ୍ୟହ ଚାହିଁ ରହନ୍ତି । ଏହାବୋଲି ଅଳକାର ଯେ ଗର୍ବ ଥିଲା, ତାହା ନୁହେଁ । ଇନ୍ଦ୍ରାଣୀ, ସ୍ନିଗ୍‌ଧା, ଦୀପାଳି, ସୌମ୍ୟା ଏପରି ଅନେକ ତାର ବନ୍ଧୁ ଥିଲେ-। ଛାତ୍ରଙ୍କ ମଧ୍ୟରେ ଥିଲେ ବୀରେନ୍ଦ୍ର, ରଣେନ୍ଦ୍ର, ଅନୁପକୁମାର । ଛାତ୍ରଙ୍କ ପ୍ରତି ତାର କେବେହେଲେ ଭ୍ରୂକ୍ଷେପ ନ ଥିଲା । ଭୟ କିପରି ବସ୍ତୁ ତା ହୁଏତ ଅଳକା କେବେ ଜାଣି ନ ଥିଲା । ସମ୍ମାନିତ ଅତିଥି ପରି ସମସ୍ତେ ତାକୁ ସମ୍ଭ୍ରମ ଓ ଶ୍ରଦ୍ଧା କରୁଥିଲେ । ତାର କରୁଣାର ପାତ୍ର ଯେ ହେଉଥିଲା ସେ ନିଜକୁ ଧନ୍ୟ ମନେ କରୁଥିଲା । ଅଧ୍ୟାପକମାନେ ତାକୁ ପାଠ ପଢ଼ାଇବାକୁ ଆଗ୍ରହରେ ଆଗଭର ହୋଇ ଆସୁଥିଲେ, କିନ୍ତୁ ନିଜ ଭାବରେ ସେ ଥିଲା ନିଜର ସାମ୍ରାଜ୍ଞୀ ।

 

ବିଧାତା ତାକୁ ରୂପ ଗୁଣରେ ଭରପୂର କରି ପଠାଇଥିଲେ । ପରୀକ୍ଷାରେ ପ୍ରଥମ ସ୍ଥାନ ତା ପାଇଁ ଥୁଆ ହେଉଥିଲା । ଅନ୍ୟମାନଙ୍କର କେତେ ଚେଷ୍ଟା ପରିଣାମରେ ବ୍ୟର୍ଥ ହୁଏ । ଛାତ୍ରମାନେ ବାଧ୍ୟ ହୋଇ ମନେ କରନ୍ତି ଅଧ୍ୟାପକମାନଙ୍କ କୋମଳ ଭାବରେ ଗଢ଼ି ଉଠୁଛି ଅଳକାର ଏ ପ୍ରଥମସ୍ଥାନ ।

 

ଅଳକାର ବାପା ଓକିଲାତିରେ ଭଲ ପଇସା ରୋଜଗାର କରୁଥିଲେ । ଏତେ ରୋଜଗାର କରି ସୁଦ୍ଧା ସୁରେନ୍‌ ବାବୁ ଶେଷ ଜୀବନକୁ କିଛି ରଖି ନଥିଲେ, ଖାଲି କଟକରେ ତିନୋଟି ଘରଛଡ଼ା । ହଠାତ୍‌ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଦିନେ ସେ ଆଖି ବୁଜିଦେଲେ । ଅଳକା ସେତେବେଳେ ବି. ଏ. ପରୀକ୍ଷାରେ ବିଶ୍ଵବିଦ୍ୟାଳୟର ପରୀକ୍ଷାର୍ଥିନୀ । ପିତାଙ୍କର ମୃତ୍ୟୁ, ସୁତରାଂ, ସେ ଟିକିଏ ବିଚଳିତା ହୋଇପଡ଼ିଲା; କିନ୍ତୁ ତାହା କ୍ଷଣକପାଇଁ । ନିଜର ପାରିବାରିକ ଗରିମାକୁ ବଜାୟ ରଖି ଯଥେଷ୍ଟ ଆଡ଼ମ୍ବରରେ ଶୁଦ୍ଧିକ୍ରିୟା ଶେଷ ହେଲା । ଜଞ୍ଜାଳଟା ତୁଟିଯିବା ପରେ ଅଳକା ନିଜକୁ ପ୍ରସ୍ତୁତ କଲା ଜୀବନ–ସଂଗ୍ରାମର ସୈନିକା ଭାବରେ । ପରୀକ୍ଷାର ଫଳ ବାହାରିବା ଦିନ ପାଖେଇ ଆସିଲା ।

 

ଅଳକାର ପରିଶ୍ରମକୁ ସାର୍ଥକ କରି ତା ନାଁ ଶୀର୍ଷ ସ୍ଥାନଟାକୁ ଅଧିକାର କରି ବସିଥିଲା । ଖବର କାଗଜରେ ସମ୍ବାଦଟା ପ୍ରକାଶ ପାଇବା ପରେ ଛୁଟିଲେ ବନ୍ଧୁ ବାନ୍ଧବମାନେ ଅଭିନନ୍ଦନ ଜଣାଇବା ପାଇଁ । ପରେ ପରେ ଆସିଗଲା ବହୁ ସମ୍ଭ୍ରାନ୍ତ ବଂଶରୁ ବିବାହ ପ୍ରସ୍ତାବ । ଯେଉଁମାନଙ୍କୁ ଜୀବନର ସଙ୍ଗୀ କରିବ ବୋଲି ଅଳକା ସ୍ଵପ୍ନରେ ଭାବିଥିଲା, ସେମାନଙ୍କୁ ମଧ୍ୟ ଫେରାଇ ଦେଲା । ପରମବନ୍ଧୁମାନଙ୍କୁ ଏପରି ଫେରାଇ ଦେବାରେ ତାର ହୃଦୟର ଗଭୀର ପ୍ରଦେଶରୁ ଯେ ଦୀର୍ଘନିଶ୍ଵାସ ଉଠି ମିଳାଇଗଲା; ତାହା କେବଳ ଈଶ୍ୱର ଜାଣିଲେ । ସେ କିନ୍ତୁ ସବୁ କୋମଳତାକୁ ନିର୍ମମ ଭାବରେ ଚାପି ଦେଇ ସଂସାରର ଭାର ମୁଣ୍ଡାଇ ନେଲା । ବିବାହ କଲେ ନିଜେ ସ୍ଵାର୍ଥପର ଭାବରେ ଆଡ଼େଇ ହୋଇ ରହିଯିବ, ଏ ଭୟ ତାକୁ ଗ୍ରାସ କରିଥିଲା । ସଂସାରର ଦାବି ଆଗରେ ତାର ନିଜର ଦାବି ଲୁଚିଗଲା । ସେ ଭାବିଲା ତାର କର୍ତ୍ତବ୍ୟ ରହିଛି ମା ଓ ଭାଇ ଭଉଣୀଙ୍କ ପ୍ରତି ।

 

ବି. ଏ. ପାଶ୍‌ ପରେ ଆଉ ନ ପଢ଼ିବାକୁ ସେ ସ୍ଥିର କଲା । ବର୍ତ୍ତମାନ ଚାକିରି ତାର ଏକମାତ୍ର ସମ୍ବଳ । ବାପାଙ୍କ ନାମରେ ଜୀବନ-ବୀମାରେ ଟଙ୍କା ଯାହା ଥିଲା, ସେତିକି ପାଇଲା । ସେଥିରେ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇ ନିଜକୁ ସଜାଡ଼ି ନେଲା ଚାକିରି କରିବ ବୋଲି । ଏତେ ଦୁଃଖରେ ସୁଦ୍ଧା ସେ ଟିକିଏ ହେଲେ ମ୍ଳାନ ଦେଖାଗଲା ନାହିଁ ।

 

ମଧ୍ୟବିତ୍ତ ପରିବାରର ଝିଅ ଇନ୍ଦ୍ରାଣୀ । ବି. ଏ. ପାଶ୍‌ କରି ଚାକିରିର ସନ୍ଧାନରେ ବୁଲୁ ବୁଲୁ ପୁରୀ ବାଳିକା ବିଦ୍ୟାଳୟ ଅଫିସରେ ଅଳକାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।

 

‘‘ଅଳକା, କୁ ଏଠି ?’’

 

‘‘ହଁ ଇନ୍ଦ୍ରାଣୀ, ସ୍କୁଲ ସେକ୍ରେଟରୀ ମତେ ଡକାଇଥିଲେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେବା ଲାଗି । ଚାକିରିଟା ନେଲି ଘରର ସ୍ୱଚ୍ଛଳତା ପାଇଁ । ତୁ କ’ଣ ଚାକିରି ଉଦ୍ଦେଶ୍ୟରେ ?’’ ‘‘ହଁ, ଦେଖେ ଭାଗ୍ୟ ପରୀକ୍ଷା କରି । ତେବେ ଆଉ ସମ୍ଭବ ହେଲା ପରି ଲାଗୁନାହିଁ ।’’ ଟିକିଏ ରହି ଅଳକା କହିଲା–‘‘ଆଉ ଜଣେ ଶିକ୍ଷୟିତ୍ରୀ ସପ୍ତମ ଶ୍ରେଣୀ ପାଇଁ ଆବଶ୍ୟକ ହେଉଛନ୍ତି । ତୋତେ ସେହି ଜାଗାରେ ନେବାକୁ ମୁଁ ସେକ୍ରେଟେରୀଙ୍କୁ କହି ଦେଉଛି । ତୁ ମୋ ସହିତ ଆ, ଇନ୍ଦ୍ରାଣୀ !’’

 

ଅଳକାର ପ୍ରତିପତ୍ତି ଏଠାରେ ଦେଖି ଇନ୍ଦ୍ରାଣୀ ବିସ୍ମିତା ହେଲା । କଟକରୁ ଯେ ଘରଭଡ଼ା ମିଳେ, ସେଥିରେ ‘ଯେନ କେନ ପ୍ରକାରେଣ’ ତ ଚଳିଯାଆନ୍ତା; ତଥାପି କାହିଁକି ଏ ଶିକ୍ଷୟିତ୍ରୀ ଚାକିରିରେ ତାର ଆଗ୍ରହ । ତେବେ କ’ଣ ଅଭାବର ସଂସାର ଅଳକାର ? ଅଳକା କଥା ଚିନ୍ତା କରୁ କରୁ ଇନ୍ଦ୍ରାଣୀ ନିଜ ଚିନ୍ତା ଆଡ଼କୁ ଢଳି ଆସିଲା । ଏ ଚାକିରିଟା ନ ହେଲେ ତାର ଭାଗ୍ୟରେ ଯେ କ’ଣ ଅଛି କିଏ କହିବ ? ଘରେ ପ୍ରବୋଧନା ଦେଇ ଆସିଛି ଚାକିରି ହେଲେ ବାପା, ମା ଓ ତିନୋଟି ଭାଇଙ୍କୁ ଆଣି ପୁରୀରେ ରଖିବ । ପିତା ବୃଦ୍ଧ, ପେନ୍‌ସନ୍‌ ପାଇଲେଣି । ଅସୁସ୍ଥ ଶରୀର ନେଇ ଆଉ ଅନ୍ୟ କାର୍ଯ୍ୟ କରିବା ତାଙ୍କ ପକ୍ଷରେ ସମ୍ଭବପର ହେଉନାହିଁ । ଝିଅକୁ ବିବାହ ଦେଇ ପାରି ନାହାନ୍ତି, ଯୌତୁକ ଟଙ୍କା ଅଭାବରୁ । ବର୍ତ୍ତମାନ ଝିଅର ରୋଜଗାରରେ ବସି ରହିବା ଛଡ଼ା ଅନ୍ୟ ଉପାୟ ନାହିଁ । ଭାଗ୍ୟ ନେଉଛି କେଉଁଆଡ଼େ କେଜାଣି ।

 

ଅଳକା ଓ ଇନ୍ଦ୍ରାଣୀ ଅଫିସ ଘର ଭିତରକୁ ଆସିଲେ, ଇନ୍ଦ୍ରାଣୀ ସେକ୍ରେଟେରୀ ସୁବୋଧ ବାବୁଙ୍କୁ ନମସ୍କାର କଲା । ପ୍ରତି ନମସ୍କାର ଜଣାଉ ଜଣାଉ ସୁବୋଧ ବାବୁ ପଚାରିଲେ, ‘‘ଆପଣ ଇନ୍ଦ୍ରାଣୀ ଦେବୀ— ? ଅଳକା ଦେବୀ ଆପଣଙ୍କର ସୁପାରିସ୍ କରିଛନ୍ତି ଯେତେବେଳେ, ଚାକିରି ଆପଣଙ୍କର ହୋଇ ଯାଇଛି ଜାଣନ୍ତୁ । ହେଇ ନିଅନ୍ତୁ ନିଯୁକ୍ତି ପତ୍ର । ସାତଦିନ ଭିତରେ କାମକୁ ଆସି ଯାଆନ୍ତୁ ।’’

 

ଇନ୍ଦ୍ରାଣୀ ନିଯୁକ୍ତି ପତ୍ର ପାଇ ଆବେଗରେ ଥରି ଉଠିଲା । କ’ଣ କହି ଉଭୟଙ୍କୁ ଧନ୍ୟବାଦ ଦେବ ଭାବି ପାରିଲାନାହିଁ । ନିଜକୁ ଟିକିଏ ପ୍ରକୃତିସ୍ଥ କରି କହିଲା–‘‘ଧନ୍ୟବାଦ ସୁବୋଧ ବାବୁ, ଆପଣଙ୍କର ଏ ଦାନ ମୁଁ ସର୍ବାନ୍ତଃକରଣରେ ସାର୍ଥକ କରିବାକୁ ଚେଷ୍ଟା କରବି ।’’

 

‘‘ଏଥିରେ ଧନ୍ୟବାଦର କଥା କିଛି ନାହିଁ । ତେବେ ସ୍କୁଲକୁ ନିଜର ସନ୍ତାନ ମନେ କରି ଲାଳନ କରିବା ପ୍ରତି ଶିକ୍ଷୟିତ୍ରୀଙ୍କର କର୍ତ୍ତବ୍ୟ; ଏଥିରୁ ଆପଣ ବିଚ୍ୟୁତ ନ ହେଲେ ହେଲା ।’’

 

ଇନ୍ଦ୍ରାଣୀ ଓ ଅଳକା ଅଫିସ୍‌ ଘର ଛାଡ଼ି ଆସିଲେ । ହୃଦୟର ଆବେଗଭରା ଧନ୍ୟବାଦ ଜ୍ଞାପନ କରିବାକୁ ଯାଇ ଇନ୍ଦ୍ରାଣୀ ଅଳକାର ହାତ ଦୁଇଟି ଧରି ପକାଇଲା । ଛଳ ଛଳ ଆଖିରେ କହି ଉଠିଲା– ‘‘ଅଳକା ତୋ ସାହାଯ୍ୟ ପାଇଁ ମୁଁ ତୋ ନିକଟରେ କୃତଜ୍ଞ । ମୁଁ ଯେପରି ଅବସ୍ଥାରେ ପଡ଼ିଯାଇଛି ଚାକିରିଟିଏ ନ ହେଲେ ନ ଚଳେ । ତୁ ତୋର ମହୀୟସୀ ହୃଦୟବତ୍ତା ଦେଖାଇ ନଥିଲେ... ।’’ ଇନ୍ଦ୍ରାଣୀକୁ ଆଉ କହିବାକୁ ନ ଦେଇ ଅଳକା କହିଲା–‘‘ନା ଇନ୍ଦ୍ରାଣୀ, ମନୁଷ୍ୟ ସବୁ ସମାନ । ସାନ ବଡ଼ ଆମେ ତାକୁ କରିଥାଉ ନିଜର ରୁଚି ଅନୁଯାୟୀ । ଛାଡ଼ ସେ କଥା, ଚାଲ ସମୁଦ୍ରକୂଳରେ ଗୋଟିଏ ଘର ଠିକଣା କରିଛି, ତାକୁ ଦେଖି ଆସିବୁ ।’’

 

ଘର ଦେଖି ସାରି ଅଳକା, ଇନ୍ଦ୍ରାଣୀ ଦୁହେଁ ବସିଲେ ମହୋଦଧି କୂଳରେ । ସେଠାରେ କିଛି ସମୟ ବସି କାର୍ଯ୍ୟର ଗୋଟାଏ ତାଲିକା କଲେ । ସେତେବେଳେ ସନ୍ଧ୍ୟାର କାଳିମା ଓ ସାଗରର ନୀଳିମା ଉଭୟେ ମିଶି ଯେପରି ବିମୋହନ ଦୃଶ୍ୟ ସୃଷ୍ଟି କରୁଥିଲେ, ଫେନିଳ ତରଙ୍ଗ ଅପୂର୍ବ ସଙ୍ଗୀତର ମୂର୍ଚ୍ଛନା ସୃଷ୍ଟି କରୁଥିଲା ସେପରି । ରାତି ହୋଇ ଆସୁଥିଲା; ସୁତରାଂ, ଦୁହେଁ ଉଠିଲେ ।

 

ଅଳକା ତା ଜୀବନର ଗତିପଥ ବଦଳାଇ ଶିକ୍ଷୟିତ୍ରୀ ହେଲା । ସମସ୍ତଙ୍କ ସମ୍ମାନର ଅଧିକାରିଣୀ ହୋଇ ଜୀବନର ପିଚ୍ଛିଳ ପଥରୁ ସେ ନିଜକୁ ଅପସାରିତ କରି ରଖିଲା । ‘‘ସୁନ୍ଦର ମୁହଁର ସବୁଠି ଜୟ’’ କଥାଟା କ୍ରମେ ଖାପିବାର ହେଲା ଆରମ୍ଭ । ସେକ୍ରେଟେରୀ ସୁବୋଧ ବାବୁଙ୍କ ଅବାଧ ଗତି ଅଳକା ଘରକୁ ଲୋକଙ୍କର ଦୃଷ୍ଟି କଟୁ ହେଲା; କିନ୍ତୁ ଅଳକା କେବେ ସେ ସବୁରେ କାନ ଦିଏ ନାହିଁ । ସନ୍ଧ୍ୟାରେ ସାଗର-ବେଳା ଉପରେ ଦୁହେଁ ଅଭିମୁଖ ହୋଇ ବସିବା ପୁରୀ ସହରରେ କ୍ରମେ ସୃଷ୍ଟି କଲା ଗୋଟାଏ ଚାଞ୍ଚଲ୍ୟ ।

 

ଇନ୍ଦ୍ରାଣୀ କେତେ ଥର ଅଳକାକୁ କହିଲା, ସୁବୋଧ ବାବୁଙ୍କ ପ୍ରେମରେ ନିଜକୁ ନିମଗ୍ନ କରି ତାର ସଂସାର ଗଢ଼ିବାକୁ । ଅଳକା ହସିଲା ମାତ୍ର । କହିଲା–‘‘ଏତେ ସହଜରେ ଅଳକା ବୁଡ଼ିଯିବାର ପାତ୍ରୀ ନୁହେଁ, ଇନ୍ଦ୍ରାଣୀ ! ତା’ଛଡ଼ା ମୁଁ ଯେ ସୁବୋଧ ବାବୁଙ୍କୁ ବିବାହ କରିବି ଏ କଥା ତତେ କିଏ କହିଲା ? ଜୀବନରେ ତାର ଆଉ ଆବଶ୍ୟକ ରହିବ କି ନାହିଁ କେଜାଣି । ସୁବୋଧ ବାବୁ ଅତି ଉତ୍ତମ ଲୋକ, ସନ୍ଦେହ ନାହିଁ । କିନ୍ତୁ ବୁଝି ରଖ ଇନ୍ଦ୍ରାଣୀ, ସଂସାର ମୋତେ ଆରେଇବ ନାହିଁ ।’’

 

ଏହା ମଧ୍ୟରେ ପାଞ୍ଚବର୍ଷ ବିତିଗଲା ପୁରୀରେ ଅଳକା ଓ ଇନ୍ଦ୍ରାଣୀର । ସ୍କୁଲର ଉନ୍ନତିକଳ୍ପେ ଦୁହେଁ ଅଧିକ ଅନ୍ତରଙ୍ଗ ହେଲେ । ସୁବୋଧ ବାବୁଙ୍କ ପରି ଆହୁରି ଅନେକ ଆସି ଅଳକା ପାଖରେ ଭିଡ଼ ଜମାଇଲେ, କିନ୍ତୁ ଅଳକା ରହିଥାଏ ନିର୍ବିକାର । ଶେଷକୁ ସୌମ୍ୟଦର୍ଶନ ଧନିକ ଅରବିନ୍ଦ ଆସି ଅଳକାର କୃପାଭିକ୍ଷୁ ହେଲେ । ସେତେବେଳେ ସମସ୍ତେ ମନେକଲେ ଏଥର ଅଳକାର ଜୀବନ ତରୀ ସଂସାରକୂଳରେ ଲାଗିବ । ତଥାପି ଅଳକା ନିଷ୍ପନ୍ଦ, ଭାବଶୂନ୍ୟ ଓ ନୀରବ । ମାସକୁ ମାସ ଘରକୁ ଟଙ୍କା ପଠାଇ ନିଜେ ସମୁଦ୍ର ତଟରେ ଗୋଟିଏ ସୁସଜ୍ଜିତ ମନୋରମ ଛୋଟ ଘରଟିରେ ନିଜକୁ ଅଧୀଶ୍ଵରୀ କରିଥାଏ । ତାର କୃପାପ୍ରାର୍ଥୀ ଏବେ ବି କମ୍‌ ନାହାନ୍ତି ।

 

ସେଦିନ ସ୍କୁଲର ପୁରସ୍କାର ବିତରଣ ଉପଲକ୍ଷରେ ପୁରୀର ଶିଳ୍ପୀ ଅଶୋକର ଚିତ୍ରଟିଏ ଆଣି ଦେଲା ଲଳିତା । ଅପରୂପ ଚିତ୍ର ଏଥିରେ ସନ୍ଦେହ ନାହିଁ । ସେଥିପାଇଁ ପ୍ରଧାନ ଶିକ୍ଷୟିତ୍ରୀ, ଅଳକା ଓ ଇନ୍ଦ୍ରାଣୀ ଯାଇଥିଲେ ତାଙ୍କୁ ଅନୁରୋଧ କରିବାକୁ– ତାଙ୍କ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ଈଶ୍ୱରପ୍ରସାଦ ଶର୍ମାଙ୍କର ଗୋଟିଏ ଚିତ୍ର ଆଙ୍କି ଦେବାକୁ ।

 

ଅଶୋକ ଦରିଦ୍ର ଶିଳ୍ପୀ । ଅର୍ଦ୍ଧାହାର ଓ କେବେ କେବେ ଅନାହାରରେ ଦିନ କଟାଇବାକୁ ପଡ଼େ । ସୁତରାଂ ଶିଳ୍ପୀଭବନରେ ଆଡ଼ମ୍ବରର ସମ୍ଭାବନା ନ ରଖି ଠିଆ ଠିଆ ହିଁ ଆଲୋଚନା ହେଲା, ସାମାନ୍ୟ କେତେ ପଦ ମାତ୍ର । ଅଳକା କିନ୍ତୁ ହଠାତ୍‌ ପରିହାସ କରିବା ପାଇଁ ପଛାଇ ନାହିଁ-। ଅଳକାର ଏପରି ସରସ ଭାଷାରେ ଶିଳ୍ପୀ ନିଜକୁ ଅସହାୟ ମଣିଲେ । ଚିତ୍ର ଆଙ୍କିବାର ଭାର ଶିଳ୍ପୀ ଉପରେ ନ୍ୟସ୍ତ ରଖି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ଅଳକା ଓ ଇନ୍ଦ୍ରାଣୀ ଫେରିଲେ । ସେ ଦିନର ପରିଚୟ ସେତିକି ।

 

ଶିଳ୍ପୀ ଅଶୋକଙ୍କ ସହିତ ଅଳକାର ଆଉ ପରିଚୟ ଘଟିନି । ସେ କେତୋଟି ମୁହୂର୍ତ୍ତ ଅଳକାର କ୍ଷୁଦ୍ର ହେଉ, ବିରାଟ ହେଉ ଚିତ୍ତସିନ୍ଧୁରେ କି ତରଙ୍ଗ ତୋଳିଲା କେଜାଣି, ଶିଳ୍ପୀର ଦୃଦୟପଟରେ ତାହା ଉତ୍ତାଳ ହୋଇ ଅଙ୍କିତ ହେଲା । ଶିଳ୍ପୀ ତୂଳୀ ନ ଧରି, ପୁରୋଭାଗରେ ଫଳକ ନ ରଖି ଚିତ୍ରିବାରେ ଲାଗିଲେ –ରୂପାୟିତ ହୋଇ ଉଠିଲା ଅଳକା ।

 

ଈଶ୍ୱର ସୃଷ୍ଟିରେ ବିଧାନଟା ଏପରି ବିଚିତ୍ର ଯେ, ଖାଲି ଚିନ୍ତା କଲେ ସୁଦ୍ଧା ଅଘଟନ ଘଟିଯାଏ । ଏହି ଚିନ୍ତା ଫଳରେ ଅଶୋକ ନିଜର ହୃଦୟରେ ଶିଳ୍ପଚାତୁର୍ଯ୍ୟର ଯେ ମଧୁଚକ୍ର ସୃଷ୍ଟି କଲେ, ତା ମଧ୍ୟରେ ରାଣୀ ମହୁମାଛି ପରି, ଅବାଧ ଭ୍ରମଣ କରିବାରେ ଲାଗିଲା ଅଳକା । ଅଳକା ମଧ୍ୟ ଶିଳ୍ପୀ ବରଙ୍କୁ ଘେନି ନିଜର ଅଳକା-ପୁରୀ କଳ୍ପନା କରିବାରେ ଲାଗିଲା । ଏହି ଅବସରରେ ହଠାତ୍‌ ଇନ୍ଦ୍ରାଣୀ ପାଇଛି ନିମନ୍ତ୍ରଣ ପତ୍ର ।

 

ଅନୂଢ଼ା ଅଳକା ନିଜର ସଂକଳ୍ପ ଛାଡ଼ି ହଠାତ୍‌ ଏପରି ବିବାହ କରିବ, ଇନ୍ଦ୍ରାଣୀ କଳ୍ପନା କରି ନ ଥିଲା । ପୁଣ୍ୟ ତିଥିରେ ସାକ୍ଷାତ୍‌ ଘଟିବା ମାତ୍ରକେ ଇନ୍ଦ୍ରାଣୀ ପଚାରି ଉଠିଲା, “କ’ଣ ଅଳକା, ଏପରି ତରତର ହେଲୁ କାହିଁକି ?’’

 

ତରତର ତ ହୋଇନାହିଁ । ଗୋଟାଏ କାର୍ଯ୍ୟ ତୁଲାଇଲେ କର୍ତ୍ତବ୍ୟର ଇତି ହେଉନାହିଁ । ଜୀବନର ଯେଉଁ ମୁହୂର୍ତ୍ତରେ ଯାହା କର୍ତ୍ତବ୍ୟ ରହିଛି, ତାହା ତ ପୁଣି କରିବାକୁ ହେବ । କର୍ତ୍ତବ୍ୟ ତ ରହିଛି ଅନେକ; କିନ୍ତୁ ଏହା ପରମ କର୍ତ୍ତବ୍ୟ, ଇନ୍ଦ୍ରାଣୀ !

Image

 

ଚିକିତ୍ସା

 

‘‘ଭିତରଟା ଗୁରୁ ଗୁରୁ ହୋଇ ଉଠେ । ଆଖି ଦୁଇଟା ବିସ୍ଫାରିତ ହେବା ସଙ୍ଗେ ସଙ୍ଗେ କଷା ହୋଇଯାଏ, ସାମାନ୍ୟ ଜ୍ଵାଳା ଯେ ନ ହୁଏ ଏପରି ନୁହେଁ । ତଳଆଡ଼ୁ କାନ ଦୁଇଟା କ୍ରମେ ତାତି ଆସେ, ଛାତିଟା ଥରି ଉଠେ । ଦୁଇ ଚାରିଟା ଘନ ନିଶ୍ୱାସ ନାହି ତଳୁ ଉଠି ପଦା ପବନରେ ମିଳାଇ ଯାଏ ସତ, ମାତ୍ର ଦେହ ଭିତରେ ଯେ ପ୍ରବାହ ସୃଷ୍ଟି କରେ, ତାହା କାନକୁ ଶୁଭିଲା ଭଳି । ଦେହ ଭିତରେ ପବନଟା କିପରି କେଉଁ ବାଟରେ ଆସୁଛି ଜଣା ପଡ଼େ । ଏତିକି ହୋଇ ଆସିଲେ, ଦେହରେ ତାପର ମାତ୍ରା ବଢ଼ିଚାଲେ କ୍ରମେ । ବିନ୍ଦୁ ବିନ୍ଦୁ ସ୍ଵେଦ କପାଳରେ, ଚିବୁକରେ ମୁକ୍ତା ପରି ଆଭରଣର ରୂପ ମଣ୍ଡିଦିଏ; କିନ୍ତୁ ସୁଖଶାନ୍ତି ପରିବେଶ ମଧ୍ୟରେ ଘଟୁ ନଥିବାରୁ ଛାତିଟା କିମିତି ଲାଗେ । ଏତିକିବେଳେ ଝରିପଡ଼େ ଅଜାଣତରେ ଦୁଇଧାର ଲୁହ । ଧାରା ହଠାତ୍ ଶୁଖିଯାଏ ନାହିଁ । ତପ୍ତ ବକ୍ଷର ତାପକୁ ଏ ଧାରା ଶୀତଳ କରିପାରେ ନାହିଁ, ବରଂ ତାର ବଢ଼ିବାର ଗତିକୁ ଦ୍ରୂତତର କରେ । ଏପରି ଦିନେ ଅଧେ ହେଉ ନାହିଁ । ମାସକ ମଧ୍ୟରେ କୋଡ଼ିଏ ପଚିଶ ଦିନ ହେଉଛି । ସନ୍ଧ୍ୟା ସମୟଟା ପ୍ରାୟ ଏହିପରି କଟେ ... ।’’

 

କଥାଟା ଅଧା ଶୁଣିବା ବେଳଠୁ ଆଗନ୍ତୁକ ବୈଦ୍ୟ ମୁଣ୍ଡରେ ହାତ ଦେଇ ରୋଗୀ ଆଡ଼କୁ ନିକୁଟି–ନାକୁଟି ଚାହିଁଲେ । ନିଜ କପାଳଟାକୁ ବାଁ ହାତର ବୁଢ଼ା ଓ ବିଶି ଆଙ୍ଗୁଠି ମଝିରେ ରଖି କଣ ଟିକିଏ ଚିନ୍ତାକଲେ । ଭ୍ରୂଯୁଗଳର ମଧ୍ୟବର୍ତ୍ତୀ ଅଞ୍ଚଳକୁ ସେହି ଦୁଇ ଆଙ୍ଗୁଠିରେ କିଛିକ୍ଷଣ ପାଇଁ ମକଚାମକଚି କରି ରୋଗୀର ବାପାଙ୍କ ଆଡ଼କୁ ଚାହିଁ କହିଲେ,–

 

‘‘ମହାପାତ୍ର ଆପଣେ, ରୋଗଟା ବେଶି କିଛି ନୁହେଁ । ଆପଣ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଦିନ ଦୁଇଟାରେ ଆପଣଙ୍କ ପୁଅ ଝାଡ଼ିଝୁଡ଼ି ହୋଇ ବସିବ । ମୋ କହିବା କଥା କରନ୍ତୁ, ଭରିଏ ମୁଥାକୁ ଛେଚି–ପଣାସଂକ୍ରାନ୍ତି ତ ଚାଲିଗଲା–ଆଚ୍ଛା, ସଂକ୍ରାନ୍ତି ହେବାକୁ ଆଉ ତେରଦିନ ବାକି ଅଛି–ସେହିଦିନ ତହିଁରେ ମହୁ ଚାରିବୁନ୍ଦା ପକାଇ, ନିମ୍ବପତ୍ରରେ ରଖି ପୁଅକୁ ଚଟାଇ ଦିଅନ୍ତୁ । ଏତିକିରେ ଏ ରୋଗ କ’ଣ ରହିବ ? କେଉଁଆଡ଼େ ଉଡ଼ିଯିବ ଫୁର୍‌ କରି ।’’

 

ବୈଦ୍ୟଙ୍କର ପରାମର୍ଶ ରୋଗୀର ବାପାଙ୍କ ମନକୁ ପାଇଲେ ସୁଦ୍ଧା, ବୋଉ ମନକୁ ପାଇଲା ନାହିଁ । ସଂକ୍ରାନ୍ତି ପାଇଁ ତେରଦିନ ଅପେକ୍ଷା କରିବା ପାଇଁ ପଡ଼ିବ । ମା ହୋଇ ଏତକ ଦିନ ସମ୍ଭାଳିବାକୁ ତାଙ୍କ ଛାତି ପତାଇଲା ନାହିଁ । ଓଢ଼ଣାକୁ ଟିକିଏ ଟାଣି ଦେଇ ଚୁଚୁନ୍ଦ୍ରା ପରି କବାଟ ଫାଙ୍କରେ ଦୁଇ ଚାରିଥର ଉଙ୍କିମାରି, ଏପାଖ ସେପାଖ ହୋଇ ଶୁଣାଇ ଶୁଣାଇ କହିଲେ–

 

‘‘ଏବେ କ’ଣ ଓଷୁଅ ଖାଇବ, ସେ କଥା ପଚାର ମ ! ତେରଦିନ କଥା ତ କାହିଁ ଅଛି ।’’

 

କଥା ଦିପଦ ବୈଦ୍ୟଙ୍କ କାନରେ ବାଜିଲା ମାତ୍ରକେ କହି ଉଠିଲେ–

 

“ମୁଁ ତୁଟୁକ ବୈଦ୍ୟ ମା, ମତେ କ’ଣ ଔଷଧ ଜଣାନାହିଁ ? ମିଶ୍ରେ ଯୁ ଚିକିତ୍ସା–ବହି କରିଛନ୍ତି, ତାହା ତ ମୋ ପଛରେ ଗୋଡ଼େଇ ଗୋଡ଼େଇ, ମୋ ସଙ୍ଗେ ଲାଗି ଲାଗି ଯାହା ଚାରିପଦ ଶୁଣିଛନ୍ତି ସେତିକିରେ ଏଡ଼ିକି ବହି ଛାପିଛନ୍ତି । ମତେ କ’ଣ ଔଷଧ ଜଣାନାହିଁ ? ପୁଅ ମହୁ ମୁଥା ଖାଉ, ମାତ୍ର ଏଥିରେ ଟିକିଏ ଛେଳିକ୍ଷୀର ପରୀକ୍ଷା କରିବାକୁ ହେବ ।’’

 

ଦିନ ପରେ ଦିନ ଗଡ଼ିଗଲା, ମାତ୍ର ରାମର ରୋଗ ଭଲ ହେଲା ନାହିଁ । ତା ଦେହ ଯାହା ଥିଲା ତାହା ନରହି କ୍ରମେ ଦୋହଲା ହେଲା ଓ ଚିତ୍ତ ପାତଳ ହେଲା । ସେ ବସିବା ଜାଗାରୁ ଉଠି ପାରିଲା ନାହିଁ । ଏ ମଧ୍ୟରେ ତେରଦିନ ପାର ହୋଇଯାଇଛି । ସଂକ୍ରାନ୍ତି ଦିନ ବଡ଼ି ଭୋରରୁ ମୂଥାକୁ ଛେଚି, ମହୁ ଚାରିବୁନ୍ଦା ମିଶାଇ ନିମ୍ବପତ୍ରରେ ରଖି ରାମକୁ ଚଟା ହୋଇଛି । ଛେଳିକ୍ଷୀର ମଧ୍ୟ ପରୀକ୍ଷା କରାଯାଇଛି; କିନ୍ତୁ ରୋଗ ଯେପରି ଥିଲା ସେପରି ରହିଛି, ଉଡ଼ି ଯାଇନାହିଁ କିମ୍ବା ଚକେ ଚାଖଣ୍ଡେ ଘୁଞ୍ଚିନାହିଁ ।

 

ରୋଗ ଯେପରି ରାମ ଦେହରେ ଲାଗି ରହିଲା, ରାମ ବୋଉ ସେପରି ରାମବାପାଙ୍କ ସଙ୍ଗେ ଲାଗିଲେ–‘‘ବଇଦ ଡାକ; ଏଇ କ’ଣ ଏକା ବଇଦ ଅଛନ୍ତି ଏ ରାଇଜରେ ? ତୁଟୁକ ବଇଦଟାଏ ରୋଗ ଛଡ଼ାଇ ପାରିଲି ନାହିଁ ବୋଲି ରୋଗ କ’ଣ ଆଉ କେହି ଛଡ଼ାଇ ପାରିବେ ନାହିଁ-?’’

 

ରାମର ବାପା ଖୋଜି ଲୋଡ଼ି ରାଣୀପଡ଼ା ଗାଁରୁ ବଇଦ ଡାକି ଆଣିଲେ । ବଇଦ ପହଞ୍ଚି ରୋଗୀକୁ ଦେଖାଇବା ପୂର୍ବରୁ ଅଣ୍ଟା ପାଖରେ ଖୋସିଥିବା ବଟୁଆକୁ ଖୋଲି ତାର ପ୍ରତି ଖୋପରେ କଣ ଗୋଟାଏ ଖୋଜି ଗଲେ । ବହୁ କଷ୍ଟର ଶେଷରେ ଖୋଜୁଥିବା ଔଷଧ ମିଳିଲା । ବୈଦ୍ୟ ରୋଗୀକୁ ଔଷଧ ଦେଇ ଫେରିବାବେଳେ କହିଗଲେ–

 

‘‘ମୁଁ ବଟୁକ ବୈଦ୍ୟ ବନ୍ଧୁ ସାହୁ । ଏ ପାନ କରେ ଯଦି ରୋଗ ନ ଛାଡ଼ିବ, ତାହାହେଲେ ମୋ ନାଁ ଧରିବ ନାହିଁ ।’’

 

ତାଙ୍କ ନାଁ ଆଉ ଧରିବାକୁ ପଡ଼ିଲା ନାହିଁ । ସେ ବଟୁଆରୁ ଗୁଣ୍ଡି ଦେଲେ କି ଜହର ଦେଲେ କେଜାଣି, ରୋଗଟା କ୍ରମଶଃ ବଢ଼ିବା ପରି ଜଣାଗଲା । ବେଳେ ବେଳେ ରାମ ଯେ ତେଜ ଟିକିଏ ଟିକିଏ ଦେଖାଉଥିଲା, ସେତକ ମଧ୍ୟ ଗଲା । ରୋଗ ବିରୋଧରେ ଲଢ଼େଇ କରିବା ଲାଗି ଶେଷରେ କବିରାଜଙ୍କୁ ଡାକିବା କଥା ହେଲା ।

 

କବିରାଜ ରାମକୃଷ୍ଣ ରଥେ ନିଜ ଆଖି କେତେବେଳେ ବୁଜି, କେତେବେଳେ ବା ତରାଟି ଚାହିଁ, ରୋଗୀର ନାଡ଼ିଟା ଦେଖି ନେଇ କହିଲେ–

 

‘‘ମୁଁ ନାଡ଼ି ଚିପା ବୈଦ୍ୟ ନୁହେଁ । କଲିକତାରେ ରହି ବୈଦ୍ୟରତ୍ନ ନୀଳାଦ୍ରି ମୋହନଙ୍କ ନିକଟରେ ଦୀର୍ଘ ସାତବର୍ଷ କାଳ ଆୟୁର୍ବେଦ ଶାସ୍ତ୍ର ମନ୍ଥନ କରିଛି । ଚରକଙ୍କୁ ଚରୁ ପରି ଭକ୍ଷଣ କରିଛି, ବାଗ୍‌ଭଟ୍ଟଙ୍କୁ ଜିଭ ଅଗରେ ରଖିଛି । ମାଧବକର ମୋ ନୟନମଣ୍ଡଳରେ ରହିଛନ୍ତି; କାରଣ ରୋଗୀକୁ ଦେଖୁ ଦେଖୁ ମୁଁ ରୋଗର ନିଦାନ କରିପାରେ । ପାନେ ପାଚନ, ଲେଡ଼ିଏ ଲେହ, ସାମାନ୍ୟ ରସାୟନ, ଅଥବା ଗୋଟାଏ ମୋଦକ ଖାଇଲେ ରୋଗ 'କିଏରେ, କିଏରେ’ ଡାକ ପଳାଇଯିବ । ମୁଁ କ’ଣ ସାମାନ୍ୟ ଲୋକ ! ଆୟୁର୍ବେଦାଚାର୍ଯ୍ୟ, ଭିଷକ୍‌ରତ୍ନ, ଔଷଧ ମହୋଦଧି, ପାଚନ–ପ୍ରପାତ, ମୋଦକ–ଐରାବତ ଇତ୍ୟାଦି ଉପାଧି ଯେ ମତେ ମିଳିପାରିଛି, ଏହା କ’ଣ ଆଉ କିଏ ପାଇଛି ? ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଡ଼ି ମୁଁ ଚିପିଛି, ରାଜ୍ୟପାଳଙ୍କ ମୂତ୍ର ପରୀକ୍ଷା କରିଛି, କୁଳପତିଙ୍କର ଶୂଳରୋଗକୁ ଭଲ କରିଛି, ମୁଖ୍ୟ-ବିଚାରପତିଙ୍କର ଅର୍ଶରୋଗକୁ ନିର୍ମୂଳ କରିଛି । ତେବେ ଏ ରୋଗରେ ‘ପ୍ରଚଣ୍ଡମାର୍ତ୍ତଣ୍ଡ ତାପଶାମକ ଚନ୍ଦ୍ରକାନ୍ତି ସୁରା' ଦୁଇ ଚାରି ପାନ ଲୋଡ଼ା ହେବ-। ଔଷଧଟା ଦେଉଛି, ଖାଉ, ଦେଖିବ ଯେ ।’’

 

ରାମଚନ୍ଦ୍ର ପହର କରେ ଚାରିପାନ ଏପରି ଚଉଦ ପାନ ସୁରା ପିଇଲେ; ମାତ୍ର ରୋଗ ଦୂରକୁ ପଳାଇବା ପରିବର୍ତ୍ତେ ବୁଢ଼ିଆଣୀ ଘର ଭିତରେ ଜାଲ ବାନ୍ଧି, ବସା କରି ରହିଲା ପରି ତାଙ୍କରି ଦେହରେ ରହିଲା । ଯେ ଯେତେ ଘଉଡ଼ାଇଲେ ମଧ୍ୟ ଗଲା ନାହିଁ ।

 

ରୋଗରେ ବହୁକାଳ ପଡ଼ିବା ଫଳରେ ଗାଁ ଲୋକେ ରାମର ରୋଗ କଥା ଜାଣିଲେ । କିଏ କିଏ ଆସି ସଙ୍ଖୋଳି ଦେଇ ଗଲେ । ଯାହା ମନ ଯେପରି ପାଇଲା ସେପରି ମତ ଦେଲେ । ଶୁଣାଗଲା–‘ରାମବାପା ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠିତ ହେଉଛନ୍ତି । ନହେଲେ ଡାକ୍ତର ଡାକି ଆଣନ୍ତେ ନାହିଁ ? ସେ ଥରେ ଆସି ଫୋଡ଼ିଦେଇ, କାଚେ ପାଣି ପିଆଇ ଦେଲେ ଏ ରୋଗ କ’ଣ ରହନ୍ତା ?’

 

ରାମବାପା କୁଣ୍ଠାବୋଧ କରୁଥିଲେ କି ନାହିଁ କେଜାଣି, ମାତ୍ର ରାମବୋଉ ଅଣ୍ଟା ସଳଖି, ଠିଆ ହୋଇ ଡାକ୍ତର ଡାକି ଆଣିବାକୁ ଲଗାଇଲେ । ସେ ଟିକିଏ ଅଝଟ ଲୋକ, ତାଙ୍କ କଥା ନ ରହିଲେ ସେ ଦିନ ଚୁଲି ଲାଗିବ ନାହିଁ । ଭେଣ୍ଡାପୁଅ ମଳୁ ହେବାରେ ମନଟା ଛି ହୋଇ ଯାଇଛି । ରାମବାପା ଡାକ୍ତର ନ ଡାକୁଛନ୍ତି କେତେକେ ।

 

ପଟ୍ଟନାୟକଙ୍କୁ ଲୋକେ ‘ଡାକ୍ତର ବାବୁ’ ବୋଲି ଡାକନ୍ତି । ଗଳ୍ପନାୟକଙ୍କ ଓଷୁଅ ପାନକ ଦି’ଅଣା । ନିଜକୁ ପରିଚୟ ଦେଇ ସେ କହନ୍ତି–‘ହୋମିଓ ଡାକ୍ତର' । ପଟ୍ଟନାୟକ ରୋଗୀର ଲକ୍ଷଣ ବୁଝି ନେଇ କହିଲେ, –

 

‘‘ମେଲେରିଆ ଜର । ରୋଗୀ ନେଟ୍ରାମ୍‌ ପେସେଣ୍ଟ । ମୁଁ ପାନେ ‘ନକ୍‌ସ’ ଦେଉଛି । ତାପରେ ଏ ‘ସଲ୍‌ଫର୍‌’ ପାନକ ଖାଇବ । ତା ପରଠାରୁ ତିନିଘଣ୍ଟା ଅନ୍ତରରେ ଏ ‘ନେଟ୍ରାମ୍‌’ ଚାରିପାନ ଖାଇ ଦେବ । ପ୍ରତିଥର ଔଷଧ ଖାଇଲା ବେଳେ ‘ହାନିମାନଙ୍କୁ’ ମୁଣ୍ଡିଆ ମାରିବ ଓ ଡାକ୍ତର ଚୌଧୁରୀଙ୍କୁ ନମସ୍କାର କରିବ । ଏତିକି କଲେ ରୋଗଟା ଓହ୍ଲାଇଯିବ ।’’

 

ପଟ୍ଟନାୟକଙ୍କ ପରାକ୍ରମଟା କଥାରେ ରହିଲା । ରୋଗଟା ପାହାଚ ଓହ୍ଲାଇ ଗଲା ନାହିଁ; ବରଂ ପଟ୍ଟନାୟକେ ପାହାଚ ଓହ୍ଲାଇ ଯେ ଯାଇଥିଲେ, ଆଉ ପାହାଚ ଉଠିଲେ ନାହିଁ । ଡାକ୍ତର ନ ଡାକି ହୋମିଓ ଡାକ୍ତରଙ୍କୁ ଡାକିଥିଲେ ବୋଲି ରାମବାପାଙ୍କୁ ଆଉ ଦଶପଦ ଗାଁ ଦାଣ୍ଡରେ ଶୁଣିବାକୁ ପଡ଼ିଲା । ଏ ଦଶ ପଦକ ଘରକୁ ଯିବାବେଳକୁ ପଣିକିଆର ପ୍ରତି ଥାକରେ ଗୁଣେ ଗୁଣେ ବଢ଼ିଗଲା ପରି ଶହେଗୁଣ ବଢ଼ି ଯାଇଥିଲା । ଏକ ରାମବୋଉ ଯେତିକି ଝାଡ଼ିଲେ ସେଥିରେ ରାମବାପା ଏରୁଣ୍ଡି ବନ୍ଧରୁ ସଂକଳ୍ପ କରି ବାହାରିଲେ ଡାକ୍ତର ଡାକିବାକୁ ।

 

ଡାକ୍ତର ରାଏ ଚେମେଡ଼ିଆ ଲୋକ ହେଲେ ସୁଦ୍ଧା, ଜାଣିବାର ଲୋକ ବୋଲି ତାଙ୍କ ନାଁ ଡାକୁ ହୋଇଛି । ମାତ୍ର ହାତରେ ମୁଦ୍ରା ନ ଧଇଲେ ସେ ଘରୁ ଗୋଡ଼ କାଢ଼ନ୍ତି ନାହିଁ । ସେ ଆଣ୍ଠୁଏ କାଦୁଅରେ ଏକଡ଼ାଳିଆ ଗାଁକୁ ଯିବାକୁ ଅମଙ୍ଗ ହେଉଥିଲେ । ମାତ୍ର ହାତରେ ଟଙ୍କା ପନ୍ଦରଟା ଗୁଞ୍ଜି ଦେବାରୁ କୁନ୍ଥେଇ କୁନ୍ଥେଇ ରାଜି ହେଲେ ।

 

ପୁରୋହିତ ରୁଦ୍ରାକ୍ଷମାଳା ପକାଇଲା ପରି ସେ ବେକରେ ଗୋଟାଏ ରବରନଳୀ ପକାଇଲେ । କେଉଟ ହାତରେ ଖାଳେଇ ଧରିଲା ପରି, ଔଷଧ ବ୍ୟାଗ୍‌ଟା ହାତରେ ଧଇଲେ । ବାଟରେ କାଦୁଅ ପଡ଼ିବ ବୋଲି ପେଣ୍ଟ ବଦଳାଇ ଲୁଗାଟାଏ ଫାରିକଛା ମାରି ପିନ୍ଧି ଚାଲିଲେ ସିଧା ଏକଡ଼ାଳିଆକୁ । ରାମବାପା ଆଗେ ଆଗେ ଚାଲିଥାନ୍ତି ଶଗଡ଼ ଆଗରେ ଶଗଡ଼ିଆ ପରି । ବାଟରେ ଦୁହେଁ ଯାକ ଥଙ୍ଗି ନାହାନ୍ତି । ସିଧା ଯାଇ ଦୁଆର ମୁହଁରେ ପଥର ପାହାଚରେ ଠିଆ ହେଲେ ।

 

ରାମ ସାନ ଭଉଣୀ ରମା ପାଣି ଆଣି ଦେଲା । ଡାକ୍ତରବାବୁ ଗୋଡ଼ ଦୁଇଟାକୁ ଦର ଦର ଧୂଆ କରି ରୋଗୀ ନିକଟକୁ ଚାଲିଲେ । ନାଡ଼ି ଚିପା କାମଟା ଦଣ୍ଡେ ଚାଲିଲା । ତାପରେ ରବରନଳୀରେ ଛାତି, ପିଠି ଦେଖା ହେଲା । ତଳ ଉପର ଦୁଇ ପତା ଫିଟାଇ ଆଖି ଦୁଇଟାକୁ ଦେଖି ନେଲେ । ଜିଭଟାକୁ ଚାଖଣ୍ଡେ ଲମ୍ବରେ କାଢ଼ିବାକୁ ବରାଦ କରି କଣ ଦେଖିଲେ ସେ ଜାଣନ୍ତି । ହୋମିଓ ଡାକ୍ତର ଦେଖି ଯାଇଛନ୍ତି ଶୁଣି ରାୟଙ୍କ ପିତ୍ତ ଚଢ଼ି ଯାଇଥିଲା । ପିନ୍ଧା ଲୁଗା ଖଣ୍ଡକ ସେ ଫିଙ୍ଗି ଦେଇ ଶିବଙ୍କ ପରି ଏକଡ଼ାଳିଆ ଗାଁରେ ଘଡ଼ିଏ ତାଣ୍ଡବ କରିଦେବେ ବୋଲି ସମସ୍ତଙ୍କର ମନେ ହେଲା । ଘଟନା ମଝିରେ ଶୁଣିବାକୁ ପାଇଲେ ଯେ କବିରାଜ, ବଟୁକ, ତୁଟୁକ ସମସ୍ତେ ହାତ ମାରି ଯାଇଛନ୍ତି । ସେଥିପାଇଁ ସେ ତୋଡ଼ରେ ପଚାରିଲେ,–

 

“ମହାପାତ୍ରେ, ଗୁଣିଆ ଡକାଇ ନାହିଁ ?’’

 

ଉତ୍ତର ଦେବାକୁ ରାମବାପାଙ୍କର ବହପ ନଥିଲା । ସେ ଆଖି ଛଳ ଛଳ କରି, କଥା ନକହି କାକୁତି ଭାବରେ ଡାକ୍ତରଙ୍କ ଆଡ଼କୁ ତକାଇ ରହିଲେ । ତାଙ୍କ କାନକୁ ଶୁଣାଗଲା,–

 

‘‘ପୁଅ ଭଲ ହେବ, ମାତ୍ର ଦେଢ଼ ଶହ ଟଙ୍କା ଆଗ ଥୁଅ ।’’

 

ସତ ଶୁଭିଛି କି ମିଛ ଶୁଭିଛି ବିଚାରିବା ପାଇଁ ମହାପାତ୍ରଙ୍କର ବେଳ ନଥିଲା । ସେ ସିନ୍ଦୁକ ଖୋଲି ପନ୍ଦରଖଣ୍ଡି ଦଶଟଙ୍କିଆ ନୋଟ ଆଣି ଡାକ୍ତରଙ୍କ ଔଷଧ ବ୍ୟାଗ୍‌ ପାଖରେ ଥୋଇ ଦେଲେ । ଆଖି ପିଛୁଳାକେ ସେତକ କାମିଜ ମୁଣାରେ ପଶିବାର ଦେଖା ଗଲା । ଡାକ୍ତରବାବୁ ପିଚାରେ ଗୋଟାଏ ଫୋଡ଼ି ଦେଇ, କାଚେ ପାଣି ପିଇବାକୁ ଦେଇ ବାହାରି ପଡ଼ିଲେ । ଗଲାବେଳେ କହିଗଲେ,–

 

‘‘ମହାପାତ୍ରେ, ପଚାଶ ଟଙ୍କା ଧରି ଆସ, ଆଉ କେତଟା ଔଷଧ ନେଇ ଆସିବ ।’’

 

ଡାକ୍ତରବାବୁଙ୍କ ସହିତ ରାମବାପା ପାହାଚ ଓହ୍ଲାଇ ଦାଣ୍ଡରେ ଦଶ ପାହୁଣ୍ଡ ଯାଉଥିବେ କି ନାହିଁ ହଠାତ୍‌ ଘର ଭିତରୁ ଶୁଣାଗଲା,–

 

‘‘ମୋ ରାମରେ, ମୋ ରାମ, ମତେ ଛାଡ଼ି ଦେଇ କୁଆଡ଼େ ଗଲୁରେ,ମୋ ଧନରେ..... ମୋ.... ।’’

 

ପଚିଶ ବର୍ଷର ଭେଣ୍ଡା ରାମ ଶୋଇ ରହିଥିଲା । ତା ପାଦତଳେ କାଠ ପିତୁଳା ପରି ଠିଆ ହୋଇଥିଲା, ତାର ଅଠର ବର୍ଷର ଭାର୍ଯ୍ୟା ଲକ୍ଷ୍ମୀ ।

Image

 

ବିଦ୍ୟାରମ୍ଭ

 

‘ମାଣିକ’

 

‘କଣ ବୋଉ’ !

 

‘ଧନ ପରା ! ଯା, ଜମିଦାର ମାଉସୀଙ୍କଠୁଁ ଭାତ ଗଣ୍ଡିକ ନେଇ ଆ । ଆଜି ମୁଁ ଯାଇ ପାରିବିନି ।’

 

‘ବୋଉ, ପୁଣି କ’ଣ ଜର ହେଲା ?’

 

‘ହଁ ବାପ, ଖଣ୍ଡିଆ ଜରଟା ମତେ ନ ନେଇ ଛାଡ଼ିବ ନାହିଁ ।’

 

‘ନା ବୋଉ, ତୁ ଏମିତି କଥା କହନା । ମତେ ଏକୁଟିଆ ଛାଡ଼ି କୁଆଡ଼େ ଯିବୁ ବୋଉ !’

 

ନା, କୁମ ମାଣିକକୁ ଛାଡ଼ି କୁଆଡ଼େ ଯାଇ ପାରିବ ନାହିଁ । ଏକୋଇର ବଳା ବିଶିକେସନ, ମାଣିକ ତାର ହୃଦୟ ପସରା । ତାରି ମୁହଁକୁ ଚାହିଁ ବିଧାତାର କ୍ରୂର ନିର୍ଦ୍ଦେଶ ମାନି ସେ ବୈଧବ୍ୟ ବରଣ କରିଛି । ଖାଲି ଏଇୟା ମନେ କରି ଯେ ଦିନେ ମାଣିକ ବଡ଼ ହେବ, ତାର ଦୁଃଖ ଘୁଞ୍ଚିବ । ଏତେ ଦିନ ମାଗି ଯାଚି, ନିଜ ଦେହ ଶ୍ରମ ବଦଳରେ ଯେ ମୁଠିକ, ଖଣ୍ଡିକ ପାଏ, ସେତିକିରେ ସେ ମାଣିକକୁ ମଣିଷ କରିବାକୁ ପଛାଇ ନାହିଁ । କୁମ ଗଲେ ମାଣିକକୁ ଦେଖିବ କିଏ ? କୁମର ଅନ୍ଧର ଲଉଡ଼ି, କାହା ପାଖରେ ହାତ ପତାଇବ । ସେଥିପାଇଁ କୁମ ତା ନିଜର ରୋଗକ୍ଲିଷ୍ଟ ପାଣ୍ଡୁର ମୁହଁରେ ହସ ଫୁଟାଇ ମାଣିକକୁ ଜାଣିବାକୁ ଦିଏନା, ତାର ଦେହ ଖରାପ ହୋଇଛି ବୋଲି । ଆଶଙ୍କା ହୁଏ ମାଣିକ ଜାଣିଲେ ପଢ଼ିବାକୁ ଯିବନାହିଁ ।

 

ମାଣିକ ଗାଁ ମୁଣ୍ଡ ଚାଟଶାଳୀରେ ପଢ଼େ । ଆଠ ବର୍ଷର ଗରିବ ପିଲା ସେ । ପାଠରେ ଖୁବ୍‌ ମନ; କିନ୍ତୁ ବିଧାତା ବାଦ ସାଧିଛି । ବହି ନାହିଁ, ଜାମା ନାହିଁ, ପେଟ ପୂରାଇ ଦିମୁଠା ଖାଇବାକୁ ନାହିଁ ମଧ୍ୟ । ତା ବୋଉ କହିଛି ଏ ମାସରେ ଚାଟଶାଳୀର ପାଠ ଶେଷ ହେଲେ, ରଘୁମାଷ୍ଟ୍ରଙ୍କ ସଙ୍ଗେ ଯାଇ ସ୍କୁଲରେ ପଢ଼ିବ । ପଢ଼ି ପାରିବ ତ ? ପଢ଼ିବାରେ ତାର ଭାରି ଇଚ୍ଛା; କିନ୍ତୁ ବୋଉ ଦେହଟା ଏଇ କେତେଦିନ ହେଲା ଭଲ ନାହିଁ । ତାକୁ ଛାଡ଼ି ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ସ୍କୁଲରେ ସେ ରହିବ କିମିତି ? କିଏ ଆଉ ଅଛି ଯେ ବୋଉକୁ ଦେଖିବ ? ତାରି ଭଳି ପିଲାଏ ସବୁ ସ୍କୁଲକୁ ଗଲାବେଳେ ସେ ନିରେଖି ଚାହେଁ । ମନ ହୁଏ ତାର ଯିବାକୁ, ମାତ୍ର ନିଶ୍ଵାସଟିଏ ମାରି ଘର ଭିତରକୁ ଲେଉଟେ ।

 

କୁମ ଗରିବ ବିଧବାଟିଏ । ଗାଁର ଗୋଟିଏ ନିର୍ଜନ ବରଗଛ ତଳେ ତାର କୁଡ଼ିଆଟି । ଘରେ ଗାଈଟିଏ, ମାଣିକ ଓ ସେ । ମଙ୍ଗୁଳି ଯୋଗୁ ଘର ଅଧେ ଚଳୁଛି । ଦି ଓଳି ଦି ସେର ଦୁଧ ନେଇ ଗାଁ ମିଶ୍ରଙ୍କ ଘରେ ଦିଏ । ମିଳେ ମାସକୁ ଦଶଟି ଟଙ୍କା । ମିଶ୍ର ଘର ସେ ଗାଁର ବଡ଼ ଲୋକ । ଲୋକେ ଜମିଦାରବାବୁ ବୋଲି ଡାକନ୍ତି । ମିଶ୍ରାଣୀ ଅତି ଦୟାବତୀ, ଲୋକଙ୍କ ଦୁଃଖ ସହି ପାରନ୍ତି ନାହିଁ । ତାଙ୍କରି ଦୟାରୁ କୁମ କାମ ପାଇଛି ।

 

ମିଶ୍ର ଘରେ ବାସି ପାଇଟି କରେ । ମିଶ୍ରାଣୀ ଗଣ୍ଡିଏ ଭାତ ଦିଅନ୍ତି ଶ୍ରମ ବଦଳରେ । କେଉଁଦିନ ଭୁଜା ଗଣ୍ଡେ, ପନିପରିବା ମଧ୍ୟ ଦେଇଥାନ୍ତି । ସେହି ଭାତ ଧରି କୁମ ଫେରିଆସେ କୁଡ଼ିଆକୁ । ସେଥିରେ କୁମ ମାଣିକ ପେଟ ପୂରାନ୍ତି ସକାଳ ଓଳି । କୁମ କାମର ମୂଲ୍ୟ ସେତିକି । ତା ପାଇଁ ଆଉ ଅଧିକ ପଇସା ସେ ଦାବି କରିପାରେନି । ଗରିବ ସେ । ଯେତିକି ମିଳେ, ସେତିକିରେ ସନ୍ତୁଷ୍ଟ ରହିବା ପାଇଁ ବିଧାତା ତାକୁ ନିର୍ଦ୍ଦେଶ ଦେଇଛି । ସେ ବା ଆଉ ଅଧିକ ମାଗିବ କାହାକୁ ?

 

ହେଇଟି ସେ ଦିନର କଥା । ମାଣିକ ଯେତେବେଳେ ନ’ ମାସର ସେତେବେଳେ କୁମର ବର ଲକ୍ଷ୍ମଣ ହଇଜାରେ ଗୋଟିଏ ଦିନରେ ଆଖି ବୁଜିଦେଲା । ଗଜା ଭେଣ୍ଡାଟାଏ ଲକ୍ଷ୍ମଣ । ଦିନ ମଜୁରି କରି ଘରକୁ ଦି ଟଙ୍କା ଆଣୁଥିଲା । ସେତେବେଳେ କୁମର ସଂସାର ହସି ଉଠୁଥିଲା ଆନନ୍ଦରେ । ମାଣିକର ଆଗମନରେ କୁମ ଓ ଲକ୍ଷ୍ମଣ ଗାଁ ବାସେଳୀଙ୍କଠାରେ ମୁଆଁ ଭୋଗ କରିବାକୁ ଯାଇଥିଲେ । ଲକ୍ଷ୍ମଣ କୁମ କାନରେ ଚୁପ୍‌ ଚୁପ୍‌ କହିଲା–

 

‘କୁମ, ପୁଅ ହେଲେ ମୋର, ଝିଅ ହେଲେ ତୋର ।’

 

କୁମ ଲାଜରେ ରଙ୍ଗ ପଡ଼ିଗଲା । ଏତେ ମାଇପଙ୍କ ମଝିରେ ଲକ୍ଷ୍ମଣ ତାରି କାନରେ ଏମିତି କହିଲା କିମିତି ମ ! ଛି, କେଡ଼େ ଅଲାଜୁକ । ‘ଧେତ୍‌’ –କହି ଦୂରକୁ ଚାଲିଗଲା କୁମ ।

 

ସେ ଦିନ ପୂଜା ସାରି ରାତି ଘଡ଼ିଏ ବେଳକୁ ଦୁହେଁ ଘରକୁ ଆସିଲେ ! ଏତେ ରାତିରେ ଆଉ ରୋଷାଇ ନ କରି ସେହି ମୁଆଁ ଖାଇ ଶୋଇଲେ । ସକାଳୁ ଉଠି ଲକ୍ଷ୍ମଣ ଗଲା କାମକୁ । ସଂସାରର ଏକମାତ୍ର ଅଧୀଶ୍ଵରୀ କୁମ ନିଜ ମନ ମୁତାବକ ସଂସାର କରେ । ଲକ୍ଷ୍ମଣ ପୁରୁଷ । ସେ କ’ଣ ସଂସାର ମୁଣ୍ଡାନ୍ତା ? ଦୈନିକ ମଜୁରି ଯାହା ଆଣେ ସେଥିରେ ଦୁହେଁ ଚଳି କିଛି କିଛି ପାଣ୍ଠି କରନ୍ତି । ଚିନ୍ତା ଥାଏ, କୋଳକୁ ଗୋଟିଏ ଆସିଲେ ଚଳିବ କିପରି ?

 

ନୂତନର ଆସିବା ଦିନ ପାଖେଇ ଆସିଲା । ସେ ଦିନଟା ଥାଏ ପୁଷ ପୂର୍ଣ୍ଣିମା । ଧାନ କଟା କଟି, କାମର ଭିଡ଼ ଏତିକିବେଳେ । ଲକ୍ଷ୍ମଣ ବାହାରିଲା କାମକୁ । କୁମ ଆସି କୁନ୍ଥେଇ କହିଲା–

 

‘ଦୁରିବୁଢ଼ୀ ଧାଈକୁ କହିଦେବ, ଏଇଲେ ଆସିବ ।’

 

‘କାହିଁକି, ଆଜି ହବ କିଲୋ ?’ ଲକ୍ଷ୍ମଣ ବ୍ୟଗ୍ରଭାବେ ପଚାରିଲା ।

 

‘ଦେହଟା ଭଲ ଲାଗୁ ନାହିଁ, ତମେ ତାକୁ କହିଦେବ ଯାଅ ।’

 

‘ହଉ ଯାଉଛି ଆଗ’–କହି ଲକ୍ଷ୍ମଣ ଚାଲିଗଲା ଦୁରିବୁଢ଼ୀ ଘରକୁ । ଆଜି ଆଉ କାମରେ ଲକ୍ଷ୍ମଣର ମନ ଲାଗିଲା ନାହିଁ । ନ ହେଲେ ପଇସା ମିଳିବ ନାହିଁ, ଦନେଇ ସାହୁ ବାପ ଚଉଦପୁରୁଷ ଧରି ଗାଳି ଦେବ; ତେଣୁ ବସି ଉଠି କାମରେ ଲାଗିଥାଏ; କିନ୍ତୁ ମନଟା ଥାଏ ଗାଁ ମୁଣ୍ଡ ବରଗଛ କୁଡ଼ିଆଟିରେ । ‘ଦୁରିବୁଢ଼ୀ କୁମ କ’ଣ କରୁଥିବେ । ଗଲାବେଳକୁ କୁମ ଭଲରେ ଥିବ ତ ! ଏଇଟା ମାଇପିମାନଙ୍କର ଗୋଟିଏ ଘାଟି । ମା ବାସେଳୀ, ଭଲରେ ଭଲରେ କୁମକୁ ଏଥିରୁ ପାରି କର ?’

 

ସକାଳ ଯାଇ ଦି ପହର ହେଲା, ତାର ଅସ୍ଥିରତା ଅଧିକତର ବୃଦ୍ଧି ପାଇଲା ସିନା, କମିଲା ନାହିଁ । ‘ଘର ପାଖର ନୟନା ହେଲେ ଆସି ଟିକିଏ ଖବର ଦିଅନ୍ତା'–ଏପରି ଭାବୁ ଭାବୁ ଅସ୍ଥିରତାକୁ ସ୍ଥିର କଲା ତା ସାଙ୍ଗ ଅରକ୍ଷିତ । ସେ ତା ଘର ପାଖ ସାଇରେ ଥାଏ । ଦୁହେଁ ଏକାଠି ସାହୁକାରର କାମ କରନ୍ତି । ଗଲାବେଳେ ସାଙ୍ଗ ହୋଇଯାଆନ୍ତି । ଅରକ୍ଷିତ ଘରେ ତାକୁ ଛାଡ଼ି ଲକ୍ଷ୍ମଣ ଆଗକୁ ଯାଏ ତା ଘରକୁ ।

 

ଅରକ୍ଷିତ ଲକ୍ଷ୍ମଣର ଏପରି ମନମରା ବ୍ୟଗ୍ରଭାବ ଦେଖି ପଚାରିଲା – ‘କିରେ ଲକ୍ଷ୍ମଣ, କ’ଣ ହୋଇଛି କିରେ ? ଆଜି ଏମିତି ଉଦାସିଆ ହେଉଛୁ କିଆଁ ?

 

ଲକ୍ଷ୍ମଣ–‘ନାଇଁ ମ, କିଛି ନାହିଁ ।’

 

ଅରକ୍ଷିତ–‘ମଲା, କ’ଣ ହେଇଛି କହୁନୁ ?’

 

ଲକ୍ଷ୍ମଣ ‘‘କୁମର ପିଲା ହେବ । ଦୁରିବୁଢ଼ୀ ଯାଇଛି ତା ପାଖକୁ ସକାଳୁ । କାହିଁକି ଏତେବେଳ ହେଲା କିଛି ଖବର ନାହିଁ । ଅରକ୍ଷିତ, କୁମ ଭଲରେ ଥିବଟି ?’’ ଲକ୍ଷ୍ମଣକୁ ଅରକ୍ଷିତ ଦମ୍ଭ ଦେଇ କହିଲା– ‘ଦୁରବୁଢ଼ୀ ହାତର ଯଶ ଅଛି । ଚିନ୍ତା କ’ଣ ?’ କିନ୍ତୁ ଲକ୍ଷ୍ମଣର ଅବୁଝା ମନ ମାନିଲା ନାହିଁ । କିମିତି ସୂର୍ଯ୍ୟଦେବ ବୁଡ଼ିଯିବେ, ସେ ଘରକୁ ଯିବ, ସେକଥା ତା ମନରେ ନାଚିଲା ।

 

ସନ୍ଧ୍ୟା ମାଡ଼ି ଆସିଲା । ଯେ ଯାହାର ଘରକୁ ବାହୁଡ଼ିଲେ । ତରତର ହୋଇ ଲକ୍ଷ୍ମଣ ଓ ଅରକ୍ଷିତ ଧାଇଁଲେ । ଅରକ୍ଷିତ ବାଟ ସାରା ଯେତେ କଥା ତାକୁ ପଚାରୁଥାଏ, ସେ ଖାଲି ହୁଁ ହାଁ କରୁଥାଏ । ଅଧବାଟଠି ସେମାନେ ବାଟ ଭାଙ୍ଗି ଗାଁ ବାସେଳୀଙ୍କ ପାଖକୁ ଗଲେ । ଲକ୍ଷ୍ମଣର ଏପରି ଡରକୁଳା ଭାବ ଦେଖି ଅରକ୍ଷିତର ମଧ୍ୟ ମୁହଁରୁ ହସ ଲିଭିଗଲା । ଦୁହେଁ ଦୁହିଁଙ୍କର ଆପଦର ବନ୍ଧୁ ହୋଇ ବାସେଳୀଙ୍କଠାରେ ମୁଆଁ ଯାଚିଲେ, ଶୁଭ ମନାସି ଘରକୁ ଫେରିଲେ । ବାଟରେ ଯାଉ ଯାଉ ଘର ପାଖର ନୟନାକୁ ଦେଖିଲେ ଧାଇଁ ଧାଇଁ ଆସୁଛି । ନୟନାକୁ ଧାଇଁବାର ଦେଖି ଦୁହେଁ ଆହୁରି ତ୍ରସ୍ତ ହେଲେ । ପାଦ ଆଉ ଆଗକୁ ଚଳିଲା ନାହିଁ । ଦୁହେଁ ସ୍ଥାଣୁ ପରି ଠିଆ ହୋଇଗଲେ । ନୟନା ନିକଟକୁ ଆସି, ଲକ୍ଷ୍ମଣର ହାତ ଧରି ପକାଇ କହିଲା–

 

‘‘ଲକ୍ଷ୍ମଣ ଭାଇ ! ପୁଅ ହୋଇଛି ପୁଅ, ଦେ ମିଠାଇ ଦେ ।’’

 

ଏତେବେଳକୁ ଯାଇ ଲକ୍ଷ୍ମଣର ହୋସ୍ ହେଲା । ଆନନ୍ଦ ଆବେଗରେ ସେ ନୟନାକୁ କୁଣ୍ଢେଇ ପକାଇଲା ।

 

‘ସତେ ନୟନା, ପୁଅ ହୋଇଛି ? ଲକ୍ଷ୍ମଣ ଯେପରି ବିଶ୍ଵାସ କରିପାରୁ ନ ଥିଲା । ‘ହଁ ମ, ମୁଁ ପରା ଦେଖି ଆସିଲି । ଦୁରିବୁଢ଼ୀ ମତେ ଦେଖେଇବା ପରଠୁଁ ମୁଁ ତ ଧାଇଁଛି । ସଅଳ ଚାଲ ଦେଖିବୁ ଯେ । ଯୋଉ ଚନ୍ଦ୍ରଉଦିଆ ପୁଅ ହୋଇଛି, ଦେଖିଲେ ପେଟ ପୂରିଯିବ ! ତୋ ଭାଗ୍ୟଟା ଭାରି ଭଲ, ଲକ୍ଷ୍ମଣ ଭାଇ !’

 

ଲକ୍ଷ୍ମଣ, ଅରକ୍ଷିତ, ନୟନା ସମସ୍ତେ ଆନନ୍ଦରେ ଚାଲିଲେ ବରଗଛ ତଳ କୁଡ଼ିଆକୁ । ସନ୍ଧ୍ୟା ଦୀପ ଲାଗିଯାଇଛି, କାହା କାହା ଘରୁ ଶଙ୍ଖ ଶୁଭୁଛି । ଗାଁ ମଝି ଦେଉଳରୁ ଘଣ୍ଟ, ମାଦଳ ଶୁଣାଯାଉଛି । ସନ୍ଧ୍ୟାରାଣୀ ତା’ର ପାତଳ ନୀଳ ପଣତ ଚାରିଆଡ଼େ ବିଛାଇ ଦେଲେଣି । ଅନ୍ଧକାର ଓ ଦୀପ ଆଲୁଅର ମିଶ୍ରଣରେ ଅପୂର୍ବ ଏକ ଶୋଭା ଠାଏ ଠାଏ ଦେଖା ଯାଉଛି । ସେହି ପାତଳା ଅନ୍ଧକାର ଭିତରେ ଚାଲିଛନ୍ତି ତିନୋଟି ଲୋକ । ଘରେ ପହଞ୍ଚି ଦେଖନ୍ତି, ଗୋଟିଏ ବଖରାରେ ଶୋଇ ରହିଛି ନବଜାତ ଶିଶୁ ଓ ନାରୀର ସାର୍ଥକତାରେ ପରିପୂର୍ଣ୍ଣା ମା କୁମ । ଦୀପଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଛି । କୌତୂହଳ ପରିବେଶ ହୋଇ ଲକ୍ଷ୍ମଣ ଝୁଙ୍କି ପଡ଼ିଲା, ତାର ପ୍ରଥମ ସୃଷ୍ଟି ଦେଖିବାକୁ-

 

ସେ ଦିନ ରାତିରେ ଅରକ୍ଷିତ, ନୟନା ବିଦାୟ ନେଲେ ‘ପୁଣି କାଲି ଆସିବୁ’ କହି । ଲକ୍ଷ୍ମଣର ଫୂର୍ତ୍ତି କହିଲେ ନ ସରେ । ସେ ରାତିସାରା ଭବିଷ୍ୟତ କଳ୍ପନାରେ ବ୍ୟସ୍ତ ରହିଲା ।

 

ଦିନ ପରେ ରାତି, ରାତି ପରେ ଦିନ ଆସେ । କୁମର ସଂସାରରେ ପରିବର୍ତ୍ତନ ଦେଖା ଦେଇଛି । କୁମ ଓ ଲକ୍ଷ୍ମଣ ଅତି ଆନନ୍ଦରେ ଗାଁ ବାସେଳୀଙ୍କଠି ମୁଆଁ ପୂଜା କଲେ ଓ ଏକୋଇଶିଆ ଭୋଜି କରି ଗାଁର କେତେ ଲୋକଙ୍କୁ ଖାଇବାକୁ ଦେଲେ । ଦିନ ଗଡ଼ି ଚାଲିଲା । ଲକ୍ଷ୍ମଣ ଏହାପରେ ଅଧିକ କାମ କରି ଟଙ୍କା ଆଣିଲା । ପିଲା ଦୁଧ ଖାଇବାକୁ ଗାଈଟିଏ ରଖିଲା । କୁମକୁ ବେଶି କାମ କରିବାକୁ ଦେଲାନାହିଁ । ଦୁହେଁ ଏକାଠି ବସି ପିଲାର ଭବିଷ୍ୟତ ଘେନି କେତେ ସୁନେଲି ସ୍ଵପ୍ନ ଦେଖନ୍ତି । ପୁଅକୁ ପାଠ ପଢ଼ାଇବ ଲକ୍ଷ୍ମଣ । ତା ପରି ଗଜ ମୁର୍ଖ କରି ମଜୁରିଆ କରିବନି । ପୁଅ ତାର ବାବୁ ହେବ, ଚଉକିରେ ବସିବ–ଭାବୁ ଭାବୁ ଆଖି ଆଗରେ ଲକ୍ଷ୍ମଣକୁ ସବୁ ଦିଶିଯାଏ ।

 

ପୁଅର ବର୍ଷ ପୂରିବାକୁ ଆଉ ତିନିମାସ ବାକି । ସେ ଦିନ ଚିତାଲାଗି ଅମାବାସ୍ୟା । ମଜୁରିରୁ ଫେରି ପେଟ କାଟି ହୋଇ ଲକ୍ଷ୍ମଣର ଝାଡ଼ା ଦି’ ଟା ହୋଇଗଲା । ରାତିରେ ନ ଡାକି ସକାଳୁ ବଇଦ ଡାକିବାର କଥା ହେଲା; କିନ୍ତୁ ଅଧ ରାତିଠାରୁ ଝାଡ଼ା ବାନ୍ତିରେ ଉଚ୍ଛନ୍ନ ହେଲା ଲକ୍ଷ୍ମଣ-। କୁମ ତରତରରେ ଯାଇ ଡାକି ଆଣିଲା ଆର ସାଇର ନୟନାକୁ । ଯାହା ତୁଟୁକା ଜଣାଥିଲା ତା ଦିଆ ହେଲା । ତୁଟୁକାକୁ ନ ମାନି ସକାଳ ସୂର୍ଯ୍ୟ-ଦର୍ଶନକୁ ଅପେକ୍ଷା ନ କରି, ସୁଖର ସଂସାରରେ ଦୁଃଖର ନିଆଁ ଜାଳି ବେକ ମୋଡ଼ି ଦେଲା ଲକ୍ଷ୍ମଣ, କୁମକୁ ଅକୂଳ ସମୁଦ୍ରରେ ଭସାଇ ଦେଇ-। ଗୋଟିଏ ରାତିର ବ୍ୟବଧାନରେ ଏତେ ପରିବର୍ତ୍ତନ କରି ସମ୍ଭବ ହେଲା କୁମ ଭବି ପାରିଲାନାହିଁ-। କେତେ ସାନ୍ତ୍ୱନା କିଏ ଦେଲେ, ଦ୍ଵିତୀୟ ହେବାର ପ୍ରସଙ୍ଗ ମଧ୍ୟ କେତେ ବାଢ଼ି ବସିଲେ, ମାତ୍ର କୁମ କାହାରି ସହିତ ସେପରି ମିଳାମିଶା କଲାନାହିଁ । ଠିକ୍‌ କଲା, କୁଆଡ଼େ ନ ଯାଇ ପିଲାଟିକି ମଣିଷ କରିବ ।

 

ମାଣିକ କ୍ରମେ ଧୂଳି ଖେଳ ଛାଡ଼ି ବଡ଼ ହେଲା । ଖପରା ମାଟି ଛାଡ଼ି ସିଲଟ ଧରିଲା । କୁମ’ର ଅନୁରୋଧରେ ଗାଁ ଚାଟଶାଳୀର ଅଗାଧୁ ଅବଧାନ ତାର ଖଡ଼ିଛୁଆଁ କଲେ । ମାଣିକ ପଢ଼ାରେ ମନ ଦେଲା । ଦି ଓଳି ଯାଇ ଚାଟଶାଳୀରେ ବସେ, ବାକି ସମୟ ଗାଈ ମଙ୍ଗୁଳିର କାମ କରେ, ତାକୁ ଘାସ ଆଣିଦିଏ । ଦାନା ଦେବାର ସାମର୍ଥ୍ୟ ତ ନାହିଁ, ତୋରାଣି, ପେଜ ଯାହା ଥାଏ ଦିଏ । ମା ତାର ଯେତେବେଳେ କାମକୁ ଯାଏ, ସେ ଡିବି ଜାଳି ପାଠ ପଢ଼ି ବସେ ସେତେବେଳେ ।

 

ଚାଟଶାଳୀ ପାଠ ଶେଷ ହେଲା । ମା’ର ଆଶାକୁ ସଫଳ କରି ସେ ଭଲ କଲା ପରୀକ୍ଷାରେ । ଏଥର ସ୍କୁଲ ଯିବା ପାଳି । ତାର ଭଲ ଜାମା ନାହିଁ । କାଲି ସକାଳେ ଜମିଦାର–ମାଉସୀ ଟଙ୍କାଦେଲେ ସେ ଗୋଟିଏ ଜାମା କିଣିବ । ରଘୁମାଷ୍ଟ୍ରେ କହିଛନ୍ତି ବହିତକ ଦେବେ । ସତେ ରଘୁମାଷ୍ଟ୍ରେ ନ ଥିଲେ ସେ କ’ଣ ପାଠ ପଢ଼ିଥାନ୍ତା !

 

ସେ ଦିନ ବୋଉ କହିବା ଅନୁସାରେ ମାଣିକ ଜମିଦାର ମାଉସୀଙ୍କ ଘରକୁ ଗଲା । ମାଉସୀ ପୂଜା କରୁଥିଲେ । ଟିକିଏ ଅପେକ୍ଷା କରିବା ପରେ ମାଉସୀ ଆସି ମାଣିକକୁ ଭାତ ଥାଳି ଓ ଦଶ ଟଙ୍କା ଦେଲେ । କହିଲେ– ‘ମାଣିକ ! ବୋଉକୁ କ’ଣ ଆଜି ବି ଜର ଆସିଛି ?’

 

ମାଣିକ–ହଁ, ମାଉସୀ ! ଆଜି ଔଷଧ ନେଇଯିବି ଘନଶ୍ୟାମ କବିରାଜଙ୍କଠୁ । କାଲି ପରା ମୁଁ ସ୍କୁଲ ଯିବି । ବୋଉ ଜର ନ ଛାଡ଼ିଲେ କିମିତି ଯିବି, ମାଉସୀ !

 

ମାଉସୀ–ହଁ ମାଣିକ, କବିରାଜକୁ ଟଙ୍କାଟିଏ ଦେଇ ଘରକୁ ଡାକି ନେବୁ । ବୋଉର ଏ ଜରଟା ଭଲ ନୁହେଁ, ଏଇଟା ଭଲ ନ ହେଲେ.... ।

 

ମାଣିକ–ଭଲ ନ ହେଲେ କ’ଣ ହବ ମାଉସି ? ବୋଉ କ’ଣ ଆଉ ଭଲ ହବ ନି ? –ସତ କହ ମାଉସୀ !

 

ମାଉସୀ–ହଁ ଭଲ ହେବ, ବାପା ! ତୁ ଯା ଚଞ୍ଚଳ କବିରାଜକୁ ଡାକି ନେବୁ । ହଁ, ଏ ବାଲି ପାଣି ମନ୍ଦିକ ନେଇ ଯା, ବୋଉକୁ ପିଇବାକୁ ଦେବୁ ।

 

ମାଣିକ–ମାଉସୀ, ବୋଉ କାହିଁକ ବାଲି ପିଇବ ? ଏ ଭାତ କ’ଣ ଖାଇବନି ?

 

ପିଲାର ସରଳ ପ୍ରଶ୍ନରେ ତାଙ୍କର ଅନ୍ତର କାନ୍ଦି ଉଠିଲା । ସତେ କୁମ’ର ଯଦି କଣ ହୋଇଯାଏ, ଏ ଅନାଥ ପିଲା କାହା ପାଖରେ ରହିବ ? ସଂସାରରେ ସେ ଚିହ୍ନେ ଏକମାତ୍ର ବୋଉକୁ । ଏହା ଭାବୁ ଭାବୁ ସେ ବିହ୍ଵଳ ହୋଇପଡ଼ିଲେ । କେତେବେଳେ ମାଣିକ ପୁଣି ବୋଉ ଖାଇବା କଥା ପଚାରିଛି ସେ ଶୁଣି ନାହାନ୍ତି । ହଠାତ୍ ଚମକି ପଡ଼ି ଚାହିଁଲେ, ମାଣିକ ତାଙ୍କୁ ଚାହିଁ ଠିଆ ହୋଇଛି । ତାକୁ କୋଳକୁ ଟାଣି ନେଇ କହିଲେ–

 

‘‘ଜର ହେଲେ ଭାତ ଖାଆନ୍ତି ନାହିଁ । ତୁ ଚଞ୍ଚଳ ଯା, ମାଣିକ ।’’

 

ଭାତି ଥାଳି ଧରି ମାଣିକ ଘରେ ପହଞ୍ଚି ଦେଖିଲା, ବୋଉ ଶୋଇଛି । ଥାଳି ଥୋଇ ଦେଇ ହଠାତ୍‌ ଧାଇଁଲା କବିରାଜଙ୍କ ଘରକୁ, ନ ହେଲେ ବୋଉ ଉଠିଲେ ଯିବାକୁ ମନା କରିବ । କବିରାଜଙ୍କ ଘରକୁ ଯାଇ ଦେଖିଲା ସେ ନାହାନ୍ତି । ତାଙ୍କୁ ଅପେକ୍ଷା କରି ବସିବା ଛଡ଼ା ତାର ଆଉ ଉପାୟ ନ ଥିଲା । ଭାବିଲା, ‘ବୋଉର ଜର ନ ଛାଡ଼ିଲେ ସେ କାଲି ସ୍କୁଲକୁ ଯିବ ନାହିଁ । ସକାଳେ ରଘୁମାଷ୍ଟ୍ରଙ୍କୁ ଯାଇ କହି ଆସିବ । ବୋଉ କାହିଁକି ଜମା ଭାତ ଭଲରେ ଖାଉନାହିଁ । ବେଶି ସମୟ ଖାଲି ଶୋଉଛି । କବିରାଜ ତ କେତେ ଔଷଧ ଦେଲେଣି; ତଥାପି ଜର ଛାଡ଼ୁନି । ବୋଉ ଭଲ ହେଲେ ସିନା ମୁଁ ସ୍କୁଲ ଯାଇ ପାଠ ପଢ଼ିବି ? .....କବିରାଜ ପହଞ୍ଚି ପଚାରିଲେ–

 

‘କିରେ ମାଣିକ, ପୁଣି କୁଆଡ଼େ ?’

 

ମାଣିକ–ବୋଉକୁ ଆଜି ବେଶି ଜର । ତମେ ଟିକିଏ ଚାଲ ଦେଖି ଆସିବ ।

 

କବିରାଜ–ମୁଁ କାହିଁକି ଯିବି ? ତୁ ଯା ଔଷଧ ଦେଇ ଦେବୁ ।

 

ମାଣିକ–ନାଇ କବିରାଜେ, ମୁଁ ଟଙ୍କା ଧରି ଆସିଛି, ତମେ ଆସ ।

 

ଟଙ୍କା କଥା ଶୁଣି କବିରାଜଙ୍କ ମନ ନରମି ଗଲା । ଔଷଧ ଧରି ମାଣିକ ସହିତ ତା ଘରକୁ ମୁହାଁଇଲେ ।

 

କବିରାଜ ପହଞ୍ଚି ଦେଖିଲେ ଯେ କୁମ ଅନ୍ଧାରରେ ଶୋଇଛି । ଦୀପ ଜଳା ହୋଇନାହିଁ । ମାଣିକ ଡାକିଲା–

 

‘ବୋଉ କବିରାଜ ଆସିଛନ୍ତି, ତୁ ଉଠୁ । ବୋଉ ମ, ବୋଉ !’

 

ମାଣିକ ଡାକରେ କୁମ ଅତି କଷ୍ଟରେ ଜବାବ ଦେଲା ।

 

‘ଆଲୁଅଟା ଜାଳେ, ମାଣିକ ! କବିରାଜେ ବସିବେ ମଶିଣାଟା ପକା ।’

 

ମାଣିକ ଡିବି ଜାଳି ପଟିଟି ପକାଇ ଦେଲା । କବିରାଜ ନାଡ଼ି ଦେଖିଲେ । ଗତ ଅତି କ୍ଷୀଣ । ଦେହଟା ଧଡ଼ ହୋଇ ସାରିଲାଣି । ରୋଗରେ ହାଲିଆ ହୋଇ କୁମ କେବଳ ଶ୍ୱାସ ପ୍ରଶ୍ୱାସକୁ ପ୍ରାଣ ଆକାରରେ ଧରି ରଖିଛି । ଜୀବନ-ଦୀପ ଲିଭି ଆସୁଛି । ତଥାପି ଟଙ୍କା ନେଇ କବିରାଜ ଔଷଧ ଦେଲେ ଓ ମାଣିକକୁ ଉପଦେଶ ଶୁଣାଇ ବାହାରି ଗଲେ ।

 

କୁମ ଆଜି ଆଉ ଉଠିପାରୁ ନାହିଁ । ମାଣିକ ଦିନ ସାରା ଅଖିଆ ରହିଛି । ତାକୁ ବାଢ଼ି ନ ଦେଲେ ସେ ଖାଏ ନାହିଁ । ଆଜି; କିନ୍ତୁ କୁମ ଦେହଟା ଜମା ଚଳୁନାହିଁ । କୁମ ପାଖରେ ବସିଛି ମାଣିକ, ପଙ୍ଖାଟି ଧରି ।

 

‘ମାଣିକ, ଖାଇବାକୁ ଯା ବାପା !’

 

‘ତୁ କ’ଣ ଆଜି ଭାତ ଖାଇବୁ ନାହିଁ, ବୋଉ ? ହଁ ମାଉଁସୀ ବାଲି ଦେଇଛନ୍ତି, ପିଇ ଦେ ।’

 

‘ନା ମୁଁ କିଛି ଖାଇବି ନାହିଁ । ତୁ ଖାଇ ଆ, ଧନ ।’

 

‘ନାଇଁ, ତୁ ନ ଖାଇଲେ ମୁଁ ଖାଇବି ନାହିଁ, ବୋଉ ।’

 

କୁମର ଛାତି ଥରି ଉଠିଲା ମାଣିକ କଥାରେ । ଜୀବନଲୀଳା ସରି ଆସୁଛି, ମାଣିକ ଜିଦ୍‌ ଧରୁଛି ସେ ନ ଖାଇଲେ ଖାଇବ ନାହିଁ । କଣ ବୁଝୁଛି ଅବୁଝା ପିଲା ।

 

କୁମ ଡାକିଲା ଅତି କ୍ଷୀଣ କଣ୍ଠରେ–‘ମାଣିକ ରେ, ହଉ ଆଣି ଦେ ବାଲି । ମୁଁ ଉଠିପାରୁ ନାହିଁ ଧନ, ଆଉ ରାନ୍ଧିବି ନାହିଁ । ତୁ ପେଟପୂରା ଖାଇଦେ । ମୁଁ ଯଦି ଶୋଇପଡ଼ିବି, ଡାକିଲେ ଶୁଣି ନ ପାରିବି–ତେବେ ତୁ ଯାଇ ମାଉସୀ ଘରେ ଖବର ଦେବୁ । ଜମା ଡରିବୁନି, ବାପ !’

 

ମାଣିକ ବାଲି ଦେଲା କୁମକୁ । କୁମ ବାଲି ପିଇସାରି ମାଣିକର ଖାଇବା ପ୍ରତି ଲକ୍ଷ୍ୟ ଦେଲା । କାଲିକି ମାଣିକର ଖାଇବା ଦେଖିବା ପାଇଁ ସେ ଥିବ ତ ?

 

ମାଣିକକୁ ପାଖରେ ଶୁଆଇଲା କୁମ । ଆଖିରୁ ଧାର ଧାର ଲୁହ ବୋହି କାନି ତିନ୍ତି ଯାଉଥାଏ । କାହା ହାତରେ ମାଣିକକୁ ତାର ଛାଡ଼ିଯିବ ? କୁମ ଛାତି ଉପରେ ମୁଣ୍ଡ ରଖି ମାଣିକ ନିଶ୍ଚିନ୍ତରେ ଶୋଇପଡ଼ିଛି । ରାତି ବଢ଼ି ଚାଲିଲା । ଛାତି ଭିତରଟା କିମିତି ହୋଇଯାଉଛି । ଜିଭଟା ଶୁଖି ଶୁଖି ଭିତରକୁ ଚାଲିଯାଉଛି ଯେପରି; ତଥାପି ମାଣିକକୁ ଆଉଁଷି ଦେଲା, ତାର ପ୍ରାଣ–ନିଷ୍ପ୍ରଭ ନିର୍ଜୀବ ହାତରେ ।

 

ଭୋର ହୋଇ ଆସିଲା । ସୂର୍ଯ୍ୟଦେବ ହସି ହସି ମା କୋଳରୁ ଆସିଲେ ବାହାରକୁ । କୁମ ରାତିସାରା ଛଟପଟ ହେଉଛି । ମାଣିକର ନିଦ ଭାଙ୍ଗିଲା କୁମର ଧୀର ଡାକରେ ‘ମାଣିକ, ପାଣି ଟୋପେ ଦେ ।’

 

ମାଣିକ ପାଣି ପିଆଇଦେଲା ଅତି ଯତ୍ନରେ । ମୁଣ୍ଡ ଆଉଁଷି ଦେଇ କହିଲା–‘ତୁ ଶୋଇପଡ଼, ବୋଉ ! ତୋ ଦେହ ଥଣ୍ଡା ହୋଇଯାଇଛି, ଆଉ ଜର ନାହିଁ । ମୁଁ ପାଖରେ ବସିଛି ।’

 

‘ହଁ ଶୋଉଛି ଧନ, ମାଣିକ ମୋର, ମାଣିକ ରେ, ମା–ଣି–କ– ତୁ... ।’

 

‘ବୋଉ ଡାକୁ ଡାକୁ ଶୋଇପଡ଼ିଲା କେମିତି ? କ’ଣ କହୁଥିଲା ରହିଗଲା କାହିଁକି ? –ଭାବୁ ଭାବୁ ମାଣିକ ଉଠାଇଲା, ‘ବୋଉ– ବୋଉ’– । କୁମ ଶୁଣିପାରିଲା ନାହିଁ । ମାଣିକର ମନେପଡ଼ିଲା ବୋଉ କହିଛି–‘ମୁଁ ଶୋଇପଡ଼ିଲେ ତୁ ମାଉସୀ ଘରେ ଖବର ଦେବୁ । ’ ସେ ଧାଇଁଲା ମାଉସୀ ଘରକୁ । ମାଉସୀ ନିତ୍ୟକର୍ମ ସାରି ପୂଜାକୁ ବାହାରୁଥିଲେ । ମାଣିକକୁ ଦେଖି ତାଙ୍କର ଛାତି ଥରି ଉଠିଲା ଆଶଙ୍କାରେ । ‘କ’ଣ କିରେ ମାଣିକ, ଏତେ ସକାଳୁ କୁଆଡ଼େ ?

 

ମାଣିକ କହିଲା–‘ମାଉସୀ, ବୋଉ ଶୋଇପଡ଼ିଛି, ଡାକିଲେ ଶୁଣୁନି । ଶୋଇପଡ଼ିଲେ ତମକୁ କହିବାକୁ କହିଥିଲା ।’

 

ପୂଜାର ବାସନ ହାତରୁ ଖସି ପଡ଼ିଲା ଝନ୍‌ ଝନ୍‌ ଶବ୍ଦ କରି । ଠିକ୍ ଏହି ସମୟରେ ମାଣିକକୁ ମିଶ୍ରଙ୍କ ଘରଠି ଦେଖି ରଘୁମାଷ୍ଟ୍ରେ ଡାକିଲେ–

 

“ମାଣିକ ଆଜି ପରା ତୋର ବିଦ୍ୟାରମ୍ଭ, ସ୍କୁଲକୁ ଯିବୁ ନାହିଁ ? ଏଠି ଠିଆ ହୋଇଛୁ କାହିଁକି ?’’

Image

 

ଯାତ୍ରୀ

 

‘‘ବୋଉ ମୃତ୍ୟୁଶଯ୍ୟାରେ, ଶୀଘ୍ର ଆସ ।’’

–ଉମାକାନ୍ତ

 

ତାରବାର୍ତ୍ତାଟା ଇଂରାଜିରେ ଆସିଥିଲା ଓ ଦୀନବନ୍ଧୁ, ମହାପାତ୍ର ଇଂରାଜି ଜାଣନ୍ତି ନାହିଁ । ସେ ସେଥିପାଇଁ ମାଲିକାଣୀଙ୍କୁ ପଢ଼ାଇ ବୁଝିବାକୁ ଚେଷ୍ଟା କଲେ । ମାଆ ମନେ ମନେ ରାଜି ହୋଇ ପାରୁ ନ ଥିଲେ । ଏପରି ଗୋଟାଏ କଥା ଉମାକାନ୍ତ ଲେଖି ଦେଲା ବୋଲି ସେ କହିବେ କିପରି ? ସେଥିପାଇଁ ସେ ଟେଲିଗ୍ରାମ କାଗଜଟାକୁ ଏପଟ ସେପଟ ଲେଉଟାଇବାରେ ଲାଗିଲେ । ଡାକ ମୋହରଟାକୁ ନିରେଖି ଚାହିଁ ତାରିଖଟାକୁ ଜାଣିବାକୁ ଯତ୍ନ କଲେ । ଏସବୁ କରୁ କରୁ ପାଖ ଲୋକ ଶୁଣିପାରିବା ଭଳି ଜୋରରେ କହିଲେ–‘ଆଜିକାଲି ସବୁ ବିଭାଗର ଅବସ୍ଥା ଏଭଳି । ଏପରିକି ଡାକ ବିଭାଗ ସୁଦ୍ଧା ଗୁଡ଼ାଏ ଭୁଲ ଭଟକା କରୁଛି । କଣ ବୋଇଲେ କଣ ଗୁଡ଼ାଏ ଲେଖି ପଠାଇ ଦେଉଛି ଯାହାର କି କିଛି ଅର୍ଥ ନାହିଁ । କର୍ମଚାରୀଗୁଡ଼ାକ ମିଛରେ ଏତେ ଦରମା ଖାଇ ଯାଉଛନ୍ତି । ଲୋକ ଧନ ଖାଲି ଅପବ୍ୟୟ ହେବାରେ ଲାଗିଛି । ଏମାନେ କ’ଣ କାମ କରୁଛନ୍ତି ? ପୁଅ ଝିଅ ଏକାଠି ବସି ପରସ୍ପର ମୁହଁ ଚୁହାଁ ଚୁହିଁ ହୋଇ ଗପ କରିବାରେ ସମୟ ଯାଉଛି । ଏମାନେ ଏତେବାଟ ଗଲେଣି ସେ ଟେଲିଫୋନ ଉଠାଇଲେ ଏମାନଙ୍କର ଗପ ଏକ୍‌ଶ୍ଚେଞ୍ଜରୁ ଶୁଣାଯାଉଛି ।’’

 

ହଠାତ୍ ଟେଲିଫୋନଟା ବାଜି ଉଠିଲା । ବିଚିତ୍ରାଦେବୀ ଯେ ଏଣୁ ତେଣୁ ଗପି ଯାଉଥିଲେ, ତହିଁର ପ୍ରତିବନ୍ଧକ ହେଲା ଟେଲିଫୋନର ଘଣ୍ଟି । ସେ ଟେଲିଫୋନ ଶୁଣିବାକୁ ଗଲେ, ମାତ୍ର ମନଟା ତାରବାର୍ତ୍ତାରେ ନିମଜ୍ଜି ରହିଥିଲା । ଟେଲିଫୋନ ସରିବାବେଳକୁ ତାଙ୍କର ମନେ ହେଲା, ଉମାକାନ୍ତର ବୋଉ ଯଦି ସତରେ ମୃତ୍ୟୁଶଯ୍ୟାରେ ଥିବ, ତାହାହେଲେ ତାରଟାକୁ ଚାପି ରଖି କିମ୍ବା ଅଲଗା ଅର୍ଥ କରି ସେ ଠିକ୍‌ କରିବେ ନାହିଁ । ଏହି ଚିନ୍ତା ମନକୁ ଆସିବା ମାତ୍ରକେ ସେ ବିଳମ୍ବ ନ କରି କହିଲେ–‘‘ଦୀନବନ୍ଧୁ, ତୁମ ସ୍ତ୍ରୀ ଦେହ ଭାରି ଖରାପ, ତୁମ ପୁଅ ଉମାକାନ୍ତ ଲେଖିଛି ତୁମେ ଯେଉଁ ସଜରେ ଥିବ ସେହି ସଜରେ ଚଞ୍ଚଳ ଘରକୁ ଯିବା ଲାଗି ।’’ ତାରର ମର୍ମ-ବାର୍ତ୍ତାଟା କାନରେ ପଡ଼ିଯିବା ମାତ୍ରକେ ମହାପାତ୍ରେ ଠିଆ ହୋଇ ରହି ପାରିଲେ ନାହିଁ, ଲଥ୍‌କରି ବସି ପଡ଼ିଲେ, ମୁଣ୍ଡଟା ଝୁଙ୍କି ପଡ଼ିବାକୁ ଯାଉଥିଲା । ତାକୁ ହାତ ଦୁଇଟା କୌଣସି କ୍ରମେ ସାମାନ୍ୟ ଟେକି ରଖିଲା ମାତ୍ର ।

ଦୀନବନ୍ଧୁ ମହାପାତ୍ରଙ୍କ ବୟସ ପୂରା ପଚାଶ ନ ହେଲେ ସୁଦ୍ଧା ଚାରି-ଦଶ ପାର ହୋଇଯାଇଛି । ତାଙ୍କୁ ପଚାରିଲେ ସେ କହନ୍ତି ବୟାଳିଶ, କିନ୍ତୁ ଦେଖାଯାଏ ବାଉନ ପରି । ଦେହ ଆଡ଼ୁ ଦେଖିଲେ ତାଙ୍କ କହିବା ସତ, ମାତ୍ର ମୁଣ୍ଡକୁ ଚାହିଁଲେ ଯେ କେହି ବାଉନରେ ଆଉ ଦଶ ମିଶାଇବ । ତାଳୁଟା ନେହୁରୁଙ୍କ ମୁଣ୍ଡ ପରି ପୂରା ଚନ୍ଦା, କରଣି ଘଷା ସିମେଣ୍ଟ-ଚଟାଣରେ ତେଲ ଘଷା ହୋଇଥିବା ପରି । ବୟସ ଯାହାହେଉ ପଛକେ ଦେହଟା ବଳି ଦେଲା ପରି ଓ କର୍ମଠ ଥିଲା ପରି ଦେଖିବା ଲୋକର ମନେ ହୁଏ ।

ଦୀନବନ୍ଧୁ ଏବେ ଯେଉଁ ଘରେ ଚାକିରି କରୁଛନ୍ତି, ସେ ଘରକୁ ସେ ଚାକିରି କରିବାକୁ ଆସିଥିଲେ ବାର ବର୍ଷ ବୟସରେ । ଜାତିରେ ବ୍ରାହ୍ମଣ ହେଲେ ସୁଦ୍ଧା ‘ମାଆ’ ପିତୃହୀନ ବାଳକକୁ ବୋଲକରା ଚାକର କରି ରଖିଥିଲେ ପେଟଭାତକୁ । ତାପରେ ଦୀନବନ୍ଧୁ ହେଲା ପୂଜାରୀ । ପୂଜାରୀ ଭାବରେ ତାର କୃତିତ୍ଵ ବଢ଼ିଲା । ଜଳଖିଆ ପାଇଁ ମହନଭୋଗ କଲେ ସେଥିରୁ ମହକ ଚହଟିଲା । ଖଟା କଲେ ଲୋକେ ଚାଟି ଖାଇଲେ, ଚାରୁପାଣିଟାଏ କଲେ ଖାଇବା ଲୋକଙ୍କ ମାଡ଼ ତାହାରି ଉପରେ ପଡ଼ିଲା । ଗଜାମୁଗ ତରକାରୀର ଛୁଙ୍କ ସାହି ପଡ଼ିଶାଙ୍କ ଘରକୁ ବାସିଲା । ସେ ଖାଲି ରୋଷାଇରେ ସିଦ୍ଧହସ୍ତ ନୁହନ୍ତି, ଘୋଡ଼ାଚଢ଼ାଠାରୁ ଘାସ କଟା ପର୍ଯ୍ୟନ୍ତ ସବୁଥିରେ ପାରଙ୍ଗମ । ସେଥିପାଇଁ ସେ ସେହି ପରିବାରର ଜଣେ ଅପରିହାର୍ଯ୍ୟ ବ୍ୟକ୍ତି ।

ଶୁଶ୍ରୂଷା ବିଜ୍ଞାନ ସେ ପଢ଼ି ନାହାନ୍ତି, ମାତ୍ର ରୋଗୀସେବା କରିବାରେ ତାଙ୍କର ନୈପୁଣ୍ୟ ଡାକ୍ତରଖାନା ନର୍ସଠାରୁ ଅଧିକ । ରୋଗୀର ଚାହିଦା ଅନୁସାରେ ଜିନିଷ ଯୋଗାଇବା, ପଥ୍ୟ ଦେବା, ଘଣ୍ଟା ମିନିଟ୍‌ ଦେଖି ଔଷଧ ଦେବା ଏସବୁରୁ କାହିଁରେ ସେ ହେଳା କରନ୍ତି ନାହିଁ । ମୁଣ୍ଡ ବଥାବେଳେ ସେ କିଭଳି ଏକ ବାଗରେ ଚିପି ଦିଅନ୍ତି, ଯାହା ଫଳରେ ‘ସାରିଡନ’ ଖାଇବାର ସଦ୍ୟଫଳ ମିଳେ ମାତ୍ର ପାଞ୍ଚ ମିନିଟ୍‌ରେ । ଏସବୁ ଯୋଗ୍ୟତା ଫଳରେ ସେ କଟକ ଆସିଛନ୍ତି ଶୁଶ୍ରୂଷାକାରୀ ଭାବରେ-। ଦୁଇ ମାସରୁ ଅଧିକ କାଳ ହେଲା ବିଚିତ୍ରା ଦେବୀ ରକ୍ତାଳ୍ପତା, ଉଦରଶୂଳ ଓ ସ୍ନାୟୁରୋଗରେ ପୀଡ଼ିତା ହେବା ଫଳରେ ଘର ଅଚଳ ହୋଇଯାଇଛି । କଟକ ଆସିବା ପରେ ଘରର ସମସ୍ତ ଦାୟିତ୍ଵ ସେଥିପାଇଁ ପଡ଼ି ଯାଇଛି ଦୀନବନ୍ଧୁଙ୍କ ଉପରେ ।

‘‘ଉମା ଆଉ କଣ ଲେଖିଛି ମା’’–ପଚାରିବାବେଳକୁ ଦୀନବନ୍ଧୁ ଝାଡ଼ିଝୁଡ଼ି ହୋଇ ଠିଆ ହେଲାଣି । ତାଙ୍କୁ ଚାରିଆଡ଼ ଆଉ ଅନ୍ଧାର ଦିଶୁନାହିଁ । ମୁଣ୍ଡ ସେ ସଳଖି ପାରିଲେଣି; କିନ୍ତୁ ଗାଁକୁ ଶୀଘ୍ର ଫେରିଯିବା କଥାଟା ମନକୁ ଜାବୁଡ଼ି ଧରିଛି ।

ନିଜ ରୋଗ କଥାକୁ ଜଳାଞ୍ଜଳି ଦେଲେ ବିଚିତ୍ରା ଦେବୀ ବାଣପୁରର ଗୋଟାଏ ସୁଦୂର ପଲ୍ଲୀରେ ରୋଗଶଯ୍ୟାରେ ପଡ଼ି ଜଣେ ସ୍ତ୍ରୀ ଲୋକ କଣ କରିପାରେ କଳ୍ପନା କଲେ । ପିଲା ତିନିଟା ଧରି ଘାଣ୍ଟି ହେବା ଛଡ଼ା ଆଉ କ’ଣ ତାର ଗତି ଅଛି ? ପଥି ରାନ୍ଧି ଦେବାକୁ ଘରେ କେହି ନାହିଁ, କିମ୍ବା ଔଷଧ ଟୋପାଏ ଆଣି ଦେବାକୁ କେହି ନାହିଁ । ପିଲାଗୁଡ଼ାକ ଖାଇବା ବିନା ଆଉଟୁ ପାଉଟୁ ହେଉଥିବେ । ସ୍ନାୟୁରୋଗିଣୀ ବିଚିତ୍ରା ଏ ସବୁ ଯେତେ ଚିନ୍ତାକଲେ କ୍ରମଶଃ ଏ ସବୁ ନିଜକୁ କେନ୍ଦ୍ରକରି ମୂର୍ତ୍ତିମନ୍ତ ହୋଇ ଦେଖାଗଲା । ସେ ଆଉ ଚିନ୍ତା କରିପାରିଲେ ନାହିଁ । ଘରକୁ ଯିବା ଲାଗି ଦୀନବନ୍ଧୁଙ୍କୁ କହିଲେ ।

ବାଣପୁରକୁ ରେଲଗାଡ଼ିରେ ଯିବା ସୁବିଧା ଛଡ଼ା ବସ୍‌ରେ ଯିବା ସୁବିଧା ରହିଛି । ତାର ମିଳିବାବେଳକୁ ରେଲଗାଡ଼ିର ସୁବିଧା ଚାଲିଯାଇଥିଲା । ଦୁଇଟା ବସ୍‌ରୁ କେବଳ ଗୋଟିଏ ଥିଲା । ଏ ଶେଷ ବସ୍‌ଟା କଟକରୁ ସିଧା ବ୍ରହ୍ମପୁର ଯାଏ । ବାଣପୁର ଯାତ୍ରୀମାନଙ୍କୁ ବାଲୁଗାଁରେ ଓହ୍ଲାଇବାକୁ ପଡ଼େ । ବାଲୁଗାଁରୁ ଦୀନବନ୍ଧୁଙ୍କର ଗାଁ ପ୍ରାୟ ଅଢ଼େଇ ମାଇଲ । ସେ ଅଞ୍ଚଳ ନିଜର ଅତି ପରିଚିତ ଥିବା କାରଣରୁ ମନେହେଲା ଏ ଦୂରତା ସେ ସେହି ଅନ୍ଧାର ରାତିରେ ଲଙ୍ଘନ କରି ଘରେ ପହଞ୍ଚି ପାରିବେ । ତରତର ହୋଇ ଦୀନବନ୍ଧୁ ବାହାରି ପଡ଼ିଲେ ।

ବକ୍‌ସିବଜାର ବସ୍‍ଷ୍ଟାଣ୍ଡରେ ବସ୍ ପହଞ୍ଚିବା ମାତ୍ରକେ ଦୀନବନ୍ଧୁ ବସିବାକୁ ଚେଷ୍ଟା କଲେ-। ମାତ୍ର ତାଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଲା । ସେ କେତେ ଅନୁନୟ, ବିନୟ କଲେ, ଶେଷରେ ‘ତାର’ କଥା କହିଲେ । ‘ତାର’ କାଗଜଟା ପକେଟରୁ କାଢ଼ି ଡ୍ରାଇଭର, କଣ୍ଡକ୍ଟର ବାବୁଙ୍କୁ ବୁଝାଇବା ପାଇଁ ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ବାବୁଙ୍କ ହାତକୁ ଝରକା ବାଟେ ବଢ଼ାଇ ଦେଲେ-। ସେ ବାବୁ ଦୀନବନ୍ଧୁ ସହିତ ସହଯୋଗ କଲେ; କିନ୍ତୁ ଡ୍ରାଇଭର କିମ୍ବା କଣ୍ଡକ୍ଟର ବାବୁ କେହି ବୁଝିଲେ ନାହିଁ-। ବସ୍‌ ଦ୍ୱାର ସେହିପରି ବନ୍ଦ ହୋଇ ରହିଥାଏ । କଣ୍ଡକ୍ଟର କବାଟଟାକୁ ଚିପି ଧରି ଠିଆ ହୋଇଥାଏ-। ତେଣେ ବିଳମ୍ବ ନକରି ଚଳାଇବା ସୂଚକ ଘଣ୍ଟି ଦେବା ଲଗି ଡ୍ରାଇଭର ସାହେବ ତାନ ଲଗାଇଥାନ୍ତି ପଁ ପଁ କରି ହର୍ଣ୍ଣ ବଜାଇ ।

ବସ୍‌ରେ ଯେ ଜାଗା ନଥାଏ ତାହା ନୁହେଁ । କେହି ଜଣେ ହାକିମ କଲେଜ ଛକରେ ଉଠିବେ ବୋଲି ସାତଟା ଜାଗା ଖାଲି ରଖା ହୋଇଥିଲା । ସାତଜଣ ବସିଲେ ବସ୍‌ର ‘କାପାସିଟି’ ପୂର୍ଣ୍ଣ ହେବ ଓ ବାଟରେ ‘ମୋବାଇଲ୍‌ କୋଟ’ ହେଉଥିବା କାରଣରୁ ଅଧିକା ଲୋକ ନେବନାହିଁ ବୋଲି କଣ୍ଡକ୍ଟରଙ୍କୁ ଯୁକ୍ତି । ତାଙ୍କରି କଥା ରହିଲା, ଦୀନବନ୍ଧୁ ଯାଇପାରିଲେ ନାହିଁ । ସେ ହାକିମଙ୍କର ଯିବାର ହେଲାନାହିଁ ବୋଲି ସେ ସାତଟା ସ୍ଥାନ ସେହିପରି ରହିଲା, ଏପରିକି ସେ ଦିନ ସେ ବସ୍‌ରେ ଯିବା ଲାଗି ଅନ୍ୟ ଯାତ୍ରୀ ମଧ୍ୟ ଷ୍ଟାଣ୍ଡରେ ନଥିଲେ ।

ଦୀନବନ୍ଧୁ ଯେଉଁ ସଜରେ ଯାଇଥିଲେ, ସେହି ସଜରେ ଫେରିଲେ ବେପାରି ସାହି ବସାକୁ । ପହଞ୍ଚିବାବେଳକୁ ପୁଣି ‘ତାର’ ଟାଏ ଆସି ଯାଇଥିଲା । ବିଚିତ୍ରା ଦେବୀ ତାକୁ ଖୋଲି ପଢ଼ିଥିଲେ । ଲେଖାଥିଲା– “ବୋଉ ଚାଲିଗଲା, ଉମାକାନ୍ତ ।’’ ଦୀନବନ୍ଧୁ ପହଞ୍ଚିବା କ୍ଷଣି ସବୁ ଅସୁବିଧା ବର୍ଣ୍ଣନା କଲେ ଛଳ ଛଳ ନେତ୍ରରେ । ବିଚିତ୍ରା ଦେବୀ ଟେଲିଗ୍ରାମ କାଗଜଟା ହାତରେ ଧରି ଦୀନବନ୍ଧୁକୁ ସମ୍ବାଦଟା ଦେଇ ପାରିଲେ ନାହିଁ । ତାଙ୍କ ଆଖିରୁ ଦୁଇଧାର ଲୁହ ଝର ଝର ହୋଇ ବହିଗଲା । ରୁଦ୍ଧ ଗଦ୍‌ ଗଦ୍‌ କଣ୍ଠରେ ସେ କହିଲେ–“ଉମା ବୋଉ ଚାଲିଗଲେ ।’’ ବଚନର ଧ୍ଵନି ପବନରେ ମିଳାଇ ଯିବା ପୂର୍ବରୁ ଦୀନବନ୍ଧୁ, ବସି ପଡ଼ିଥିଲେ ଭୂଇଁରେ । ତାଙ୍କର ଆଖି ଦୁଇଟା ବିସ୍ଫାରିତ ହୋଇ ରହିଥିଲା ସତ୍ୟ, ମାତ୍ର ତାହା ଥିଲା ନୀରବ, ନିଷ୍ପନ୍ଦ । ନିକଟ ମନ୍ଦିରରେ ସନ୍ଧ୍ୟା ଘଣ୍ଟ ବାଜି ଉଠିଲା । ସବୁଦିନ ଏତିକିବେଳେ ଘଣ୍ଟ ବାଜିଲେ ଦୀନବନ୍ଧୁ ଦେବତାଙ୍କ ଉଦ୍ଦେଶ୍ୟରେ ନିଜର ପ୍ରଣତି ଯେପରି ଜଣାନ୍ତି ତାହା ଆଜି ଆଉ ହେଲାନାହିଁ ।

Image

 

ଖଣ୍ଡିଏ ଚିଠି

ପ୍ରିୟ ବଉଳ ମୋର,

 

ଅନେକ ଦିନ ହେଲା ମୋଠାରୁ ଚିଠି ନ ପାଇ ତୁ ଅତିଶୟ ବିରକ୍ତ ଅଛି ବୋଲି ଆଜି ତୋ ଚିଠିରୁ ଜାଣିଲି । ବଉଳ ଲୋ, ତୁ କାହିଁକି ବୁଝୁନାହୁଁ ଯେ ହୃଦୟର ଗୁରୁ ଭାରରେ ମୁଁ ଦହି ହୋଇଯାଉଛି । ମନର ଶାନ୍ତି ନ ଥିଲେ, କେହି କ’ଣ କେବେହେଲେ କର୍ତ୍ତବ୍ୟ-ପରାୟଣ ହୋଇପାରେ ? ମନ ପୋଡ଼ିଗଲାବେଳେ ଦଶଦିଗ ଅନ୍ଧାର ଦିଶେ ପରା ?

 

ତୁ ତୋ ଚିଠିରେ ଅନେକ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଛୁ । ସେଥିପାଇଁ ତତେ ଅନ୍ତରରୁ ଧନ୍ୟବାଦ ଜଣାଉଛି । କେବଳ ତୋରି ସ୍ନେହ ପାଇଁ ମୁଁ ଏକପ୍ରକାର ବଞ୍ଚି ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । ମୋ ଭଳି ହତଭାଗିନୀର ସଂସାରରେ ବଞ୍ଚି ରହିବାର ଅର୍ଥ ଅଛି ବୋଲି ମନେ ହୁଏନା । ତୁ ଯଦି ମୋ ଜୀବନର କରୁଣ ଇତିହାସ ଶୁଣନ୍ତୁ, ତେବେ ନିଶ୍ଚୟ ମୋ କଥାରେ ଏକମତ ହୁଅନ୍ତୁ । ମୋ ଅତୀତଟା ତୋ ଅଜଣାରେ ଆଉ ବେଶିଦିନ ରହିବା ମତେ ଗୋଟାଏ ଗୁରୁଭାର ପରି ଲାଗୁଛି । ତୋ ପାଖରେ ବସି, ତୋ ସୁକୋମଳ ସରସ ମୁହଁକୁ ଚାହିଁ କହିବାର ସୌଭାଗ୍ୟ ତ ମୋର ନାହିଁ । ସେଥିପାଇଁ କାଗଜ କଲମ ଧରି ଲେଖୁଛି–

 

ଜନ୍ମ ମୋର ଖୋରଧାର ଧନାଢ଼୍ୟ ଜାତିଷ୍ଠ ଓ ବିଖ୍ୟାତ ଜମିଦାର ମୁକୁନ୍ଦ ମିଶ୍ରଙ୍କ ଘରେ-। ମୋ ଜନ୍ମବେଳକୁ ପ୍ରଜାମାନଙ୍କର ବର୍ଷକର ଖଜଣା ଛାଡ଼ ହୋଇ ଯାଇଥିଲା ଶୁଣିଛି-। ମାସକ ପର୍ଯ୍ୟନ୍ତ ଗୋଟିପୁଅ ନାଚ, ଦାସକାଠିଆ, ଥିଏଟର ଓ ମ୍ୟାଜିକ୍‌ରେ ଲୋକେ ମାତି ରହିଥିଲେ-। ତୁ ଭାବିବୁ, ଝିଅଟାଏ ତ ହେଲା, ଏତେ ଆନନ୍ଦ କ’ଣ ପାଇଁ ? ମାତ୍ର ଆମ ବଂଶରେ ସାତ ପୁରୁଷ ହେଲା ଝିଅ କାହାର ହୋଇ ନ ଥିଲା । ସେଥିପାଇଁ ବାପା ବୋଉ ବିମଳାଙ୍କ ମନ୍ଦିରରେ ଆରାଧନା କରୁଥିଲେ । ଝିଅ ହେବାପରେ ଦେବୀଙ୍କର ନାମାନ୍ତର ଅନୁସାରେ ମୋ ନାଁ ‘ଗୌରୀ’ ରଖିଲେ-। କନ୍ୟା ପାଇଁ ତାଙ୍କର ଆଦର ପୁତ୍ର ସୋହାଗଠାରୁ ବଳି ପଡ଼ିଥିଲା । ଏତେ ଆନନ୍ଦର ଘନଘଟା ଭିତରେ ମୋର ଜନ୍ମ ଉତ୍ସବ ସରିଲା । ଲୋକେ ମତେ ସୌଭାଗ୍ୟବତୀ, ରୂପବତୀ ବୋଲି ଖ୍ୟାତି ଦେଲେ । ଶୁଣିଛି ପ୍ରଜାମାନେ ମାସକୁ ଥରେ ଲେଖାଏଁ ମୋତେ ଦେଖିବାକୁ ବାପାଙ୍କ କୃପାଭିକ୍ଷା କରି ଆବେଦନ କରୁଥିଲେ । ବାପା ତାହା ମଞ୍ଜୁର କରି ମାସକୁ ଥରେ–ମୋର ସେବାକାରିଣୀ ଧାତ୍ରୀ ହାତରେ କଚେରୀ ଘର ପାଖ ମଣ୍ଡପ ଉପରକୁ ଅଣାଉଥିଲେ-। ଅତିଶୟ ଆଦର, ଯତ୍ନ, ସ୍ନେହ, ମମତାରେ ମୋର ‘ଲାଲୟେତ୍ ପଞ୍ଚବର୍ଷାଣି’– ବାଲ୍ୟପର୍ବଟା ଶେଷହେଲା ।

 

ପାଞ୍ଚବର୍ଷ ଚାଲିଲାବେଳକୁ ହେଲା ବିଦ୍ୟାରମ୍ଭର ସୂତ୍ରପାତ । ସେ ଦିନର କଥା ଏବେ ମଧ୍ୟ ମୋର ମନେପଡ଼େ । ସେ ଦିନର ବାଦ୍ୟ ବାଜଣାରେ ଖୋରଧା ଗଡ଼ କମ୍ପି ଉଠିଥିଲା । ଭୋଜିଭାତ ଖାଇ ସମସ୍ତେ ଆନନ୍ଦରେ ମୋରି ଗୁଣ କୀର୍ତ୍ତନ କରିଥିଲେ ଓ ମୋର ସୌଭାଗ୍ୟ କାମନା କରି ଗଡ଼ର ଶ୍ରେୟ ପଣ୍ଡିତମାନେ ଆଶୀର୍ବାଦ ଚାଉଳ ଦେଲେ । ସେ ଆଶୀର୍ବାଦ ମୋ ଜୀବନରେ କିଭଳି କାମ ଦେଲା, ତାହା ପରବର୍ତ୍ତୀ ଘଟଣାରୁ ବୁଝିବୁ । ଖୋରଧାର ସବୁଠାରୁ ଆଦର୍ଶ ବିଦ୍ୟାଳୟରେ ମୋର ପାଠ ପଢ଼ା ଆରମ୍ଭ ହୋଇ ‘ତାଡ଼ୟେତ୍‍ ଦଶବର୍ଷାଣି’ ପର୍ବର ଆରମ୍ଭ ହେଲା ।

 

ସ୍କୁଲରେ ପାଠ ପଢ଼ିବାବେଳେ ସାଧାରଣ ପିଲାଙ୍କଠାରୁ ମୋ ପ୍ରତି ଅଧିକ ଦୃଷ୍ଟି ଦିଆଯାଉଥିଲା; କାରଣ ମୁଁ ଥିଲି ଧନିକର ଦୁଲାଳୀ, ଖୋରଧାର ବିଶିଷ୍ଟ ଜମିଦାରଙ୍କ କନ୍ୟା ଓ ଅନବଦ୍ୟା ସୁନ୍ଦରୀ । ପିଲାଏ ମୋ ସହିତ ସାଥୀ ହେବାକୁ ଆସୁଥିଲେ ଅଦମ୍ୟ ଉତ୍ସାହ ନେଇ ଏବଂ ମୁଁ ସାଥି ହେଲେ ସେମାନେ ନିଜକୁ ଧନ୍ୟ ମନେ କରୁଥିଲେ ।

 

ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ଶ୍ରେଣୀର ଷାଠିଏ ପିଲାଙ୍କ ଭିତରୁ ମୋତେ ଆକୃଷ୍ଟ କରିଥିଲା ହେଡ଼ପଣ୍ଡିତ ବିଷ୍ଣୁପଦ ଶର୍ମାଙ୍କ ପୁଅ ‘ଶିବଶଙ୍କର’ । ଅତି ସୁନ୍ଦର, ସୌମ୍ୟ ମୂର୍ତ୍ତି ତାର । ଭସାଣିଆ ଆଖି ଦୁଇଟି କଳାଭ୍ରମର ପରି ଚତୁର୍ଦ୍ଦିଗକୁ ବିକ୍ଷିପ୍ତ କଲାବେଳେ ମୁଁ ପଢ଼ା ଛାଡ଼ି ନିର୍ନିମେଷ ନୟନରେ ତାକୁ ଚାହିଁ ରହେ । ଶିବଶଙ୍କର ମୋର ଏକମାତ୍ର ପୁରୁଷ ସଙ୍ଗୀ ହେଲା । ଖାଲି ସେ ଯେ ସୁନ୍ଦର ଥିଲା ତାହା ନୁହେଁ, ପାଠରେ ମଧ୍ୟ ଥିଲା ଅଗ୍ରଣୀ । ସେ ଓ ମୁଁ ପାଖାପାଖି ବେଞ୍ଚରେ ବସି ପଢ଼ୁ । ଛୁଟି ହେଲାପରେ ମୋର ସେବାକାରିଣୀ ମୋ ସହିତ ଆସିବାସତ୍ତ୍ୱେ ଶିବଶଙ୍କର ମୋତେ ଘରେ ଛାଡ଼ି ଯାଏ । ବାଟରେ ଦୁହେଁ ଆସୁଥିବାବେଳେ ଅନେକ ଗଳ୍ପକରି ଫେରୁ । ବିଦ୍ୟାଳୟର ପଛପଟେ ଯେଉଁ ସ୍ରୋତସ୍ଵିନୀ ନଦୀ ଥିଲା–ଆଜି ସେଠାରେ କେବଳ ଧାରଟିଏ ବିଲ ଭିତର ଦେଇ ବହିବାର ଦେଖିବୁ–ତାରି କୋଳର ବାଲୁକା ଶଯ୍ୟା ଉପରେ ଘଟୁଥିଲା ଆମର କୈଶୋରର ଧୂଳିଖେଳ ଓ ନବତଳ ପ୍ରାସାଦର ନିର୍ମାଣ । ଉଭୟେ ପରମ୍ପରାକୁ କ୍ରମଶଃ ଅନ୍ତରଙ୍ଗ ବନ୍ଧୁ ହିସାବରେ ଗ୍ରହଣ କରିନେଲୁ ।

 

ଆମ ଅନ୍ତରଙ୍ଗତା ଅଧିକତର ହେଲା ଗୋଟାଏ ବାର୍ଷିକ ପୁରସ୍କାର ବିତରଣବେଳେ । ସେଥିରେ ଯେଉଁ ପରିଦର୍ଶନ ହୋଇଥିଲା ତହିଁରେ ରାମାୟଣର ଏକାଙ୍କିକାରେ ସେ ହୋଇଥିଲା ରଘୁ, ମୁଁ ହୋଇଥିଲି ରଘୁବଧୂ । ସଭାପତି ମହୋଦୟ ଏକାଙ୍କିକା ପରେ ପୁରସ୍କାର ବିତରଣ କଲାବେଳେ ଆମର ପରିଚୟ ଲୋଡ଼ି ବସିଲେ । ଆମର ଅଭିନୟ ଜୀବନ-କ୍ଷେତ୍ରରେ ବାସ୍ତବରେ ପରିଣତ ହେଉ ଏହି କାମନା ସେ ସଭା ମଝିରେ କରିଥିଲେ । କୈଶୋର କାଳର ଚପଳ ମନରେ ସେ ଦାଗ ଯେ ଏତେ ଗଭୀରଭାବରେ ତରଙ୍ଗ ସୃଷ୍ଟି କରିବ, ଏ କଥା କିଏ ଜାଣିଥିଲା, ବଉଳ ! ସେହି ଗୋଟିଏ ଦିନର ଅଭିନୟ ଜୀବନର ରଙ୍ଗମଞ୍ଚରେ ଯେ ନଟୀ ସଜାଇବ, ସେତେବଳେ ଜଣା ପଡ଼ି ନ ଥିଲା । ତାହା ସେତେବେଳର ଜୀବନ ଉପରେ ବୀଜ ବୁଣିଥିଲେ ସୁଦ୍ଧା ମହୀରୁହ ହେବ ବୋଲି କ’ଣ କଳ୍ପନାକୁ ଆସିଥିଲା ? ତାର ପ୍ରତି ଚେର ଯେ ଅତଳଗର୍ଭକୁ ଭେଦକରି, ହୃଦୟର ରସ ଆହରଣ କରି ବୃଦ୍ଧି ପାଇବ, ଏକଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ।

 

ସେଠାରୁ ଶିବଶଙ୍କର ହେଲା ‘ସୀତାପତି’ ଓ ମୋର ନାମ ହେଲା ‘ସୀତା’ । ଆମେ ପରସ୍ପର ସେହି ନାମରେ ଡକାଡକି ହେଉଥିଲୁ । ଦିନେ ଶଙ୍କର କହିଲା–‘ଗୌରୀ, ରାମ କେତେ ଭଲ ପାଉଥିଲେ ସୀତାଙ୍କୁ, ତାଙ୍କ ପାଇଁ ଆଉ ଦ୍ଵିତୀୟ ବିବାହ କରି ନ ଥିଲେ ।’

 

ମୁଁ ହଠାତ୍‌ କହିଲି–‘ଦେଖ ସୀତାପତି, ରାମ ଭଲ ପାଇଲେ କଣ ହେବ, ସୀତକୁ ତ ଛାଡ଼ିଦେଲେ ପ୍ରଜାଙ୍କ ଭୟରେ । ସୀତା ଶେଷ–ଜୀବନଟା ଘନଘଞ୍ଚ ଅରଣ୍ୟରେ କଟାଇଲେ, ରାମ ପରି ପତି ପାଇ । ଏଥିରେ ଆଉ ତାଙ୍କର ଭଲ ପାଇବାର ବଡ଼ପଣ ରହିଲା କେଉଁଠି ?’

 

ଶଙ୍କର–ସୀତା, ତୁ ରାମଙ୍କୁ ଦୋଷ ଦେଉଛୁ ସିନା; ମାତ୍ର ଭାବି ଦେଖ, କେତେ ବଡ଼ ସ୍ଵାର୍ଥତ୍ୟାଗ ସେ ନ କଲେ, ନିଜର ପ୍ରାଣପ୍ରିୟା ଜୀବନସଙ୍ଗିନୀ ପ୍ରୀତିପସରାକୁ ଛାଡ଼ି । କି ଦୁଃଖରେ ଥିବେ ତୁ ଭାବିଛୁ ?

 

ମୁଁ ତାର ଯୁକ୍ତି ଶୁଣି କ୍ଷଣ ଗୋଟାଏ ନୀରବ ରହି ପଚାରିଲି–ସୀତାପତି, ମୋତେ ସୀତା ପରି ନିର୍ବାସିତ କରିବ ନି ତ ?

 

ଏକଥା ଯେ ମୁଁ କାହିଁକି କହିଲି, ନିଜେ ଜାଣେନାହିଁ । ବୋଧହୁଏ ବିଧାତା ଅଦୂରରେ – କିନ୍ତୁ କେତେ ଅଳ୍ପଦୂର ମୁଁ ଜାଣି ନି–ରହି ହସୁଥିଲା ମୋ କଥା ଶୁଣି ।

 

ଶଙ୍କର–‘ନା ସୀତା, ତତେ ମୁଁ କେବେହେଲେ ହୃଦୟରୁ ଅନ୍ତର କରିବି ନାହିଁ । ମୁଁ ଏଠାରୁ ପାଶ୍‍ କଲେ ନନା କହୁଛନ୍ତି ପ୍ରୟାଗ ପଠାଇବେ ସଂସ୍କୃତ ପଢ଼ିବା ପାଇଁ । ସେଠାରୁ ପଢ଼ି ଆସିଲେ, ତୋରି ପାଖରେ ରହିବି । ମୁଁ ଗଲାବେଳେ ତୁ ଜମା କାନ୍ଦିବୁ ନାହିଁ, ସୁନାଟି ପରା ?’

 

ତାର ସେ ଦିନର କଥାରେ ମୁଁ ଆଶ୍ଵସ୍ତ ହେଲି । ଦିନ ପରେ ଦିନ ଗଡ଼ି ଚାଲିଲା । ସ୍ନେହଲତା ଧୀରେ ଧୀରେ ପରସ୍ପରର ଦୃଦୟର ରସରେ ବଢ଼ିବାକୁ ଲଗିଲା । ଦିନ ଦିନକର କଥା ଏବେ ବି ମନେପଡ଼େ । ସେ ଦିନଟା ଥାଏ ରବିବାର । ଅମେ ବଣଭୋଜି ପାଇଁ ଠିକ୍‌ କରିଥାଉ । ଦୁଇପହର ସମୟରେ ଶଙ୍କର ଆସିଲା ଆମ ଘରକୁ । ମୁଁ ଖାଇ ସାରି ବୋଉ ପାଖରେ ଗଡ଼ୁଥାଏ । ପଣ୍ଡିତେ ଆମ ଘର ଲୋକପରି ଓ ବାପାଙ୍କର ସମ୍ମାନର ପାତ୍ର; ତେଣୁ ଶଙ୍କର ଆମ ଘରେ ତାଙ୍କୁ ନିଜ ଘରପରି ଚଳେ ।

 

ଶଙ୍କର ଆସି ଦେଖେ ତ ମୁଁ ଶୋଇଛି । ସଙ୍ଗେ ସଙ୍ଗେ ବୋଉକୁ କହିଲା–‘ମାଉସୀ, ଗୌରୀକୁ ତମେ ଖାଲି ଗେହ୍ଲା କରି ଖରାପ କରି ଦେଉଛ । ସେ ମୋଟେ ପଢ଼ାରେ ମନ ଦେଉନି, ଖାଲି ଖେଳରେ ମନ ।’

 

ବୋଉ–‘ନାଇ ରେ ବାପା, ସେ କଣ ଶୋଉଥିଲା କି, ମୁଁ ତାକୁ ବାଧ୍ୟ କରି ଶୁଆଇଛି । ଖାଲି ଖରାରେ ବୁଲି ବୁଲି କଳାକାଠ ପଡ଼ିଗଲାଣି ସିନା । ଝିଅ ପିଲା, ଦୁଇ ଅକ୍ଷର ଚିହ୍ନିଲେ ହେଲା-। ପଢ଼ି କ’ଣ ଡିପୋଟି ହେବ ?’

 

ଶଙ୍କର–‘ମାଉସୀ, ଏପରି କ’ଣ କହୁଛ ! ଆଜିକାଲି ପରା ଝିଅମାନେ ଓକିଲ, ଜଜ୍‌, ମାଷ୍ଟ୍ର ହେଉଛନ୍ତି । ଗୌରୀ ତ କହୁଛି ମାଷ୍ଟ୍ରାଣୀ ହେବ । ଝିଅକୁ ଗେହ୍ଳାକଲେ ସେ ବେଶି ପଢ଼ିବ ନା, ମାଷ୍ଟ୍ରାଣୀ ହେବ ?’

 

ବୋଉ–‘କଣ କହିଲୁ ଶଙ୍କର, ଗୌରୀ ମାଷ୍ଟ୍ରାଣୀ ହବ ? ଏ କଥା ପୁଣି ଗୌରୀ କହିଛି-? ବ୍ରାହ୍ମଣ ଘରେ ଝିଅମାନେ ବେଶି ପାଠ ପଢ଼ନ୍ତିନି । ବାରବର୍ଷରେ ବିଭାହୋଇ ନିଜର ସଂସାର ସମ୍ଭାଳିବେ । ଏହି ସମୟ ଭିତରେ–ଯାହା ପଢ଼ିଥିବ ସେତିକି ।’

 

ଶଙ୍କର–ନାହିଁ ମାଉସୀ, ଗୌରୀକୁ ପଢ଼ାରୁ ଉଠାଇ ନେବନାହିଁ । ପଢ଼ିଲେ ଭଲ ପଢ଼ିବ । ତାର..... ।’

 

ସେମାନଙ୍କର ଏପରି କଥାବାର୍ତ୍ତାରେ ମୁଁ ଭାରି ବିରକ୍ତି ବୋଧ କରୁଥାଏ । ହଠାତ୍‌ କଥା ମଝିରେ କହି ଉଠିଲି–

 

‘ଶଙ୍କର, ଆଜି ପରା ବଣଭୋଜିକୁ ଯିବା, ତମେ ଯେ ଗପରେ ଭୋଳ ?’

 

ଶଙ୍କରର ମନେପଡ଼ିଲା ବାହାରେ ମଧୁ, ଗୋପାଳ, କୁମୁଦ, ଅଳକା, ରଞ୍ଜନ ଓ ଅନ୍ୟମାନେ ଅପେକ୍ଷା କରି ଅଛନ୍ତି । ସେ ବୋଉଠାରୁ ଅନୁମତି ମାଗି ମତେ ନେଇ ଚାଲିଲା ବରୁଣେଇ ପାହାଡ଼ ଆଡ଼େ ସମସ୍ତଙ୍କ ସହିତ । ସେଠାରେ ସମସ୍ତେ ମିଶି ରାନ୍ଧିଲୁ ଭାତ ଆଉ ଡାଲମା । ଅପଟୁ ହାତର ରାନ୍ଧଣା ହେଲେ ସୁଦ୍ଧା ଆମକୁ ଗୋଟାଏ ଗଡ଼ ଜିଣିଲା ପରି ମନେ ହେଲା । ସମସ୍ତେ ଖାଇ ଆନନ୍ଦରେ ଗୀତ ଗାଇ ଫେରିଲୁ । ଯେ ଯାହାର ଘରକୁ ଗଲେ; କିନ୍ତୁ ଶଙ୍କର ମତେ ଛାଡ଼ିବାକୁ ଆସିଲା ।

 

ବାଟରେ ଫେରିବାବେଳେ ମୁଁ ଶଙ୍କରର ହାତ ଧରି ଚାଲିଥାଏ; ଛିପିଛିପିକା ଅନ୍ଧାର ଭିତରେ ଚନ୍ଦ୍ର ଉଠି ନ ଥାନ୍ତି । କେତୋଟି ତାରା ଖାଲି ମିଟି ମିଟି କରୁଥାନ୍ତି ଦୂର ଆକାଶରେ । ଆମେ ଗପକରି ବାଟ ଚାଲୁଥାଉ । ହଠାତ୍‌ ଠିଆ ହୋଇ ରହି ଶଙ୍କର କହିଲା–‘ସୀତା, ତୁ କ’ଣ ଅଧାରୁ ପଢ଼ା ଛାଡ଼ିଦେବୁ ।’

 

ମୁଁ କହିଲି–‘ନା ଶଙ୍କର, ତମେ ବୋଉ କଥା କାହିଁକି ଶୁଣୁଛ ? ପରୀକ୍ଷାରେ ଭଲକରି ପାଶ୍‌ କଲେ, ବାପା କହିଛନ୍ତି ପଢ଼ାଇବେ ମାଷ୍ଟ୍ର ରଖି । ମୁଁ ତ ଆଉ ତମ ପରି ପ୍ରୟାଗରେ ଯାଇ ହଷ୍ଟେଲରେ ରହି ପାଠପଢ଼ି ପରୀକ୍ଷା ଦେବିନି ।’

 

ଶଙ୍କର–‘ତାହା ହିଁ ଭଲ ଗୌରୀ, ପଢ଼ାରୁ କେବେହେଲେ ଅଲଗା ହେବୁନି । ପଢ଼ିଲେ କେତେ ଦେଶ ବିଦେଶର କଥା ଜାଣିପାରିବୁ । ନ ପଢ଼ିଲେ ମୋଟା ମୋଟା ବହି ପଢ଼ିବୁ କିମିତି ?’

 

ମୁଁ କହିଲି–‘ଆଚ୍ଛା ରଘୁପତି ! ତମେ ଯେବେ ପାଶ୍‍ କରି ଯିବ ପ୍ରୟାଗ; ସେତେବେଳେ କ’ଣ ମନେରଖିବ ମୋ ଭଳି ଗୋଟାଏ ଦରପାଠୋଇ ଝିଅକୁ ?’

 

ଶଙ୍କର–‘ସୀତା ତୁ କ’ଣ ଭାବିଛୁ ମୁଁ ତୋତେ ଭୁଲିଯିବି ? ଏତେ ଦିନ ଯେ, ଏକାଠି କଟାଇଛେ ସେ କଥା କ’ଣ ଭୁଲି ହେବ ? ମୁଁ ତୋତେ ଛାଡ଼ିଯିବାକୁ ମୋର ଜମା ମନ ହେଉନି, ସେ କଥା ଭାବିଲାବେଳକୁ କାନ୍ଦ ଲାଗୁଛି । ରାତିରେ ଶୋଇଥାଏ, ଭାବେ କେତେବେଳେ ସକାଳ ହେବ, ତୋ ସହିତ ପୁଣି ଦେଖା ହେବ । ତୁ କ’ଣ ମୋ କଥା ଭାବୁ, ସୀତା ? ତୁ ତ ବଡ଼ଲୋକର ଝିଅ । ବିଭା ହୋଇ ରଜାଘରକୁ ଯିବୁ ଶୁଣୁଛି । ସେତେବେଳେ କ’ଣ ମୋତେ ଆଉ ଚିହ୍ନିପାରିବୁ ।’

 

ତାର ଏ କେତେ ପଦ କଥା ମୋ ଛାତିରେ ଛୁରୀ ପରି ଗଳିଗଲା । ଓଃ, କି ଦୁଃଖରେ ଅଭିଭୂତ ହୋଇ ସେ ସେତକ କହିଲା । ପାତଳା ଅନ୍ଧାର ଭିତରେ ମୁହଁ ତାର ସ୍ପଷ୍ଟ ନ ଦିଶିଲେ ମଧ୍ୟ ତାର କରୁଣ ଆଖି ଲୁହରେ ପୂରିଥିଲା, ଦେଖିଛି । ଚାଲୁ ଚାଲୁ ବାଟରେ ଗୋଟାଏ ଶିବମନ୍ଦିର ପଡ଼ିଲା । କେଜାଣି କାହିଁକି ହଠାତ୍‌ ଶଙ୍କରର ହାତ ଧରି କ୍ଷଣେ ଠିଆ ହୋଇ କଣ ଭାବିଲି ମନେ ନାହିଁ । ପରେ କେତେବେଳେ ଆମେ ଦେଉଳ ଭିତରକୁ ଯାଇଛୁ ଜାଣେ ନା । ସନ୍ଧ୍ୟାର ଆଳତି ସାରି ପୂଜାରୀ ଘରକୁ ଯିବାକୁ ଯୋଗାଡ଼ କରୁଥାଏ । ଆମେ ପହଞ୍ଚି ପ୍ରଣାମ ସାରିଲାବେଳକୁ ଦୁଇଖଣ୍ଡ ମାଳା ଆଣି ଦେଲା । ଫୁଲ ପିନ୍ଧି ସାରି ମୁଁ କହିଲି–

 

‘‘ସୀତା ରାମଙ୍କୁ ବିଭା ହୋଇଥିଲେ । ମୁଁ ତ ସୀତା ତମେ ତ ରାମ –ମୁଁ ତମ ଛଡ଼ା ଆଉ କାହାର ନୁହେଁ, ଠାକୁରଙ୍କ ପାଖେ ସତ କହୁଛି । ତମେ ମତେ ଆଉ ବିଭା ହେବା କଥା କହିବ ନାହିଁ, ମୋ ରାଣ ।

 

ଶଙ୍କର ‘ହଁ ସୀତା, ସତ କହିଛୁ । ଆମେ ତ ବହୁଦିନରୁ ବିଭା ହୋଇଛେ– । ରାମ କେବଳ ସୀତାର । ଆଜି ଠାକୁରଙ୍କ ପାଖରେ ପ୍ରତିଜ୍ଞା କରି କହୁଛି ସୀତା, ଜୀବନରେ ଆଉ କାହାକୁ ଚାହିବି ନାହିଁ ତୋ ଛଡ଼ା । ଏହି ମାଳା ଚିରଦିନ ମୋ ପାଖରେ ଥିବ ।’

 

ଏହା କହି ସେଦିନ ଆମେ ସେହି ମନ୍ଦିର ଭିତରେ ଠାକୁର ଛୁଇଁ ଶପଥ କରିଥିଲୁ । ଶଙ୍କର ମତେ ତା ଆଡ଼କୁ ଢଳାଇ ନେଲା । ଯେ ଆବେଗରେ ପରସ୍ପରକୁ ଆମେ କୁଣ୍ଢାଇ ଧରିଥିଲୁ, ସେ ଶିହରଣ ଏବେ ମଧ୍ୟ ମନେପଡ଼ିଲେ ପୁଲକାଏ । ପ୍ରଥମକରି ସେହିଦିନ ପୁରୁଷ ଦେହର ସ୍ପର୍ଶ ପାଇଲି ମୁଁ । ଜୀବନରେ ରୋମାଞ୍ଚର ପ୍ରଥମ ଜାଗରଣ ହେଲା ଶଙ୍କର ଯୋଗୁଁ–ଶିବ ମନ୍ଦିରରେ ।

 

ସେ ଦିନର ଘଟଣା ପରଠାରୁ ଆମେ ପରସ୍ପର ଏକାଠି ଅନେକ ସମୟ କଟାଉ ଗଳ୍ପକରି । ଅନେକ ପିଲା ସହି ନ ପାରି ହେଡ଼ପଣ୍ଡିତଙ୍କୁ କହିଲେ; କିନ୍ତୁ ପଣ୍ଡିତେ ମୋତେ ଭାରି ଭଲ ପାଉଥାନ୍ତି । ତେଣୁ ଅନ୍ୟମାନେ ଈର୍ଷାଳୁ ହେବାର ଦେଖି, ଟିକିଏ ହସିଦେଇ, ସେ ଆଡ଼େଇ ହୋଇ ଚାଲି ଯାଆନ୍ତି ।

 

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଘରେ ବୋଉର ଆକଟ ବଢ଼ିଲା । ସେ ପୂର୍ବପରି ମୋତେ ଆଉ ଏକୁଟିଆ ସ୍କୁଲକୁ ଛାଡ଼େନି, ସଙ୍ଗରେ ଧାଈ ଯାଏ । ଜାମା ଛାଡ଼ି କ୍ରମେ ଶାଢ଼ି ଧରିଲି । ଆହୁରି କେତେ କଣ ପରିବର୍ତ୍ତନ ହୋଇଗଲା । କାହିଁକି କେଜାଣି ଧାଈ ଆଗରେ ଆମେ ଆଉ ଆଗପରି ଗପ କରିବାକୁ ଭଲ ପାଉ ନ ଥିଲୁ । କିପରି ତାଠାରୁ ଛଡ଼ାରେ ପରସ୍ପପରକୁ ପାଇବୁ ସେହି ଚିନ୍ତା ମନରେ ଥାଏ ।

 

ବଉଳ ଲୋ, ପ୍ରେମ କିଭଳି ଜିନିଷ ଯେ ଜାଣେ ସେ ଭୋଗେ ତାର ପରିଣାମ । ଏକଥା କଥାରେ କହି ତତେ ବୁଝାଇ ପାରିବ ନାହିଁ । ପ୍ରେମର ବର୍ଣ୍ଣନା ତ ଦେଇ ହେବନି; ଖାଲି ଅନୁଭବ କରିବା କଥା । ଦିନ ରାତି ତାରି କଥାରେ ଘାରି ହେବା ହେଲା ସାର । ପ୍ରାକ୍‌ ଯୌବନରେ ପ୍ରେମ ଏଭଳି ଗ୍ରାସ କରେ–କିଏ ଜାଣିଥିଲା, ବଉଳ ! ସେତେବେଳର ରଙ୍ଗୀନ ଆଖିରେ ସବୁ ରଙ୍ଗୀନ ଦିଶେ ଲୋ ବଉଳ । ସେ ଅମୃତ ଖାଇ ବିହ୍ଵଳା ହେବା କେତେ ଜଣଙ୍କ ଭାଗ୍ୟରେ ଜୁଟେ ? କହିବାକୁ ଗଲେ ଅତି ଅଳ୍ପ ବୟସରୁ ପ୍ରେମ ମୋ ପାଖେ ଧରା ଦେଲା । ତାରି ସ୍ରୋତରେ ମୁଁ ନିଜକୁ ଅକାତରେ ଭସାଇ ଦେଲି ।

 

ଦିନ ଗଡ଼ି ଚାଲିଲା । ମାଟ୍ରିକ ଫଳ ପ୍ରକାଶିତ ହେଲା । ଶଙ୍କର ବୃତ୍ତି ପାଇ ପ୍ରଥମ ଶ୍ରେଣୀରେ ପାଶ୍‌ କଲା, ମୋର ହେଲା ଖାଲି ପାଶ୍‌ ଦ୍ଵିତୀୟ ଶ୍ରେଣୀରେ । ବଉଳ, ଆଉ କ’ଣ ପାଠରେ ମନ ଥାଏ ଯେ ବୃତ୍ତି ପାଇଁ ଚେଷ୍ଟା କରିବି ? ଖାଲି ଭଗବାନଙ୍କୁ ଡାକି କୌଣସି ପ୍ରକାରେ ପାଶ୍‌ କଲି, ସେହି ଯଥେଷ୍ଟ ।

 

ସେ ଦିନ ମୋର ବଡ଼ ଆନନ୍ଦର ଦିନ । ଶଙ୍କର ଆସିଥାଏ ଆମ ଘରକୁ । ତାକୁ ଦେଖି ମୁଁ ପାଖ ଘରେ ଲୁଚି ରହିଲି । ପରୀକ୍ଷା ଫଳ ଆଗରୁ ଆମେ ପତ୍ରିକାରେ ଦେଖିଥାଉ । ସେ ଆସି ବାପା, ବୋଉକୁ ପ୍ରଣାମ କଲା । ବାପା ତାକୁ ଆଦରରେ କୋଳକୁ ଟାଣି ନେଇ କହିଲେ–‘‘ଶଙ୍କର, ତୁ ବାପା ସଫଳ ହେଲୁ, ବଡ଼ ଆନନ୍ଦର ବିଷୟ । ମୋର ପୁଅ ହୋଇଥିଲେ.... । ଈଶ୍ଵର ତତେ ସୁପୁରୁଷ କରନ୍ତୁ । ତୁ ଆମ ଗଡ଼ର ଟେକ ରଖି ଜଣେ ବଡ଼ ମଣିଷ ହୁଅ ଏହି ଆର୍ଶୀବାଦ କରୁଛି ।’’

 

ବାପାଙ୍କ ଆଖି ଛଳ ଛଳ ହେବା ସଙ୍ଗେ ସଙ୍ଗେ କଣ୍ଠ ବାଷ୍ପରୁଦ୍ଧ ହେଲା । ଶଙ୍କର କହିଲା–‘‘ମଉସା, ଆପଣଙ୍କ ଆର୍ଶୀବାଦ ମୋ ଜୀବନର ପାଥେୟ ହେଉ । ଆପଣଙ୍କ ଆର୍ଶୀବାଦରେ ଏଥର ପାଶ୍‌ କଲି । ଏଣିକି ଉଚ୍ଚ ପରୀକ୍ଷାରେ ଯେପରି ଭଲ ଫଳ କରେ । ହଁ ମଉସା, ଗୌରୀ କାହିଁ ? ସେ ମଧ୍ୟ ପ୍ରଶଂସା ପାଇବାର ହକ୍‌ଦାର । କାହିଁ ତାକୁ ତ ଦେଖୁନାହିଁ ।’’ ବାପା କହିଲେ–‘‘ଭିତରେ ଥିବ । ପାଗଳୀ ତ ଭାରି ଖୁସି ତୁ ବୃତ୍ତି ପାଇଛୁ ବୋଲି । ପାଶ୍ ତ କଲା, ଏବେ କ’ଣ କରିବ କେଜାଣି ? ତୁ ଭିତରକୁ ଯା ।’’

 

ଶଙ୍କର ଘର ଭିତରକୁ ଆସିବାର ଦେଖି ମୁଁ ବଗିଚା ଆଡ଼କୁ ଚାଲିଗଲି । ସେ ମତେ ଡାକି ଡାକି ଭିତରକୁ ଗଲା । ତାର ସେ ଦିନ ମୁଖମଣ୍ଡଳରୁ ଜ୍ୟୋତି ଝଲସି ପଡ଼ୁଥାଏ । ମୋତେ ବଗିଚାରେ ପାଇଲା, ଆମ୍ବ ଗଛ ଚଉରା ପାଖରେ । ବଉଳ, ନିଜର ଅଭିନ୍ନ ଆତ୍ମାକୁ କପଟ ରାଗ ଦେଖାଇଲେ ବୋଧହୁଏ ଆନନ୍ଦ ଲାଗେ । ପ୍ରେମରେ ମାନଭଞ୍ଜନ ଗୋଟାଏ ବିଭାବ । ସେଥିପାଇଁ ମୁଁ କପଟ ରାଗ କରି ବସିଥାଏ । ଏସବୁ ପ୍ରେମର ଆନୁଷଙ୍ଗିକ ଗୁଣ କେହି ଶିଖାଏ ନାହିଁ, ବଉଳ ! ପ୍ରେମ କ’ଣ କେହି ଶିଖାଏ ? ସେ ପରା ସ୍ଵତଃ ଫୁଟି ଉଠେ ମଳୟ ସ୍ପର୍ଶରେ ବଉଳ ପରି, ଭାଦ୍ରବ ମାସର ଚାନ୍ଦିନୀ ରାତିରେ ଗଙ୍ଗଶିଉଳି ଭଳି ।

 

ମୁଁ ମୁହଁ ଶୁଖାଇ ବସିବାର ଦେଖି ସେ ମୋର ନିକଟତମ ହୋଇ ବସିଲା– ‘‘ଗୌରୀ, ତୁ ଦୁଃଖ କରୁଛୁ ପ୍ରଥମ ଶ୍ରେଣୀରେ ପାଶ୍‌ କଲୁନି ବୋଲି ? ସୁନାଟି ପରା, ମନ ଦୁଃଖ କରନା । ତୁ ମୁହଁ ଶୁଖାଇ ବସିଲେ ମତେ ଭାରି କଷ୍ଟ ହେବ । ସତେ, ତୁ ପ୍ରଥମ ଶ୍ରେଣୀରେ ପାଶ୍‌ କରିଥାନ୍ତୁ, ମୁଁ ହେଲେ ଖାଲି ପାଶ୍ କରିଥାନ୍ତି । ତୋର ଏ ଶୁଖିଲା ମୁହଁ ଦେଖିଲେ ଛାତି ଫାଟି ଯାଉଛି ।’’

 

ବଉଳ ଲୋ, ପୁରୁଷମାନେ କେତେ ଅଳ୍ପକେ ବିଚଳିତ ହୋଇପଡ଼ନ୍ତି ସେଦିନ ବୁଝିଲି । ଶଙ୍କରର ମୁହଁରୁ ସ୍ଫୂର୍ତ୍ତି ମରିଗଲା, ଆଖି କୋଣରେ ଲୁହ ଜକାଇ ଆସିଲା । ମୁଁ ଭାରି ଅନୁତପ୍ତ ହେଲି କାହିଁକି ତାର ଆନନ୍ଦ ଧୂଳିସାତ୍‌ କରିଦେଲି ବୋଲି ।

 

ଆଉ ସହି ନ ପାରି ଶଙ୍କରର ହାତ ଧରି କହିଲି–‘‘ନାହିଁ ସୀତାପତି, ଆଜି ମୋର ଖୁବ୍‌ ଆନନ୍ଦର ଦିନ । ତମେ ବୃତ୍ତି ପାଇଛ, ମୋ ଠାରୁ ଆଉ ଅଧିକ କିଏ ଖୁସି ହେବ ? ମୁଁ ମିଛରେ ମୁହଁ ଶୁଖାଇ ତମକୁ ପରୀକ୍ଷା କରୁଥିଲି । ଆଛା, ମତେ କ’ଣ ଦବ କହିଲ ?’’ ସେ ଦିନ କି ଆଶାରେ ଶଙ୍କରକୁ ପୁରସ୍କାର ମାଗିଥିଲି ଜାଣେନା; କିନ୍ତୁ ଶଙ୍କର ମୋ ଆଶାଠାରୁ ଅଧିକ ଆଶ୍ଚର୍ଯ୍ୟ କରି ମୋତେ ଦେଲା ନାରୀର ସର୍ବଶ୍ରେଷ୍ଠ ପୁରସ୍କାର– ପୁରୁଷର ଆତ୍ମଦାନ । ମୋ ମୁହଁକୁ ତୋଳି ଧରି ଶଙ୍କର କହିଲା–‘‘ସୀତା, ଆଜି ମୁଁ ତତେ ପୁଣିଥରେ ନିଜକୁ ଦେଲି । ନିଜକୁ ତୋର ପାଇଁ ଯୋଗ୍ୟ କରିବା ଲାଗି ସେହିଦିନଠାରୁ ପ୍ରସ୍ତୁତ ପଥରେ ଆଗେଇ ନେଉଛି । ଆଉ ଅଧିକ କ’ଣ ଦେବି କହ-?

 

ଶଙ୍କରର ସେ କଥାରେ ମୁଁ ଦ୍ରବିଗଲି, ବଉଳ ! ତାର ସେ ବିମୋହନ ମୁଖଶ୍ରୀ ଯଦି ସେ ଦିନ ତୁ ଦେଖିଥାନ୍ତୁ, ତେବେ ମତେ ବାତୁଳ ବୋଲି ଭାବି ନ ଥାନ୍ତୁ । ନିଜର ସର୍ବସ୍ଵ ମୁଁ ତାଙ୍କୁ ଦାନ କଲି । ସେ ପ୍ରଶାନ୍ତ ବଦନ, ଆନତ ନେତ୍ର, ଆଜାନୁଲମ୍ବିତ ବାହୁ, ସ୍ଫୀତ ବକ୍ଷ, ସେ ଦେହର ପ୍ରତି ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟେକ ନାରୀ ପାଇଁ ଲୋଭନୀୟ ଆକର୍ଷଣ । ପୁରୁଷର ଆତ୍ମବଳି ନାରୀ ନିକଟରେ କିପରି ଲୋଭପ୍ରଦ, ତୁ କେବେ ଅନୁଭବ କରିଛୁ ? ସେ ଦିନର ସମ୍ଭାଷଣରେ ଦୁହେଁ ଦୁହିଙ୍କର ପୂର୍ବର ସାକ୍ଷୀ ହୋଇ ନିଜକୁ ଭବିଷ୍ୟତ ଆଶାରେ ବଞ୍ଚାଇ ରଖାଇବା ପାଇଁ ପ୍ରତିଶ୍ରୁତିକୁ ପୁଣି ପାରସ୍ପରିକ କଲୁ ।

 

ଶଙ୍କର ବିଦାୟ ନେଇଗଲା । ବଗିଚାର ସେ ଗଛ ଓ ତା ପାଖ ଲତାଟି ସେଦିନଠାରୁ ବହୁ ସମୟରେ ହେଲା ମୋର ସନ୍ଧ୍ୟାବେଳର ସାଥୀ । ପ୍ରିୟତମର ଭବିଷ୍ୟତର ଆଶ୍ୱାସନାରେ ମୁଁ ନିଜକୁ ବାଗ୍‌ଦତ୍ତା ବୋଲି ମନେ କଲି ଓ ତାରି ଭାବରେ ନିଜକୁ ସଜାଇବାରେ ଲାଗିଲି ।

 

ଶଙ୍କର ଥିଲା ନିରାଡ଼ମ୍ବର, ନିଷ୍ଠାପର ଓ ଆଦର୍ଶବାଦୀ । ନିଜକୁ ସେ ପୂର୍ବକାଳ ଗୁରୁକୁଳର ଆଦର୍ଶ ଛାତ୍ରରୂପେ ରୂପାୟିତ କରିଥିଲା । ସାଧାରଣ ଧୋତି ଚାଦରରେ ସେ ନିଜର ଅଙ୍ଗଶୋଭାକୁ ଚତୁର୍ଦ୍ଦିଗରେ ବିଚ୍ଛୁରିତ କରେ । ଆଧୁନିକ ବାତାବରଣ ତାକୁ ଆକୃଷ୍ଟ କରି ପାରି ନ ଥିଲା । ଧର୍ମରେ ପ୍ରଗାଢ଼ ବିଶ୍ୱାସ, ଗୁରୁଜନଙ୍କଠାରେ ଅସୀମ ଭକ୍ତି– ତାର ଆଉ ଗୋଟାଏ ଗୁଣ । ତାର ଗୁଣଗ୍ରାମକୁ ମୁଁ କଣ ଭାଷା ଦେଇ ବର୍ଣ୍ଣନା କରିପାରିବି, ବଉଳ !

 

ପରୀକ୍ଷା ପରେ ଶଙ୍କର ପ୍ରୟାଗକୁ ପତ୍ର ଲେଖିଲା ଉଚ୍ଚଶିକ୍ଷା ନିମନ୍ତେ । ପତ୍ରର ଉତ୍ତର ଆସିବା ପର୍ଯ୍ୟନ୍ତ ଖାଲି ବସି ରହିବା ଅପେକ୍ଷା ତାର ଘର ନିକଟରେ କେତୋଟି ଛାତ୍ରଙ୍କୁ ନେଇ ସଂସ୍କୃତ ଟୋଲ କଲା । ସେଥିରେ ଦିନେ ଦିନେ ସକାଳଓଳି ମୁଁ ଯାଇ ବସେ । ତାର ପଠନର ପ୍ରଣାଳୀ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । ମନ୍ତ୍ରମୁଗ୍‍ଧ ମୃଗଶିଶୁ ପରି ସମସ୍ତେ ଅପଲକ ଦୃଷ୍ଟିରେ ଚାହିଁ ରହିଥାନ୍ତି ତାର ଦିବ୍ୟଜ୍ୟୋତି–ଭରା ମୁଖମଣ୍ଡଳକୁ । ନିସ୍ତବ୍‌ଧ ଭାବରେ ଶୁଣନ୍ତି ଜଳଦ ଗମ୍ଭୀର କଣ୍ଠସ୍ୱରକୁ । ତାହା ସତରେ ସ୍ଵର୍ଗୀୟ–ମର୍ତ୍ତ୍ୟ ମାନବୀର ଉପଭୋଗ୍ୟ ।

 

ଗୃହକୋଣରେ ରହିବାର ସମୟ ମୋର ଆସିଗଲା । ତା ପରଠାରୁ ବୋଉ ଆଉ ବାହାରକୁ ଯିବାକୁ ଦେଲାନାହିଁ । ବାପାଙ୍କ ଇଚ୍ଛା ଥିଲେ ସୁଦ୍ଧା ବୋଉ ଯୁକ୍ତି ଆଗରେ ସେ ତୁନି ହେଇଯାଆନ୍ତି । ପ୍ରତ୍ୟହ ମିଳନର ବିଚ୍ଛେଦ ଘଟିଲା, ଏହିଠାରୁ ଆରମ୍ଭ ହେଲା ବିରହ । ତାର ଜ୍ଵାଳା ଯେ ଅସହ୍ୟ, ତାହା ପ୍ରଥମଥର ପାଇଁ ଏହି ଅଙ୍ଗରେ ନିଭାଇଲି ।

 

କିଛିଦିନ ପରେ ଶଙ୍କରର ପ୍ରୟାଗରୁ ପତ୍ର ଆସିଲା, କଲେଜରେ ଯୋଗ ଦେବାପାଇଁ । ଯାତ୍ରା ପାଇଁ ଯୋଗାଡ଼ ଚାଲିଲା । ଯିବା ଦିନ ଆଖର ହୋଇଗଲା । ସେଦିନ ଦ୍ଵିପ୍ରହରରେ ସେ ଆସିଲା ଆମ ଘରକୁ ବିଦାୟ ପାଇଁ । ବାପା ବୋଉଙ୍କଠାରୁ ବିଦାୟ ନେଇ ଚାଲିଲା ବଗିଚାର ସେହି ଆମ୍ବଗଛ ଚଉରାପାଖକୁ ଯେଉଁଠି ପରସ୍ପର ମଧ୍ୟରେ ପ୍ରେମର ପ୍ରଥମ ବିନିମୟ ହୋଇଥିଲା । ସେଦିନର ବିଦାୟବେଳେ ଭାଷାହୀନ ହୋଇ ଚାହିଁବା ସାର ହେଲା । ଭାଷା ଉଦ୍‌ବେଳ ହୋଇ ଉଠିଲେ ଅଶ୍ରୁ ବକ୍‌ରୋଧ କରେ, ବୁକୁ ଦୁରୁ ଦୁରୁ କରି ଉଠେ । ଆସନ୍ନ ବିଚ୍ଛେଦପାଇଁ ନିଜକୁ ପ୍ରସ୍ତୁତ କରି ଶଙ୍କର ମୋ ମୁହଁକୁ କଣ୍ଠଲଗ୍ନ କରି କହିଲା–

 

‘‘ଚାଲିଲି ସୀତା, ଜୀବନର କର୍ତ୍ତବ୍ୟ ପଥରେ । ମୁଁ ଦୂରେଇ ଗଲି ବୋଲି ମୋତେ ପାସୋରି ଦେବୁନି କିମ୍ବା ପାଠରେ ହେଳା କରିବୁ ନାହିଁ । ନିଜର ସତ୍‌ଚିନ୍ତା, ଉତ୍ସାହ ବଳରେ ଆଗେଇ ଚାଲିବୁ ଆମ ପୂର୍ବପୁରୁଷଙ୍କ ପନ୍ଥା ଧରି । ଈଶ୍ଵର କରନ୍ତୁ ଏ ବିରହ ରାତି ଶୀଘ୍ର ପାହିଯାଉ, ଆଉ ମିଳନର ଜ୍ୟୋତିର୍ମୟୀ ଉଷା ଅଚିରେ ବିଭୁ ଆଶୀର୍ବାଦ ଧରି ଆସୁ ।’’

 

ବଉଳ ଲୋ ! ତାର ସେ ଧର୍ମ–ମଥିତ ବାଣୀ ଶୁଣି ମୋର ଧୈର୍ଯ୍ୟ ସେତୁ ଭାଙ୍ଗିଗଲା ବାଲିବନ୍ଧ ପରି । ମୁଁ ଲୋଟି ପଡ଼ିଲି ତାରି କୋଳରେ । ଲୁହ ନୁହଁ ଲୋ, ଲହୁ ମୋର ତରଳି ଆଖି ବାଟ ଦେଇ ବାହାରକୁ ଆସିଲା । କଣ କହିବି କିଛି ବୁଦ୍ଧିକୁ ଆସୁ ନ ଥାଏ । ଶେଷରେ ଏତିକି କହିଲି–‘‘ସତେ କଣ ଭୁଲି ହେବ ସୀତାପତି ! ଶେଷ ନିଶ୍ଵାସ ବୋହିଲା ପର୍ଯ୍ୟନ୍ତ ତମରି ନାମ ହିଁ ଜପିବାରେ ଲାଗିବି । କାୟମନୋବାକ୍ୟରେ ମୁଁ ତମରି କେବଳ.....’’

 

ଆଉ କିଛି କହିବା ପାଇଁ ମୋର ଭାଷା ନ ଥିଲା । ହାତ ଦୁଇଟି ଧରି ସେ ନିତାନ୍ତ ଗଦ୍‍ଗଦ୍‌ କଣ୍ଠରେ କହିଲା–‘‘ଯାଉଛି’’ ।

 

‘ଯାଅ’ ବୋଲି କହିବାକୁ ପାଟି ଫିଟିଲାନାହିଁ । ମୁଣ୍ଡ ହଲାଇଲି ବାଧ୍ୟରେ । ଶେଷ ଥର ପାଇଁ ତାର ସ୍ପର୍ଶ–ଆତୁର ମନ ଆଲିଙ୍ଗନ କଲା ମତେ ଏକାନ୍ତ ନିଜସ୍ଵ ପରି । ସେତିକିବେଳେ ଭାବୁଥାଏ ଏହି ନିବିଡ଼ ଆଲିଙ୍ଗନ ଭିତରେ ମୋର ଶେଷ ନିଶ୍ଵାସ ବାହାରି ଯାଆନ୍ତା କି ! ମାତ୍ର ସେପରି ସୌଭାଗ୍ୟ ମୋର ଆସିବ କୁଆଡ଼ୁ ? ବେଳ ଗଡ଼ିଗଲା କେତେ, ଜଣା ପଡ଼ିଲା ନାହିଁ । ହଠାତ୍‌ ସ୍ୱପ୍ନରୁ ଉଠିଲା ପରି ଶଙ୍କର କହିଲା–‘‘ଯାଏ ତେବେ’’ । ପଛକୁ ଫେରି ଚାହିଁ, ଆଖି ପୋଛି, ଧୀରେ ଧୀରେ ଲୁଚିଗଲା ମୋ ଆଖି ଆଗରୁ... ।

 

ମୁଁ ଘରକୁ ଆସି ବିଛଣାରେ ଶୋଇ ରହି ନିଜର ବିରହ ବେଦନା ଦବାଇବାକୁ ଚେଷ୍ଟା କଲି । ସନ୍ଧ୍ୟା କେତେବେଳେ ହୋଇଯାଇଛି ଜାଣେନା । ଉଠିବାକୁ ଚେଷ୍ଟା କରି ଆଉ ଉଠି ପାରିନାହିଁ । ଜାଣିଲି ମୋର ସେ ବିରହ–ଶଯ୍ୟା ରୋଗଶଯ୍ୟାରେ ପରିଣତ ହେଲା । ସେ ଶଯ୍ୟା ଯଦି ମୋର ଚିତା–ଶଯ୍ୟା ହୋଇଥାନ୍ତା, ତେବେ କେଡ଼େ ସୁଖ ହୋଇ ନ ଥାନ୍ତା ? ମାତ୍ର ଆଶୀର୍ବାଦ ମୋ ପାଇଁ ଅଭିଶାପ । ରୂପ ମୋର କଳଙ୍କ ।

 

କେତେ ଦିନ ବିତିଗଲା । ଏ ପୋଡ଼ା ଦେହ ପୁଣି ସୁସ୍ଥ ହୋଇ ଉଠିଲା । ଶଙ୍କର ଯିବାର କେତେଦିନ ପରେ ଚିଠି ଆସିଲା, ଭଲଅଛି ସେ । ପଢ଼ାରେ ମନ ଦେଇଛି, ମାତ୍ର ମୋରି କଥା ମନେ ପକାଇ କାନ୍ଦୁଛି । ଚିଠି ପଢ଼ି ଲୁହ ଧାର ଧାର ହୋଇ ବୋହିଗଲା । କଣ କରିବି କିଛି ଉପାୟ ନ ଥିଲା ।

 

ଘରେ ରହି ପଢ଼ାରେ ସମୟ ବିତାଇଲି । କିଛିଦିନ ପରେ ଚାଲିଲା ବିବାହର ଆୟୋଜନ । ବାପାଙ୍କର ଇଚ୍ଛା ନ ଥିଲେ ମଧ୍ୟ ବୋଉର ଯୁକ୍ତି ଅଲଙ୍ଘନୀୟ । କଣ କରିବି ଅନ୍ୟ ଉପାୟ ନ ଦେଖି ଦିନେ ନିର୍ଲଜ ଭାବରେ ବୋଉକୁ କହିଲି–

 

‘‘ବୋଉ, ମୁଁ ଏବେ ବିଭା ହେବିନାହିଁ । ଆଉ ଦି ବର୍ଷପରେ ଆଇ. ଏ. ପରୀକ୍ଷାଟା ଦେବି, ତା ପରେ ।’’

 

ବୋଉ–‘‘ନାଇଁ ଗୌରୀ, ଆମ ଘର ଝିଅ ହୋଇ ଏତେ ପାଠ ପଢ଼ି କ’ଣ କରିବୁ ? ବେଶି ବୟସର ଝିଅ ବିଭା ହେବାରୁ ଏତେ ଅନାଚାର ବଢ଼ି ଯାଉଛି । ତୁ ବିଭା ହୋଇ ପଛକେ ପଢ଼ିବୁ ।’’

 

ମୁଁ କହିଲି–‘‘ବୋଉ, ମୁଁ କ’ଣ ତୋର କଣ୍ଟା ହୋଇଛି ଯେ ମୋତେ ତଡ଼ିଲେ ତୋର ଶାନ୍ତି ହେବ ?’’

 

ମୋର ଏ ପଦକ କଥାରେ ବୋଉର ଲୁହର ଝରଣା ବୋହି ଚାଲିଲା । ମୋତେ କୁଣ୍ଢାଇ କହିଲା–‘‘ଗୌରୀ, ମା ମୋର, ଏ କଥା କହନା । ମୋର ହୃଦୟ ତୁ ବୁଝି ପାରିବୁ ନାହିଁ । ହଉ ଆଉ କେତେଟା ଦିନ ପଢ଼ୁଥା ।’’

 

ଗୋଟାଏ ଘାଟି ଗଲା । ପୁଣି କେତେ ଦିନ ଗଡ଼ିଗଲା । ଘରେ ଘରେ ପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ଶଙ୍କରଙ୍କଠାରୁ ମଧ୍ୟ ଚିଠି ପାଉଥିଲି ପ୍ରାୟ ମଝିରେ ମଝିରେ । ତାଙ୍କରି ଚିନ୍ତାରେ ମୋର ଅଧିକରୁ ଅଧିକ ସମୟ କଟୁଥିଲା । ଏହିପରି ବର୍ଷେ ଗଲା । ଦ୍ଵିତୀୟ ବର୍ଷ ପରୀକ୍ଷା ସରିଲେ ତାଙ୍କର ଆସିବା କଥା । ଆସନ୍ନ ମିଳନର ରଙ୍ଗୀନ୍‌ ସ୍ଵପ୍ନରେ ମୁଁ ଆତ୍ମହରା ହୋଇ ଭୋକ ଶୋଷ ଭୁଲି ଯାଉଥିଲି । ବଉଳ ଲୋ, ମୁଁ ଦିନ ଦିନ ଏପରି ଖାଲି କଳ୍ପନାରେ ଭାସି ସମୟ କଟାଇ ଦିଏ ।

 

ବିଧାତା ମୋର ଏ ଆନନ୍ଦ ସହ ପାରିଲେନି ବୋଧହୁଏ । ଏପରି ସମୟରେ ଅନେକ ଦିନ ଧରି ଶଙ୍କରଙ୍କର କୌଣସି ଚିଠି ଆସିଲା ନାହିଁ । ପ୍ରଥମେ ପ୍ରଥମେ ଭାବୁଥିଲି ପଢ଼ାରେ ବ୍ୟସ୍ତ ରହି ଚିଠି ଦେଉ ନାହାନ୍ତି ଅବା; କିନ୍ତୁ ଏ ଆଶ୍ଵାସ ବାଣୀରେ ମନ ମାନିଲାନାହିଁ ବେଶି ଦିନ । ଶେଷକୁ କେତେ ସନ୍ଦେହ ଗ୍ରାସ କଲା । ପ୍ରତ୍ୟହ ଚିଠି ପାଇଁ ଆଶା ରଖି ନିରାଶ ହୁଏ । ମୋର ଆଶଙ୍କା ଶେଷରେ ଧୈର୍ଯ୍ୟ ଅତିକ୍ରମ କଲା । ବାପାଙ୍କୁ କହିଲି । ବାପା ହେଡ୍‌ ପଣ୍ଡିତଙ୍କୁ ଡକାଇ ପଚାରିଲେ । ସେ ମଧ୍ୟ ନିରାଶ ବାଣୀ ଶୁଣାଇଲେ । ବଡ଼ ଚିନ୍ତାରେ ସମୟ ବିତିଲା । ଶେଷରେ ତାର ଗଲା । ସେଥିର ମଧ୍ୟ ଉତ୍ତର ଆସିଲା ନାହିଁ । ସେତେବେଳେର ମନର ଅବସ୍ଥା ତୁ କ’ଣ ବୁଝିପାରିବୁ, ବଉଳ ! ମାଛ ପାଣି ଭିତରୁ ଆସି ଶୁଖିଲାରେ ଛଟପଟ ହେଲା ପରି ମୋର ଦିନ କଟିଲା । ଖାଲି ଇଶ୍ଵରଙ୍କୁ ଡାକିବା ଛଡ଼ା ଆଉ କିଛି କରି ପାରିଲି ନାହିଁ ।

 

ଏହିପରି ସାତ ଦିନ ସାତ ରାତି ବିତିଲା । ସେ ସାତ ଦିନ ସାତ ଯୁଗ ପରି ଲାଗିଲା । ବିଧାତା ସର୍ବଦା ମନୁଷ୍ୟକୁ ନିଜ କର୍ମ ଫଳ ଭୋଗିବାକୁ ଦିଅନ୍ତି । ଶେଷରେ ଦିନେ ସକାଳୁ ତାର ପ୍ରୟାଗରୁ । ପ୍ରୟାଗରୁ ବାପାଙ୍କ ନିକଟକୁ କିଏ ତାର କଲା, କ’ଣ ଲେଖାଅଛି ଭାବି ନ ପାରି ବାପା ଚିନ୍ତିତ ମନରେ ଖୋଲି ପଢ଼ିଲେ । ପ୍ରୟାଗରୁ ତାର ଶୁଣି ମୁଁ ପାଖରେ ଠିଆ ହୋଇଥିଲି । ବାପା ପଢ଼ିଲେ, ‘‘ଶଙ୍କର ଆଉ ଇହଜଗତରେ ନାହାନ୍ତି’’ – ଏ କଥା ଶୁଣୁ ଶୁଣୁ ମୋ ମୁଣ୍ଡ କ’ଣ ହୋଇଗଲା, ଢଳି ପଡ଼ିଲି ବାପାଙ୍କ ଉପରେ । ତା’ପରେ କ’ଣ ହେଲା ଜାଣେନା ।

 

କେତେବେଳେ ଉଠିଲି କେଜାଣି, ଦେଖେ ତ ବାପା, ବୋଉ ପାଖରେ ବସିଛନ୍ତି, ହେଡ଼୍‍ ପଣ୍ଡିତ ମଧ୍ୟ । ମତେ ଉଠିବାର ଦେଖି ବୋଉ କହିଲା– ‘‘ତୁ କାହିଁକି ଆଗରୁ କହିଲୁ ନାହିଁ ଗୌରୀ, ସବୁ ଶେଷ ହେବା ପରେ ଜଣାଇଲୁ । କହିଥିଲେ କ’ଣ ତୋ କଥା ଏଡ଼ି ଦେଇଥାନ୍ତୁ ?’’

 

ମୁଁ ବୋଉ ଡାକି ତା କୋଳରେ ମୁଣ୍ଡ ଗୁଞ୍ଜିଦେଲି । ସେଥିରେ ଯେ ଯାହା ବୁଝିଲେ ।

 

ଦିନ ଗଲା, ପୁଣି ବିବାହ କଥା ଉଠିଲା । ମୁଁ ବୋଉକୁ ଶୁଣାଇଲି ମୋ ଜୀବନର କରୁଣ–ଗୀତି । ବୋଉ କିନ୍ତୁ କହିଲା ନାହିଁ, ନୀରବରେ ଦୁଇଧାର ବୁହାଇ ଦେଲା ତତଲା ଲୁହ ।

 

ବଉଳ ! ସେହିଦିନଠାରୁ ପାଞ୍ଚବର୍ଷ ବିତିଗଲାଣି । ମୁଁ ବି.ଏ. ପାଶ୍‌ କରି ବେଗୁନିଆ ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହୋଇଛି । ସଂସାରରେ ବାପା ବୋଉ ଆଉ ନାହାନ୍ତି । ମୁଁ ବିବାହ ନ କରି ବିଧବା ହୋଇଛି । ଫୁଲ ନ ଫୁଟୁଣୁ, ଝଡ଼ି ପଡ଼ିଛି, କଢ଼ିଟିର ରୂପସମ୍ଭାର ଘେନି । ତାଙ୍କରି ଲାଗି ଜନ୍ମାନ୍ତରକୁ ତିଆରି କରୁଛି ନିଜକୁ, ପ୍ରତି ଉଷ୍ମ ନିଶ୍ଵାସରେ ନିଜକୁ ଜାଳି ଜାଳି ପବିତ୍ର କରି । ଏ ଜନ୍ମରେ ତପସ୍ୟା କରିଥିଲେ, ଆର ଜନ୍ମରେ ପାଇବି ସତୀ ପରି ଶଙ୍କରଙ୍କୁ ।

 

ବଉଳ ଲୋ ! ଶୁଣିଲୁ ତ । ଆଉ କିଛି ଲେଖିବାକୁ ହାତ ଯାଉନି । ଖାଲି ପ୍ରାର୍ଥନା ଏ ଜୀବନ ଶେଷ ହେଉ ଶୀଘ୍ର, ଜନ୍ମାନ୍ତରରେ ପଦ୍ମ ପରି ଫୁଟି, ସୂର୍ଯ୍ୟକିରଣ ଲାଗି ଝଲସି ଉଠୁ, ସୂର୍ଯ୍ୟକୁ ଚାହିଁ ଚାହିଁ ଅବସାନ ଘଟୁ ।

 

ଆଜି ଏତିକି ବଉଳ, ବିଦାୟ ।

 

ତୋର

ଅଭାଗିନୀ

ବଉଳ

Image

 

ଏ ପରା ବମ୍ବେ ସହର !

 

ଘରଟାର କାନ୍ଥ ନାହିଁ କହିଲେ ଚଳେ । କାନ୍ଥ ନ ଥାଇ ଯେ ଘର ହୋଇପାରେ ତାହା ନୁହେଁ । ମାତ୍ର କାନ୍ଥଗୁଡ଼ାକ ମାଟିର । ଇଟାର କିମ୍ବା ପଥରର ହୋଇଥିଲେ ଅଜଣା ଅଛପା କିମ୍ବା ଅନନୁଭୂତ ହୋଇ ନଥାନ୍ତା । ଘରଟା ଭିତରକୁ ପଶିଯାଇ ଘାସିରାମ ଦେଖିଲେ ଯେ, ଅଙ୍କ ଶାସ୍ତ୍ରର ଗୁଣନ ପ୍ରଣାଳୀକୁ ଖଟାଇ କିଏ ତାକୁ ଏ ମଧ୍ୟରେ ଗୁଣି ଦେଇଛି । ମାତ୍ର ଗୁଣଫଳ କେତେ ସେ ଜାଣନ୍ତି ନାହିଁ, କାରଣ ଶହ ଶହ ଘାସିରାମ ଘରଟା ଭିତରେ ଠିଆ ହୋଇଛନ୍ତି ।

 

ଦେଖି ଭାବିବାକୁ, ଚିନ୍ତା କରି ଠଉରେଇବାକୁ ଅବସର ନାହିଁ । ହଠାତ୍‌ ଜଣେ ଗୋଟାଏ ନିରନ୍ଧ୍ର ସାନ୍ଦ୍ର ମଖମଲ କନାରେ ଘାସିରାମକୁ ଘେରାଉ କରି ଦେଲା, ବେକଟାକୁ ମଧ୍ୟ କନାର ଡୋରରେ ବାନ୍ଧି ପକାଇଲା । ଘାସିରାମ ଟିକିଏ ଅଣନିଶ୍ୱାସିଆ ହୋଇଗଲେ; ମାତ୍ର ଆରାମ ଲାଗିଲା, ଯେତେବେଳେ ସେ ଜଣକ ତାଙ୍କୁ ଗୋଟାଏ ଗଦି ଚଉକି ଉପରେ ବସାଇ ଦେଇ ଦୁଇଥର ଘୂରାଇ ଆଣିଲା, ବସିବାର ବାଗଟା ଆଣିବା ଲାଗି । ଚଉକିଟା ଉପରେ ପାଦଠାରୁ ମସ୍ତକ ଯାଏ ସମସ୍ତ କଳେବରକୁ ସ୍ଥାପନା କରି ଘାସିରାମ ଅର୍ଦ୍ଧଶାୟିତ ଅବସ୍ଥାରେ ଥିଲେ ଏବଂ ଘୂରାଇ ଦେବା ଫଳରେ ତାଙ୍କୁ ତ୍ରିଭୂବନ ବୁଲି ଆସିଲା ପରି ଲାଗିଲା । ଚଉକି, ବାଗର ଆବଶ୍ୟକତା ଅନୁସାରେ ରହିଯିବା ମାତ୍ରକେ, ବେକ ପାଖରେ ଚାଲିଲା କ୍ଲିପ୍‌ । ଏପରି ମସୃଣ ଭାବରେ ସେ ତାର କାରୁକାର୍ଯ୍ୟ କରି ଦେଇ ଗଲା, ଯାହା ଫଳରେ ତାଜମହଲର କମନୀୟତା ସୃଷ୍ଟି ହେଲା । ଘାସିରାମଙ୍କ ଶରୀରର କେତେକ ସ୍ଥାନରେ ନିର୍ଲୋମ ତ୍ଵକ୍‌ ସହିତ ମୁଣ୍ଡ ଚମଡ଼ାର ପାର୍ଥକ୍ୟ ଜଣାଗଲା ନାହିଁ ।

 

କାମଟା ନ ସରୁଣୁ କ୍ଲିପ୍‌-ଚାଳକ କଣ ପଚାରି ଦେଲା କେଜାଣି, ସେଥିରେ ଘାସିରାମ ମୁଣ୍ଡ ଟୁଙ୍ଗାରିଲେ ଓ ତା ଫଳରେ ତାଙ୍କର ଚିବୁକ ସମେତ ଗଣ୍ଡଯୁଗଳରେ ଫେନିଳ ମହୋଦଧିର ସୂତ୍ରପାତ ହେଲା । ଏ ମହୋଦଧି ଉତ୍‌ଫେନ ହୋଇ ଉଠିଲା ଘାସିରାମଙ୍କ ଗାଲରେ, ଧାନେ ଧାନେ ଗଜୁରିଥିବା ଦାଢ଼ିଥିବା କାରଣରୁ । ଜୁଆର ଭଟ୍ଟା ସମୁଦ୍ରର ଗୋଟାଏ ନୈସର୍ଗିକ ରୀତି । ଜୁଆର ଥରେ ଉଠିଲେ ସେ ତ ଭୂଇଁକୁ ଆପ୍ଲାବିତ କରେ ଜଳରାଶିରେ; ମାତ୍ର ଛାଡ଼ିଦେଇ ଗଲାବେଳେ ଭଟ୍ଟା ଖାଲ ଦେଖି ମନ୍ଦାଏ ମନ୍ଦାଏ ପାଣି ଛାଡ଼ିଯାଏ ଏବଂ ଅଖାଲ ଅଢ଼ିପ ସମତଳ ଭୂଇଁରେ ଗୋଟାଏ ପତଳା ଆସ୍ତରଣ ଛାଡ଼ିଯାଏ; କିନ୍ତୁ ଘାସିରାମଙ୍କ ଗଣ୍ଡ ଯୁଗଳରେ ମହୋଦଧି ତାର ଜୁଆର ସୃଷ୍ଟି କରି ଭଟ୍ଟାରେ ପରିଣତ ହେବା ପରେ ଦେଖାଗଲା ଯେ ଆସ୍ତରଣ ନାହିଁ ବରଂ ସବୁ ସଫା କରି ସାରି ଗାଲ ଦୁଇଟିକୁ ଚହଟ ଚିକ୍‍କଣ କରି ଗଡ଼ଜାତର ଘାସିରାମଙ୍କୁ ବମ୍ବେର ନିତ୍ୟନୂତନ ଯୁବାରେ ପରିଣତ କରିଛି ।

 

ଘାସିରାମ ଉଠି ପଡ଼ୁଥିଲେ, ମାତ୍ର ବସାଇ ରଖିଲା କେଶବିନ୍ୟାସୀ ସେବାକାରୀ । ବର୍ଷା ଦିନେ ସଂପ୍ରସାରଣଶୀଳ ମେଘ ପର୍ବତର ପାଦଦେଶରେ ବିନ୍ଦୁର ସଂଚାର ନକରି ମସ୍ତକ ପ୍ରଦେଶରେ ଯେପରି ଧାରା ସୃଷ୍ଟି କରେ, ଘାସିରାମଙ୍କ ମୁଣ୍ଡରେ ସେହିପରି ଧାରାର ଅବପାତ ଘଟିଲା, ଅଥଚ ଶରୀର ପ୍ରଦେଶରେ ବିନ୍ଦୁମାତ୍ରର ସୂତ୍ରପାତ ହେଲାନାହିଁ । କ୍ରମେ ହାତ ଚଳାଇଲେ ବିଶୋଧକ । ସମଗ୍ର ମସ୍ତକରେ କଳାହାଣ୍ଡିର ସୁଦୂର ଗଡ଼ଜାତରୁ ଘେନି ଆସିଥିବା ଓ ବାଟରେ ରେଳଧୂଆଁ, କୋଇଲା ଗୁଣ୍ଡ, ଧୂସର ଧୂଳି ଯାହା କିଛି ସଞ୍ଚିତ ହୋଇ ରହିଥିଲା, ସବୁ ପୁଞ୍ଜୀଭୂତ ହେଲା ଚନ୍ଦ୍ରକାନ୍ତ ଶୁଭ୍ରଫେନକୁ କ୍ରମଶଃ ମଳିନ କରି । ଫେନ ଅଙ୍ଗାରାଭ ହେଲା ନାହିଁ ସତ୍ୟ, ମାତ୍ର କମ୍ ହେଲା ବୋଲି ଖାଲି ଆଖିରେ କହିବା ମୁସ୍କିଲ ହୋଇଗଲା ।

 

କଣ କରାଗଲା କେଜାଣି ପ୍ରକୃତି ତାର ଆବର୍ତ୍ତନ ରୀତିରେ ଗତିକରି ବର୍ଷା କାଳରୁ ଗ୍ରୀଷ୍ମକୁ ଚାଲି ଆସିଲା । ନିର୍ମଳ କୋମଳ କେଶ ବିଶୁଷ୍କ ହୋଇଗଲା । ଘାସିରାମ ପ୍ରଫୁଲ୍ଲ ମନରେ ଚଉକି ଛାଡ଼ିବାକୁ ଚେଷ୍ଟା କରୁଛନ୍ତି, ମୁଣ୍ଡରେ ଘଷି ହୋଇଗଲା ତୁଷାର ଶୀତଳ ହିମପ୍ରଭ ‘‘ବ୍ରିଲ-କ୍ରିମ୍‌’’ କ୍ରମେ ଚଳଚଞ୍ଚଳ ବିକ୍ଷୁବ୍‍ଧ ବିଲୋଳ ହୋଇ ଉଠିଲା ସେବାକାରୀର ଦୁଇ ହାତରେ ଅଙ୍ଗୁଳିଗୁଡ଼ିକ । ଆରାମ କ୍ରମଶଃ ନିଗଡ଼ି ଆସିଲା ସଂପ୍ରସାରଣୀ ଜାହ୍ନବୀ ପରି । ଘାସିରାମ କେତେବେଳେ ଆଖି ବୁଜିଲେ ତ କେତେବେଳେ ଆଣି ମେଲିଲେ । ମେଲିଲାବେଳେ ତାଙ୍କୁ କିଏ କେଉଁଠାରେ ବସିଥିବାର ଦେଖାଗଲା–କାହାର ଚୂର୍ଣ୍ଣକୁନ୍ତଳରେ ସଜ୍ଜା ଚାଲିଛି, କାହାର ଚାଲିଛି ଚିବୁକରେ କ୍ଷୌର ଭଙ୍ଗିମା, କିଏ ନିଶ ଦୁଇପଟାକୁ ଆଟୋପରେ ସଜାଇବା ସକାଶେ ସଯତ୍ନ ପ୍ରୟାସ ଚଳାଇଛନ୍ତି; ଚୁଟି କାଳେ କଟିଯିବ ଏବଂ କଟିଗଲେ ନିଖିଳ ବ୍ରାହ୍ମଣପଣିଆ ତତ୍‌କ୍ଷଣାତ୍‌ ଚଣ୍ଡାଳତ୍ଵରେ ପରିଣତ ହେବ, ସେହି ଆଶଙ୍କାରେ କେହି ହୁଏତ ମୁଣ୍ଡ ପୋତି କଣେଇ ଚାହିଁ ଦର୍ପଣରେ ଚୁଟିର ଦଣ୍ଡାୟମାନ ସ୍ଫୁରନ୍ତ ଅଟୋପ ଦେଖି ସ୍ଥିର ଭାବରେ ରହିଛନ୍ତି । ନାତିଦୂରରେ ନାରୀ ଜଣେ ନିଜର ପୀନ ବକ୍ଷକୁ ଛାତ ଆଡ଼କୁ ମେଲାଇ ନିଜର କନକକୁନ୍ତଳ କଟାଇ ଦେଲେଣି ଓ ତାହା କାନ୍ଧକୁ ଲଙ୍ଘନ କରିବାର ଅବସ୍ଥାରୁ ପଛେଇ ଗଲାଣି । ଜଣ ଜଣକୁ ଘାସିରାମ ଚାହୁଁଛନ୍ତି ଯେତିକି ଆରାମ ବଢ଼ୁଛି ସେତିକି । ତାଙ୍କ ଆରାମର ଅନୁଭବ ସେବାକାରୀକୁ କିପରି ଜଣା ପଡ଼ିଯାଉଛି କେଜାଣି, ଆମ୍ବସଡ଼ାରେ ସ୍ତର ଉପରେ ସ୍ତର ଲେସା ହେଲା ପରି ସେ ଅଧିକ ଆରାମ ଲଦି ଦେବାରେ ଲାଗିଛି ।

 

‘‘ଚଉକି ଖାଲି ନାହିଁ ?’’ ଏ ଭଳି ଗୋଟାଏ ପ୍ରଶ୍ନ, ବିନା ମେଘରେ ଘଡ଼ଘଡି ପରି ଆବାଜ କରିବାରୁ, ଘସିରାମ ତନ୍ଦ୍ରାପ୍ରଦେଶରୁ ନିଦ୍ରାରାଜ୍ୟକୁ ଗତି ନ କରି, ଜାଗ୍ରତଜମି ଉପରେ ସିଧାସଳଖ ଖାଡ଼ା ହୋଇଗଲେ । ସେବାକାରୀ ମନେ କଲା–‘‘ବାବୁ ବୋଧହୁଏ ଆଉ ଲୋଡ଼ୁ ନାହାନ୍ତି ।’’

 

ସମୟର ବ୍ୟବଧାନ ଘଟିନାହିଁ, ଘାସିରାମଙ୍କ ହାତରେ କାଗଜ ଖଣ୍ଡିଏ ଖୋସି ହୋଇଗଲା । ବିଲ୍‌ଟାକୁ ଫିଟାଇ ଚାହିଁ ଘାସିରାମ ମନେ କଲେ, ନିଦ ଆହୁରି ଛାଡ଼ିନାହିଁ । ମନଟାକୁ ତାକିତ୍‌ କରି, ଆଖି ନିର୍ମଳରେ ପୋଛି, କାଗଜକୁ ଚାହିଁ, ଯାହା ଧାରଣା କରି ବସିଲେ, ତହିଁରେ ସେ ପରିବେଷ୍ଟନୀର କାହାକୁ ନ ଚାହିଁ, ଚାହିଁଲେ ଦୁଆର ମୁହଁ ସେ ପାଖରେ ଦଣ୍ଡାୟମାନ ନିଜର ଜଣେ ବନ୍ଧୁଙ୍କୁ ।

 

ବନ୍ଧୁ କାଗଜଟା ଦେଖି ବଢ଼ାଇ ଦେଲେ ଦଶ ଟଙ୍କା ପଚାଶ ନୂଆ ପଇସା । ନିଜର ଗଡ଼ଜାତ ବନ୍ଧୁଙ୍କୁ ଟିକିଏ ଆଡ଼ ଚାହାଣିରେ ଚାହିଁ କହିଲେ–“ଜାଣି ନ ଥିଲେ ? ଏ ପରା ବମ୍ବେ ସହର !’’

Image

 

ବ୍ୟର୍ଥ-ସନ୍ଦେହ

 

ଶୁଭଙ୍କର ଟ୍ରେନର ପ୍ରଥମଶ୍ରେଣୀ ବଖରାରେ ବସି ଚିନ୍ତାରତ ଥାଆନ୍ତି । ଦୁଇପାଖର ଶ୍ୟାମଳ ଶସ୍ୟକ୍ଷେତ୍ର ଓ ବୃକ୍ଷରାଜି ଧାଇଁ ଧାଇଁ ଚାଲି ଯାଉଥାଏ । ପାଞ୍ଚଟା ବର୍ଷ କିପରି ଭାବରେ ଯେ କଟିଯାଇଛି, ତାହା ତାଙ୍କୁ ଜମା ଜଣା ପଡ଼ିନାହିଁ; ମାତ୍ର ଆଜିର ଅଭାବ ତାଙ୍କ ଦୃଢ଼ ହୃଦୟକୁ ଦୂରୀଭୂତ କରି ଦେଉଛି । ସେ ଖାଲି ଭାବୁଛନ୍ତି କିପରି ନିଷ୍ଠୁର ହେଲେ ତାଙ୍କର ପ୍ରାଣପ୍ରିୟା ମନୋଜ୍ଞା ମନୋବୃତ୍ୟନୁସାରିଣୀ ସୁସ୍ମିତା ପ୍ରତି ।

 

ସୁସ୍ମିତା ତାଙ୍କର ଧର୍ମପତ୍ନୀ । ବେଦୀ ଉପରେ ‘‘ଓଁ ମମ ବ୍ରତେ ତେ ହୃଦୟଂ ଦଦାତୁ..’’ ମନ୍ତ୍ର ପଢ଼ି, ଅଗ୍ନି, ସାକ୍ଷୀ ରଖି, ସପ୍ତପଦୀ ବୁଲି ତାଙ୍କୁ ନିଜ ଜୀବନ ସହିତ ବାନ୍ଧିଥିଲେ ଚିରଦିନ ପାଇଁ-। ସେ ପ୍ରତିଜ୍ଞା କ’ଣ ସେ ରକ୍ଷା କଲେ ? ସ୍ୱାମୀର ଯେ କର୍ତ୍ତବ୍ୟ ନିଷ୍ଠା–ତାହାର କ’ଣ ଏହି ପରିଣାମ ! ଏହା କ’ଣ ଖାଲି ତାଙ୍କର ଭୁଲ ? ସାମୟିକ ଉତ୍ତେଜନାର ଫଳ ଏପରି ଭୟାବହ ହେବବୋଲି ସେ ତ ଜାଣି ନ ଥିଲେ । ଛାୟାଚିତ୍ର ପରି ସେଦିନର କଥା ତାଙ୍କ ଆଖିଆଗରେ ନାଚି ଉଠିଲା ।

 

ଯେଉଁଦିନ ଅଫିସ ଘରେ ପଶିଗଲାବେଳେ ରଥୀନ୍ଦ୍ର ବାବୁ, ସୁରେଶ ବାବୁ ଓ ବ୍ୟୋମକେଶ କଣ କଥା ହେଉଥିଲେ ଏବଂ ଶୁଭଙ୍କରଙ୍କୁ ଦେଖି ଚୁପ୍ ହୋଇଗଲେ, ସେଦିନ ଯେ ସେ ବିବ୍ରତ ବୋଧ ନ କଲେ ଏକଥା କହି କେହି ପାରିବ ନାହିଁ । ସେ ବିଚଳିତ ହୋଇ କାର୍ଯ୍ୟ କରିପାରିଲେ ନାହିଁ । ତାଙ୍କ ମନକୁ କିଛି ଆସିଲା ନାହିଁ । ମଧ୍ୟାହ୍ନରେ ସେମାନଙ୍କୁ ପଚାରି ବସିଲେ ତାଙ୍କର ଗଳ୍ପର ବିଷୟବସ୍ତୁ । ବନ୍ଧୁଗଣ ତାଙ୍କଠାରୁ କଥା ଲୁଚାଇ କରି ରଖିବେ ଏହା ତାଙ୍କର ସ୍ଵପ୍ନାତୀତ ଥିଲା; କିନ୍ତୁ ପଚାରିବା ପରେ କେହି ଯେତେବେଳେ କିଛି ନ କହିଲେ, ସେତେବେଳେ ଶୁଭଙ୍କର ଏକପ୍ରକାର ଜିଦ୍‌ ଧରି ବସିଲେ ଓ ବନ୍ଧୁତ୍ୱର ଦ୍ୱାହି ଦେଲେ । ବନ୍ଧୁଗଣ ବଡ଼ କୁଣ୍ଠା ପ୍ରକାଶ କଲେ, ସେ କିନ୍ତୁ ନ ଶୁଣି ଉଠିଲେ ନାହିଁ । ଶେଷରେ ରଥୀନ୍ଦ୍ର ବାଧ୍ୟ ହୋଇ କହିଲେ–

 

‘‘ଶୁଣ ଶୁଭଙ୍କର, ଲଳିତ କହୁଥିଲା ସୁସ୍ମିତା ଓ ସରୋଜ ଆଜିକାଲି କୁଆଡ଼େ ଜଣେ ଜଣେ ବଡ଼ ନେତା ଓ ନେତ୍ରୀ ହେଲେଣି । ପ୍ରାୟ ସବୁ ମନ୍ତ୍ରୀ, ଉପମନ୍ତ୍ରୀଙ୍କ ସହିତ ତାଙ୍କର ଦୋସ୍ତି ଓ ସେମାନେ ପ୍ରତି ସଭାରେ ପୁରୋଧା । ସରକାରୀ ଜିପ୍‌ ତ ତାଙ୍କର କହିଲେ ଚଳେ, ସେମାନେ ସେ ଜିପ୍‌ରେ ବସି..... I’’

 

ଏତିକି କହି ଚୁପ ହେବାର ଦେଖି ଶୁଭଙ୍କର କହିଲେ– ‘‘କଥାଟାରେ ଅସମାପିକା କ୍ରିୟା ନ ଲଗାଇ ସମାପିକା କ୍ରିୟାର ସଦ୍‌ଭାବ ବ୍ୟବହାର କର । ଅଧାରେ ନୀରବ ରହିଲ କାହିଁକି ?

 

ରଥୀନ୍ଦ୍ର–‘‘ନା ସେପରି କିଛି ନାହିଁ । ତେବେ ଲଳିତ କଥା ଶୁଣି ଲାଭ କ’ଣ ? ସେ ତ ସମସ୍ତଙ୍କ ବିଷୟରେ ସେପରି କହେ । ତା ମତରେ ସ୍ତ୍ରୀ ଗୃହକୋଣ ବ୍ୟତୀତ କେଉଁଆଡ଼େ ନ ଯାଇ ନିଜର ‘ଅସୂର୍ଯ୍ୟମ୍‌ପଶ୍ୟା’ ନାମକୁ ସାର୍ଥକ କରିବେ । ଏହାର ବ୍ୟତିକ୍ରମ ହେଲେ ସେ ଯେ ଅପବାଦ ନାଗରା ଡିବି ଡିବି ବଜାଇବ, ଏଥିରେ ସନ୍ଦେହ କ’ଣ ?’’

 

ଶୁଭଙ୍କର–“ବଂଶ ଶତାବ୍ଦୀର ନାରୀ ପୁଣି ଗୃହକୋଣରେ ରହିବ ? ଦୁଇଟା ଯେ ଏକାବେଳକେ ବିପରୀତ କଥା । ତେବେ ଲଳିତ କାହିଁକି ଏପରି କହିଲା ଶୁଣେ ! ତା ସହିତ ତାର ଶତ୍ରୁତା ତ ନାହିଁ ? ସେ ମୋର ଅନୁମତି ନେଇ ଏବେ କେତେଦିନ ହେଲା ‘ଅନୁନ୍ନତ ଜାତିର ଉନ୍ନତି ସଂଘରେ ଲାଗିଛି । ସେଥିପାଇଁ ତାକୁ ଯଥେଷ୍ଟ ଶ୍ରମ ସ୍ୱୀକାର କରିବାକୁ ପଡ଼ୁଛି, ଏ କଥା ମୋ ବ୍ୟତୀତ ଆଉ ଅଧିକ କିଏ ଜାଣେ ?’’

 

ରଥୀନ୍ଦ୍ର ଶୁଭଙ୍କରଙ୍କ କଥାରେ ନିଜେ ଦୋଷୀ ପରି ମୁଣ୍ଡ ପୋତି ରହିଲେ । ତାଙ୍କର ମନେ ହେଲା ସେ ନ କହିଥିଲେ ଏପରି ଅପ୍ରୀତିକର ପରିସ୍ଥିତି ହୋଇ ନ ଥାନ୍ତା ପରା । ଲଳିତ ତରଫରୁ ସେ କହି ନିଜର ବନ୍ଧୁତ୍ଵରେ ଆଞ୍ଚ ଲଗାଇଲେ ସିନା । ପରିସ୍ଥିତି ନିତାନ୍ତ ଗମ୍ଭୀର ହୋଇ ଉଠିଲା । ସମସ୍ତେ ଚୁପ୍‌ ହୋଇ ବସି ରହିଲେ ।

 

ହଠାତ୍‌ ଝଡ଼ ପରି ଘର ଭିତରକୁ ପଶି ଆସିଲା ଲଳିତ । ତାକୁ ଦେଖି ସମସ୍ତେ ଉଠିବାକୁ ଆରମ୍ଭ କଲେ । ଲଳିତ ନାଟକୀୟ ଭଙ୍ଗିରେ କହି ଉଠିଲା–

 

‘‘ବନ୍ଧୁଗଣ । ବର୍ତ୍ତମାନ ମୁଁ ସମସ୍ତଙ୍କୁ ପାଞ୍ଚ ମିନଟ୍‌ ଏଠାରେ ବସିବାକୁ ଅନୁରୋଧ କରୁଛି-। ଶୁଭଙ୍କର ବାବୁ ଅଛନ୍ତି, ଏଠାରେ ମୁଁ ତାଙ୍କୁ ଯାହା କହିବାକୁ ଚାହୁଁଥିଲି, ତାହା କହିଚି-। ଆପଣମାନଙ୍କ ବିଚାର ଉପରେ କଥା ରହିବ ।’’

 

ଲଳିତ କଥାରେ ଚମକି ଉଠିଲେ ଶୁଭଙ୍କର । ଅନ୍ୟମାନେ ଅପ୍ରସ୍ତୁତ ହୋଇଗଲେ; ତଥାପି ସମସ୍ତେ ବସିବାକୁ ବାଧ୍ୟ ହେଲେ । ଶୁଭଙ୍କରଙ୍କ ଛାତି ଥରି ଉଠିଲା ଏକ ଅଜଣା ଆଶଙ୍କାରେ । ତାଙ୍କର ମନେ ହେଲା, ନିଜର ଅତି ଆଦରର ସୁସ୍ମିତା କଥା ଆଜି ପାଞ୍ଚଜଣଙ୍କ ଆଗରେ ସମ୍ଭବତଃ ପଡ଼ିବ ।

 

ଲଲିତ କହି ଉଠିଲା, “ଶୁଭଙ୍କର ବାବୁ, ସୁସ୍ମିତା ଦେବୀ ଆପଣଙ୍କ ଧର୍ମପତ୍ନୀ ଯେପରି, ଆମର ବନ୍ଧୁ ପତ୍ନୀ ସେହିପରି । ତାଙ୍କର ଅଧଃପତନ ଆମ ପ୍ରାଣରେ ଆଘାତ ଦେଉଛି । ଆମେ ତାଙ୍କୁ କହିଥିଲେ ସେ ବିରକ୍ତ ହୋଇଥାନ୍ତେ ଏବଂ ଆପଣ ଅନଧିକାର ଚର୍ଚ୍ଚାର ପର୍ଯ୍ୟାୟରେ ତାହା ପକାଇ ଦିଅନ୍ତେ । ତେଣୁ ମୁଁ କହେ, ସେ ଏସବୁ ଉନ୍ନତ ଅନୁନ୍ନତ କାମ ଛାଡ଼ି ଘର ଭିତରେ ରହି ନିଜ ପରିବାରର ଉନ୍ନତି କରନ୍ତୁ । ଘରେ କ’ଣ କାମ ନାହିଁ ?’’

 

ଲଳିତ କଥା ଶୁଣି ଶୁଭଙ୍କରଙ୍କ ଛାତିରେ ଛୁରୀ ମୁନ ଗଳିଗଲା । ସେ ଆଉ ସମ୍ଭାଳି ନ ପାରି କହିଲେ,–

 

‘‘ଲଳିତବାବୁ, ଆପଣଙ୍କ ଆକ୍ରୋଶର କାରଣ ମୁଁ ଜାଣେ । ସୁସ୍ମିତା ଆପଣଙ୍କ ‘ପତିତା–ନାରୀ ଉଦ୍ଧାରଣ ସଂଘରେ ଯୋଗ ଦେଇନାହିଁ । ମୁଁ ତାକୁ ନିଜେ ସେଥିରେ ନ ମିଶିବାକୁ କହିଥିଲି । ତାର କାରଣ ଆଉ ବଖାଣି ଲାଭ ନାହିଁ । ତେବେ ଆପଣଙ୍କ କଥା ମନେ ରଖିବାକୁ ଚେଷ୍ଟା କରିବି-।’’

 

କଥା ଆଉ ବଢ଼ିବାକୁ ନ ଦେଇ ଅନ୍ୟମାନେ ସମସ୍ତେ ଯିବାକୁ ଉଦ୍ୟତ ହେଲେ । ଶୁଭଙ୍କର ଏ ସଂକୀର୍ଣ୍ଣ ପରିସ୍ଥିତିରୁ ନିଜକୁ ରକ୍ଷାକରିବା ପାଇଁ ବାହାରିଗଲେ ପ୍ରଥମେ । ପଛରେ ଲଳିତ କହୁଥିବାର ଶୁଣାଗଲା, ‘‘ଶୁଭଙ୍କରର ଦିମାକ୍ ମୁଁ ଦେଖି ନେବି ।’’ ଶୁଭଙ୍କର ଶୀଘ୍ର ଶୀଘ୍ର ପାଦ ଚଳାଇ ଅଫିସ ବାହାରେ ଠିଆ ହୋଇଥିବା ନିଜ ଗାଡ଼ିରେ ଚାଲିଲେ ଘର ଆଡ଼କୁ । ସାରା ରାସ୍ତାଟା ଖୁବ୍‌ ନୀରବରେ କଟିଗଲା । ମୁଖମଣ୍ଡଳ ତାଙ୍କର ବିଷାଦର କଳା ବଉଦରେ ଆଚ୍ଛନ୍ନ ହେଲା । କ’ଣ କହିବେ ସୁସ୍ମିତାକୁ, ଏହି ଚିନ୍ତା ତାଙ୍କୁ ଘାରୁଥାଏ ।

 

ଘରେ ପହଞ୍ଚି ଦେଖିଲେ ଧାଈ ତାଙ୍କର ଏକମାତ୍ର କୁଳପ୍ରଦୀପ ଜ୍ୟୋତିଃପ୍ରକାଶକୁ ବାହାରେ ଧରି ଖେଳାଉଛି । ତାଙ୍କର ଧୂମାୟିତ ଚିତ୍ତ, ଅଗ୍ନି ସଂଯୋଗରେ ଦାଉ ଦାଉ ହୋଇ ଜଳି ଉଠିଲା । ସୁସ୍ମିତା ନାହିଁ, କାହିଁକି ନାହିଁ ? –ଏହି ପ୍ରଶ୍ନ ତାଙ୍କ ଚିତ୍ତକୁ ଆନ୍ଦୋଳିତ କଲା । ସେ ଅଫିସ୍‌ରୁ ଫେରି ପ୍ରତ୍ୟହ ଜ୍ୟୋତିକୁ କୋଳକୁ ନିଅନ୍ତି । ଆଜି ତାର ବ୍ୟତିକ୍ରମ ଦେଖି ଧାଈ ଆଉ ଆଗେଇବାକୁ ସାହସ କଲାନାହିଁ । ପୂଜାରୀ ଜଳଖିଆ ଆଣି ଫେରାଇ ନେଲା । ଚାକର ଜୋତା ଖୋଲିବାକୁ ଆସି, ଗାଳି ଖାଇ, ପଳାଇଲା । ଚଉକିଟାଏ ଟାଣି ନେଇ ବାରଣ୍ଡାର ଗୋଟାଏ ପାଖରେ ଗୁରୁ ଗମ୍ଭୀର ମୁହଁ କରି ବସି ରହିଲେ ଶୁଭଙ୍କର ।

 

କିଛି ସମୟ ପରେ ସୁସ୍ମିତା ଫେରିଲା ଗୋଟାଏ ଜିପ୍‌ରେ ଅନ୍ୟ କେତେଜଣଙ୍କ ସହ । ସେମାନେ ବାହାରେ ବିଦାୟ ନେଇଗଲେ । ସୁସ୍ମିତା ଘର ଭିତରକୁ ପଶି ଦେଖିଲା ଶୁଭଙ୍କର ବସିଛନ୍ତି, ଗମ୍ଭୀର ମୁଖରେ । ସୁସ୍ମିତାର ଚିର ହାସ୍ୟବଦନରେ, ଗୋଟାଏ ଝଲକ ବିଦ୍ୟୁତ୍‌ ଖେଳିଗଲା । ଅଭିମାନ ଭାଙ୍ଗିବାକୁ ଉଦ୍ୟତ ହେବା ପୂର୍ବରୁ ଶୁଭଙ୍କର ଗର୍ଜି ଉଠିଲେ–

 

“ତୁମେ କାହିଁକି କେତେଗୁଡ଼ାଏ ଛତରାଙ୍କ ସହିତ ଘୂରି ବୁଲ ? ତୁମେ ବାହାରକୁ ଏତେ ଯାଅ କାହିଁକି ଘରର କାମ ଛାଡ଼ି ? ମୁଁ ତୁମ ଯୋଗୁ ବାହାରେ ଲଜ୍ଜିତ ହେବି, ଅପଦସ୍ଥ ହେବି, ଅପମାନିତ ହେବି ? ବାହାରେ ତୁମ ନାଁରେ ଲୋକେ କୁତ୍ସା ରଟନା କରି ବୁଲୁଛନ୍ତି । ତୁମେ ହିଁ ତାଙ୍କୁ ସୁଯୋଗ ଦେଉଛ ।’’

 

ସୁସ୍ମିତା ଆଶ୍ଚର୍ଯ୍ୟ, ସ୍ତମ୍ଭୀଭୂତ । ଏ ଶୁଭଙ୍କରଙ୍କ ସହିତ ତାର କେବେ ପରିଚୟ ଘଟି ନ ଥିଲା । ଯେଉଁ ଶୁଭଙ୍କରଙ୍କ ସହିତ ତାର ବିଗତ ପାଞ୍ଚବର୍ଷର ପ୍ରତ୍ୟେକଟି ମୁହୂର୍ତ୍ତ ଗୁନ୍ଥା ହୋଇଥିଲା, ଏ ସେ ଶୁଭଙ୍କର ନୁହନ୍ତି । ହଠାତ୍‌ ତାଙ୍କର ଏପରି ପରିବର୍ତ୍ତନର କାରଣ ସେ ବୁଝି ପାରିଲା ନାହିଁ । ସୁସ୍ମିତା ଚିରଦନ କୋମଳ–ଭାଷିଣୀ । ତାର ନମ୍ର ଚାହାଣି ଓ କମ୍ରବାଣୀରେ ସମସ୍ତେ ଆପ୍ୟାୟିତ । ତଥାପି ତାର ଆଜି ଏ ଦଶା । ସେ ପାଖକୁ ଯାଇ, ନିଜର ଦୁଶ୍ଚିନ୍ତାକୁ ଦୂରକରି, ପଚାରିଲା ଧୀର କଣ୍ଠରେ–

 

‘‘ହଠାତ୍ ତମେ ଆଜି ଏପରି ଭୟଙ୍କର ହୋଇ ଉଠିଛ କାହିଁକି ? ଅଫିସ୍‌ରୁ ଫେରି ମୁହଁ ନ ଧୋଇ, ନ ଖାଇ ଏ କ’ଣ ପାଗଳାମି ଆରମ୍ଭ କରିଛ ? ଲୋକେ ଶୁଣିଲେ କ’ଣ କହିବେ ? ଚାକର ପୂଜାରୀ ତଟସ୍ଥ ହୋଇ ଠିଆ ହୋଇଛନ୍ତି । ଛି, ଭିତରକୁ ଚାଲ । ଖାଇସାର, ମୋତେ ଯାହା କହିବ, ସବୁ ଶୁଣିବି, ସବୁ ମାନିବି ।’’

 

ଶୁଭଙ୍କରଙ୍କ ପିତ୍ତ କମି ଆସିଥିଲା କିମ୍ବା କୋମଳତା ତାଙ୍କ ନିଷ୍ଠୁର ନିର୍ମମ ପ୍ରାଣକୁ ସ୍ପର୍ଶକରି ତରଳାଇବାକୁ ଆରମ୍ଭ କରିଥିଲା । ସେ ଆଉ ଦ୍ଵିରୁକ୍ତି ନ କରି ସିଧା ଗାଧୁଆଘରକୁ ବାହାରିଲେ । କିଛି ସମୟ ପରେ ଫେରି ଦେଖିଲେ ଖାଇବା ଘରେ ଟେବୁଲ ଉପରେ ଖାଇବା ସାମଗ୍ରୀ ସୁସଜ୍ଜିତ ଭାବରେ ଥୁଆ ହୋଇଛି ଓ ସୁସ୍ମିତା ବାହାରର ବେଶ ପରିବର୍ତ୍ତନ କରି ସ୍ମିତ ବଦନରେ ତାଙ୍କୁ ଅପେକ୍ଷା କରିଛି । ପେଟ ତ ଜଳୁଥିଲା, ନୀରବରେ ସେତକ ଉଦରସ୍ଥ କରି ଶୁଭଙ୍କର କିଞ୍ଚିତ ଆଶ୍ଵସ୍ତ ହେଲେ ।

 

ସନ୍ଧ୍ୟା ହୋଇ ଆସିଥିଲା । ସେଦିନ ଶୁଭଙ୍କର ଆଉ କ୍ଲବକୁ ଗଲେ ନାହିଁ । ନିଜ ସ୍ତ୍ରୀ ସହିତ ଆପୋଷ ମିଳାମିଶା କରିବାକୁ ବାହାରିଲେ । ଛାତରେ ବସି ଶୁଭଙ୍କର କହିଲେ–

 

“ସୁସ୍ମିତା, ତୁମ ପ୍ରତି ଆଜି ସେ ନିଷ୍ଠୁର ବ୍ୟବହାର କରିଛି ସେଥିପାଇଁ ମୁଁ ଖୁବ୍ ଦୁଃଖିତ; କିନ୍ତୁ କ’ଣ କରିବି କହିଲ ? ଅଫିସରେ ସମସ୍ତେ ସରୋଜ ଓ ତୁମ ବିଷୟ ନେଇ କଥା ହେଉଛନ୍ତି । ସରକାରୀ ଜିପ୍‌ ତୁମ ଜିପ୍‌, ତୁମେ ସରକାରଙ୍କର । ଦେଶ ସେବା ନାଁରେ ମଣିଷ ସେବା ଆହୁରି କେତେ କଣ । ସେ ସବୁ ଶୁଣି ମୁଁ ନିଜକୁ ସ୍ଥିର ରଖିପାରିଲି ନାହିଁ । ତୁମେ ଏସବୁ ଛାଡ଼ିଯାଅ, ସ୍ମିତା-।’’

 

ସୁସ୍ମିତା କଥାଗୁଡ଼ାକ ଠିକ୍‍ଭାବରେ ବୁଝି ପାରୁ ନ ଥିଲା । ସରୋଜ ତାରି ସମ୍ପର୍କ ଦିଅର; ତା ନାଁ ସହିତ ନିଜ ନାମର ସଂଯୋଗ । ଯେ ଜୀବନର ପ୍ରତିଟି ମୁହୂର୍ତ୍ତ ଦେଇଛି ପର ସେବାରେ, ଯାହାର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ସେହି ଅନୁନ୍ନତଙ୍କ ଉନ୍ନତିକଳ୍ପେ ଦତ୍ତ; ସେହି ଦେବୋପମ ସରୋଜ ସହିତ ତା ନାଁ । ହାୟ ଭଗବାନ୍‌, ତମେ ଏ କ’ଣ କଲ ? ଏକଥା ଶୁଣିବା ପୂର୍ବରୁ ସୁସ୍ମିତାର ମୃତ୍ୟୁ ନ ହେଲା କିପରି ?

 

ସୁସ୍ମିତାକୁ ଚିନ୍ତିତା ଦେଖି ଶୁଭଙ୍କର ନିଜ ଆଡ଼କୁ ଢଳାଇ ନେଲେ । ଅତି କୋମଳକଣ୍ଠରେ ତାଙ୍କର କଣ୍ଠଲଗ୍ନାକୁ କହିଲେ–

 

‘‘କ’ଣ ଭାବୁଛ, ସ୍ମିତା ? ତୁମେ କିଛି ନ କହିଲେ ଯେ ହେବ ନାହିଁ । ଲୋକଙ୍କ ମୁହଁକୁ ଆମେ ବନ୍ଦ କରି ପାରିବା ନାହିଁ ସତ; କିନ୍ତୁ ତାଙ୍କୁ ସେ ସୁଯୋଗ ନ ଦେଲେ ହେଲା । ତୁମେ ଲଳିତ ସହିତ କାମ ନ କରି ସରୋଜ ସହିତ ମିଶିଲ ବୋଲି ତାର ଏ ଆପତ୍ତି, କୁତ୍ସାରଟନା ମୁଁ ଜାଣେ; ତଥାପି ଲୋକେ କହିବାକୁ ଛାଡ଼ୁନାହାନ୍ତି । ଖାଲି ସେତିକି ନୁହେଁ, ସେ ଧମକ ଦେଇଛି ଦେଖିନେବ ଆମକୁ ।’’

 

ସବୁ ଶୁଣି ସୁସ୍ମିତା ଟିକିଏ ସ୍ମିତ ହସ ଖେଳାଇ କହିଲା, ‘‘ଲଳିତବାବୁଙ୍କ କଥା ସବୁ ଶୁଣିଲି । ସରୋଜବାବୁଙ୍କ ସହିତ ମୁଁ ଯୋଗ ଦେବା ପରେ ଆମ ସଂଘ ସରକାରୀ ଜିପ୍‌ ଓ ଅର୍ଥ ସାହାଯ୍ୟ ପାଇଛି, ତାହା ତାଙ୍କ ଆକ୍ରୋଶର ପ୍ରଧାନ କାରଣ । ଦ୍ଵିତୀୟ କାରଣ ହେଲା ପ୍ରାୟ ନାରୀସେବା-ସଂଘର ସବୁ ମହିଳାମାନେ ଏଥିରେ ଯୋଗ ଦେଇଛନ୍ତି । ଲୋକଙ୍କ ସହାନୁଭୂତି ଯଥେଷ୍ଟ ପାଉଛି ସଂଘ ଓ ଗୋଟିଏ ବାଳିକା-ବିଦ୍ୟାଳୟ ଅଚିରେ ହେବାର ପ୍ରଚେଷ୍ଟା ଚାଲିଛି, ଟିକିଏ ନୀରବ ରହି ପୁଣି କହିଲା,–‘‘ଏତିକିବେଳେ ମତେ ତୁମେ କହୁଛ ଛାଡ଼ି ଦେବାକୁ ? ତାର ବାର୍ଷିକ ଅଧିବେଶନ ହେବ ଆଉ ଛ’ ଦିନ ପରେ, ଛାଡ଼ିବି କିପରି କହିଲ ? ଯଦି ତୁମେ ଚାହ ଏଥିରେ ମୁଁ ଯୋଗ ନ ଦେବାରୁ, ତେବେ ତା ପରେ ମୁଁ ଏଥିରୁ ଆଡ଼େଇ ହୋଇ ରହିବି ।’’

 

ଗଳା ତାର ଭାରି ହୋଇ ଆସିଲା, ସତେ ଯେପରି କୋହକୁ ବହୁ କଷ୍ଟରେ ଚାପିଦେବାର ଚେଷ୍ଟାରେ ସେ ନିଜକୁ ସଂକୁଚିତ କରୁଛି ।

 

ଶୁଭଙ୍କରଙ୍କ ଚିତ୍ତ ଦ୍ରବୀଭୂତ ହେଲା, ତଥାପି ନିଜର ମାନ ବଜାୟ ରଖିବା ଚେଷ୍ଟାରୁ ବିରତ ହେଲେନାହିଁ । ସୁସ୍ମିତା କିଛି ଖରାପ କାମ କରୁନାହିଁ ସତ, ତଥାପି ତାଙ୍କର ପୁରୁଷ–ଚିତ୍ତ ଲଳିତ କଥାରେ ଆହତ ହୋଇଥିଲା । ସେ କହିଲେ–

 

“ନା ସୁସ୍ମିତା, ତୁମେ ଆଉ ଯାଅନାହିଁ, ଯାହା କରିବାର ସେମାନେ କରନ୍ତୁ । ତୁମକୁ କଷ୍ଟ ହେବ ଜାଣେ, ତଥାପି ମୁଁ ଯେ କେତେ ବାଧ୍ୟ ହୋଇ ତମକୁ ଏ ପଥରୁ ଅପସରି ଯିବାକୁ କହୁଛି, ତୁମେ ବୁଝିପାରିବ ନାହିଁ । ଛାତି ମୋର ପଥର କରିଛି ସ୍ମିତା ! ତମେ କ’ଣ ବୁଝି ପାରିବ ?’’

 

ସୁସ୍ମିତା ଚମକି ଉଠିଲା ଶୁଭଙ୍କରଙ୍କ କଥା ଶୁଣି; କିନ୍ତୁ ଏ କି ନିର୍ମମ ଆଦେଶ ! ଯାହାକୁ ସେ ନିଜର ସମସ୍ତ ଶକ୍ତି, ସାମର୍ଥ୍ୟ ଦେଇ ଦିନ ପରେ ଦିନ ବଢ଼ାଇବାରେ ଲାଗିଛି, ଯାହା ବିଷୟରେ ଆଶା ଓ ଆକାଙ୍‌କ୍ଷାର ବଡ଼ଦେଉଳ ତୋଳିଛି, ନିଜ ହାତରେ ତାହାରି ସମାଧି ତୋଳିବ ? ନିଜେ ତାର ସମସ୍ତ ଭାର ନେଇଛି ସେହିଦିନୁ, ଯେଉଁଦିନ ସେହି ହରିଜନ ବସ୍ତିର ଲଳିତା ନାମ୍ନୀ ଝିଅଟି ଆସି ନିଜର ଓ ଅନ୍ୟମାନଙ୍କର ପଢ଼ିବାର ଆକାଙ୍‌କ୍ଷା ଜଣାଇ କହିଥିଲା, “ନିରନ୍ନ ମୁହଁରେ ଶିକ୍ଷାର ଉଚ୍ଚଆଶା ପ୍ରଳାପ ମାତ୍ର । ତଥାପି ଆପଣଙ୍କ ଦୟାରେ ଆମେ ସେତିକି ପାଇଲେ ଶାଗ, ପେଜ ଖାଇ, ଚିରାକନା ପିନ୍ଧି ପଢ଼ିବାର ଚେଷ୍ଟା କରିବୁ, ମା ! ସରସ୍ଵତୀ ଆପଣମାନଙ୍କୁ ଆଖି ଦେଇଛନ୍ତି । ଆପଣ ଆମକୁ ଚକ୍ଷୁଦାନ କରନ୍ତୁ ।’’

 

ତାର ସେ କଥାରେ ସୁସ୍ମିତାର ତାଳୁରୁ ତଳିପା ଯାଏ ଥରି ଉଠିଥିଲା । ଏ କି ନିଷ୍ଠା, କି ଆଗ୍ରହ ସାମାନ୍ୟ ହରିଜନ କନ୍ୟାର ! ପୂର୍ବର ଗାର୍ଗୀ, ମୈତ୍ରେୟୀ କ’ଣ କିପରି ଆସିଲେ ନୀଚକୁଳରେ ଉଚ୍ଚ–ଆଶା ନେଇ ? ସେହିଦିନଠାରୁ ସେ ପ୍ରତିଜ୍ଞାବଦ୍ଧ ହେଲା, ତାଙ୍କ ପାଇଁ ବିଦ୍ୟାପୀଠ କରିବ, ଦେଖାଶୁଣା ସେ ନିଜେ କରିବ; କିନ୍ତୁ ଆଜି ବିଚାର ନିଷ୍ଠୁର ଉପହାସରେ ତାକୁ ଅପସରି ଯିବାକୁ ଆଦେଶ ମିଳୁଛି ।

 

ଶୁଭଙ୍କର ସୁସ୍ମିତାକୁ ନୀରବ ରହିବାର ଦେଖି ପଚାରିଲେ, “କ’ଣ ହେଲା, କହ ?’’

 

ସୁସ୍ମିତା–“ମୁଁ ଏବେ ଛାଡ଼ି ପାରୁନି । ସ୍କୁଲଟି କରିବାପାଇଁ ମୁଁ ପ୍ରତିଜ୍ଞାବଦ୍ଧ ହୋଇଛି । ମତେ ଆଉ ଦୁଇ ମାସ ସମୟ ଦିଅ । ସେତିକି ଦିନ ଭିତରେ ମୁଁ ଆପ୍ରାଣ ଚେଷ୍ଟାକରି ତାକୁ ଠିଆ କରାଇ ଚାଲି ଆସିବି ।’’

 

ଶୁଭଙ୍କରଙ୍କ ପିତ୍ତ ପୁଣି ଥରେ ତେଜି ଉଠିଲା । କାରଣଟା ହେଲା ସୁସ୍ମିତା ତାଙ୍କ କଥା ନ ଶୁଣି ପ୍ରତିଜ୍ଞାକୁ ବଡ଼ କରି ଧରି ବସିଛି । ସେ କହିଲେ–

 

‘‘ଶୁଣ ସ୍ମିଚା, ମୋ କଥା ଶୁଣିବା ତମର ପ୍ରଧାନ କର୍ତ୍ତବ୍ୟ; ସେ କଥା ଭୁଲି ଯାଉଛ ? ନାରୀର ପ୍ରଧାନ କର୍ତ୍ତବ୍ୟ ଗୃହରେ–'ଗୃହିଣୀ ଗୃହମୁଚ୍ୟତେ' । ପୁଣି କ’ଣ ‘ପତିରେକ ଗୁରୁଃ ସ୍ତ୍ରୀଣାମ୍‌’ କଥାଟା ଭୁଲିଗଲ ? ତୁମେ ତାକୁ ଛାଡ଼ିବ, ନ ହେଲେ ଛାଡ଼ିବ ମତେ–ଏ ମୋର ଶେଷ କଥା ।’’

 

ହଠାତ୍‌ ବିନାମେଘରେ ବଜ୍ରପାତ ହେଲା ସୁସ୍ମିତା ମୁଣ୍ଡ ଉପରେ । ସେ ଏପରି କିଛି ଅନ୍ୟାୟ କରିନାହିଁ, ଅଥଚ ତା ପ୍ରତି ଏ ନିଷ୍ଠୁର ଆଦେଶ ! ସେ କାମ ସାରି ରହିଯିବ ବୋଲି କହୁଥିଲା, କିନ୍ତୁ ଏ କଣ ହେଲା । ସୁସ୍ମିତା ପୁଣି ଥରେ ବୁଝାଇବାକୁ ଚେଷ୍ଟା କରି କହିଲା, “ଧନଟି ପରା, ଏପରି ନିର୍ମମ ଆଦେଶ କର ନାହିଁ । କଥାଟା ବୁଝ, ପ୍ରତିଜ୍ଞା ରଖିବା ଉଚିତ–ତମେ ନିଜେ କହିଛ ପରା !’’

 

ଶୁଭଙ୍କର ମୁହଁଟାକୁ ଫଣ ଫଣ କରି କହିଲେ–‘‘ନା, ତା ହୋଇପାରିବ ନାହିଁ । ତୁମକୁ ଏହା ଛାଡ଼ିବାକୁ ହେବ । ଆଉ ଦିନକ ପାଇଁ ତମେ ଏଥିରେ ଯୋଗ ଦେଇ ପାରିବ ନାହିଁ ।’’

 

ସୁସ୍ମିତା ଟିକିଏ କଠୋର ହୋଇ ଆସିଲା ଶୁଭଙ୍କରଙ୍କ ଏପରି ପରିବର୍ତ୍ତନରେ । କହିଲା–‘‘ମତେ ଯେ ଯିବାକୁ ହେବ, ମୁଁ କଥା ଦେଇଛି । ଛଅ ଦିନ ପରେ ବାର୍ଷିକ ସଭା । ମୁଁ ନ ଗଲେ ଚଳିବ କିପରି !’’

 

ଶୁଭଙ୍କରଙ୍କ ମୁଖମଣ୍ଡଳ ଅନ୍ଧକାରାଚ୍ଛନ୍ନ ହୋଇଗଲା । ହଠାତ୍‌ ତାଙ୍କ ହୃଦୟର ପ୍ରଶାନ୍ତ ଆକାଶରେ ଆଜି ଏ କି ଧୂମକେତୁର ଆବିର୍ଭାବ । ସୁସ୍ମିତା ତାଙ୍କୁ କେବେ ଅମାନ୍ୟ କରେ ନାହିଁ । ଏପରି ହେଲା କାହିଁକି ! ତେବେ କଣ ଲଲିତ... । ନା,ନା,ସେ ଏ କଣ ଭାବୁଛନ୍ତି ତାଙ୍କର ଧର୍ମପତ୍ନୀ, ପ୍ରିୟତମା ବିଷୟରେ । ତଥାପି ତାଙ୍କର ଜିଦ୍‌ ବଢ଼ି ଚାଲିଲା । ସେ ଗର୍ଜନକରି କହି ଉଠିଲେ–

 

‘‘ଶୁଣ ସୁସ୍ମିତା । ତମର ସ୍ଥାନ ଆଉ ଏଠାରେ ନାହିଁ । ଆମ ସହିତ ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରି ଯାଅ, ନିଜର ପ୍ରତିଜ୍ଞା ପାଳନ କର ।’’ ଏତିକି କହି ସେ ଚଞ୍ଚଳ ପଦକ୍ଷେପରେ ଘରୁ ଚାଲିଗଲେ-

 

ସୁସ୍ମିତା ଶେଷ କଥା ତକ ଶୁଣି ପାରିଲା ନାହିଁ । ପତନୋନ୍ମୁଖ ଶରୀରକୁ ସମ୍ମୁଖସ୍ଥ ଟେବୁଲରେ ଭରାଦେଇ ରଖିନେଲା । ଆଖିରୁ ଝରିପଡ଼ିଲା ଅଜସ୍ର ମୁକ୍ତାବିନ୍ଦୁ । ଏ କି ସମସ୍ୟା । ସ୍ଵାମୀ ତାକୁ ସ୍ପଷ୍ଟ କହିଛନ୍ତି, ତାର ସ୍ଥାନ ଆଉ ଏଠାରେ ନାହିଁ । ତେବେ ତା ପାଇଁ ସ୍ଥାନ କେଉଁଠି ? ସେ କ’ଣ ପିତୃଗୃହକୁ ଫେରିଯିବ ? ସେଠାକୁ ଯିବ ବା କିପରି ? ଯେଉଁଠି ସେ ନିଜର ଗୃହ, ସ୍ୱାମୀ, ପୁତ୍ରର ଗର୍ବ କରିଛି–ସେଠାକୁ କ’ଣ ସେ ଯିବ ନିଜର ନିର୍ଲ୍ଲଜ ମୁହଁ ଦେଖାଇବାକୁ ? ତେବେ କ’ଣ ଆତ୍ମହତ୍ୟା ? ନା, ନା, ସେ ପାପଠାରୁ ବଳି ପାପ ନାହିଁ । ତାହାହେଲେ କ’ଣ ଚାଲିଯିବ ଘର ଛାଡ଼ି-? ଅତି ଆଦରର ଏ ସୋହାଗ–ସଂସାର ତାର, ଆଜି କାହାର ଅଭିଶାପରେ ଛାରଖାର ହେଉଛି...-?

 

ଆଉ ଭାବି ପାରିଲା ନାହିଁ ସୁସ୍ମିତା । ନିଜ ଶୟନକକ୍ଷକୁ ଯାଇ ଦୁଆର ବନ୍ଦକରି, ତକିଆରେ ମୁହଁ ଗୁଞ୍ଜିଦେଲା । କଇଁ କଇଁ ହୋଇ କାନ୍ଦି ଉଠିଲା ଅକୁହା କୋହକୁ ସମ୍ଭାଳି ନ ପାରି । କେତେ ସମୟ ସେ ଏପରି ପଡ଼ି ରହିଲା କେଜାଣି, ଯେତେବେଳେ ତାର ବାହ୍ୟଜ୍ଞାନ ଫେରି ଆସିଲା, ଦେଖିଲ ଚାରିଆଡ଼ ଅନ୍ଧାର । ସମସ୍ତେ ଶୋଇଲେଣି । ନିଜର ଶୟନକକ୍ଷରେ ଶୁଭଙ୍କର ସୁପ୍ତ । ସେ ଆଜି ଅଭୁକ୍ତା, ଏକଥା ଜାଣି ମଧ୍ୟ ଶୁଭଙ୍କର ଶୋଇ ପାରିଲେ ? ନା, ତେବେ ଆଉ ଏଠାରେ ନୁହେଁ । ଦୂର, ବହୁଦୂରକୁ ଅପସରି ଯିବାକୁ ହେବ । ସ୍ଵାମୀଙ୍କ ନାମ ଚିରଉଜ୍ଜ୍ଵଳ ରତ୍ନ । ମନେପଡ଼ିଲା ଏକମାତ୍ର ଆତ୍ମଜ ଜ୍ୟୋତି– ? ଜ୍ୟୋତିକୁ ଛାଡ଼ିଯିବ କିପରି ତାର ମାତୃପ୍ରାଣ ? ଜ୍ୟୋତି ତ ପାଖରେ ନାହିଁ କାହିଁକି ? ତେବେ କ’ଣ ଜ୍ୟୋତିକୁ ପାଖରେ ରଖି ଶୁଭଙ୍କର ସୁସ୍ମିତାକୁ...-? ନା, ଆଉ ନିଷ୍ଠୁରତାର ଚିତ୍ର ସେ ଦେଖିପାରିବ ନାହିଁ । ମନେପଡ଼ିଲା –ଦିନେ ରଘୁନନ୍ଦନ ଏହିପରି ଜନକତନୟାକୁ ନିର୍ବାସନ ଦେଇଥିଲେ ପ୍ରଜାର କଟୁକଥା ଶୁଣି । ଆଜି ତାର ଭାଗ୍ୟବିଧାତା ସମ୍ଭବତଃ ସେହି କଥାର ପୁନରାବୃତ୍ତି କରୁଛନ୍ତି ।

 

ରାତି ସେତେବେଳକୁ ସାଢ଼େ–ଏଗାର । ଗୋଟାଏ ବେଳେ ମେଲ ଯାଏ କଟକ ବାଟରେ । ସୁସ୍ମିତା ଉଠି ବସିଲା, ଲୁହ ପୋଛି ହୃଦୟକୁ କଠିନ କଲା । ସ୍ଥିର କଲା, ସେ ଚାଲିଯିବ ସେ ସ୍ଵର୍ଗୀୟ ଭୁବନକୁ ଯେଉଁଠି ନାହିଁ ଲୋକାପବାଦ ଓ ନୀଚସ୍ଵାର୍ଥ । ତରତରରେ ନିଜର ସାମାନ୍ୟ କେତେଖଣ୍ଡ ଲୁଗାପଟା ସଜ୍ଜିତ କରି ଗୋଟାଏ ସୁଟ୍‌କେଶ୍‌ ହାତରେ ଧରି ବାହାରି ପଡ଼ିଲା । ଯିବା ପୂର୍ବରୁ ଶୁଭଙ୍କରଙ୍କ ରୁଦ୍ଧଦ୍ୱାର ନିକଟରେ ନୀରବରେ ଦୁଇଟି ମୁହୂର୍ତ୍ତ ଠିଆ ହୋଇ କଣ ଭାବିଲା କେଜାଣି, ଆଖିରେ ଲୁହ ହେଲା ଭରପୂର । ଭିତରୁ ତାର ଖାଲି କୋହ ଉଠିଲା । ମନର ଜୋର୍‌ରେ ସବୁ ଚାପି ଧୀରେ ଧୀରେ ଓହ୍ଲାଇଗଲା । ଫାଟକ ପାଖରେ ଡ୍ରାଇଭର ତା ଘରକୁ ସେଦିନ ଟିକିଏ ବିଳମ୍ବରେ ଯାଉଥିଲା । ସୁସ୍ମିତା ଡାକିବ କି ନାହିଁ ଭାବୁ ଭାବୁ ଡ୍ରାଇଭର ତା ନିକଟରେ ନୀରବରେ ଠିଆ ହେଲା । ଇଙ୍ଗିତରୁ ସୁସ୍ମିତା ବୁଝିପାରିଲା, ସିଦ୍ଧାର୍ଥ ଛନ୍ଦକ ସାହାଯ୍ୟରେ ଗୃହତ୍ୟାଗୀ ହେଲାପରି ତାକୁ ମଧ୍ୟ ଡ୍ରାଇଭର ସାହାଯ୍ୟରେ ମଟରରେ ଯିବାକୁ ହେବ । କିଛି ନ କହି ଗାଡ଼ି ଆଣି ଡ୍ରାଇଭର ଠିଆ ହେଲା । ସୁସ୍ମିତା ଚିରଦିନ ଲାଗି ଘରକୁ ଚାହିଁ ହୃଦୟ ଦେବତା ଓ ପ୍ରାଣର ଜ୍ୟୋତିଠାରୁ ବିଦାୟ ନେଲା । ମଟର ଚାଲିଲା । ଗୋଟିଏ ରାତିରେ କି ବିରାଟ ପରିବର୍ତ୍ତନ ଘଟିଗଲା, ଶୁଭଙ୍କର କଣ ଜାଣିଲେ ! ଅନ୍ଧକାରରେ ମିଳାଇଗଲା ସୁସ୍ମିତା ।

 

ଷ୍ଟେସନରେ ପହଞ୍ଚି ଦେଖେ ତ ଗାଡ଼ି ଠିଆ ହୋଇଛି । ତରତର ହୋଇ ପ୍ରଥମ ଶ୍ରେଣୀର ଟିକିଏ ଖଣ୍ଡିଏ କାଟି ଆଣିଲା ଡ୍ରାଇଭର । ସୁସ୍ମିତା ଟ୍ରେନରେ ଚଢ଼ି ଗଲାବେଳେ ଦେଇଗଲା ଟୁକୁରା କାଗଜ ଓ ପାଞ୍ଚଟଙ୍କାର ନୋଟ୍‍ଟିଏ । ଡ୍ରାଇଭର ବିନମ୍ର ନମସ୍କାରଟିଏ ଜଣାଇ ଆଗେଇ ଗଲା । ଗାଡ଼ି ଚାଲିଲା କଟକରୁ ଉତ୍ତରକୁ ।

 

ତା ପରଦିନ ସକାଳୁ ଶୁଭଙ୍କରଙ୍କ ନିଦ ଭାଙ୍ଗିଲା ମାତ୍ରେ ପ୍ରଥମେ ମନେପଡ଼ିଲା ସୁସ୍ମିତା । ପୂର୍ବରାତ୍ରର ଘଟନା ମନେପଡ଼ି ଚିତ୍ତ ବ୍ୟାକୁଳ ହେଲା । କାଲିର ରାଗ ରୂପାନ୍ତରିତ ହୋଇଛି ଅନୁରାଗରେ । ସେ ତରତର ହୋଇ ଆସିଲେ ସୁସ୍ମିତାର ଶୟନକକ୍ଷକୁ । ଦୁଆର ମୁକୁଳା । ତେବେ କ’ଣ ସୁସ୍ମିତା ଗାଧୋଇ ଗଲାଣି ଏତେ ସକାଳୁ ? ମନେ ମନେ ଠିକ୍‌ କରିଥିଲେ ସୁସ୍ମିତାର ଅଭିମାନ ଭାଙ୍ଗିଦେବେ, ସଭାକୁ ଯିବାକୁ କହିବେ । କିଛି ସମୟ ଗାଧୁଆଘର ବାହାରେ ଅପେକ୍ଷା କରି ରହିଲେ । ଡ୍ରାଇଭର ଆସି ଟୁକୁରା କାଗଜ ଖଣ୍ଡିକ ଦେଲା । ଶୁଭଙ୍କର ଖୋଲି ପଢ଼ିଲେ । ପଢ଼ୁ ପଢ଼ୁ ମୁଖ ବିବର୍ଣ୍ଣ, ତଳେ ପଡ଼ି ଯାଉ ଯାଉ ଧରି ପକାଇଲେ ଚଉକିକୁ । ସୁସ୍ମିତା ଲେଖିଛି–

 

ଅଭିନ୍ନ ଆତ୍ମନ,

 

ମୁଁ ଚାଲି ଯାଉଛି ଦୂରକୁ, ବହୁଦୂରକୁ । ଏ ଜନ୍ମରେ ଆଉ ଦେଖା ହେବାର ଆଶା ନାହିଁ । ମତେ କ୍ଷମା କରିବ । ଜ୍ୟୋତି ଚିରଦିନ ଜ୍ୟୋତିର୍ମୟ ହେଉ, ଏତିକି ପ୍ରାର୍ଥନା ।

 

ତୁମର

ଅଭାଗିନୀ

–ସୁସ୍ମିତା–

 

‘‘ପାଷାଣି, ତୁ ଏ କ’ଣ କଲୁ ? ମୁଁ ଯେ ଆସିଥିଲି ତତେ ସବୁ ଅଧିକାର ଦେବାକୁ । ଏପରି ଭାବରେ ମୁହଁ ମୋଡ଼ି ଅଭିମାନିନୀ ନିଜର ମାନ ରଖିଲୁ । ମୁଁ ଯେ ତୋରି କିଙ୍କର, ସାମାନ୍ୟ ଶିଶିର ବିନ୍ଦୁକୁ ତୁ ମାର୍ତ୍ତଣ୍ଡର ପ୍ରଚଣ୍ଡ ତାପଦ୍ଵାରା ଶୁଖାଇ ଦେବାକୁ ବସିଲୁ । ସୁସ୍ମିତା, ରାଣୀ ମୋର, ଫେରିଆ, ଫେରିଆ–’’ ଏହା କହି ଶୁଭଙ୍କର ବାତୁଳଙ୍କ ପରି ମୁଣ୍ଡ ପିଟିବାରେ ଲାଗିଲେ । ଜ୍ୟୋତିକୁ କୁଣ୍ଢାଇ ସେ କାନ୍ଦି ଅସ୍ଥିର ହେଲେ, ଶିଶୁ ସମ୍ଭାଳି ନ ପାରି ତୁହାଇ ‘ମା’ ‘ମା’ ବୋଲି ପାଟିକଲା । ନିଜକୁ ପ୍ରକୃତିସ୍ଥ କରିବାକୁ ସେ ସେଠାରୁ ଉଠି ଆଗେଇଲେ ଶୋଇବା ଘରକୁ–କିନ୍ତୁ ଦେଖିଲେ ଯାହା ଯେଉଁଠି ରହିବାର ରହିଛି, ଖାଲି ନାହିଁ ପ୍ରାଣର ସୁସ୍ମିତା । ଘର ତାଙ୍କୁ ଶ୍ମଶାନବତ୍‌ ମନେ ହେଲା । ସେ ଘରେ ମୁହଁ ମାଡ଼ି ଶୋଇ ରହିଲେ, ଦିନସାରା ଅନ୍ୟ କେଉଁଆଡ଼େ ନ ଯାଇ ।

 

ସୁସ୍ମିତା ସେ ଦିନ ମେଲରେ ଯାଇ ହାଉଡ଼ା ଷ୍ଟେସନରେ ପହଞ୍ଚି ନିଜକୁ ବଡ଼ ଏକାକିନୀ ବୋଧକଲା । ଜୀବନରେ ତାର ଏହି ପ୍ରଥମ ଶୁଭଙ୍କରଙ୍କ ବିନା ଯାତ୍ରା କରିବା । କୁଆଡ଼େ ଯିବ କିଛି ସ୍ଥିର କରି ନ ଥିଲା । ଗୋଟାଏ ଜିଦ୍‌ ଯେ ତାକୁ ଘରଛଡ଼ା କରିଛି, ସେ ତାକୁ କେତେଦୂର ନେବ କେଜାଣି । ଚଳଚ୍ଚିତ୍ର ପରି ଆଖି ଆଗରେ ନାଚି ଉଠିଲେ ଶୁଭଙ୍କର ଆଉ ଜ୍ୟୋତି । ନା, ଆଉ ନୁହେଁ–ସେ ଟିକଟ ଖଣ୍ଡିଏ କାଟିଲା ହୃଷୀକେଶକୁ । ତାର ଏ ଯାତ୍ରା ସୀତାଙ୍କ ପରି ଏକାକୀ ‘ବାଲ୍ମୀକି ଆଶ୍ରମ’ ପ୍ରତି । ଦୁଇଦିନ ପରେ ହରଦ୍ଵାରରେ ପହଞ୍ଚିଲା । ସେତେବେଳକୁ ସେ ନିଜକୁ କିଞ୍ଚିତ୍‌ ପ୍ରକୃତିସ୍ଥ କରି ସାରିଛି । ନିଜର ମନୋବଳ, ଆତ୍ମବିଶ୍ଵାସ ତାକୁ ଚିରଦିନ ସତ୍‌ମାର୍ଗରେ ଚଳାଇ ଆଣିଛି । ହରଦ୍ଵାରର ସ୍ଵର୍ଗୀୟ ମାଧୁରୀ ଦେଖି ସେ ଆଶ୍ଵସ୍ତା ହେଲା । ଆକଳନ ଦାନ ଏ ଅମରଭୂମିକୁ ବିଧାତାଙ୍କର । ସେଠାରୁ ବସ୍‌ ଯୋଗେ ଯାଇ ପହଞ୍ଚିଲା ହୃଷୀକେଶରେ, ପ୍ରାୟ ମଧ୍ୟାହ୍ନରେ । ଅନେକ ପଣ୍ଡାଙ୍କ ଭିତରୁ ଜଣେ ବୟୋବୃଦ୍ଧ ପଣ୍ଡାକୁ ଧରି ଗୋଟିଏ ଛୋଟ ବଖରା ଯୋଗାଡ଼ କଲା । ସେଠାରେ ସେ ନିଜର ସଂସାର କରି ବସିଲା, ପଣ୍ଡା ସାହାଯ୍ୟରେ ଗୋଟିଏ ଅନାଥିନୀ ବୃଦ୍ଧାକୁ ସଙ୍ଗରେ ଧରି ।

 

ଶୁଭଙ୍କର ମାତୃହୀନ ଜ୍ୟୋତିକୁ ଧରି ଦିନ ପରେ ଦିନ କଟାଇଲେ । ଅନୁତାପ ତାଙ୍କ ଚିତ୍ତକୁ ଦଗ୍‌ଧ କରିବାରେ ଲାଗିଲା । ତଥାପି କର୍ତ୍ତବ୍ୟାନୁରୋଧରେ ଅଫିସ ଓ ଘର କରୁଥାନ୍ତି ପ୍ରତ୍ୟହ ଯନ୍ତ୍ରପରି । ପ୍ରେମ ଓ କର୍ତ୍ତବ୍ୟର ଦ୍ଵନ୍ଦ୍ୱ ମଧ୍ୟରେ ସେ ଦିନକୁ ଦିନ କ୍ଷୀଣ ହେଉଥାନ୍ତି । ଯେତେ ଖୋଜାଇ ସୁଦ୍ଧା ସୁସ୍ମିତା ତାର ପତ୍ତା ପାଇଲେ ନାହିଁ । ସତେ ଅବା ଚିରଦିନ ଲାଗି ଅଭିମାନିନୀ ତାଙ୍କୁ ଛାଡ଼ି ଚାଲିଗଲା ।

 

ଏହି ଦ୍ଵନ୍ଦ୍ୱ ଭିତରେ ଥିଲାବେଳେ ଅଫିସ୍‌ ଆସିଲା ପରୱାନା ଦିଲ୍ଲୀ ଯିବାକୁ ହେବ । ଏହି ମର୍ମନ୍ତୁଦ ଯନ୍ତ୍ରଣାବେଳେ ବାହାରକୁ ଯିବା ତାକୁ ବରଲାଭ ପରି ମନେହେଲା । ପରଦିନ ଜ୍ୟୋତିକୁ ତା ଆଈ ପାଖରେ ଛାଡ଼ି ସେ ବାହାରିଲେ ଦିଲ୍ଲୀ । ସେଠାରେ ପହଞ୍ଚି ଅଫିସ୍‌ର କାର୍ଯ୍ୟ ସମାପନ କରି ଆଗକୁ ଧାଇଁଲେ ସୁସ୍ମିତାର ଅନୁସନ୍ଧାନରେ ନିଜେ । ବାଟରେ ପ୍ରୟାଗ, ବାରଣାସୀ, ବୁଦ୍ଧଗୟା ଦେଇ ଆସିଥିଲେ, କାରଣ ସୁସ୍ମିତା ଚିରଦିନ ତୀର୍ଥଦର୍ଶନାଭିଳାଷିଣୀ ଥିଲା । ସେ ସବୁ ଜାଗାରେ ତାକୁ ନ ପାଇ ତାଙ୍କ ଚଞ୍ଚଳ ମନ ଧାଇଁଲା ଆଗକୁ । ସେ ଚାଲିଲେ ହରଦ୍ଵାର, ହୃଷୀକେଶ ଓ ଲଛମନଝୋଲା । ସେଠାରେ ଖୋଜି ଖୋଜି ନ ପାଇ ହତାଶ ହୋଇପଡ଼ିଲେ । ଲଛମନଝୋଲାରୁ ଫେରିଲେ ଶୋକ-ଜର୍ଜର ଚିତ୍ତରେ । ମନକୁ ପାପ ଛୁଇଁଲା–ସୁସ୍ମିତା ଜୀବନରେ ଅଛି ତ.... ? କ୍ଷୀଣତମ ଆଶା ମନରୁ ଉଭେଇଗଲା ଧୀରେ ଧୀରେ ।

 

ହୃଷୀକେଶ ଆସି ଶିବାନନ୍ଦଙ୍କ ଆଶ୍ରମ ଦେଖିବା ପାଇଁ ତାଙ୍କର ଇଚ୍ଛା ନ ଥିଲେ ସୁଦ୍ଧା, ଆଶ୍ରମରେ ପହଞ୍ଚିଲେ ମୋହାଚ୍ଛନ୍ନ ଭାବରେ । ସେଦିନ ଥାଏ ‘ଗୁରୁ-ପୂର୍ଣ୍ଣିମା । ’ ଆଶ୍ରମର ସବୁ ଆଡ଼ର ଶିଷ୍ୟ, ଶିଷ୍ୟ ଆସି ଗୁରୁଦେବଙ୍କ ପଦ ବନ୍ଦନା କରି ଯାଉଛନ୍ତି । ଆଶ୍ରମ ଜନ ସମାଗମରେ ପୂର୍ଣ୍ଣ । ଅତି କଷ୍ଟରେ ସେ ଭିଡ଼ ମଧ୍ୟରେ ଠେଲିପେଲି ଶୁଭଙ୍କର ଆଗେଇ ଚାଲିଲେ ଗୁରୁବନ୍ଦନାର କେନ୍ଦ୍ରସ୍ଥଳକୁ ।

 

ଜନାରଣ୍ୟ ଭିତରେ ‘ବନ୍ଦନା’ ସାରି ଫେରିବାବେଳେ ଛାତି ଥରାଇ ଦୀର୍ଘଶ୍ଵାସ ବାହାରୁ ଥାଏ । ହଠାତ୍‌ ସର୍ପାହତ ପରି ଚମକି ପଡ଼ିଲେ ଜଣେ କାହାକୁ ଦେଖି ! ଯାହାପାଇଁ ଏତେ ପ୍ରାର୍ଥନା, ସେ କ’ଣ ଏତେ ନିକଟରେ ? ସୁସ୍ମିତା ଶୁଭଙ୍କରଙ୍କୁ ହଠାତ୍‌ ଦେଖିପାରି ଆଶ୍ଚର୍ଯ୍ୟ ହେଲା । ଏ ତା ଆଖିର ଦୁର୍ବଳତା ନୁହେଁ ତ ? ଶୁଭଙ୍କର ଏଠି, ଏମିତି ଭାବରେ... ? ଆଉ ଭାବି ପାରିଲା ନାହିଁ । ମୁଣ୍ଡ ବୁଲାଇ ପଡ଼ିଯିବାବେଳେ ଶୁଭଙ୍କର ଧାଇଁ ଆସି ଧରି ପକାଇଲେ । ତାଙ୍କର ଆବେଗପୂର୍ଣ୍ଣ କଣ୍ଠ ବଚନ ଯୋଗାଇ ପାରୁ ନ ଥାଏ–ହାତ, ଦେହ ଥରୁଥାଏ ସୁସ୍ମିତାର ଅଙ୍ଗ ସ୍ପର୍ଶରେ, ଆଖିରୁ ଝରୁଥାଏ ଅଶ୍ରୁ, । ସୁସ୍ମିତା ମୂକ ପାଷାଣ ପରି, ସତେ ଯେପରି ଚଳତ୍‌ ଶକ୍ତିହୀନା । ତେବେ କ’ଣ ସୁସ୍ମିତା ଛାଡ଼ିଦେବ ଶୁଭଙ୍କର ହାତରେ ନିଜକୁ ? କ’ଣ କରିବ, କ’ଣ ନ କରିବ ଭାବି ସ୍ଥିର କରି ପାରିଲାନାହିଁ । ସେ ନିତାନ୍ତ ଦୁର୍ବଳ ହୋଇପଡ଼ିଲା । ନିଜର ବାହ୍ୟ ଜ୍ଞାନ ହରାଇ ବସିବା ପୂର୍ବରୁ ଥରେ ଚାହିଁଲା ଚାରିଆଡ଼କୁ । ଲୋକେ ଚାହିଁଛନ୍ତି ଦେଖି ନିଜକୁ ସଂଯତ କରିନେଲା ସୁସ୍ମିତା । ଶୁଭଙ୍କରଙ୍କୁ ଇଙ୍ଗିତ ଦେଲା ତା ସହିତ ଆସିବାକୁ । ଗହଳ ଭିତରୁ ବାହାରି ଆସିବା ପରେ ଶୁଭଙ୍କର କହିଲେ, ‘‘ଫେରିଚାଲ ସ୍ମିତା, ଫେରିଚାଲ–’’ । ବାଷ୍ପ ଗଦ୍‌ଗଦ କଣ୍ଠ ତାଙ୍କର ରୁଦ୍ଧ ହୋଇଗଲା । ଦୁହେଁ ଅନ୍ତରରେ ବାଚାଳ ହେଲେ ସୁଦ୍ଧା ବାହାରେ ମୂକ ହୋଇ ଚାଲିଲେ ।

 

ଶୁଭଙ୍କର ଘରେ ପହଞ୍ଚି ସୁସ୍ମିତା ହାତ ଧରି ଅନୁରୋଧ କଲେ ଫେରିଯିବାକୁ । ସୁସ୍ମିତା ଓ ସରୋଜ ପ୍ରତି ତାଙ୍କର ସନ୍ଦେହ ଯେ ମିଥ୍ୟା ତାହା ପ୍ରକାଶ କଲେ । ଏବେ ସେ ପୂର୍ଣ୍ଣଭାବେ ଅନୁତପ୍ତ । କେତେ କଥା ଶୁଭଙ୍କର କହିଲେ କଥାରେ ଚାହାଣିରେ; ଜଣାଇଲେ ଆଉ କେତେକ କଥା, ଯାହା ବଚନରେ କହି ପାରିଲେନାହିଁ ।

କ୍ଷମାର ଯୋଗ୍ୟ ହୋଇ ମଧ୍ୟ ଅତି ଧୀରେ ସୁସ୍ମିତା କହିଲା ‘‘ବିଧାତା ଯାହା ଭାଗ୍ୟରେ ସୁଖ ଲେଖିନି, ତାକୁ ଆଉ କିଏ ସୁଖୀ କରିବ ? ଯେଉଁଥିପାଇଁ ଘର ଛାଡ଼ି ଆସିଲି, ଏଠାରେ ପୁଣି ତାହାକୁ ଧରିଛି । ଗୋଟିଏ ସ୍କୁଲର ଶିକ୍ଷୟିତ୍ରୀ ହୋଇ ନିଜର ଅନ୍ନସଂସ୍ଥା କରୁଛି । ତାହାରି ଉଚ୍ଚଶ୍ରେଣୀର ଶୁଭ ଦିଆହେବ ପନ୍ଦରଦିନ ପରେ । ବଦ୍ରିନାଥର ସ୍ୱାମୀ ନିଜେ ଆସିବେ ଏଥିପାଇଁ । ପୁଣି କ୍ଷମା ଦେବ ଏଥର ମୋର ଆସ୍ପର୍ଦ୍ଧା ପାଇଁ ?’’ –ଶୁଭଙ୍କରଙ୍କ ମୁଖ ମଳିନ ହୋଇ ଉଠିଲା । ସେ ପୁଣି ପ୍ରତ୍ୟାଖ୍ୟାତ; ତଥାପି ସ୍ଥିର କଲେ ଏଥର ଧୈର୍ଯ୍ୟ ଛାଡ଼ିବେ ନାହିଁ ।

ଶୁଭଙ୍କରଙ୍କ ଛୁଟି ସରି ଯାଇଛି, ତାଙ୍କୁ ଫେରିବାକୁ ହେବ । ତେବେ କ’ଣ ସୁସ୍ମିତାକୁ ନ ନେଇ ଫେରିଯିବେ ? ସେ କ’ଣ ତାର ଅଭିମାନ ଭୁଲିନାହିଁ ? ସେ ସ୍ଥିର କଲେ, ଫେରି ଅଫିସରେ ଯୋଗ ଦେଇ ପୁଣି ଛୁଟି ନେଇ ଆସିବେ । ସୁସ୍ମିତାକୁ କହିଲେ–‘‘ତେବେ ମୁଁ ଖାଲି ଏକା ଫେରିଯାଉଛି, ସ୍ମିତା ! ପୁଣି ଏ ଦୁର୍ବହ ଜୀବନ ଧରି ଆସିବି, ସେତେବେଳେ ଆଉ ପ୍ରତ୍ୟାଖ୍ୟାନ କରିବ ନାହିଁ–ଏତିକି ମୋର ମିନତି ।’’

ସୁସ୍ମିତାର ଚିତ୍ତ ଥରି ଉଠିଲା ଶୁଭଙ୍କରଙ୍କ କଥା ଶୁଣି । ଆଖି ଲୋତକରେ ହେଲା ପରିପୂର୍ଣ୍ଣ । ମନେ ହେଲା ସବୁ ଛାଡ଼ି ଚାଲିଯିବ; କିନ୍ତୁ ପ୍ରତିଶ୍ରୁତି ମନେ ପଡ଼ିଲା । ହୃଦୟକୁ ପଥର କରି ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ବସିବ ବୋଲି କହି ରଖିଲା ।

ଶୁଭଙ୍କର ଫେରିଲେ, ସୁସ୍ମିତା ହରଦ୍ଵାର ଷ୍ଟେସନକୁ ଆସିଲା ଛାଡ଼ିବାକୁ । ରେଳରେ ବସି ଶୁଭଙ୍କର ଚାହିଁ ରହିଥାନ୍ତି କରୁଣ ନେତ୍ରରେ । ଟ୍ରେନ ଛାଡ଼ିଦେଲା ଧୀରେ ଧୀରେ । ଦୁହେଁ ଦୁହିଁଙ୍କଠାରୁ ବିଦାୟ ନେଇ ଅପସରି ଗଲେ ଦୂରକୁ ।

ଟ୍ରେନର ଏକୁଟିଆ ବଖରାରେ ଶୁଭଙ୍କର ଧ୍ୟାନମଗ୍ନ ଯୋଗୀ ପରି ମୂକ ରହିଥିଲେ । ଚଳଚ୍ଚିତ୍ର ପରି ତାଙ୍କ ଆଖି ଆଗରେ ଭାସି ଉଠିଲା ବିଗତ ଏତେ ଦିନର ବ୍ୟର୍ଥ ଅନୁସନ୍ଧାନ । ସୁସ୍ମିତାକୁ ନ ପାଇଲେ ତାଙ୍କ ଜୀବନ ଯେ କଣ ହେବ ସେ ଭୟାବହ ଦୃଶ୍ୟ ଦେଖି ଶିହରି ଉଠିଲେ– ଧ୍ୟାନ ଭଙ୍ଗହେଲା ଚା–ବାଲାର ଡାକରେ । ଟ୍ରେନ କେତେବେଳେ ଷ୍ଟେସନରେ ଠିଆ ହୋଇଛି, ସେ ଜାଣି ନାହାନ୍ତି ।

ଚା-ବାଲା ପଚାରିଲା–‘‘ବାବୁ ଚା, ଗରମ ଚା ।’’ ଶୁଭଙ୍କର ଦୀର୍ଘ ନିଶ୍ଵାସ ପକାଇ କହିଲେ–‘ନାଇରେ ବାବୁ, ଚା’କୁ ଚାତକ ପରି ଚାହିଁଛି–କେବେ ମିଳିବ କେଜାଣି ।’’ ଚା-ବାଲା କଣ ବୁଝିଲା କେଜାଣି ମୁହଁ ଶୁଖାଇ ଠିଆ ହେଲା । ଟ୍ରେନ ଛାଡ଼ିଦେଲା ହୁଇସିଲ୍‌ ଦେଇ, ଭୁସ୍‌ ଭୁସ୍‌ ଧୂଆଁ ଛାଡ଼ି ।

Image

 

ପୁଷ ପୁନିଅଁ

 

ପୁଷ ପୁନିଅଁ ଥାଏ ଖୁବ୍‌ ପାଖ । ଧାନ କଟାକଟି ସାରି ଅମଳ ଆରମ୍ଭ ହୋଇ ଯାଇଥାଏ ଜୋର ସୋରରେ । ମଣିପୁର ଗାଁରେ ବିରାଡ଼ି ପିଲାଟିକୁ ମଧ୍ୟ ବିଶ୍ରାମ ନଥାଏ । ଅଳ୍ପାଧିକେ ସମସ୍ତେ ଚାଷୀ । ପ୍ରାୟ କୋଡ଼ିଏ ସରିକି ପରିବାର, ନିଜ ନିଜ ଜମିରୁ ଯାହା କିଛି ପାଆନ୍ତି, ସେଥିରେ ବର୍ଷଟି ବେଶ ସୁରୁଖୁରୁରେ ଚଳିଯାଆନ୍ତି । ସମସ୍ତେ ସମସ୍ତଙ୍କର ଭାଇ ବନ୍ଧୁ ପରି । ଗାଁରେ ଆଜିକାଲିର ଅନ୍ୟ ଗାଁ ଗୁଡ଼ିକ ପରି ନଥାଏ କଳି ତକରାଳ, ନଥାଏ ଜଟିଳତାର ତିକ୍ତ ଚକ୍ରାନ୍ତ । ସହଜ ସରଳ ଲୋକଗୁଡ଼ିକ ଆଗେଇ ଚାଲିଥାଆନ୍ତି ଗତାନୁଗତିକ ଆଡ଼ମ୍ବର ଭାବରେ । ଗୋଟିଏ ଘରେ ପୁନିଅଁ ପରବ, ବାହା ପୁଆଣି ହେଲେ ସମସ୍ତଙ୍କ ପାଦ ତା ଘରେ ପଡ଼େ । ଯଦି କେବେ କାହାରି ବିପଦ ପଡ଼େ, ତାହା ସମସ୍ତଙ୍କୁ ବାଧେ । ସମସ୍ତେ ଆଗଭର ହୋଇ ଆସନ୍ତି ସାହାଯ୍ୟ କରିବା ପାଇଁ ।

 

ସେ ବର୍ଷ ମଧ୍ୟ ଫସଲ ଖୁବ୍‌ ଭଲ ହୋଇଥାଏ । ଚଞ୍ଚଳ ଚଞ୍ଚଳ କାମ ସାରିବା ପାଇଁ ସମସ୍ତେ ଲାଗି ପଡ଼ିଥାନ୍ତି । ପୁଷ ପୁନିଅଁକୁ ଥାଏ ଜରିପଡ଼ା ଗ୍ରାମରେ ମେଳା । ସବୁବର୍ଷ ମେଳା ପୂର୍ବରୁ ସମସ୍ତଙ୍କର କାମ ସରିଥାଏ । ଦଳ ଦଳ ହୋଇ ଗାଁରୁ ପିଲା ବଡ଼ ସମସ୍ତେ ଯାଆନ୍ତି ଜରିପଡ଼ା ଗାଁର ମେଳାକୁ । ସବୁଠାରୁ ମଜା ହୋଇଥାଏ ଟୋକଟୋକୀ ଦଳଙ୍କର । କେତେ ରଙ୍ଗ ବେରଙ୍ଗର ଲୁଙ୍ଗି, ଗେଞ୍ଜି, ଗାମୁଛା ,ଚଷମା ଆସିଥାଏ ସେମାନଙ୍କ ପାଇଁ । ଝିଅମାନଙ୍କ ପାଇଁ ଚୁଡ଼ି, ଟିକିଲି, ସିନ୍ଦୁର, ଫିତା, ଆରିସି, ଅଳତା, ନାଲି କସ୍ତାରେ ଦୋକାନ ଭରିଥାଏ । ମନବୋଧିଆ ଖାଦ୍ୟ ଖାଇ, ଜିନିଷ କିଣି, କୋରାଖଇ ଧରି ରାତିକୁ ଫେରନ୍ତି ସମସ୍ତେ । ସେହି ଦିନଟି ଗଲେ ଗଲା, ଜୀଇଥିଲେ ପୁଣି ବରଷେ ।

 

ପହଲି ସେ ବର୍ଷ ଖୁବ୍‌ କାର୍ଯ୍ୟତତ୍‌ପର ହୋଇ ଉଠିଥାଏ । ମା ତାର କହୁଥିଲା,ଏହି କ୍ଷେତ ଉଠିଲେ ଶରଦୀକୁ ସେ ବୋହୂ କରି ଆଣିବ ଘରକୁ । ବାପା ତାର ଖୁବ୍‌ ସାନ ଦିନୁ ମରିଯାଇଛି । ଦୁଃଖେ କଷ୍ଟେ ମା ବଢ଼ାଇ ଆଣିଛି ପହଲିକୁ ଏଡ଼ୁଟିରୁ ଏଡ଼ୁଟିଏ କରି । ଶରଦୀ ବାପ, ମା ଛେଉଣ୍ଡ ଝିଅଟିଏ । ପହଲି ମା ଓ ତା ମା ଦୁହେଁ ବଉଳ । ଏକା ଗାଁର ଝିଅ, ଏକା ଗାଁରେ ବୋହୂ ମଧ୍ୟ ହୋଇଥିଲେ । ଦୁଇଟି ଦେହ ସିନା, ମାତ୍ର ମନ ସତେ ଯେପରି ଗୋଟିଏ । ଏତେ ସ୍ନେହ, ଏତେ ସୋହାଗ ଦଇବ ସହି ପାରିଲାନାହିଁ । ଅକାଳରେ ‘ମା-ଠାକୁରାଣୀ’ଙ୍କ କୁଦୃଷ୍ଟି ପଡ଼ିଲା, ଶରଦୀର ମା, ବାପା ଡକା ଡକି ହୋଇ ଚାଲିଗଲେ ଆଗପଛ ହୋଇ, ଶରଦୀଟିକୁ ପହଲି-ମା ହାତରେ ସଁପି ଦେଇ । ସେହିଦିନଠାରୁ ଶରଦୀ ପହଲି ବଢ଼ିଲେ ଏକ ସଙ୍ଗେ ଖାଇ ପିଇ, ଖେଳ ବୁଲି; ମାତ୍ର ବୋହୂ କରି ଆଣିବାକୁ ଭାବି ଶରଦୀକୁ ତା ଘରେ ରଖିଥାଏ, ପହଲି-ମା କେତୋଟି ଦିନ ପାଇଁ । ଘରର ପଡ଼ିଶା ଘରଟା ଶରଦୀର, ଆଉ ଡର ବା କ’ଣ ? ଗାଁର ମୁଖିଆ ମୁଖିଆ ଲୋକେ ଚଞ୍ଚଳ କାମଟି ବଢ଼ାଇ ଦେବାପାଇଁ ପହଲିମାକୁ ବାରମ୍ବାର ଉପଦେଶ ଦେଲେଣି । ସେଥିପାଇଁ ସେ ଠିକଣା କରିଛି ଏହି ବର୍ଷ କ୍ଷେତ ଉଠିଲେ ପୁଷ ପୁନିଅଁ ଗଲା ପରେ, ପାଞ୍ଚଦିନ ତିଥିରେ ଏକୋଇରବଳା ପହଲିର ହାତକୁ ଦିହାତ କରି ଦେଇ ଦୁଇଟି ଜଞ୍ଜାଳରୁ ମୁକ୍ତି ପାଇବ ।

 

ଏଇ ମେଳାରୁ ପହଲି ସବୁ କିଣା କିଣି କରିବ ବୋଲି ଆଗରୁ ଠିକ୍‌ କରିଥାଏ । ମାତ୍ର ଧାନ ବା କେତେ ଯେ, କ’ଣ ହେବ ସେଥିରେ ? କିଛି ନ ହେଲେ ମଧ୍ୟ ଗାଁର ବଡ଼ରୁ ସାନ ସମସ୍ତେ ତା ଘରେ ତ ମୁହଁ ଧୋଇବେ । ଲୁଗାପଟା ଦି ଖଣ୍ଡ ତ ହେବ । ଶରଦୀ ପାଇଁ ଅତି ଊଣାରେ ନାକଚଣାଟିଏ ନିହାତି ଦରକାର । ଧାନ ସବୁ ଏଥିରେ ଖର୍ଚ୍ଚ କରିଦେଲେ ବର୍ଷଟାଯାକ ତିନୋଟି ପେଟ ଚଳିବ କିପରି ? ସବୁ ଭାବି ପହଲିର ମୁହଁ ଶୁଖିଯାଉଥାଏ; ତଥାପି ମା ତାର ତାକୁ ଦମ୍ଭ ଦେଇ କାମଟି ପାଇଁ ଆଗଭର ହୋଇ ବାହାରିଲା । ଶୁଭଲଗ୍ନ ଶୁଭ ତିଥିରେ ପହଲି ଘରେ ଶଙ୍ଖ ବାଜି ଉଠିଲା । ପହଲି, ଶରଦୀର ହାତ ଏକାଠି ହେଲା । ସମସ୍ତେ ଖୁସି ହେଲେ ଦୁହିଁଙ୍କ ମିଳନରେ-। ଗାଁ ଲୋକେ କହିଲେ ପହଲିମା ଭଲ କାମଟିଏ କଲା ।

 

ଶରଦୀ ନୂଆ ବୋହୂ ହୋଇ ଘରକୁ ଆସିଲେ ମଧ୍ୟ ସେ ତ ଆଉ ଏ ଘରେ ନୂଆ ନୁହେଁ-। ସେ ଏଇ ଘରେ ପିଲାଦିନୁ ମଣିଷ ହୋଇଛି । ଏଇ ଘରେ ଖାଇ, ଖେଳି, ହସି ବୁଲି ବଢ଼ି ଆସିଛି-। ପହଲି ଶରଦୀଙ୍କର ଜୀବନରେ ଆସିଲା ଗୋଟାଏ ନୂତନ ପରିବର୍ତ୍ତନ, ପୁରାତନର ନୂତନ ରୂପାନ୍ତର ପରି, ମଳୟ ସ୍ପର୍ଶରେ ପୂରାତନ ଗଛରେ ଅଭିନବ କିଶଳୟ ସଦୃଶ ।

 

ଦିନ ପରେ ଦିନ ଗଡ଼ି ଚାଲେ ସଂସାରର ଗତାନୁଗତିକ ପନ୍ଥାରେ । ପହଲି ଓ ଶରଦୀର ମିଳନ ସଂକେତ ପରିସ୍ଫୁଟ ହେବାପାଇଁ ଆଉ ଥାଏ ଚାରିଟା ମାସ । ପହଲି ମାକୁ ହଠାତ୍‌ ଧରିଲା ଶୂଳରୋଗ । କେତେ କବିରାଜ, ଔଷଧ, ତୁଟକା ତୁଟକି କଲା ପହଲି । ଶରଦୀ ପ୍ରାଣମୂର୍ଚ୍ଛା ସେବା କରୁଥାଏ ଶାଶୁଙ୍କର, ଯେ କି ତାର ନିଜ ମା ପରି । ମାତ୍ର ଫଳ କିଛି ହେଲା ନାହିଁ । ବିଧାତା ତାଙ୍କର ହସ ଖେଳର ସଂସାରରେ ଆଣି ଦେଲା ବିଷାଦର ଅନ୍ଧକାର । ପହଲିର ଆଦର, ସୋହାଗ, ଶରଦୀର ନିରଳସ ସେବା, ଗାଁ ବଇଦଙ୍କ ଔଷଧ କିଛି ଅଟକାଇ ପାରିଲା ନାହିଁ ପହଲିମାକୁ । ସେ ଚାଲିଗଲା ସବୁ ପଛରେ ପକାଇ, ସେଇ ଗାଁ ସଡ଼କଦାଢ଼ ମଶାଣିକୁ । ପହଲିର ସୁଖ ସରିଗଲା ।

 

ମା’ର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଲୋଡ଼ା ବହୁତ ଜିନିଷ । ଲୁଗା-ପଟା, ଚୂଡ଼ା–ଚାଉଳ, ଦହି–ଉଖୁଡ଼ା ଇତ୍ୟାଦି ଅନେକ ପ୍ରକାର ସାମାଜିକ ବାଧ୍ୟତା ମୂଳକ ଦ୍ରବ୍ୟ । ଜାଣିଲା ବୁଢ଼ାମାନେ ପହଲିକୁ ନିବର୍ତ୍ତାଇଲେ କରଜ କରି ଶୁଦ୍ଧିକ୍ରିୟା ନ କରିବାକୁ; ମାତ୍ର ପହଲିର ସେଇ ଗୋଟିଏ କଥା–‘ମା କେତେ କଷ୍ଟ ସହି, ହାଡ଼ ମାଉଁସ ଏକ କରି ମତେ ବଢ଼ାଇ ଥିଲା । କେମିତି ଶୁଝିବି ତା ଋଣ । ଏତେବେଳେ ଯଦି ତୁନି ହୋଇ ବସେ, ତେବେ ମା କଣ ଆଉ ସରଗପୁରକୁ ଯିବ ? ନରକର ଯେତକ କକର୍ଥନା ଭୋଗ କରିବ ସିନା । ପୁଅ ହୋଇ ଜନ୍ମ ହୋଇଥିଲି କଣ ତାକୁ ନରକରେ ବୁଡ଼ାଇବି ବୋଲି ! ନା, ତା ଅସମ୍ଭବ । କରଜ କରି, ମୁଣ୍ଡବିକି କିଛି ଗୋଟାଏ କରିବି ନିଶ୍ଚୟ । ଘରେ ଯଦି ଧନ ନାହିଁ, ତେବେ କ’ଣ ସାହୁକାର ଅଭାବ ?

 

ସବୁ କଥାକୁ ପଛରେ ପକାଇ ଜରିପଡ଼ା ମହାଜନ ଘରକୁ ଯିବା କଥା ପହଲି ଚିନ୍ତାକଲା-। କ୍ଷେତ ସେ ବର୍ଷ ଭଲ ହୋଇ ନ ଥାଏ । କେତେ ଜାଗାରେ ଗଜା ମରୁଡ଼ି ହୋଇ ଲୋକଙ୍କର ହଂସା ଉଡ଼ିଯାଉ ଥାଏ । ଏତେବେଳେ ଅନ୍ୟ ଗାଁର ସାହୁକାରଠାରୁ କରଜ ଆଣିବା ଛଡ଼ା ଆଉ କ’ଣ ଉପାୟ ଅଛି ?

 

ବଡ଼ି ପାହାନ୍ତାରୁ ଉଠି ପହଲି ଏକମୁହାଁ ହୋଇ ଜରିପଡ଼ା ଚାଲିଗଲା । ସାହୁକାର ହାତ ପାଖରେ ଲୋକ ପାଇ କେତେ ପେଖନା କରି ବସିଲା । ଅଧିକ ସୁଧରେ ଦେବା ଲାଗି ନାରାଜ ହେଲା । ପହଲିର ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଆସୁଥାଏ । ଶେଷକୁ ନେହୁରା ହୋଇ, ମୁଣ୍ଡିଆ ମାରି, ଗୋଡ଼ହାତ ଧରି ମିନତି କଲା । ସାହୁକାର ମୁହଁରୁ କୁଟିଳତାର ହସ ଅଲକ୍ଷ୍ୟରେ ଉଠି ଶୂନ୍ୟେ ଶୂନ୍ୟେ ମିଳାଇଗଲା । ଶେଷରେ ଟିକଟ ଲଗା ଅଲେଖା କାଗଜରେ ଟିପ ଚିହ୍ନ ମାରି ପହଲି ତା ବଦଳରେ ପାଇଲା ମାତ୍ର କେତେ ଗୌଣୀ ଚାଉଳ ଓ ପନ୍ଦରଟି ଟଙ୍କା ।

 

ଆଶାର ସଫଳତାରେ ଆନନ୍ଦ ହୋଇ, ସରଳ ପହଲି ଜାତକ ଅଣ୍ଟାରେ ଖୋସି, ଚାଉଳତକ ଗାମୁଛାରେ ବାନ୍ଧି ବିଜୟ ଗୌରବରେ ଫେରିଲା ତା ଘରକୁ ମଣିପୁର ଗାଁକୁ, କାରଣ ମା ତାର ଆଉ ଅପାଣିଆ ରହିବନି, ସେ ନିଶ୍ଚୟ ସ୍ଵର୍ଗକୁ ଯିବ । ସାହୁକାରର କୁଟିଳ ଚକ୍ରାନ୍ତ ନିପଟ ସରଳ ପହଲିର ମନକୁ ସାମାନ୍ୟରେ ସୁଦ୍ଧା ସ୍ପର୍ଶ କରି ପାରିଲା ନାହିଁ ।

 

ସତକୁ ସତ ସେ ବର୍ଷ ମରୁଡ଼ି ପଛକୁ ଆସିଲା ବଢ଼ି । ଯାହା କିଛି ବାକି ଥିଲା ସେତକ ସେ ନେଇ ଚାଲିଗଲା ତା ଲକ୍ଷ୍ୟ ସ୍ଥଳକୁ । କେତୋଟି ନିରୀହ ଚାଷୀଙ୍କୁ ସର୍ବସ୍ଵାନ୍ତ କରିଦେଲା । ସେଥିପାଇଁ ତାର ଭ୍ରୂକ୍ଷେପ ନଥିଲା ।

 

ଦିନୁଦିନ ଅସହ୍ୟ ହେବାରେ ଗାଁ ଲୋକେ ଘର ଛାଡ଼ି ପଳାଇଲେ ଆସାମ, କାଳିମାଟି । ସାହୁକାରଠାରୁ ଏଣେ ତାଗଦା ପରେ ତାଗଦା ଆସିବାକୁ ଲାଗିଲା । ପହଲି କଣ କରିବ ଭାବି ପାରିଲାନାହିଁ । ତିନି ଦିନରେ ଦିନେ ଚୁଲି ଲାଗିବା କଥା ମଧ୍ୟ ହୋଇ ପାରିଲାନାହିଁ । ସମସ୍ତଙ୍କ ଅବସ୍ଥା ସମାନ, କିଏ କାହା ଦୁଃଖ ବୁଝିବ ? ଏଆଡ଼େ ଆସନ୍ନ ପ୍ରସବ ଶରଦୀର ଶୁଖିଲା ମୁହଁକୁ ଚାହିଁଲେ ଛାତି ଫାଟି ଯାଉଛି, ଆଖିରୁ ଲୁହ ଧାର ଗଡ଼ି ପଡ଼ୁଛି । ତାକୁ ଛାଡ଼ି କୁଆଡ଼େ ଯାଇ ମୂଲ ଲାଗିବା ପାଇଁ ସେ ଭାବିବ କିପରି ? ମାତ୍ର ସାହୁକାର ରଗଡ଼ କହିଲେ ନ ସରେ । ଶରଦୀ ଲୁହଧାର ଅଲକ୍ଷ୍ୟରେ କାନିରେ ପୋଛି ଦେଇ ପହଲିକୁ ସାନ୍ତ୍ୱନା ଦିଏ । ନରମ ହୃଦୟ ତାର କାନ୍ଦି ଉଠେ ଗୁମରି ଗୁମରି । ଶେଷକୁ ତାର ପେଡ଼ିସାଇତା ନାକଚଣାଟିକୁ ଆଣି ପହଲି ହାତରେ ଦେଲା ସାହୁକାରକୁ ଦେଇ ଋଣମୁକ୍ତ ହେବା ଲାଗି । ପହଲି ହୃଦୟର ବେଦନାକୁ ଚାପି ରଖି ପାରିଲା ନାହିଁ-। ଭୋ ଭୋ ଡକା ପକାଇ କାନ୍ଦି ଉଠିଲା ଶରଦୀକୁ ଧରି । କହିଲା–‘‘ଶରଦୀ, ଶେଷକୁ ମୋ କପାଳରେ ଏଇୟା ଥିଲା ? ମୁଁ ୟାକୁ ନବା ଅପେକ୍ଷା ମରିବା ଭଲ ।’’

 

ଶରଦୀ ତରତର କରି ତା ମୁହଁରେ ହାତ ଦେଇ କହିଲା–‘‘ଛି, ଏମିତି କହୁଛ ? ତମ ଥିଲେ ମୋର ସବୁ ଅଛି । ତମ ପାଖରେ ଥିଲେ ମୁଁ ସରଗ ସୁଖରେ ଥାଏ, ରାଜରାଣୀ ପରି । ନାକଚଣାଟା କ’ଣ ତମଠାରୁ ବଡ଼ ?’’

 

ମାତ୍ର ଦୁର୍ଭାଗ୍ୟ କେବେହେଲେ ଏକା ଆସେନାହିଁ । ସାହୁକାର ନାକଚଣା ନେଇ ସନ୍ତୁଷ୍ଟ ହେଲାନାହିଁ । ତାର କ୍ରୂରଦୃଷ୍ଟି ଥାଏ ପହଲି ଘରଡ଼ିହ ଓ ଜମି ଖଣ୍ଡିକ ଉପରେ । ସେ ଟିପ ଚିହ୍ନ ଦିଆ କାଗଜ କଚେରୀରେ ଡିଗ୍ରୀ କରାଇ ପହଲିର ଘରଡ଼ିହ, ଜମି ନହେଲେ ତିନିଶହ ଟଙ୍କା ନେବାକୁ ଜିଦ୍‌ ଧରିଲା । ଏତେ ଟଙ୍କା କେଉଁଠୁ ପାଇବ ପହଲି ? ମୁଣ୍ଡ ତାର ବୁଲାଇ ହୋଇଗଲା, ଚାରିଦିଗ ଅନ୍ଧାର ଦିଶିଲା, ଆଖିରୁ ଜଳୁଜୁଳିଆ ପୋକ ବାହାରିଗଲା । କମାରଶାଳର ଭାଡ଼ିପରି ନିଶ୍ଵାସ ଭିତରକୁ ଯାଇ ଛାତି ଫଟାଇ ପଦାକୁ ଫେରିଆସି ପବନରେ ମିଳାଇଗଲା ।

 

ଶରଦୀର ସୁଖର ଆଶା ମଉଳିଗଲା । ଯେତେ ଚେଷ୍ଟା କଲେ ମଧ୍ୟ ଘରଖଣ୍ଡିକ ନିଜର ରହି ପାରୁନି ଦେଖି ପହଲି ଡହକ ବିକଳ ହେବାରେ ଲାଗିଲା । ପିତୃପିତାମହଙ୍କ ବାସ୍ତୁ ଖଣ୍ଡିକ ହରାଇବାର ଦୁଃଖ ତାର ହୃଦୟକୁ ବିଦୀର୍ଣ୍ଣ କରି ପକାଇଲା । ସେ ଭୁଲିଗଲା ଶରଦୀର ସ୍ନେହ, ସୋହାଗ ଓ ଅସହାୟ ଅବସ୍ଥା । ଶେଷରେ ଠିକ୍‌ କଲା ସେ ଯିବ କାଳମାଟି ଶରଦୀକୁ ଏ ଦୁର୍ଦ୍ଦିନରେ ମା ହେବାକୁ ଯାଉଥିବା ଅବସ୍ଥାରେ ଛାଡ଼ି । ଅବସ୍ଥା ଚକ୍ର ଯାହା କରିବ ।

 

ଶରଦୀ ଆଖିର ଲୁହ ଅଟକାଇ ପାରିଲା ନାହିଁ । ପହଲି ଆଉ ନିଜ ଆୟତ୍ତରେ ନ ଥିଲା-। ବିଦାୟକାଳୀନ ହୃଦୟଫଟା କରୁଣ କ୍ରନ୍ଦନରେ ଚାରିଦିଗ ବିଷାଦରେ ଭରି ଉଠିଲା-। ଦୁହିଁଙ୍କର ପାଟିରୁ କଥା ବାହାରିଲା ନାହିଁ । ଅଧୀର ହୋଇ ଉଠିଲେ ଦୁହେଁ । ଦୁଆର ପାଖରୁ ଯାଇ ପହଲି ଫେରି ଆସି ଶରଦୀକୁ କୁଣ୍ଢାଇ ଧରିଲା ଓ କଇଁ କଇଁ ହୋଇ କାନ୍ଦି ଉଠିଲା । ପୁଣି ଥରେ ସାହସ ବାନ୍ଧି ବାହୁବନ୍ଧନ ଶିଥିଳ କରି ପହଲି ଚାଲିଲା ଆଗକୁ । ପଛେ ପଛେ ଶରଦୀ ଚାଲିଲା ଗୋହିରି ପର୍ଯ୍ୟନ୍ତ । ଶେଷଥର ପାଇଁ ପହଲି ପଛକୁ ଚାଲି ଆସି, ଶରଦୀ ମୁଣ୍ଡକୁ ଆଉଁଷି, କରୁଣ ଦୃଷ୍ଟି ପକାଇ ପାଦ ଆଗକୁ ପକାଇଲା । ହାତ ଛାଡ଼ିଗଲା ଶରଦୀ ହାତରୁ । ଶରଦୀ ସେହିଭଳି ହାତ ବଢ଼ାଇ ରହିଥାଏ ସତେ ଅବା ପହଲି ହାତ ଆସି ତା ହାତରେ ଲାଗିଯିବ । ପହଲି ପଛକୁ ଆଉ ଫେରି ନ ଚାହିଁ ଚାଲିଲା ତା ଗତି ପଥରେ ମୁହଁରେ ଗାମୁଛା ମାଡ଼ି । ଶରଦୀ ଥକା ହୋଇ ବସିପଡ଼ିଲା ସେହି ଗୋହରି ମଝିରେ ।

 

ଶରଦୀର ଚେତା ଆସିଲା ପରେ ଦେଖିଲା ସେ ଘରେ ଶୋଇଛି ଓ ପଡ଼ିଶା ଘରର ଝିଅଟିଏ ପାଖରେ ବସିଛି । ଅନ୍ଧାର ହେଲାଣି, ମାତ୍ର ଦୀପ ଲାଗି ନାହିଁ । ଶରଦୀ ଦମ୍ଭ ଧରି ଉଠି ଠିଆ ହେଲା ଭବିଷ୍ୟତର ଜଞ୍ଜାଳକୁ ଅପେକ୍ଷା କରି । ଘରେ ଗୋଟିଏ ହେଲେ ଚାଉଳ ନ ଥାଏ । ପହଲି କେତେ ଟଙ୍କା ତା କାନିରେ ବାନ୍ଧି ଦେଇଥିଲା । ତା ଫିଟାଇ ଦେଖିବାକୁ ଶରଦୀର ମନେ ନ ଥିଲା । ଶରଦୀ କେତେଦିନ ବା ଏ ଟଙ୍କାରେ ଚଳିବ ? କାହାଠାରୁ ମୁଠିଏ ପାଇବାର ଆଶା ସୁଦ୍ଧା ନାହିଁ । ଦୁଃଖ, କଷ୍ଟରେ ଚଳି, ନ ଖାଇ ନ ପିଇ ଶେଷରେ କଣ୍ଟା ହେଲା ।

 

ସେଦିନ ଥାଏ ବରଷକର କାର୍ତ୍ତିକ ପୁନିଅଁ । ଦଇବ ଉପହାସ କଲା ପରି ଶରଦୀର ସେ ଦିନ ଗୋଟିଏ ପୁଅ ଜନ୍ମ ହେଲା ଅନ୍ଧାର ଘର ଉଜ୍ଜ୍ୱଳ କରି । ଶରଦୀ ଛାତି ଭିତରେ ଗୁମରି ଉଠିଲା–‘‘ସେ ଥାଆନ୍ତେ କି ? ଏଡ଼େ ସୁନ୍ଦର ପୁଅର ମୁହଁ ଦେଖିବାକୁ ।’’

 

ନିଜେ ସିନା ଓପାସରେ ରହୁଥିଲା, ମାତ୍ର ଏ ଅବୋଧ ଶିଶୁକୁ କ’ଣ ଖୁଆଇ ବଞ୍ଚାଇବ ? ନିଜର ଅମୃତ ଶୁଖିଯାଇଛି ଖାଦ୍ୟ ଅଭାବରୁ ।

 

ପହଲି ପାଇଁ ଅପେକ୍ଷା କରି ବସିଛି ଶରଦୀ । ଦୁଇମାସ ବିତିଗଲା ମାତ୍ର ପହଲିର ଚିଠି ବା ଟଙ୍କାର ଦେଖା ନାହିଁ । ଶରଦୀ ଦିନ ପରେ ଦିନ ଗଣି ଚାଲିଲା, ଫଳ କିଛି ହେଲାନାହିଁ । ପୁଅଟି ଶୁଖି ଶୁଖି କଣ୍ଟା ହେଲା ଖାଇବା ବିନା । ସବୁବେଳେ ରାହା ଧରି କାନ୍ଦେ । ଔଷଧ ପ୍ରଶ୍ନ ବା ଉଠିବ କାହିଁକି । ଶେଷରେ ଦିନେ ସେହି ରାହା ତାର ବନ୍ଦ ହୋଇଗଲା ଚିରଦିନ ପାଇଁ । ଶରଦୀ ଛାତି ବାଡ଼େଇ କାନ୍ଦି ଉଠିଲା । ପୁତ୍ରଶୋକରେ ପାଗଳୀ ପରି ହେଲା, ଖାଇବା ପିଇବା ଭୁଲିଗଲା । ହେଲେ ଦଇବର ଅଭିଶାପ ପୂର୍ଣ୍ଣ ନ ହେବା ଯାଏ ସେ ମୁକ୍ତି ପାଉଛି କେତେକେ ?

 

ପହଲିର ଫେରନ୍ତା ବାଟକୁ ଅନାଇଁ ରହିଲା ଶରଦୀ । ପ୍ରତିଦିନ ଡାକ ଘରକୁ ଯାଇ ଫେରି ଆସି ଶାଗ ସିଝାଇ ଖାଇବା ତାର ନିତି ଦିନିଆ କାମ । ସେ ଦିନ ଶନିବାର ପୁଷ ପୁନିଅଁ । ଧାନ କଟାକଟି ସରି ଯାଇଥାଏ, ସମସ୍ତେ ମରୁଡ଼ି ବାଧା ଭୁଲିବା ପାଇଁ ଲାଗିପଡ଼ିଥାନ୍ତି ଖୁବ୍‌ ଜୋରସୋରରେ । ପହଲିର ବନ୍ଧକ ଜମିରୁ ଧାନ ଆଦାୟ କରି ନେଇଥାଏ ଜରିପଡ଼ାର ସେ ସାହୁକାର ବୁଢ଼ା । ଶରଦୀ ସକାଳୁ ଉଠିବା ବେଳକୁ ଡାକ ପିଅନକୁ ଦୁଆରେ ଦେଖି ତା ମନରେ ଶତପୂର୍ଣ୍ଣିମାର ଜହ୍ନ ଉଇଁଲା ପରି ଆଶା ଚେଇଁ ଉଠିଲା । ପିଅନ ବଢ଼ାଇ ଦେଲା ଇଂରାଜୀ ଲେଖା ଗୋଟିଏ ଲଫାପା–‘ତାର’ ଆସିଛି କହି । ‘ତାର’ ଶୁଣି ଶରଦୀ ଛାତି ଦମ୍‌ ଦମ୍‌ ପଡ଼ିଲା ଉଠିଲା । ଗାଁ ଇଂରାଜୀ ପଢ଼ା ମାଷ୍ଟର ପାଖକୁ ଧାଇଁଲା ଶରଦୀ । ମାଷ୍ଟର ତାର ପଢ଼ି କହିଲେ –ତାର ପ୍ରାଣର ଦେବତା ପହଲିର କୌଣସି ଏକ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶରଦା କଚାଡ଼ି ହୋଇ ପଡ଼ିଲା । ହାତରେ ତାର ଅତି ଯତ୍ନରେ ଥିବା ନାଲି କାଚ ଦୁଇପଟ ଗୁଣ୍ଡ ଗୁଣ୍ଡ ହୋଇ ଗାଁ ଦାଣ୍ଡରେ ବିଞ୍ଚି ହୋଇ ପଡ଼ିଲା । ନରମ ପ୍ରାଣ ତାର ଏ ଚରମ ଆଘାତ ସହି ପାରିଲାନାହିଁ । ଗାଁ ମଶାଣିରେ ଶରଦୀର ଶବର ଚିତା ଧୂ ଧୂ ହୋଇ ଜଳି ଉଠିଲା ପୂର୍ବ ଆକାଶରେ ‘ପୁନିଅଁ ଜହ୍ନ’ ଉଠିଲା ବେଳକୁ-

Image

 

ଜୀବନଟା ଏପରିଯାଏ

 

ଦୁନିଆଟା ଘେନିଥାଏ ଗୋଟିଏ ପ୍ରଳୟର ରୂପ । ଯେମିତି କି ଟିକିଏ ପରେ ସବୁ କିଛି ତାର ଶେଷ ହୋଇଯିବ । ବିଦ୍ୟୁତର କ୍ଷଣିକ ଝଲକରେ ଝଲସି ଉଠୁଥାଏ କଟକ ସହରର ତଳିଆ ଅଞ୍ଚଳର ସନ୍ତସନ୍ତିଆ କୋଠରୀଗୁଡ଼ିକ । ସେ ସବୁ ଭିତରୁ ବାସ୍ତୁହରା ପ୍ରଫୁଲ୍ଲର କୋଠରୀ ମଧ୍ୟ ବାଦ୍‌ଯାଇ ନ ଥାଏ । କୋଠରୀ ଭିତରେ ପଡ଼ିଥାଏ ଖଣ୍ଡେ କ୍ୟାନଭାସ୍‌ ଖଟ ଗୋଟିଏ କଣରେ କାଠ ଦିଆ ଝରକା ପାଖକୁ । ଉପରେ ଛିଣ୍ଡା ଚାଦରଟି ଢାଙ୍କି ହୋଇ ଶୋଇ ରହିଥାଏ ସେ । ଦିନସାରା ଅନବରତ ବରଷା ଫଳରେ ପାଖଘରୁ ମଧ୍ୟ କେହି ତା ପାଖକୁ ଆସି ପାରି ନ ଥାନ୍ତି । ଖାଇବାକୁ ବା ଆଣି ଦେଉଛି କିଏ ? ଘରେ ବା ଅଛି କ’ଣ ।

 

ଏସବୁ ସାଙ୍ଗକୁ ବାଦ ସାଧୁଥାଏ ଛପର ହୋଇ ନ ଥିବା ଚାଳ ଖଣ୍ଡକ । ପାଣି ଗଳି ଘର ସାରା ଭାସି ଉଠିଥାଏ, ତଥାପି ପ୍ରଫୁଲ୍ଲ ଭାଗ୍ୟ ଭଲ ଯେ ତା ଦେହ ସାରା ପାଣି ନ ପଡ଼ି ମୋଟେ ଠାଏ ଦିଠା ଟୋପାଏ ଟୋପାଏ ପାଣି ପଡ଼ୁଥାଏ । ଏହି ପାଣିଟୋପା ତାର ଭାବନାରାଜ୍ୟରେ ବାଧା ସୃଷ୍ଟି କରୁଥାଏ ସମ୍ଭବତଃ ପ୍ରତି ପଚିଶ ତିରିଶ ସେକଣ୍ଡ ବ୍ୟବଧାନରେ ।

 

ପ୍ରଫୁଲ୍ଲ, ଆଜି ସେ ବାସ୍ତୁହରା ପ୍ରଫୁଲ୍ଲ । କେତେବେଳେ ସେ ଥିଲା କବି, ଆଜି ନୁହେଁ । ଦିନ ଥିଲା ତାର ପ୍ରତିଭା ପୂଜା ପାଉଥିଲା । ‘ଆସନ୍ତା କାଲି’ ଠାରୁ ‘ଝଙ୍କାର’ ପର୍ଯ୍ୟନ୍ତ ସବୁଥିରେ ଥିଲା ପ୍ରଫୁଲ୍ଲର କୃତିତ୍ଵ । ଏମିତି ଦିନ ଥିଲା ଯେତେବେଳେ କି ତାର ଏହି ପ୍ରତିଭା ପାଇଁ ସେ ପୂଜା ପାଉଥିଲା, ସାହିତ୍ୟିକ ଶ୍ରୀଯୁକ୍ତ ଦାସଙ୍କ କନ୍ୟା ‘ସୁନନ୍ଦା’ ଠାରୁ । ପ୍ରତିଭା ବଳରେ ସେ ହୋଇପାରିଥିଲା ସେ ରୂପସୀ ତନ୍ଵୀ ସୁନନ୍ଦାର ପ୍ରେମିକ, କିନ୍ତୁ ଆଜି ସେ ପ୍ରତାରିତ, ଘୃଣିତ ।

 

ଅତୀତ ଘଟନା ପ୍ରାୟ ପ୍ରତିଦିନ ତାର ମନେପଡ଼େ । ଦିନସାରା ତାର ଅନ୍ୟ ଭାବନା ସହିତ ସମ୍ପର୍କ ନ ଥାଏ । କେବଳ ସେହି ଅତୀତ ଘଟନାଗୁଡ଼ିକୁ ଓଲଟପାଲଟ କରି ଶେଷରେ ହତାଶାର ଚିହ୍ନ ସ୍ଵରୂପ ତା କ୍ଷୀଣ ନାସିକାରୁ ବାହାରିଯାଏ ଦୀର୍ଘନିଶ୍ଵାସର ଧାରା । ପରେପରେ ଖଁ ଖଁ କାଶ କିଛି ସମୟ ପାଇଁ ନିରବଚ୍ଛିନ୍ନତାକୁ ରକ୍ଷାକରି ଲାଗିରହେ ।

 

ବହୁ ସମୟ ଧରି ଅତୀତକୁ ଧାରାବାହିକ ଭାବେ ଭାବିବାର ଶକ୍ତି ମଧ୍ୟ ତାର ନ ଥାଏ । ଦୁର୍ବଳ ରୁଗ୍‍ଣ ଶରୀର କାରଣରୁ; କାଶି କାଶି ଅଥୟ ହୋଇପଡ଼େ ସେ । ଶେଷରେ ପରିଣାମ ସ୍ଵରୂପ ବାହାରି ଆସେ ରକ୍ତ ମିଶା ଖଙ୍କାରଗୁଡ଼ାକ । ସେ ଚେଷ୍ଟା କରିଛି ପୂର୍ବ କଥାଗୁଡ଼ାକ ଭୁଲିଯିବା ପାଇଁ; କିନ୍ତୁ କର୍ମହୀନ ଅଳସ ସମୟଟା ତାକୁ ଆପେ ଆପେ ଭିଡ଼ି ଆଣି ଜମାଟ କରେ ତାର ଯକ୍ଷ୍ମା ଜୀବାଣୁ ପୂର୍ଣ୍ଣ ଛାତି ଭିତରେ । ରକ୍ତମିଶ୍ରିତ ଜୀବାଣୁପୂର୍ଣ୍ଣ ଖଙ୍କାର ଓ ବିଗତ ଜୀବନର କଳୁଷିତ ଅତୀତ ଇତିହାସର ସମଷ୍ଟି ସେଦିନ ବି ତାକୁ ଛଟପଟ କରିବାରେ ଲାଗିଥାନ୍ତି ।

 

ବିଶିଷ୍ଟ ଧର୍ମ ଓ ବିରାଟ ବ୍ୟବସାୟୀ ରମାନାଥ ବାବୁଙ୍କର ପୁଅ ସେ । ବାଲ୍ୟକାଳୁ ଅତି ଅଲିଅଳ ଭାବେ ବଢ଼ି ଆସିଥିଲା । ସେ ଥିଲା ଧନିକ ପିତାଙ୍କର ଏକମାତ୍ର ନୟନର ମଣି, ପ୍ରାଣର ସଙ୍ଖାଳି । ବାଲ୍ୟକାଳର ଶିକ୍ଷା ଦୀକ୍ଷା ମଧ୍ୟ ତାର ଭଲରେ ଚାଲିଥିଲା । ଯେତେବେଳେ ପ୍ରଫୁଲ୍ଲ ବି.ଏ.ରେ ଅନର୍ସ ନେଇ ପରୀକ୍ଷାରେ କୃତିତ୍ଵ ସହିତ ପାଶ କଲା, ମା ଅଞ୍ଜଳି ଦେବୀ ପୁଅ ପାଖରେ ବିବାହ ପ୍ରସ୍ତାବ ପକାଇଲେ । ସେତେବେଳକୁ ପ୍ରଫୁଲ୍ଲର କବି ପ୍ରତିଭାରେ ସାରା ଦେଶ ମୁଗ୍‌ଧ । କେତେ ଆଡ଼ୁ କେତେ ଭଲ ଭଲ ପ୍ରସ୍ତାବ ଆସୁଥାଏ; କିନ୍ତୁ ପ୍ରଫୁଲ୍ଲ ସେ ସବୁ ଆଡ଼େଇ ଦେଉଥାଏ । ସେ ସବୁବେଳେ ଥିଲା ଖିଆଲିଆ । ପୁଅର ମନରେ ଆଘାତ ହେବ ଭାବି ବାପା ଓ ମା ସେଥିପ୍ରତି ବିଶେଷ ଜୋର ଦେଉ ନ ଥିଲେ । ପୁଅର ମଧ୍ୟ ବୟସ ବେଶି ହୋଇ ନ ଥିଲା । ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ପ୍ରଫୁଲ୍ଲକୁ ଖୁବ୍‌ ଭଲ ପାଆନ୍ତି । ସେ ତାର ପ୍ରତିଭା, ସୌନ୍ଦର୍ଯ୍ୟ ବା ଧନ କାହାକୁ ଭଲ ପାଉଥିଲେ ତାହା ବୁଝା ଯାଉ ନ ଥିଲା; କିନ୍ତୁ ଜଣାପଡ଼ିବାବେଳକୁ ଆଉ ସମୟ ନ ଥିଲା ।

 

ସୁନନ୍ଦା ସେତେବେଳେ ଏକାଦଶ ଶ୍ରେଣୀରେ ପଢ଼ୁଥାଏ । ସେ ପ୍ରଫୁଲ୍ଲର ଗଳ୍ପ, କବିତା ପଢ଼େ, ‘ଆସନ୍ତା କାଳରୁ’ ତାର ଫଟୋ ଦେଖି ତା ପ୍ରତି ଆକୃଷ୍ଟ ହୁଏ । ଦୁହିଁଙ୍କର ପତ୍ରର ଆଦାନ ପ୍ରଦାନ ପରେ ସାକ୍ଷାତ ହେଲେ ଓ ଦୁହେଁ ଅନ୍ତର ମନ୍ଦିରର ଦ୍ଵାର ଉନ୍ମୁକ୍ତ କରି ରଖିଲେ । ଶ୍ରୀଯୁକ୍ତ ଦାସ ପୂଜାର ସାମଗ୍ରୀ ଯୋଗାଇବାରେ ସାହାଯ୍ୟ କରନ୍ତି ।

 

ଦିନୁ ଦିନୁ ବଢ଼ିଚାଲିଲା ସୁନନ୍ଦା ସହିତ ପ୍ରଫୁଲ୍ଲର ପ୍ରଣୟ । ରମାନାଥବାବୁ ଓ ଅଞ୍ଜଳି ଦେବୀ ଏହା ଜାଣିବାକୁ ପାଇ ସୁଦ୍ଧା ସେଥିପାଇଁ ପ୍ରଶ୍ରୟ ଦିଅନ୍ତି । ସବୁଦିନ କିଛି ସମାନ ଯାଏନାହିଁ । ଜୀବନରେ ଢିପ ଆସେ, ଖାଲ ବି ପଡ଼େ । ପ୍ରକୃତିର ଏ ନିୟମକୁ ବ୍ୟତିକ୍ରମ କରି ପ୍ରଫୁଲ୍ଲର ଜୀବନଟା ବାଦ୍‌ ପଡ଼ନ୍ତା କିପରି ? ଯେତେହେଲେ ତ ସେ ଏହି ସଂସାରର ନିୟମବନ୍ଧା ମଣିଷଟାଏ-

 

ଝଡ଼ ଆସିଲା । ବ୍ୟବସାୟରେ ହେଲା ଅସହନୀୟ କ୍ଷତି । କ୍ଷତିର ଦାଉରେ ଭାଙ୍ଗି ପଡ଼ିଲେ ରମାନାଥବାବୁ । ନିଜର କୋଠା ଖଣ୍ଡିକ ଓ ଅଞ୍ଜଳି ଦେବୀଙ୍କ ପ୍ରାଣାଧିକ ଅଳଙ୍କାର, ଯାହାକି ସେ ସାଇତି ରଖିଥିଲେ ନିଜ ହାତରେ ପିନ୍ଧାଇ ଦେବା ପାଇଁ ସୁନନ୍ଦାକୁ, ସେ ସବୁର ବଦଳରେ କ୍ଷତି ଦାଉରୁ ରକ୍ଷା ମିଳିଲା କିଛି ପରିମାଣରେ ନିଜର ମାନସମ୍ମାନକୁ ରକ୍ଷା କରି । ଏ ରକ୍ଷା ମିଳିବା ପରେ ଗୋଟାଏ ଭଡ଼ାଘର ହେଲା ସେମାନଙ୍କର ଆଶ୍ରୟସ୍ଥଳ ବିରାଟ ରାଜପ୍ରାସାଦ ପରିବର୍ତ୍ତେ । କେବଳ ଝଡ଼ ଆସି ନ ଥିଲା, ତା ସହିତ ଆସିଥିଲା ଝଞ୍ଜା । ଏତେବଡ଼ ଘରଟାକୁ ଯେପରି ଚୂନା କରିବାକୁ ଝଡ଼କୁ ଯେପରି ବହୁତ ସମୟ ଲାଗି ନ ଥିଲା, ସେ ଖଣ୍ଡଗୁଡ଼ାକ ଉଡ଼ାଇ ନେବାକୁ ଝଞ୍ଜାକୁ ମଧ୍ୟ ସମୟ ଲାଗିଲା ନାହିଁ । ଏ ଆଘାତ ରମାକାନ୍ତବାବୁ ସମ୍ଭାଳି ପାରିଲେ ନାହିଁ । ଅସମୟରେ ବିଦାୟ ନେଇଗଲେ ସଂସାରରୁ । ଅଞ୍ଜଳି ଦେବୀଙ୍କୁ ମଧ୍ୟ ପ୍ରଫୁଲ୍ଲର ସ୍ନେହ ରୋକି ପାରିଲା ନାହିଁ, ସେ ମଧ୍ୟ ସ୍ଵାମୀଙ୍କ ଅନୁଗାମିନୀ ହେଲେ । ପ୍ରଫୁଲ୍ଲ ଯୁବକ । ତାର ଗରମ ରକ୍ତରେ ସୁନନ୍ଦାର ଆଶା ଜୀଇ ଜୀବନ୍ତ ରହିବାର ସ୍ଵପ୍ନ ଭରି ଦେଲା ।

 

ଦିନେ ସେ ଆଗ୍ରହ ସହିତ ଧାଇଁ ଯାଇଥିଲା, ତାର ପ୍ରାଣର ସୁନନ୍ଦା ନିକଟକୁ; କିନ୍ତୁ ମି.ଦାସଙ୍କଠାରୁ ପ୍ରବଳ ବେଗରେ ଧକ୍‌କା ଖାଇ ସେ ଫେରି ଆସିଥିଲା ଫାଟକ ପାଖରୁ ଏକ ଅପୂର୍ଣ୍ଣ ଆଶା ନେଇ, ଯେଉଁ ଅପୂର୍ଣ୍ଣ ଆଶା କି ଏ ଜୀବନରେ ଆଉ ପୂର୍ଣ୍ଣ ହେବାର ନୁହେଁ ସେ ମନେ କରିଥିଲା । ତାପରଠାରୁ ସେ ଆଉ ଯାଇନାହିଁ । ମାତ୍ର ତାର ସେ ଅଭିମାନ, ଅପମାନ ଭାଙ୍ଗିଗଲା ଯେଉଁଦିନ ସେ ଶୁଣିଲା ସୁନନ୍ଦାର ବିବାହ ଖବର । ପ୍ରଫୁଲ୍ଲ ସବୁ ସହିଥିଲା । ବ୍ୟବସାୟରେ ଘୋର କ୍ଷତି, ପିତାମାତାଙ୍କର ଅକାଳ ମୃତ୍ୟୁ, ସବୁ କିଛି ତାକୁ ଭାଙ୍ଗି ପାରି ନ ଥିଲା, ମାତ୍ର ମାନସୀର ପ୍ରତାରଣା ତାର ଅସହ୍ୟ ହୋଇ ପଡ଼ିଲା । ସେ ବସ୍ତୁତଃ ବସ୍ତୁହରା ହୋଇ ପଡ଼ିଲା । କବି ଜୀବନର ସାଥି ଟିଣ ଟିଣ ଦାମୀ ସିଗାରେଟ୍‌ ସ୍ଥାନ ମାଡ଼ି ବସିଲା କଠା କଠା ବିଡ଼ି । ସେ ଦିନ ଜୀବନର ସାୟଂତନ ସ୍ୱପ୍ନ ସେ ଦେଖି ପାରିଲା ତାର ସେହି ଛିଣ୍ଡା କ୍ୟାନଭାସ୍‌ ଖଟଟିରେ ପଡ଼ି ରହି –ସତେ ଯେପରି ମୃତ୍ୟୁକୁ ଅପେକ୍ଷା କରି । କୂଳ ଅକୂଳ ନ ମାନି ଡେଇଁ ଚାଲିଯିବା ବଢ଼ି ଛାଡ଼ି ଯିବା ପରେ ଗୋଟାଏ ଛାପ ଛାଡ଼ିଗଲା ପରି ତାର ମନର ଭୋକ ମରିଯାଇଛି; କିନ୍ତୁ ଛାଡ଼ିଯାଇଛି କେବଳ ଗୋଟାଏ ଛାପ ।

Image

 

Unknown

ନିରନ୍ନର ପ୍ରତିଷ୍ଠା

 

ଅନେକଦିନ ବେକାର ବସି ବସି ଅବିନାଶ ଯେଉଁଦିନ ଛତ୍ରପୁର ହାଇସ୍କୁଲରେ ଚାକିରିର ନିୟୋଗ–ପତ୍ର ପାଇଲେ, ତାହା ସେ ଦିନ ତାଙ୍କ ଘର ପାଇଁ ଏକ ସୌଭାଗ୍ୟର ଦିନ ।

 

ପଞ୍ଚତିରିଶ ବର୍ଷର ପରିପୂର୍ଣ୍ଣ ଯୁବକ ଅବିନାଶ । ଭାଗ୍ୟର ପରିପୂର୍ଣ୍ଣ କଷାଘାତରେ ସେ ପୂର୍ଣ୍ଣ ସ୍ଵାସ୍ଥ୍ୟବାନ ହୋଇ ମଧ୍ୟ ଦୀର୍ଘ ପାଞ୍ଚବର୍ଷ ଧରି ବେକାର । ପ୍ରତ୍ୟହ ପ୍ରତ୍ୟୁଷରୁ ଉଠି ନିଜର ଦୈନନ୍ଦିନ ଆସନ ସ୍ଵାଧ୍ୟାୟ ସାରି, ସାମାନ୍ୟ ଜଳଯୋଗ କରି ସମ୍ବାଦପତ୍ରର ‘ଚାକିରି ଲୋଡ଼ା’ ସ୍ତମ୍ଭଟି ଦେଖିବାରେ ଲାଗନ୍ତି । ତାଙ୍କ ଜୀବନର କେତେ ସକାଳ, ସନ୍ଧ୍ୟା ଏହିପରି ଭାବରେ କଟିଛି, ତାହା ସେ ଏକା ଜାଣନ୍ତି ଓ ଜାଣନ୍ତି ପରମେଶ୍ଵର ।

 

ଅବିନାଶ ଦରିଦ୍ର ସନ୍ତାନ କିମ୍ବା ଅଯୋଗ୍ୟ ନୁହଁନ୍ତି; ତଥାପି ଭାଗ୍ୟ-ବିଧାତାର ବିଚିତ୍ର ନିୟମ ଅନୁସାରେ ସେ ଦରିଦ୍ର, ନିଃସମ୍ବଳ ଓ ଅଯୋଗ୍ୟ । ତାଙ୍କ ଯୋଗ୍ୟତାର ମୁଖ୍ୟ ସମାଜ କିମ୍ବା ସଂସାର କେହି ଦେଇନି । ତାଙ୍କ ଦୁଃଖରେ କେହି ପଦେ ହେଲେ ସାନ୍ତ୍ୱନାର ବାଣୀ ଶୁଣାଇ ନାହିଁ । ନିଜ ଗୋଡ଼ରେ ଠିଆ ହେବାର ପ୍ରବଳ ଚେଷ୍ଟାରେ ସେ ଦୀର୍ଘଦିନ ସାଧନା ଚଳାଇଛନ୍ତି ।

 

ଅବିନାଶ ହେଲେ ଓଡ଼ିଆ–ବିଖ୍ୟାତ ଓକିଲ ଚନ୍ଦ୍ରଶେଖରଙ୍କ କନିଷ୍ଠ ପୁତ୍ର । ପିତାଙ୍କର ଆୟ ଅପେକ୍ଷା ବ୍ୟୟ ଥିଲା ଅନେକ ବେଶି । ଜୀବନରେ ସଞ୍ଚୟଠାରୁ ଅଧିକ ପାପ ଆଉ କିଛି ନାହିଁ ବୋଲି ସେ କହୁଥିଲେ । ନିଜକୁ ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିଥିଲେ । ଓଡ଼ିଶାର ସାହିତ୍ୟ ଓ ରାଜନୀତିକୁ ତାଙ୍କର ଦାନ ଥିଲା ଅମାପ । ସେ ଏକାଧାରରେ କବି, ବକ୍ତା ଓ ଲେଖକ ଥିଲେ । ଓକିଲାତି କରିବାକୁ ଇଚ୍ଛା ନ ଥିଲେ ସୁଦ୍ଧା ତାହାକୁ ଆୟର ଏକ ଅଙ୍ଗ ଭାବରେ ଧରିଥିଲେ । ଜୀବନର ଏକ ଚତୁର୍ଥାଂଶ ଆୟ ଘରକୁ ଦେଇ ବାକିତକ ଦେଉଥିଲେ ଦରିଦ୍ର, ଦୁଃସ୍ଥ, ଅକର୍ମଣ୍ୟଙ୍କ ପାଇଁ ହୋଇଥିବା ‘ସେବାଶ୍ରମ’କୁ । ଏପରିକି ନିଜର ବାସୋପଯୋଗୀ କେତୋଟି ବଖରା ଛାଡ଼ି ବାକିତକ ମଧ୍ୟ ସେ ଦାନ କରିଥିଲେ ଆଶ୍ରମକୁ ।

 

ଚନ୍ଦ୍ରଶେଖରଙ୍କ ପରିବାର ନିହାତି ଛୋଟ ନୁହେଁ । ସ୍ତ୍ରୀ, ତିନୋଟି କନ୍ୟା ଓ ତିନୋଟି ପୁତ୍ରଙ୍କ ସହ ଦରିଦ୍ର ପିଉସୀ ଦୁଇଜଣ ସର୍ବଦା ପାଖରେ ଥାଆନ୍ତି । ଅନାଥ ଶିଶୁ ଦୁଇଟି ମଧ୍ୟ ପାଖରେ ଥାଇ ଶିକ୍ଷାଲାଭ କରୁଥାନ୍ତି । ବାର ଜଣ ଲୋକଙ୍କୁ ଧରି ଆଡ଼ମ୍ବରହୀନ ଭାବରେ ବିଖ୍ୟାତ ଚନ୍ଦ୍ରଶେଖରଙ୍କ ଚଳଣି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏହା ବ୍ୟତୀତ ଅଇଲା, ଗଲା ତ ରହିଛି । କିଛି ହେଲେ ଚା ଓ ଜଳପାନର ବ୍ୟବସ୍ଥା ସର୍ବଦା ପ୍ରଚଳିତ ଅବସ୍ଥାରେ ଥାଏ । ଅଧେ ଲୋକ ଏ ‘ଚା’ ଓ ‘ଫା’ ପାଇଁ ଆସି ପହଞ୍ଚନ୍ତି । ସନ୍ଧ୍ୟାଠାରୁ ରାତି ବାର ପର୍ଯ୍ୟନ୍ତ ଲୋକଙ୍କର ଯିବା ଆସିବା ଚାଲିଥାଏ-। ରାତି ଅଧକୁ ବସା ଭିତରକୁ ଯାଇ, ଗଣ୍ଡେ ଖାଇ ଚନ୍ଦ୍ରଶେଖର ଶୋଇ ପଡ଼ନ୍ତି ପୁଣି ପରଦିନର କର୍ତ୍ତବ୍ୟ ଚିନ୍ତା କରୁ କରୁ ।

 

ଚନ୍ଦ୍ରଶେଖରଙ୍କ ଜନ୍ମଭୂମି ହେଲା ପୁରୀ ଜିଲ୍ଲାର ଜଙ୍କିଆ ପାଖରେ । ନିଜର ଘରଖଣ୍ଡିକ ଓ ଜମି ପାଞ୍ଚମାଣ ଛଡ଼ା ଆଉ କିଛି ଗାଁ ବୋଲି ନ ଥିଲା । ଗାଁ ଘର ଛାଡ଼ି ଆସି ସେ ଓକିଲାତି କଲେ ପୁରୀରେ । ସମୁଦ୍ରକୂଳ ନିକଟରେ ଗୋଟିଏ ଦ୍ଵିତଳ ପ୍ରାସାଦ ଭଡ଼ା ନେଇଥିଲେ । ପିଲାପିଲି ସମସ୍ତେ ସେହିଠାରେ ପାଠ ପଢ଼ିବାକୁ ଆରମ୍ଭ କଲେ । ସ୍ତ୍ରୀଙ୍କର ଅନ୍ଦର ମହଲକୁ ରାତି ଛଡ଼ା ଦିନରେ ପାଦ ପଡ଼େନି । ନିଜ ପରିବାରର ଅଭାବ ଅସୁବିଧା ଅପେକ୍ଷା ବାହାର ଲୋକଙ୍କ ଅଭାବ ଅସୁବିଧା ତାଙ୍କ ଗୋଚରକୁ ବେଶି ଆସେ । ଏଥିପାଇଁ ଘରେ ଯେ ଅଶାନ୍ତିର ସୂତ୍ରପାତ ନ ହୁଏ, ଏପରି ନୁହେଁ; ତଥାପି ସ୍ତ୍ରୀ ଦୁର୍ଗାବତୀ ସର୍ବଂସହା ପରି ସବୁ ସହି ରହି ଯାଆନ୍ତି ବୋଲି କଥାଟା ପଦାକୁ ଜଣାପଡ଼େନାହିଁ ।

 

ଚନ୍ଦ୍ରଶେଖର ନିଜେ ପଣ୍ଡିତ ଲୋକ । ତେଣୁ ପିଲାମାନଙ୍କ ପଢ଼ିବା ପ୍ରତି କଠୋରେ ଦୃଷ୍ଟି ଦେଇଥିଲେ । କନ୍ୟାଦାୟରୁ ମୁକ୍ତ ହୋଇ ସେ ଦେଶ ସେବାରେ ନିଜକୁ ସମ୍ପୂର୍ଣ୍ଣ, ଭାବରେ ଉତ୍ସର୍ଗ କଲେ । ବଡ଼ପୁଅ ବି.ଏ.ପାଶ୍‌ କରି ଟାଟାନଗରକୁ ମାଷ୍ଟ୍ର ହୋଇଗଲେ । ମଝିଆଁ ପୁଅ ଇଞ୍ଜିନିଅରିଂ ପାଶ୍‌ କରି ଗଲେ ବମ୍ବେ । ତା ପରବର୍ତ୍ତୀ କାଳରେ ତାଙ୍କ ଖବର ଆଉ କେହି ପାଇନାହିଁ । ଚନ୍ଦ୍ରଶେଖର କିନ୍ତୁ ନିଶ୍ଚଳ, କେବେ ବିଚଳିତ ହେବାର କେହି ଦେଖିନି । ଶେଷ ଅବିନାଶ, ପୁରୀ କଲେଜରେ ପଢ଼ୁଥାନ୍ତି ବି.ଏ. ।

 

ଏ ମଧ୍ୟରେ ଚନ୍ଦ୍ରଶେଖର ଓକିଲାତି ଛାଡ଼ି ଦେଇ ବହିଲେଖାରୁ ଯେ ରୋଜଗାର କରୁଥାନ୍ତି ତହିଁରେ ଆଶ୍ରମ ଓ ପରିବାର ଚଳାଉଥାନ୍ତି । ଦେଶର ଦୁଃଖ ଦୁର୍ଦ୍ଦଶାରେ ତାଙ୍କ ଅନ୍ତର ସର୍ବଦା କାନ୍ଦୁଥାଏ । ବିପଦ ପଡ଼ିଲେ ସେ ଯେତେ ପାରନ୍ତି ଦାନ କରନ୍ତି ଓ ଅନ୍ୟଠାରୁ ଯୋଗାଡ଼ କରି ବିତରଣ କରନ୍ତି । ଦେଶର ଗଣ୍ୟ ମାନ୍ୟ ବ୍ୟକ୍ତି ସମସ୍ତେ ତାଙ୍କୁ ଖାତିର କରୁଥିଲେ । ଏ ସବୁ ସତ୍ତ୍ୱେ ନିଜ ପରିବାର ପାଇଁ ସେ କିଛି ସଞ୍ଚୟ କରି ନ ଥିଲେ । ନିଜର କୌଣସି ପ୍ରକାର ମନ୍ଦ–ଅଭ୍ୟାସ ନ ଥିଲା, ତେଣୁ ଖାଇବା ଗଣ୍ଡାକ ଓ ଖଣ୍ଡେ ପିନ୍ଧିବା ଛଡ଼ା ଆଉ ପଇସାର ଆବଶ୍ୟକ ସେ କେବେ ଅନୁଭବ କରୁ ନ ଥିଲେ ।

 

ଅବିନାଶ ପାଠ ପଢ଼ିବାବେଳେ ଚନ୍ଦ୍ରଶେଖର ଗୋଟିଏ ଦରିଦ୍ର ବ୍ରାହ୍ମଣକୁ କନ୍ୟାଦାୟରୁ ମୁକ୍ତି ଦେଇଥିଲେ । କାରଣ ତାର ଏକମାତ୍ର କନ୍ୟାକୁ ନିଜର କନିଷ୍ଠା ପୁତ୍ର–ବଧୂ ରୂପେ ବରଣ କରିଥିଲେ । ଏଥିପାଇଁ ଅବିନାଶଙ୍କର ସହସ୍ର ଆପତ୍ତି ଅଭିଯୋଗ କିଛି ଫଳ ଦେଇନାହିଁ । ପିତାଙ୍କର ଏ ନିଷ୍ଠୁର ଆଦେଶକୁ ମୁଣ୍ଡପାତି ଭଗ୍ନ ହୃଦୟରେ ଗ୍ରହଣ କରିବାକୁ ପରିଶେଷରେ ସେ ବାଧ୍ୟ ହେଲେ-। ନିଜର ଆଦର୍ଶକୁ ଜଳାଞ୍ଜଳି ଦେଲେ, ବୋଉର ଅଶ୍ରୁଳମୁଖ ଦେଖି ଅନ୍ତରର କୋହକୁ ଚାପି ରଖି ଶେଷରେ ଦୋଳମୁକୁଟ ପିନ୍ଧି ବାହାହୋଇ ଫେରିଥିଲେ ହୃଦୟକୁ ପାଷାଣ କରି, ପରାଜିତ ହୋଇ-

 

ଚନ୍ଦ୍ରଶେଖର ନିଜର ପୁତ୍ରବଧୂକୁ ବରଣ କରି ଆଣିଲେ । ବଧୂ ସୁନ୍ଦରୀ, ପାଠପଢ଼ା ଝିଅ-। ଅବିନାଶଙ୍କ ପରି ଧାର୍ମିକ, ନିଷ୍ଠାପର, ଆଦର୍ଶବାଦୀ ଲୋକଙ୍କୁ ସେ ଦେଖିଲେ ମରହଟ୍ଟୀ ଭାବରେ-। ଶ୍ୱଶୁରଙ୍କ ପ୍ରତିଷ୍ଠା ତାଙ୍କୁ ମୁଗ୍‌ଧ କରିଥିଲା ଓ ସେ ଚାହିଁଥିଲେ ଭବିଷ୍ୟତରେ ଶ୍ଵଶୁରଙ୍କ ପରି ପ୍ରତିଷ୍ଠାଲାଭ କରିବେ; କିନ୍ତୁ ଅବିନାଶ ଏଥିରେ ହେଲେ ଅନ୍ତରାୟ । ନିଜର ସ୍ଵାମୀତ୍ଵର ଦ୍ଵାହି ଦେଇ ଅବିନାଶ ମନାକଲେ, ଆଉ ଅଧିକ ପାଠ ନ ପଢ଼ି ସଂସାର ଧର୍ମରେ ଦୀକ୍ଷିତ ହେବାକୁ-। ଏ ପ୍ରସ୍ତାବରେ ଉଭୟ ପଟରୁ ଘୋର ଆପତ୍ତି ହେଲା । ଶ୍ଵଶୁର ପୁତ୍ରବଧୂର ଇଚ୍ଛାରେ ବାଧା ନ ଦେଇ ଉତ୍ସାହିତ କଲେ । ଏଥିରେ ମଧ୍ୟ ଅବିନାଶ ହେଲେ ପରାଜିତ ।

 

ଅଞ୍ଜଳି ପାଠ ପଢ଼ିଲେ ଓ କୃତିତ୍ଵ ସହ ପାଶ୍‌ କଲେ ମାଟ୍ରିକ ପ୍ରଥମ ଶ୍ରେଣୀରେ ! ଦୁର୍ଭାଗ୍ୟକୁ ଅବିନାଶ ବି.ଏ. ପରୀକ୍ଷାରେ ସେହିଥର ଅକୃତକାର୍ଯ୍ୟ ହେଲେ । ଅଞ୍ଜଳିଙ୍କୁ ସୁବିଧା ମିଳିଲା ଅବିନାଶଙ୍କୁ ଅଧିକ ହେୟ ଜ୍ଞାନ କରିବାକୁ । ଅବିନାଶ ଏଥିରେ ହେଲେ ମର୍ମାହତ । ତାଙ୍କ ପୌରାଣିକ ଯୁଗର ‘ସ୍ତ୍ରୀ’ ର ଗୁଣଧର୍ମ – ମନୋଜ୍ଞା, ମନୋବୃତ୍ୟନୁସାରିଣୀ ବିଫଳ ଗଲା ଓ ସେ ହୃଦୟରେ ଯେଉଁ ମନୋଜ୍ଞାର ରୂପ ଏତେଦିନ ଧରି ଦେଖୁଥିଲେ, ତାହା ହେଲା ଅନ୍ତର୍ହିତ ।

 

ଚନ୍ଦ୍ରଶେଖର ପୁତ୍ର ଉପରେ ଅସନ୍ତୁଷ୍ଟ ହେଲେ ଓ ବଧୂର ସାଫଲ୍ୟରେ ହୃଦୟରେ ପାଇଲେ ଗଭୀର ସନ୍ତୋଷ; ତଥାପି କର୍ତ୍ତବ୍ୟାନୁରୋଧରେ ଅବିନାଶଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ କହିଲେ । ଉଭୟେ ଅଧ୍ୟୟନରତ ହେଲେ ଆଉ ଥରେ ।

 

ଏପରି ଚାଲିଥିବାବେଳେ ଚନ୍ଦ୍ରଶେଖର ଦିନେ ବମ୍ବେ ବାହାରିଲେ ସମାଜ–ସେବା ଡାକରାରେ । ଗଲାବେଳେ କହି ଯାଇଥିଲେ ଶୀଘ୍ର ଫେରିବେ କାର୍ଯ୍ୟ ସାରି; ମାତ୍ର ଦିନ ପରେ ଦିନ ଗଲା, ଅଥଚ ତାଙ୍କର ଦେଖାନାହିଁ । ମାସକ ପରେ ସ୍ତ୍ରୀ ଦୁର୍ଗାବତୀଙ୍କ ନାମରେ ଆସିଲା ତିରିଶିଟି ଟଙ୍କା ମନିଅର୍ଡରରେ । ସେଥିରେ ଲେଖାଥିଲା–

 

‘ପତ୍ନୀ ନିବେଶି ପୁତ୍ର ପାଶେ, ଅଥବା ଚଳିବ ସନ୍ନ୍ୟାସେ ।’ ମୋର କର୍ତ୍ତବ୍ୟ ସରି ଯାଇଛି-। କେବେ ଫେରିବି ଠିକ୍‌ ନାହିଁ । ଅପେକ୍ଷା କରିବ ନାହିଁ–

 

ଏଥିରୁ କିଏ କଣ ବୁଝିଲା କେଜାଣି, ଅଞ୍ଜଳି ବୁଝିଲେ, ଅବିନାଶ ଫେଲ ହେଲେ ବୋଲି ଚନ୍ଦ୍ରଶେଖର ଗୃହତ୍ୟାଗୀ ହେଲେ । ସ୍ତ୍ରୀ ଦୁର୍ଗାବତୀ ପାଷାଣ ପରି ରହିଲେ । ଅବିନାଶ ଅନ୍ଧାର ଦେଖିଲେ ଚାରିଆଡ଼ । ପରୀକ୍ଷା ଆସନ୍ନ, ହାତରେ ପଇସାଟିଏ ନାହିଁ ପରୀକ୍ଷା ଫିସ୍‌ ଦେବାକୁ । ଏହି ଚିନ୍ତା ଘାରିଲାବେଳେ ଅଞ୍ଜଳି ଜିଦ୍‌ ଧରିଲେ ତାଙ୍କ ପଢ଼ା ବନ୍ଦ ହେବନାହିଁ ।

 

ଚାରିଆଡ଼ୁ ବିବ୍ରତ ଅବିନାଶଙ୍କର ଧୈର୍ଯ୍ୟର ସେତୁ ଭାଙ୍ଗିଗଲା । କାହାକୁ ବା କହିବେ ନିଜ ଜୀବନର ଦୁଃଖମୟ ଘଟନା ? ଏକମାତ୍ର ବୋଉ ଛଡ଼ା ଆଉ କେହି ତାଙ୍କ ଦୁଃଖ ବୁଝିଲେ ନାହିଁ-

 

ଦାରିଦ୍ର୍ୟ ତାଙ୍କ ବପୁ କ୍ଷୀଣ କରିବାକୁ ଲାଗିଲା ଦିନକୁ ଦିନ । ଗାଈ,ଛେଳି ବିକି ଦିନା କେତେ ଚଳିଗଲେ । ନିଜର ସାମର୍ଥ୍ୟ ଅନୁଯାୟୀ ଚାକିରି ଖୋଜିଲେ ପଢ଼ା ତ୍ୟାଗକରି । କଳ୍ପନାର ଉଚ୍ଚଆଶା, ଆକାଙ୍‌କ୍ଷା ସବୁ ଉଭେଇ ଗଲା ସଂସାରର ବାସ୍ତବ କ୍ଷେତ୍ରରେ । ସହରରେ ଅନ୍ତତଃ ତିନି ଚାରି ଟଙ୍କା ଦରକାର ଦିନଟାଏ ଚଳିବା ପାଇଁ । ସେତିକି ରୋଜଗାର କରିବା ପାଇଁ ଅବିନାଶଙ୍କୁ ପାଞ୍ଚ ଛଅଟି ଟିଉସନ୍‌ ଧରିବାକୁ ପଡ଼ିଲା । ପରିବାରର ଦାୟିତ୍ଵ ଯାହା ଅକାଳରେ ନନା ତାଙ୍କୁ ଦେଇଗଲେ– ତାହା ତୁଲାଇବାକୁ ସେ ବଦ୍ଧପରିକର ହେଲେ ।

 

ନିଜର ସମସ୍ତ ସୁଖ, ଶାନ୍ତି ଛାଡ଼ି କର୍ତ୍ତବ୍ୟ କରିବାରେ ଲାଗିଲେ କଠିନ ପରିଶ୍ରମ କରି, ନୀତି ବଜାୟ ରଖି । ପ୍ରତ୍ୟହ ପ୍ରତ୍ୟୁଷରୁ ଉଠି ନିଜର ସ୍ନାନ, ଆହ୍ନିକ ସାରି ଶାସ୍ତ୍ର–ଚର୍ଚ୍ଚା କରନ୍ତି । ଘରେ ଚାକର, ପୂଜାରୀ ଯେ ଥିଲେ, ସମସ୍ତେ ଗୋଟି ଗୋଟି ହୋଇ ବିଦାୟ ନେଲେ । ଏକା ରହିଲା ଅନାଥ ପୁରୁଣା ଚାକରଟି ଅବିନାଶଙ୍କୁ ନିଜର ନାଥ ରୂପେ ଆଶ୍ରୟ କରି ।

 

ବାର୍ଷିକ ପରୀକ୍ଷା ପରେ ଟିଉସନ ସରିଗଲା । ନୀତିମାନ୍‌ ଅବିନାଶ ପରୀକ୍ଷାପରେ ଛାତ୍ରମାନଙ୍କୁ ଆଶୀର୍ବାଦ କରି ଫେରିଲେ ଶୂନ୍ୟ ହସ୍ତରେ ।

 

ସନ୍ଧ୍ୟାରେ ବୋଉକୁ ନିରୋଳାରେ ଡାକି ଅବିନାଶ କହିଲେ,

 

‘‘ବୋଉ, କ’ଣ କରିବା କହିଲୁ ?’’

 

‘‘ଭଗବାନ ଯାହା କରିବେ, ତୁ ଏତେ ଚିନ୍ତା କରନା, ଧନ !’’

 

ବୋଉ, ଚିନ୍ତା ଆଉ ମତେ ଛାଡ଼ିବନି । ମୋର ତ ପାଠପଢ଼ା ଏତିକିରେ ରହିଲା । ତୁ ବୋହୂକୁ କହ, ଆମେ ଗାଁକୁ ଚାଲିଯିବା । ତା ଛଡ଼ା ଆଉ ଉପାୟ ନାହିଁ ।’’

 

‘‘ହଁ ସେଇୟା କରିବା । ବାବୁ ତ ଅଧାରୁ ଏମିତି କଲେ, କାହାକୁ କହିବି, ମୋ ଭାଗ୍ୟ ।’’

 

‘‘ବୋଉ, ତୁ ବ୍ୟସ୍ତ ହବୁ ନାହିଁ । ମୁଁ ବଞ୍ଚିଥିଲା ଯାଏ ତୋର କିଛି ଅସୁବିଧା ହେବନାହିଁ ।’’

 

ଦୁର୍ଗାବତୀ ପୁଅର କରୁଣ ନିବେଦନକୁ ମର୍ମେ ମର୍ମେ ଅନୁଭବ କଲେ । ବୋହୂର ବ୍ୟବହାର ତାଙ୍କ ସର୍ବଂସହା ଛାତିକୁ ମଧ୍ୟ ଚହଲାଇ ଦେଇଛି; ତଥାପି ନିଜର ମାନ ଛାଡ଼ି ବୋହୂକୁ କହିଲେ ଗାଁକୁ ଯିବା କଥା । ଗାଁକୁ ଯିବାର ଶୁଣି ଅଞ୍ଜଳି ଅତିଶୟ ବିରକ୍ତ ହୋଇ କହିଲେ–

 

‘‘ଯାହାର ଯୋଗ୍ୟତା ନାହିଁ, ସେ ଆଉ ଜଣଙ୍କୁ ବିଭା ହେଲା କେଉଁ ଅଧିକାରରେ ? ମୁଁ ନିଜେ ଚାକିରି କରି ପାଠ ପଢ଼ିବି ଓ ପୋଷିବି । ଆପଣଙ୍କ ପୁଅ ଘରେ ବୋହୂ ପରି ବସିଥାନ୍ତୁ ।’’

 

ବୋହୂର ଏ ଉଦ୍ଧତ ବାକ୍ୟରେ ଦୁର୍ଗାବତୀ ଜଳି ଉଠି କହିଲେ–

 

“ନା ବୋହୁ, ବ୍ରାହ୍ମଣ ଘରର କୁଳବଧୂ । ଆମଘରେ ବୋହୂ, ଚାକିରି କରିବା ଚଳିନି । ଅବିନାଶ ପଛେ ଭିକ୍ଷା କରି ଘର ଚଳାଇବ । ତୁ ଆଉ ପାଠ ପାଇଁ ଜିଦ୍‌ କରନା । ଜିନିଷ ସଜାଡ଼, କାଲି ସକାଳୁ ଗାଁକୁ ବାହାରି ଯିବା ।’’

 

ଶାଶୁ ବୋହୂଙ୍କର ଏ କଥା କୁହା କୁହି ଅବିନାଶ ଶୁଣିଲେ । ସେ ଧୀର ପଦରେ ଆସି ଅଞ୍ଜଳିକୁ କହିଲେ–

 

‘‘ଶୁଣ, ବୋଉ ଯାହା କହିଲା ତାହା ଠିକ୍‌ । ମୁଁ ପୁରୁଷ, ନିଜର ଜୀବନ ଦେଇ ପରିବାର ପୋଷଣ କରିବା ମୋର କର୍ତ୍ତବ୍ୟ । ତମେ ନାରୀ,ସଂସାର ପାଳନ କରିବା ତୁମ ଧର୍ମ । ତମକୁ ମୁଁ ଅଧିକ ପଢ଼ାଇ ପାରିଲିନି, ସେଥିପାଇଁ କମ୍‌ ଲଜ୍ଜିତ ନୁହେଁ, କିନ୍ତୁ ତା ବୋଲି ଦେହ ଧରି ତୁମ ଅନ୍ନରେ ବଞ୍ଚିବି ଏକଥା ବିଚାର ନାହିଁ । କାଲି ସକାଳୁ ଗାଁକୁ ଯିବାକୁ ହେବ । ତୁମେ ନ ଗଲେ ନିଜର ବ୍ୟବସ୍ଥା କରିପାର ।’’

 

ଏହା କହି ସେ ବାହାରିଗଲେ । ପରଦିନ ସକାଳେ ଶ୍ରୀକ୍ଷେତ୍ରର ମାୟା ତୁଟାଇ ପତିତପାବନଙ୍କ ଶେଷ ଦର୍ଶନସାରି, ଅବିନାଶ ଦକ୍ଷିଣ ରେଳ ଧରି ବାହାରିଲେ ଜୀବନ ସଂଗ୍ରାମରେ ଝାସ ଦେବାକୁ ।

 

ଦ୍ଵିପହରେ ଯାଇ ପହଞ୍ଚିଲେ ଗାଁରେ । ତାଙ୍କ ଘରଟି ଗାଁ ଛାଡ଼ି ନଈ କୂଳରେ, ଗୋଟିଏ ନିଛାଟିଆ ଜାଗାରେ । ଅବିନାଶ ଏ ଶୂନ୍ୟ-ପୁରୀ ଦେଖି ତାଙ୍କ ଆଖିରୁ ଜୁଳିଜୁଳିଆ ପୋକ ବାହାରିଲା । ଚାଳରେ କୁଟା ନାହିଁ, କି ବଗିଚାରେ ଗୋଟିଏ ଗଛ ନାହିଁ । ଅଞ୍ଜଳି ବସି ପଡ଼ିଲେ ହତାଶରେ ‘ହେ ଭଗବାନ’ କହି । ଦୁର୍ଗାବତୀ ସ୍ଥିର ନେତ୍ରରେ ଘରକୁ ଚାହିଁ ଦୀର୍ଘ ନିଶ୍ଵାସ ଛାଡ଼ିଲେ । ପରେ ପ୍ରକୃତିସ୍ଥ ହୋଇ ଅନାଥକୁ ଡାକି ଘର ସଫା କରିବାକୁ ବାହାରିଲେ । ଅନେକ ବର୍ଷ କେହି ନ ଥିବା ଫଳରେ ଘରେ ସାପ, ବେଙ୍ଗ ଆଦି ଜନ୍ତୁମାନେ ସ୍ଵେଚ୍ଛାରେ ଆସନ ଜମାଇ ରହିଥିଲେ ।

 

ଅବିନାଶଙ୍କ ବିଚାର ଶକ୍ତି ପ୍ରଖର । ସଙ୍ଗେ ସଙ୍ଗେ ବୋଉଙ୍କୁ ଗୃହ ସଂସ୍କାରରୁ କ୍ଷାନ୍ତ କରାଇ ନିଜେ ଲାଗି ପଡ଼ିଲେ । ବହୁ ସମୟ ଲାଗି ତାହା ବାସୋପଯୋଗୀ କଲେ । ରାତିଟା ଚୂଡ଼ା ଖାଇ କଟାଇଲେ କୌଣସି କ୍ରମେ ।

 

ପରଦିନ ସକାଳଟା ଲାଗି ପଡ଼ିଲେ ଘର ଛପର ଇତ୍ୟାଦିରେ ! ସନ୍ଧ୍ୟାରେ ତପନ ନିଜର କର୍ତ୍ତବ୍ୟ ଶେଷ କରୁଥାନ୍ତି । ସୁନେଲି କିରଣରେ ଗଛ ଲତା ଝଲ ମଲ କରୁଥାଏ । ଅବିନାଶ ଚିରଦିନ ପ୍ରକୃତିର ପୂଜାରୀ । ପ୍ରକୃତିର ବର୍ଣ୍ଣ ବୈଚିତ୍ର୍ୟକୁ ଦେଖୁ ଦେଖୁ ବିହ୍ଵଳ ହୋଇଗଲେ । କେତେ ସମୟ ଏପରି ବିହ୍ଵଳତାରେ କଟିଗଲା, ଚେତନା ତାଙ୍କର ଫେରିଲା ବୋଉଙ୍କ ଡାକରେ ।

 

ଦୁର୍ଗାବତୀ ପୁଅର ଏକାଗ୍ରତା ଭାଙ୍ଗିବାକୁ ବାଧ୍ୟ ହୋଇଥିଲେ । ତା ଜୀବନ ସେ ମରୁବତ୍‌ ହୋଇଛି ଏକଥା ସେ ଉତ୍ତମରୂପେ ହୃଦୟଙ୍ଗମ କରୁଥାନ୍ତି ଉପାୟହୀନ ହୋଇ । ଯାହା ବିଧିର ବିଧାନ ତାହା ଏଡ଼ାଇବାର ସାଧ୍ୟ କାହାରି ନାହିଁ । ପୁଅ, ବୋହୂ ଦୁହିଁଙ୍କର ମୁହଁ ଉଭୟ ଦିଗକୁ । ଘରେ ଯେ ଅଶାନ୍ତିର ଝଡ଼ ସୃଷ୍ଟି କରିଛି ତାହା ଘରେ ସୀମିତ ରହିଛି ଏତିକି ସୌଭାଗ୍ୟର କଥା । ଏଥିରେ ସେ ଅନ୍ତର୍ଦାହ ଭୋଗ କରୁଛନ୍ତି ଅବିନାଶ, ତାହା କେବଳ ଜାଣନ୍ତି ଦୁର୍ଗାବତୀ । ଅଞ୍ଜଳି ଅନେକ ପରିମାଣରେ ନିଜର ଅହମିକାକୁ ବାଦ୍‌ ଦେଲେଣି ସ୍ଵାମୀଙ୍କର ରୁଦ୍ରରୂପକୁ ଭୟ କରି, ତଥାପି ନିଜକୁ ସ୍ଵାମୀଙ୍କ ଭାବରେ ନିମଗ୍ନ କରି ପାରି ନାହାନ୍ତି । ତାଙ୍କ ଅହମିକା ଅଗ୍ନି–ସ୍ଫୁଲିଙ୍ଗ ପରି ପ୍ରତି ମୁହୂର୍ତ୍ତରେ ପ୍ରଜ୍ଜ୍ୱଳିତ ହେଉଥାଏ, ସୁଯୋଗ ଦେଖି ବାହାରକୁ ଆସେ ।

 

ପୁଅକୁ ଏକା ଦେଖି ଦୁର୍ଗାବତୀଙ୍କ ମାତୃହୃଦୟ ଦୁଃଖରେ ଜର୍ଜରିତ ହେଲା । ସେ କହିଲେ–

 

‘‘ଅବିନାଶ, ଅନ୍ଧାରରେ ଏକାଟି ବସିଛୁ କାହିଁକି ବାପା ? କିଛି ଚାଉଳର ଯୋଗାଡ଼ କଲେ ଆଜି ଚଳିବାକୁ ହେବ ।’’

ଅବିନାଶଙ୍କ ଚମକ ଭାଙ୍ଗିଲା । ଭାବିଲେ, ‘‘ସତେ ତ ! ମନ ସିନା ପ୍ରକୃତିର ବୈଚିତ୍ର୍ୟରେ ଭୁଲିବ, ଦେହ କ’ଣ ଭୁଲିପାରିବ ?’’ ମାଗିବାକୁ ଯିବେ କାହା ଘରକୁ ? ପରିବାରର ପୋଷଣ ଦାୟିତ୍ଵ ବିଧାତା ଖଞ୍ଜି ଦେଇଛି ଏତିକିବେଳୁ । ଗୀତାର ଶ୍ଳୋକ –‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ’–ତାଙ୍କ ଜୀବନ ପଥକୁ ସୁଗମ କରୁ–ଏହା ଚିନ୍ତା କରି ଉଠିଲେ । ସ୍ଵପ୍ନରୁ ଜାଗ୍ରତ ହେବା ପରି କହି ଉଠିଲେ–

‘‘ହଁ ବୋଉ, ମୁଁ ଯାଉଛି, ତୁ ବ୍ୟସ୍ତ ହବୁନି । ବର୍ତ୍ତମାନ ଫେରିବି । ଅନାଥକୁ କହିଥା ଦୀପ ଜାଳି ଘରେ ରହିଥିବ ।’’

ମଫସଲ ଗାଁରେ ସନ୍ଧ୍ୟା ଘଡ଼ିଏ ହେଲେ ଦୁଆର କିଳା ଆରମ୍ଭ ହୋଇଯାଏ । କକେଇଙ୍କୁ ଦୁଆର ପଡ଼ିଯାଇଥିବାର ଦେଖି ଅନେକ ଡକାଡକି କଲେ । କେତେ ସମୟ ପରେ କକେଇ ପୁତୁରାଙ୍କୁ ଏତେ ଦିନ ପରେ ଦେଖି ଆଶ୍ଚର୍ଯ୍ୟ ହେଲେ । ଭିତରକୁ ଡାକି ନେଇ ସମାଦର କରି କୁଶଳ ପ୍ରଶ୍ନ କଲେ । ଏହା ପୂର୍ବରୁ ଚନ୍ଦ୍ରଶେଖରଙ୍କ ଅନୁପସ୍ଥିତି ଗାଁରେ ସମସ୍ତେ ଜାଣିଥାନ୍ତି ।

ଅବିନାଶ ଚାଉଳ ଧରି ଫେରି ଦେଖିଲେ ବୋଉ ଗୁଡ଼ିଏ ଶୁଖିଲା ପତ୍ର ସଂଗ୍ରହ କରି ବସିଥାନ୍ତି ପୁଅକୁ ଅପେକ୍ଷା କରି । ନିଜର କଷ୍ଟ ଅପେକ୍ଷା ବୃଦ୍ଧା ମାତାଙ୍କର ଏ କଷ୍ଟ ଅବିନାଶଙ୍କୁ ଅଧିକ ଆକୁଳ କଲା । ସ୍ତ୍ରୀ ଶୋଇଛନ୍ତି ଭୋକରେ, ରାଗରେ ଅନାଥ ଜଗି ବସି ଢୋଳାଇ ପଡ଼ିଛି । ଅବିନାଶ ବୋଉ ପାଖରେ ଚାଉଳ ଦେଇ ନିଜ ଶୟନକକ୍ଷକୁ ଗଲେ । ନିଜର ମନୋମତ ସଜାଇଛନ୍ତି ଅବିନାଶ ଦରିଦ୍ରର ନିଃସ୍ଵ ଗୃହକୁ । ଗୁଡ଼ିଏ ବହି ଅବିନାଶଙ୍କ ନିଜସ୍ଵ ସମ୍ପତ୍ତି । ଆସବାବ ବୋଲି ଖଣ୍ଡିଏ ଖଟ ଓ ଗୋଟିଏ ଛୋଟ ଟେବୁଲ । ଘରଟିରେ ବସି ଚିନ୍ତାରତ ହେଲେ ଅବିନାଶ । ରାତି ଅଧିକରୁ ବେଶି ହେଲା । ରନ୍ଧା ସାରି ବୋଉ ଡାକିବାକୁ ଆସି ଦେଖିଲେ ଧ୍ୟାନମଗ୍ନ ବୁଦ୍ଧ ପରି ପଦ୍ମାସନରେ ବସିଛନ୍ତି ଅବିନାଶ । ପୁଅର ଏ ଭଳି ମତି ଗତି ଅନେକ ଦିନରୁ ସେ ଜାଣନ୍ତି ; ତଥାପି ମା ମନ ଆଶଙ୍କାରେ ଭରି ଉଠେ ବେଳେ ବେଳେ । ଆଉ ରାତି ଅଧିକ ନ କରି ବୋଉ ଡାକିଲେ–‘‘ଖାଇବାକୁ ଆ ଅବିନାଶ ।’’ ଅବିନାଶ ଧ୍ୟାନ ଭାଙ୍ଗିଗଲା ମାତାଙ୍କ ଆଦେଶ ପାଳନ ନିମନ୍ତେ ।

ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ସାରି ବାହାରିଲେ ଜଙ୍କିଆ ସ୍କୁଲର ମାଷ୍ଟଙ୍କ ପାଖକୁ ଚାକିରି ଉଦ୍ଦେଶ୍ୟରେ । ମାଷ୍ଟ୍ରଙ୍କ ସହ ସାକ୍ଷାତ କରି ବୁଝିଲେ କାଲି ଜଣେ ନୂଆ ମାଷ୍ଟ୍ର ନିଆ ହେଲେ ଏତେ ଦିନ ଖାଲି ପଡ଼ିଥିବା ଜାଗାରେ । ସେ ବିଫଳ ମନୋରଥ ହୋଇ ଫେରିଲେ । ବାଟ ଚାଲି ଚାଲି ଥକା ହୋଇ ବସି ପଡ଼ିଲେ ନଈକୂଳରେ । ଅଦୂରରେ ଅନାଥ ବଗିଚାର ଅରମା ସଫା କରିବାରେ ପାରି ଉଠୁ ନ ଥିଲା ଏକା । ଆଉ କ୍ଳାନ୍ତି ଅପନୋଦନ ନ କରି ବାହାରିଲେ ଅନାଥକୁ ସାହାଯ୍ୟ କରିବାକୁ । ଅନାଥ ଆପତ୍ତି କରିଥିଲା ; କିନ୍ତୁ ତାହା ଗ୍ରାହ୍ୟ ହେଲାନାହିଁ ।

ଦିନ ପରେ ଦିନ କଟିଲା ଏପରି । ଦାରିଦ୍ର୍ୟ କ୍ରମଶଃ ଉତ୍କଟତର ହେବାକୁ ବସିଲା । ବଗିଚାରେ ପନିପରିବା ଚାଷ କରି, ଜମିକୁ ଅନ୍ୟ ସହିତ ଭାଗ ଲଗାଇ ଯାହା ପାଆନ୍ତି ସାମାନ୍ୟ, ସେଥିରେ ଚାରି ମାସ ଚଳେ, ବାକି ଆଠମାସ ଅର୍ଦ୍ଧାହାର, ଅନାହାର ସହିତ ଚାଲେ ସଂଗ୍ରାମ । ଏ ମଧ୍ୟରେ ପରିବାରକୁ ଦୁଇଟି ଶିଶୁ ଆସିଲେଣି, ସ୍ତ୍ରୀ ରୁଗ୍‌ଣା–ଔଷଧ, ପଥି ପାଇଁ ପଇସା ନାହିଁ । ହା ହୁତାଶରେ ନିଜକୁ ଦାରିଦ୍ର୍ୟ ପାଖରେ ସମର୍ପଣ କରିବା ଛଡ଼ା ଆଉ ଉପାୟ ନାହିଁ, ତଥାପି ଚେଷ୍ଟାରେ ତ୍ରୁଟି କରି ନାହାନ୍ତି ଅବିନାଶ ।

 

ଅବିନାଶ ପାଖ ଗାଁର ହୋମିଓପାଥି ଡାକ୍ତରଙ୍କ ପୁଅକୁ ପାଠ ପଢ଼ାଇ ତା ବଦଳରେ ଶିଖିଲେ ହୋମିଓ ଚିକିତ୍ସା । ଡାକ୍ତରି ଔଷଧ ପରିବାରଙ୍କୁ ଦେବା ପାଇଁ ପଇସାର ଅଭାବ । ତେଣୁ ଘରେ ଓ ବାହାରେ, ଯେ ଦରିଦ୍ର ତାକୁ ବିନା ପଇସାରେ ଔଷଧ ଦେଇ ରୋଗ ମୁକ୍ତ କଲେ । ଗାଁରେ କାହାର ବିପଦ ପଡ଼ିଲେ ପ୍ରଥମେ ତା ମନକୁ ଆସେ ଅବିନାଶଙ୍କ କଥା । ଦୁଃଖୀର ଭଗବାନ ବୋଲି ଲୋକେ ତାଙ୍କୁ ଡାକିଲେ ।

 

ଏ ଘାତ ପ୍ରତିଘାତ ଭିତର ଦେଇ ଅବିନାଶ ନିଜକୁ ପ୍ରତିଷ୍ଠା କରିବାକୁ ଲାଗିଲେ । ନିଜେ ଅନାହାରରେ ରହି ପରିବାର ପୋଷଣର କର୍ତ୍ତବ୍ୟ ତୁଲାଇଲେ । ପ୍ରତ୍ୟହ କଠିନ ପରିଶ୍ରମ କରି ବଗିଚାରେ ସେ ପରିବା, କରନ୍ତି ସେତିକି ବିକି ଭାଙ୍ଗି ଚଳିବାକୁ ପଣ କରିଥାନ୍ତି । ତାଙ୍କ ଭାଗରେ ଯାହା ପଡ଼େ, ତାହା ତାଙ୍କୁ କାଣିଚାଏ ହେଲେ ସୁଦ୍ଧା, ସେଥିରେ ଦୁଃଖ ନ ଥାଏ । ଏ ସବୁ ସାରି ଯେତିକି ସମୟ ମିଳେ ସେତିକି ସମୟ ପଠନରେ ବିନିଯୋଗ କରନ୍ତି । କର୍ତ୍ତବ୍ୟାନୁରୋଧରେ ନିଜେ ହସିବାକୁ ଭୁଲି ଯାଇଥାନ୍ତି । ନିଜେ ସମସ୍ତ ଦୁଃଖ, କଷ୍ଟକୁ ଜଳାଞ୍ଜଳି ଦେଇ ଅନ୍ୟର ସେବା ପାଇଁ ଆଗଭର ହୋଇ ବାହାରନ୍ତି । ଗୋଟିଏ କଥାରେ ଦୁଃଖୀ ରଙ୍କି କହନ୍ତି–‘‘ଆହା, ସେ ବାବୁଟି ଦେବତାଟିଏ, ଆଉ ତା ମାଆଟି ଠାକୁରାଣୀ । କିଏ ଗଲେ ଅଇଲେ, କିଛି ନ ଥିଲେ ପାଣି ତୋରାଣି ଟିକିଏ ଲୁଣ ପକାଇ ପିଇବାକୁ ଦେବ, ଦି’ପଦ କଥା କହିବ ହସି ହସି ।’’

 

ଆଉ ବସି ରହିଲେ ଚଳିବ ନାହିଁ ଦେଖି ପ୍ରତ୍ୟହ ସମ୍ବାଦପତ୍ରକୁ ଦେଖି ଦୂର ଦୂରାନ୍ତରୁ ଚାକିରିପାଇଁ ଚିଠି ଲେଖିଲେ ଅବିନାଶ । ଚିଠି ଲେଖି, ଅପେକ୍ଷା କରିବା ଛଡ଼ା, ଆଉ କିଛି କରିବାର ନ ଥାଏ । ଆଜି ଏତେଦିନ ପରେ ଚିଠିର ଉତ୍ତର ଆସିଛି ଚାକିରି ହେବ, ଦରମା ଚାଳିଶି ଟଙ୍କା । ଦରିଆରେ ଭାସିବାବେଳେ କୁଟା ଖଣ୍ଡିଏ ଅତି ବିରାଟ ନୌକା ପରି ମନେହୁଏ । ଏହା କ’ଣ କମ୍‌ ସୌଭାଗ୍ୟ ? କିନ୍ତୁ ଘରେ କେହି ପୁରୁଷ ନାହାନ୍ତି, ଦାୟିତ୍ଵ କାହାକୁ ଦେଇ ଯିବେ, ଏହି ଚିନ୍ତା ଘାରିଲା । ବୋଉଙ୍କୁ ଡାକି କହିଲେ– ‘‘ବୋଉ,ଏତେ ଦିନ ପରେ ଚାକିରି ଖଣ୍ଡିଏ ମିଳିଛି, ମାତ୍ର ଘରେ କିଏ ରହିବ ?’’

 

ବୋଉ କହିଲେ–

 

‘‘ନଗଲେ କଣ ଆଉ ଚଳିବ ଧନ, ଘର ମୁଁ ସମ୍ଭାଳି ରଖିଥିବି ।’’

 

ଏହି ପଦକ ସେ ବୋଉଙ୍କଠାରୁ ଆଶା କରିଥିଲେ । ହାତର ଶେଷ ସମ୍ବଳ ବିବାହ ମୁଦିଟା ବିକି କୋଡ଼ିଏଟା ଟଙ୍କା ଆଣିଲେ । ବହୁତ ଧାର ଉଧାର ହୋଇ ଯାଇଛି । ଆଶା, କିଛି ଗୋଟାଏ ସୁରାହା ମିଳିଲେ ଶୁଝିଦେବେ ।

 

ଘରକୁ ଆଠ ଟଙ୍କା ଦେଇ ବାକି ଟଙ୍କା ଧରି ଛତ୍ରପୁର ବାହାରିଲେ ରେଳ ଚଢ଼ି । କେତେ ଚିନ୍ତା ମନକୁ ଘାରୁଥାଏ ତାର ଇୟତ୍ତା ନାହିଁ ।

 

ଶେଷରେ ଛତ୍ରପୁରରେ ପହଞ୍ଚି ଅଖିଆ ଅପିଆ ଚାଲିଲେ ଅନ୍‌ସ୍ଲୋ ସ୍କୁଲକୁ । ସ୍କୁଲର ସର୍ବୋଚ୍ଚ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କଲେ । ମାନ୍ଦ୍ରାଜୀ ହେଡ଼ମାଷ୍ଟ୍ର ବେଙ୍କଟରମଣ ଅବିନାଶଙ୍କ ବୁଦ୍ଧିଦୀପ୍ତ ମୁଖମଣ୍ଡଳ, ପରିପୂର୍ଣ୍ଣ ସ୍ଵାସ୍ଥ୍ୟ, ସର୍ବୋପରି ଆୟତନେତ୍ର ଦେଖି ମୁଗ୍‌ଧ ହେଲେ । ବିନା ଡିଗ୍ରୀରେ ସଂସ୍କୃତ ଶିକ୍ଷକର ଯୋଗ୍ୟତା ପାଇଲେ ଅବିନାଶ ମିଶ୍ର । ସେହିଦିନଠାରୁ ସେ ହେଲେ ସମସ୍ତଙ୍କର ‘ପଣ୍ଡିତଜୀ’ ।

 

ସ୍କୁଲ ହଷ୍ଟେଲରେ ଗୋଟିଏ ବଖରା ଦେଲେ ହେଡ଼ମାଷ୍ଟ୍ରେ ଦୟା ପରବଶ ହୋଇ । ଏହା ପରେ କର୍ତ୍ତବ୍ୟ ହେଲା ପ୍ରତି ମାସକୁ ଥରେ ଗାଁକୁ ଯାଇ ଟଙ୍କା ଦେବା ଓ ଘର କଥା ବୁଝିବା । ମନିଅର୍ଡ଼ର କଲେ ପଇସା ଖର୍ଚ୍ଚ ହେବ ଭାବି ଅବିନାଶ ଏହି ଉପାୟ ସ୍ଥିର କଲେ । ନିଜେ ପେଟପୂରା ନ ଖାଇ ଟଙ୍କାତକ ସାଇତି ରଖନ୍ତି ଘର ପାଇଁ ।

 

ଅବିନାଶ ଅନୁଷ୍ଠାନକୁ ପ୍ରାଣଦେଇ ଗଢ଼ିବାକୁ ଲାଗିଲେ । ଶିକ୍ଷାଦାନ ପରି ଆଦର୍ଶ କର୍ମ ପାଇଁ ସେ ସ୍ଫୀତ ହୋଇ ଉଠିଲେ । କ୍ରମେ କ୍ରମେ ସ୍କୁଲରେ ତାଙ୍କର ପ୍ରତିପତ୍ତି ବଢ଼ିଲା । ସେ ମଧ୍ୟରେ କେତେକ ତାଙ୍କ ପ୍ରତିପତ୍ତି ସହି ନ ପାରି ଶତ୍ରୁତା କଲେ । କେତେ ବେନାମି ଚିଠି ହେଡ଼ମାଷ୍ଟ୍ରଙ୍କ ନାଁଆରେ ଆସିଲା ; କିନ୍ତୁ ବେଙ୍କଟରମଣ ଥିଲେ ଅଟଳ ଓ ଅଚଳ ।

 

ବର୍ଷଟିଏ ପୂରିବାକୁ ବାକି ଅଛି ଛଅ ଦିନ, ହଠାତ୍‌ ସ୍କୁଲରେ ଦିନେ ଚହଳ ପଡ଼ିଲା –ଆଜି ଇନ୍‌ସପେକ୍ଟର ଆସିବେ ସ୍କୁଲ ପରିଦର୍ଶନ କରିବାକୁ । ଏତେ ଶୀଘ୍ର ହଠାତ୍‌ ପୁଣି ଥରେ ପରିଦର୍ଶନର କାରଣ କେହି ବୁଝୁ ନ ବୁଝୁ ବେଙ୍କଟରମଣ ବୁଝି ପାରିଲେ । ଏକାନ୍ତରେ ଅବିନାଶକୁ ଡାକି କହିଲେ–

 

‘ଦେଖ ପଣ୍ଡିତଜୀ, ଇନ୍‌ସପେକ୍ଟରଙ୍କ ପାଖକୁ କିଏ ବେନାମି ଚିଠି ପଠାଇ ତୁମ ବିଷୟ ବୁଝିବାକୁ ଡକାଇଛି । ତୁମେ ଦୁଇ ଦିନ ଛୁଟିନେଇ ଚାଲିଯାଅ । ମୁଁ ଅବସ୍ଥା ସମ୍ଭାଳି ନେବି । ପରେ ଆସି ପୁଣି କାମରେ ଲାଗିବ ।

 

ଅବିନାଶ ହେଡ଼ମାଷ୍ଟ୍ରଙ୍କ ଭୟର କାରଣ ବୁଝିପାରି ଅଳ୍ପ ହସି କହିଲେ–

 

‘‘ମୁଁ ଭୀରୁ ନୁହେଁ । ଅନୀତି ଆଚରଣ ମୁଁ କରିବି ନାହିଁ । ଆପଣଙ୍କ ଦୟା ମୋର ଚିରଦିନ ମନେ ରହିବ । ଯାହା ହେବାର ମୁଁ ନିଜେ ସହିବି ।’’

 

ବେଙ୍କଟରମଣ ଆଶ୍ଚର୍ଯ୍ୟ ହେଲେ ଅବିନାଶଙ୍କ ନିଶ୍ଚଳ ମୂର୍ତ୍ତି ଦେଖି । ସତ୍ୟକୁ ପ୍ରତିପାଦନ କରିବାପାଇଁ ଦରିଦ୍ର ବ୍ରାହ୍ମଣ ଯୁବକର ସାହସରେ ସେ ହେଲେ ଉତ୍‌ଫୁଲ୍ଲ । ବୃଦ୍ଧ ଆନନ୍ଦର ଆତିଶଯ୍ୟ ହେତୁ କୁଣ୍ଡାଇ ପକାଇଲେ ଅବିନାଶଙ୍କୁ । ଗଦ୍‌ ଗଦ୍‌ କଣ୍ଠରେ କହିଲେ–

 

‘‘ତୁମକୁ ଚାକିରିର ମୋହ ବିବଶ କରିନି ଦେଖି ମୁଁ ପ୍ରୀତ ହେଲି । ଯାହା ଚିରନ୍ତନ, ଯାହା ଅକ୍ଷୟ, ଈଶ୍ଵର ତମକୁ ସେଥିରେ ହିଁ ବିଭଳଶାଳୀ କରିଛି । ସାମାନ୍ୟ ଧନ ଲୋଭ ତୁମର ହେବ କିପରି ? ଈଶ୍ଵର ତୁମର ସହାୟ ହୁଅନ୍ତୁ, ପଣ୍ଡିତଜୀ !’’

 

ଇନ୍‌ସପେକ୍ଟର ସାହେବ ଆସିଲେ । କେତେ ତର୍କ ବିତର୍କ ପରେ ସ୍ଥିର ହେଲା ଅବିନାଶଙ୍କର ଡିଗ୍ରୀ ନାହିଁ, ତେଣୁ ସେ ଏ ସ୍କୁଲରେ ରହିପାରିବେ ନାହିଁ, ବରଂ ଯେତେଦିନ ରହି ବେତନ ନେଇଛନ୍ତି, ତାହା ଫେରାଇ ଦେବେ । ଏ ସମ୍ବାଦ ଶୁଣି ସ୍କୁଲର ଛାତ୍ର ହେଲେ ସ୍ତବଧ୍‌ । ତାଙ୍କ ପ୍ରିୟ ପଣ୍ଡିତଜୀ ଚାଲିଯିବେ ଏହା ଯେପରି ସ୍ଵାପ୍ନାତୀତ, ସେହିପରି ହୃଦୟ ବିଦାରକ । ବହୁ ସହକର୍ମୀ ହେଲେ ଦୁଃଖିତ ବାକି ସେ କେତେଜଣ ତାଙ୍କ ନୀଚବୃତ୍ତିକୁ ଚରିତାର୍ଥ କଲେ, ଅବିନାଶଙ୍କ ଚରମ କ୍ଷତି କରି, ସେମାନେ ଉଲ୍ଲସିତ ହେଲେ ।

 

ଛତ୍ରପୁରରୁ ଛଳଛଳ ଆଖିରେ ବିଦାୟ ନେଇ ଆସିଲେ ଅବିନାଶ । ଦୁଃଖ ତାଙ୍କର ଚାକିରି ଗଲା ବୋଲି ନୁହେଁ, ଯେଉଁ ଅବୋଧ ବାଳକଙ୍କୁ ନିଜ ଆଦର୍ଶରେ ମନୁଷ୍ୟ କରି ଗଢ଼ି ତୋଳିବାର ଭାର ନେଇଥିଲେ, ତାଙ୍କୁ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି । ଗୁରୁର ଗୌରବ ତାଙ୍କର ଅକ୍ଷୁର୍ଣ୍ଣ ରହିଲା । ଛାତ୍ରମାନେ କାନ୍ଦି କାନ୍ଦି ଷ୍ଟେସନରୁ ବିଦାୟ ନେଲେ । ଭଗ୍ନ ହୃଦୟ ଧରି ଫେରିଲା ଅବିନାଶ । ପୁଣି ସେହି ଦାରିଦ୍ର୍ୟର ପୁନରାବୃତ୍ତି ଘଟିଲା ।

 

ଫେରିବାପରେ କିଛିଦିନ କୋଡ଼ି କାଙ୍କ ଧରି କଠିନ ପରିଶ୍ରମରେ କଟିଗଲା । ସମୟ ପାଇଲେ ଚାକିରିର ଚେଷ୍ଟା ଓ ପଠନରେ ନିରତ ରହନ୍ତି ସେ । ଭାଗ୍ୟଟା ତାଙ୍କର ଏପରି ଯେ, ଯେଉଁ ଡାଳ ଧରୁଛନ୍ତି, ସେହି ଡାଳ ଭାଙ୍ଗୁଛି । କେତେଟା ମାସ ପଢ଼ିଥିଲେ ପରୀକ୍ଷାଟା ଦେଇ ଡିଗ୍ରୀଟାଏ ପାଇଥାନ୍ତେ, ବିଧାତା ସେଥିରେ ବାଦ ସାଧିଲା ! ଡିଗ୍ରୀର ମୂଲ୍ୟ ଆଜିକାଲି ଦୁନିଆରେ ଅଧିକ–ମନୁଷ୍ୟତା, ସତ୍ୟନିଷ୍ଠା ଓ ପାଣ୍ଡିତ୍ୟଠାରୁ । ତେଣୁ ଅସଂଖ୍ୟ ଡିଗ୍ରୀହୀନ ଅବିନାଶ ଦୁଃଖ ଦାରିଦ୍ର୍ୟରେ ସଢ଼ିବାକୁ ବାଧ୍ୟ ହେଉଛନ୍ତି ।

 

ବହୁ ଚେଷ୍ଟାକରି ଶେଷରେ କଲିକତାରେ ଗୋଟିଏ ପ୍ରେସରେ ଖଣ୍ଡିଏ ଚାକିରି ପାଇ ଅବିନାଶ ସେଠାକୁ ଗଲେ । ମହରଗରୁ ଯାଇ କାନ୍ତାରରେ ପଡ଼ିଲାପରି ସେଠାରେ ଅଭାବର ସମ୍ମୁଖୀନ ହେଲେ । ବନ୍ଧୁହୀନ ଅବିନାଶ ପ୍ରେସରେ ‘ଓଭରଟାଇମ’ କାମ କରି ଟଙ୍କା ପଠାଇଲେ ଘରକୁ । ଏ ମଧ୍ୟରେ ପରିବାରର ଲୋକସଂଖ୍ୟା ଛ’ଅରୁ ନ’ଅ ହୋଇ ସାରିଛି । ମାତା ବୃଦ୍ଧା, ତେଣୁ ଚାକର ଓ ପାଚକ ଯୋଗାଇବାକୁ ହୋଇଛି । ସମ୍ପତ୍ତି ବୋଲି ବର୍ଷକ ଖାଇବା ଭଳି ଜମି କରିଛନ୍ତି ।

 

ପ୍ରେସର ମାଲିକ ଗୁପ୍ତବାବୁ ଉତ୍ତମ ଲୋକ; କିନ୍ତୁ ତାଙ୍କ ତଳିଆ ମଲ୍ଲିକବାବୁ ଓ ଘୋଷବାବୁ ଅବିନାଶଙ୍କୁ ଶନି ଓ ରାହୁ ଦୃଷ୍ଟିରେ ଦେଖୁଥାନ୍ତି । କାରଣ ସେ ଗୁପ୍ତବାବୁଙ୍କର ପ୍ରିୟପାତ୍ର ହୋଇଥାନ୍ତି ଅଳ୍ପଦିନ ଭିତରେ । ଏ ଅବସ୍ଥା ମଧ୍ୟ ବେଶିଦିନ ରହିଲା ନାହିଁ ।

 

ଦିନ ଗୋଟାଏ ବହି ଛପାଇବାକୁ ମଲ୍ଲିକବାବୁ ଆସି କହିଲେ –‘‘ଏଟା ଛପାଇ ଦେବେ ଆଜି ସନ୍ଧ୍ୟାକୁ ।’’

 

ଅବିନାଶ ବହି ମାଗିନେଲେ ପଢ଼ିବାକୁ ‘ହଁ’ କହି । ମାତ୍ର ପଢ଼ି ଦେଖିଲେ ପ୍ରେସର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ହେଲେ, ତାହା ଛପା ହେବା ଅସମ୍ଭବ । ସନ୍ଧ୍ୟାରେ ସେ ଘୋଷକୁ ପରିଷ୍କାର ନାହିଁ କରିଦେଲେ ।

 

ଘୋଷ ଏଥିରେ ଖୁବ୍‌ ରାଗିଗଲେ । ବ୍ୟଙ୍ଗ କରି କହିଲେ ବେଶିଦିନ ରହିବାକୁ ଇଚ୍ଛା ଅଛି ତ ଆମ ସାଙ୍ଗରେ ହାତ ମିଳାନ୍ତୁ, ନ ହେଲେ ପେଡ଼ି ପେଟରା ବାନ୍ଧନ୍ତୁ ।’’

 

ସେହି ରାତିରେ ଗୁପ୍ତବାବୁଙ୍କୁ ସେ କି ଗୁପ୍ତ ମନ୍ତ୍ରଣା ଦେଲେ କେଜାଣି, ପରଦିନ ସକାଳେ ଗୁପ୍ତବାବୁ ବ୍ୟଥିତ କଣ୍ଠରେ କହିଲେ–

 

‘‘କ୍ଷମା କରିବେ ଅବିନାଶବାବୁ, ମୁଁ ନାଚାର ।’’

 

ଅବିନାଶ ସବୁ ବୁଝିପାରିଲେ । ବିଧାତାର ଇଙ୍ଗିତ ତାକୁ କୁଆଡ଼େ ନେଉଛି କେଜାଣି । ଅବିନାଶ ପୁଣି ଫେରି ଆସିଲେ ନିଜର ଜନ୍ମଭୂମିକୁ । ପୂର୍ବ ଅପେକ୍ଷା ଘରର ଅବସ୍ଥା ଟିକିଏ ସ୍ୱଚ୍ଛଳ ହୋଇଯାଇଛି । ଋଣମୁକ୍ତ ହୋଇ ସାରିଛନ୍ତି, କନ୍ୟାଦାୟରୁ ମୁକ୍ତି ପାଇଛନ୍ତି; ତଥାପି କର୍ତ୍ତବ୍ୟ ଧରିଛି ତାଙ୍କୁ ଅକ୍ଟୋପୋଷ୍‌ ପରି ଚାରିଆଡ଼ୁ । ପୁଅଙ୍କ ପ୍ରତି କର୍ତ୍ତବ୍ୟ ସରି ନାହିଁ, ଏବେ ସେମାନେ ପାଠ ପଢ଼ୁଛନ୍ତି ।

 

ବେଳେବେଳେ ଅବିନାଶଙ୍କର ସଂସାର ପ୍ରତି ବିତୃଷ୍ଣା ଆସୁଛି । ଜୀବନର ମୂଲ୍ୟ, ମନୁଷ୍ୟର ମୂଲ୍ୟ ଆଜିର ଏ ଦୁନିଆ ବୁଝେନି । ଜାଲ, ଜୁଆଚୋରି, ବ୍ୟଭିଚାରରେ ପରିପୂର୍ଣ୍ଣ ଏ ସଂସାର ତାଙ୍କୁ ବିଷବତ୍‌ ଲାଗୁଛି ।

 

ଏ ଦ୍ଵନ୍ଦ୍ୱରେ ଥିବାବେଳେ ସେ ଗୋଟିଏ ମଠରେ ନିମନ୍ତ୍ରଣରେ ଗଲେ କାଶୀ । ସେଠାରେ ସତ୍‌ସଙ୍ଗ, ବେଦ–ଚର୍ଚ୍ଚା ତାଙ୍କ ମନରେ ଦେଲା ଅପାର ଆନନ୍ଦ । କେତେଦିନ ସେଠାରେ ରହିବା ପରେ ଅବିନାଶଙ୍କର ଝୁଙ୍କ ସେ ଆଡ଼କୁ ବଢ଼ିଲା; କିନ୍ତୁ ସଂସାର ତାଙ୍କୁ ମୁକ୍ତି ଦେଉନି ସହଜେ-। ମଝିରେ ମଝିରେ କାଶୀ ଯାଇ ସେଠାରେ କିଛିଦିନ ଅବସ୍ଥାନ କରି, ମନ ସତେଜ କରି ଫେରନ୍ତି-

 

ମଠାଧୀଶ ସ୍ଵାମୀଜୀ ଅବିନାଶଙ୍କ ହୃଦୟର ଜ୍ଞାନ ଗାରିମାର ପରିଚୟ ପାଇ, ତାଙ୍କୁ ନିଜର ପଟ୍ଟ-ଶିଷ୍ୟ ରୂପେ ଗ୍ରହଣ କଲେ । ମଠର ଉନ୍ନତି କଳ୍ପେ ସ୍ଵାମୀଜୀଙ୍କ ସହ ଅବିନାଶ ଭାରତ ପର୍ଯ୍ୟଟନରେ ବାହାରିଲେ ପରିବାରର ଅନୁମତି ନେଇ ।

 

ପର୍ଯ୍ୟଟନରୁ ଫେରି ଅବିନାଶ ଆସିଲେ ଗ୍ରାମକୁ ମାତୃ–ପଦବନ୍ଦନା କରିବାକୁ । ମା ସେତେବେଳକୁ ଅନ୍ତିମ-ଶଯ୍ୟାରେ । ସତେ ଯେପରି ଅବିନାଶଙ୍କୁ ଦେଖିବା ଲାଗି ତାଙ୍କ ପ୍ରାଣ ଅପେକ୍ଷା କରି ରହିଥିଲା । ଅବିନାଶ ଫେରିବାର ଦୁଇଦିନ ପରେ ଦୁର୍ଗାବତୀ ପରିବାରକୁ ଶୋକ ସାଗରରେ ଭସାଇ ସଂସାରରୁ ବିଦାୟ ନେଲେ । ଶୁଦ୍ଧାଦି ସାରି ଅବିନାଶ ଗୃହ ସଂସ୍କାରରେ ଲାଗିଲେ ।

 

ସଂସାର ବନ୍ଧନ ତାଙ୍କର କ୍ଷୀଣ ହୋଇ ଆସିଥିଲା । ଏ ମଧ୍ୟରେ ବଡ଼ପୁଅ ମାଟ୍ରିକ ପାସ୍‌କରି ଡାକ୍ତରି ପଢ଼ୁଛି । ସାନ ପଢ଼ିଲା ବିଜ୍ଞାନ । ବିଷୟ ସମ୍ପତ୍ତି ସବୁ ସ୍ତ୍ରୀ ଓ ପୁଅଙ୍କ ନାମରେ ଲେଖି ଦେଇ ସେ ହେଲେ ନିଃସ୍ଵ ଓ ଋଣମୁକ୍ତ । ଶାଶୁଙ୍କ ମୃତ୍ୟୁପରେ ଅଞ୍ଜଳି ନିଜ ସଂସାରକୁ ଆରେଇ ନେଲେଣି, ସ୍ଵାମୀଙ୍କ ବୈରାଗ୍ୟ ଭାବ ଲକ୍ଷ୍ୟ କରି ।

 

ଅବିନାଶ ନିଜକୁ ସଂସାରରେ ବିନାଶ ନ କରି ଆଧ୍ୟାତ୍ମିକ ମାର୍ଗରେ ଆଗେଇ ନେବାକୁ ସ୍ଥିରକଲେ । ଦେଶ ଓ ଜାତିର ଉପକାରାର୍ଥେ ଲେଖିଲେ ବହି । ଦେଶର ଅଧୋଗତିରେ ତାଙ୍କ ପ୍ରାଣ କାନ୍ଦି ଉଠିଲା ସତ୍ୟ, କିନ୍ତୁ ପ୍ରତିକାରପାଇଁ ହାତରେ ନାହିଁ କ୍ଷମତା ବା ଅସ୍ତ୍ର ।

 

ଏହିପରି ସମୟରେ ଦିନେ ହଠାତ୍‌ ସ୍ଵାମୀଜୀଙ୍କଠାରୁ ଆସିଲା ଡାକରା । ତାଙ୍କ ଡକରା ପାଇଁ ସେ ପ୍ରସ୍ତୁତ ଥିଲେ । ସଂସାର କ୍ଷେତ୍ରରୁ ବିଦାୟ ନେଇ ସେ ଗଲେ ମହତ୍ତର ସଂସାରକୁ । ସ୍ଵାମୀଜୀ ତାଙ୍କୁ ପାଇଲେ ନିଜର କରି । ଅବିନାଶଙ୍କୁ ମଠାଧୀଶ କରି ସେ ଦେହତ୍ୟାଗ କଲାବେଳେ କହିଗଲେ–

 

‘‘ଅବିନାଶ ସଂସାରରେ ତୁମେ ବିନାଶ ହେବାକୁ ଆସି ନାହଁ, ତୁମର ବିନାଶ ନାହିଁ । ନାମର ସାର୍ଥକତା ବଜାୟ ରଖି ତୁମେ ଦେଶବାସୀଙ୍କୁ ଜଗାଅ, ସ୍ପନ୍ଦନ ଖେଳାଅ ପ୍ରତି ହୃଦୟରେ । ଦେଶକୁ ଏ ଦୁର୍ଦ୍ଦିନରୁ ଫେରାଇ ଆଣ ସୁଦିନକୁ । ଯାଅ ଅବିନାଶ ପ୍ରଚାରରେ ଯାଅ–ତୁମ ଚେଷ୍ଟାରେ, ତୁମ ସାଧନାରେ ଦେଶର ପ୍ରତ୍ୟେକ କୋଣରେ ଗୁଞ୍ଜରି ଉଠୁ ସମବେତ କଣ୍ଠସ୍ଵର – ଅସତୋ ମା ସଦ୍‌ଗମୟ, ତମସୋ ମା ଜୋତିର୍ଗମୟ ।’’

 

ସ୍ଵାମୀଜୀଙ୍କ କଣ୍ଠ କ୍ଷୀଣରୁ କ୍ଷୀଣତର ହୋଇ ଆକାଶରେ ମିଳାଇଗଲା । ସ୍ଥାଣୁପରି ବସି ରହିଲେ ଅବିନାଶ । ଆଧୁନିକ ସଂସାର, ତାଙ୍କୁ ଡିଗ୍ରୀହୀନ ବୋଲି ଗ୍ରାସାଚ୍ଛାଦନ ଦେଇ ନ ଥିଲା; କିନ୍ତୁ ମହତ୍ତର ସଂସାର ତାଙ୍କୁ ଦେଇଗଲା, ଆଧ୍ୟାତ୍ମିକ ଅଧିକାର ଓ ପ୍ରତିଷ୍ଠା ।

Image

 

ଚରମ ସନ୍ଧ୍ୟା

 

ସପନା ଫେରିଆସେ ଠିକ୍‌ ଏକ ଗତାନୁଗତିକ ଧାରାରେ, ପ୍ରତିବର୍ଷ ଦୁନିଆକୁ ଯେପରି ଫେରି ଆସେ ବସନ୍ତ, ପୃଥିବୀର ଗତି ସହିତ ପଦ ମିଳାଇ । ମିଲ୍‌ର ଶେଷ ହୁଙ୍କାରର ପ୍ରଚଣ୍ଡ ଶବ୍ଦ ଆକାଶର ବାୟୁରେ ମିଳାଇ ଯିବାର କେତୋଟି ମୁହୂର୍ତ୍ତମାତ୍ର, ମାତ୍ର ସେତେବେଳକୁ ଅତିକ୍ରାନ୍ତ ହୋଇଥାଏ । ସନ୍ଧ୍ୟାର ଆଗମନୀ ବାର୍ତ୍ତା ଶୁଣାଉଥାଏ ପଶ୍ଚିମ ଆକାଶ, ବିଚିତ୍ର ରଙ୍ଗରେ ରଞ୍ଜିତ ହୋଇ । ଅଦୂରବର୍ତ୍ତୀ ପର୍ବତମାଳା ଏକ ଅପୂର୍ବ ରୂପ ନେଇଥାଏ । ଶିଶୁ ମେଘଖଣ୍ଡଗୁଡ଼ିକ ଆକାଶ ସମୁଦ୍ରରେ ଇତସ୍ତତଃ ସଞ୍ଚରଣ କରୁଥାନ୍ତି । ଦିବସର ଶ୍ରମକ୍ଳାନ୍ତ ବିହଗୀ କେତୋଟି ଆହାର ସଂଗ୍ରହ ପରେ ମୁକ୍ତ ଆକାଶରେ ନିଜ ନିଜ ଶାବକ ନିକଟକୁ ଫେରୁଥାନ୍ତି, ଅନନ୍ତ ଗଗନକୁ କାକଳିରେ ମୁଖରିତ କରି । ଦିନସାରା ଦୈହିକ ଓ ମାନସିକ ପରିଶ୍ରମ ପରେ ଶ୍ରମିକମାନେ ଶାନ୍ତ, ନିରୀହ ଶ୍ରମିକବସ୍ତିଟିକୁ ଫେରୁଥାନ୍ତି ।

 

ସପନା ଶ୍ରମିକବସ୍ତିର ଜଣେ ବାସିନ୍ଦା ଓ ଶ୍ରମିକ ସଂଗଠନର ଜନୈକ ସଭ୍ୟ । କର୍ମକ୍ଷେତ୍ରର କଠିନ ପରିଶ୍ରମରୁ ଅବ୍ୟାହତି ମିଳିଥିବା ଏହି କେତୋଟି ମୁହୂର୍ତ୍ତ ଓ ରାତ୍ରିଟି ହୋଇପଡ଼େ ତା ପାଇଁ ସ୍ଵପ୍ନିଳ । ବହୁଦିନ ତଳୁ ଦୁନିଆର ସମସ୍ତ ସମ୍ପର୍କ ତାର ତୁଟିଯାଇଛି । ପିତାମାତା ତାର ଇହଧାମ ତ୍ୟାଗ କରିଛନ୍ତି ସେତେବେଳେ, ସେ ଯେବେ ଥିଲା ନିତାନ୍ତ ଶିଶୁ । ତାପରେ ତାର ଯତ୍ନ ନେବାକୁ କେହି କେବେ ଇଚ୍ଛା କରି ନାହାନ୍ତି, ସେ ହୋଇଛି ଘୃଣିତ, ଲାଞ୍ଛିତ ଓ ଅବହେଳିତ । ଦୁନିଆରେ ସମାନ ଭାବରେ ବଞ୍ଚି ରହିବାର ଅଧିକାର ତାର ମିଳାଇ ଯାଇଛି ସେହିଦିନଠାରୁ କଂସାଏ ପାଣିରେ ପଗଡ଼େ ଲୁଣ ପରି । ସମାଜର ଘୃଣା ଓ ଉପହାସରେ ହିଁ ବର୍ଦ୍ଧିତ ହୋଇଛି ତାର ବର୍ତ୍ତମାନର ଯୁବକ ଅବୟବ । ସଂସାର ପରିବର୍ତ୍ତନଶୀଳ । ଏହି ପରିବର୍ତ୍ତନ ରୀତିରେ ତା ଜୀବନରେ ଆସିଛି ଏକ ନୂତନ ଅନୁଭୂତି । ସେ ବର୍ତ୍ତମାନ କର୍ମଠ, ଆତ୍ମନିର୍ଭରଶୀଳ, ତାର ରୂପାନ୍ତର ଘଟିଛି ଜଣେ ଖୁବ୍‌ ଭଲ ସଂଗଠକ ରୂପେ ।

 

ସମାଜର ତୀବ୍ର ଘୃଣା ଓ ଉପହାସ ଆଉ ଏଣିକି ତା ମସ୍ତକ ଉପରେ ଲଦା ହେଉନାହିଁ । ସେହି ମିଲ୍‌ରେ ଯେତେ ଶ୍ରମିକା କାର୍ଯ୍ୟ କରନ୍ତି, ସାବି ସେ ମଧ୍ୟରେ ଜଣେ । ସପନା ଫେରୁଥିଲା ବସ୍ତିକୁ, ବାଟରେ ଦେଖା ହେଲା ସାବି ସହିତ ହଠାତ୍‌ । ପ୍ରଥମ ଦେଖାରେ ଚାରି ଆଖି ମିଳିଗଲା, ମୁହୂର୍ତ୍ତକ ପାଇଁ ବାଟଚଲା ଦୁହିଁଙ୍କର ବନ୍ଦ ହୋଇଗଲା; ଏତିକି ଭିତରେ ଆଖି ଅପଲକ ରହି ନିଜର ଭାଷା ବ୍ୟକ୍ତ କରିଗଲା । ଦୁହେଁ ଦୁହିଁଙ୍କର ଅତି ଆପଣାର ହୋଇଗଲେ ଗୋଟାଏ ଶୁଭ ଲଗ୍ନରେ ମାତ୍ର ମୁହୂର୍ତ୍ତକ ମଧ୍ୟରେ । ସତେ ଯେପରି ସାଗର ବକ୍ଷରେ ଲମ୍ଫ ଦେବାକୁ ନ ଧାଇଁ ଆସିଥିଲା ଏବଂ ସମୁଦ୍ର ତରଙ୍ଗ ସଂପ୍ରସାରିତ କରିବା ଅପେକ୍ଷା କରି ରହିଥିଲା ମୃଦୁବାହିନୀ କଲ୍ଲୋଳିନୀ ତଟିନୀକୁ ନିବିଡ଼ ବାହୁପାଶରେ ବାନ୍ଧି ରଖିବାକୁ ।

 

ସାବି ତା ପରଠାରୁ ସପନା ସହ କାମ କରିବାକୁ ଲାଗିଲା ଏକାଠି, ଯଦିଓ ଏଥିପାଇଁ ତାକୁ ବହୁ କଟୁକଥା ଶୁଣିବାକୁ ଏବଂ ହଜମ କରିବାକୁ ପଡ଼ିଛି । ସାବି ଯେତେବେଳେ ସପନାକୁ ସାହାଯ୍ୟ କରେ, ନିଜର କାର୍ଯ୍ୟ ସମାପନ କରିବାରେ ସପନା କର୍ମତତ୍ପର, କାର୍ଯ୍ୟକୁଶଳ ହୁଏ । ସାବିର ସଦ୍ୟ ପ୍ରସ୍ଫୁଟିତ ଗୋଲାପି ମୁହଁରୁ ଝରିପଡ଼େ ଅମୃତର ଧାରା । ଜବାକୁସୁମ ଅଧରରେ ତାର ସତେ ଯେପରି ପାନଖିଆ ଲୋକର ଓଠରେ ବୋଳ ପରି ହସଟା ଲାଗି ରହିଥାଏ । ସେ ଅମୃତ, ଜିହ୍ଵାର ଉପଭୋଗ୍ୟ ନୁହେଁ, ସେଥିରେ ଦର୍ଶନେନ୍ଦ୍ରିୟର ଅଧିକାର । ସେ ଅମୃତ ତାଳିଦିଏ ହୃଦୟରେ ଏକ ନୂତନ ଅନୁଭୂତି, ଭରିଦିଏ ଏକ ନୂତନ ଉନ୍ମାଦନା । ନବପ୍ରେରଣାରେ ସପନା ହୋଇଉଠେ ପ୍ରଣୋଦିତ, ଜାଗ୍ରତ ହୋଇଉଠେ ତାର ମାଂସପେଶୀ ସକଳରେ ପୌରୁଷ ଓ ସୁପ୍ତ ଶକ୍ତି । ସ୍ଵେଦ ବିନ୍ଦୁ ତାର କପୋଳ ସିକ୍ତ କରେ, ସାବିର କୋମଳ ସ୍ପର୍ଶ ପାଇବା ପାଇଁ । ସାବି ପାଖରେ ଥିବା ବେଳେ ନିଜ ପଣତରେ ସ୍ଵେଦ ବିନ୍ଦୁଗୁଡ଼ିକ ପୋଛି ଦିଏ, କେହି ନ ଦେଖିଲା ପରି । ସାବିର କୋମଳ ମାଂସପେଶୀଗୁଡ଼ିକ ପରିଶ୍ରମର ତୀବ୍ର ତାଡ଼ନାରେ ସୁଗଠିତ ହୋଇଥାଏ । ତାର ଗୌର ତନୁକାନ୍ତିକୁ ଦେଖି ସପନା ମତୁଆଳ ପରି ହୁଏ । ଏଭଳି ଏକ ପରିସ୍ଥିତିରେ ସମଗ୍ର ପରିଶ୍ରମର କଷ୍ଟ ଦୁହେଁ କ୍ଷଣକେ ଭୁଲିଯାନ୍ତି ।

 

ସପନାର ବିଶାଳ ବକ୍ଷରେ ମନ୍ଦାଏ କଳାଜାଇ ପରି, ତାର ଆଜାନୁଲମ୍ବିତ ବାହୁ ମଧ୍ୟରେ ଛନ୍ଦା ହେଲା ପରି, ତାର ପ୍ରଶାନ୍ତ ଉଜ୍ଜ୍ୱଳ ମୁଖମଣ୍ଡଳରେ ଭସାଣିଆ ଆଖି ଦୁଇଟିରେ ଲାଖିଗଲା ପରି; ତାର ଗମ୍ଭୀରତାର ଗଭୀରତାରେ ବୁଡ଼ିଗଲା ପରି ସାବି ନିମଗ୍ନ ହୋଇଥିଲା । ତା’ପାରିବାର ପଣିଆ ଓ ପୌରୁଷ ଚୁମ୍ବକ ପରି ସାବି ରୂପକ ଲୁହା ଖାଡ଼ିଟାକୁ ଟାଣି ଧରିଥିଲା ଖୁବ୍‌ ଜୋରରେ । ସାବି ଫିଟି ଯିବାର ଉପାୟ ନ ଥିଲା, କି ମନ ନ ଥିଲା । ସାବି ବିଗତ ଜୀବନରେ ନିଜକୁ ସଙ୍କୁଚିତ କରି ରଖିଥିଲା ଯେପରି, ସେପରି ସପନା ନିକଟରେ ନିଜକୁ ସଂପ୍ରସାରଣ କରି ଆନନ୍ଦରେ ଅଭିଭୂତା ହୋଇପଡ଼ିଲା । ସପନାକୁ କାୟମନୋବାକ୍ୟରେ ପ୍ରାଣଦେବତା ମନେ କରି ନୀଡ଼–ରଚନା କରିବା ଚିନ୍ତା ତା ମନରେ ପ୍ରବେଶ କରିଯାଇଥାଏ । ସପନାର ସ୍ପର୍ଶ ପାଇଁ ପାଗଳ ହେଉଥାଏ ସତ୍ୟ, ମାତ୍ର ପାରିପାର୍ଶ୍ୱିକ ପରିସ୍ଥିତି ଦୃଷ୍ଟିରୁ ନୀରବ ରହି ହୃଦୟର ଭାବକୁ ଆଖିରେ ଝରାଇ ରୂପ ଦିଏ । ଏପରି କରିବାବେଳେ ଛାତି ଥରିଉଠେ, ଘନ ଘନ ନିଶ୍ଵାସ ବହେ, ଆଖି ବିଷ୍ଫାରିତ ହୋଇଯାଏ । ଧାରା ଝରିପଡ଼େ ନୀରବରେ; କିନ୍ତୁ ସାବି ସେ ଧାରା ପୋଛି ଦେଇ ପ୍ରଣତି ଜଣାଏ ସେହି ଜଗନ୍ନାଥଙ୍କୁ ।

 

ମିଲ୍‌ର ଛୁଟି ଘଣ୍ଟା ବାଜେ । ସମସ୍ତେ ଆନନ୍ଦରେ କୋଳାହଳ କରି ଫେରନ୍ତି ନିଜ ବସ୍ତି ଆଡ଼କୁ ଶ୍ରୀନ୍ତିର କ୍ଳେଶ ଅପନୋଦନ କରିବା ଲାଗି । ଦିନସାରା ଖଟଣି ପରେ ଆରାମ ଓ ବିଶ୍ରାମର ନବ ଉନ୍ମାଦନା, ନବ ପ୍ରେରଣା ଲାଗି ସମସ୍ତେ ଉନ୍ମୁଖ ହୋଇଉଠନ୍ତି । ମାତ୍ର ସପନା ଓ ସାବିର ଆନନ୍ଦ ସରି ଆସେ ଛୁଟି ହେବା ସଙ୍ଗେ ସଙ୍ଗେ । କାର୍ଯ୍ୟ ସମାପ୍ତିର ସଙ୍କେତ ଘଣ୍ଟି ସପନା ହୃଦୟରେ ସୃଷ୍ଟି କରେ ଏକ ଗଭୀର ଶୂନ୍ୟତା, ସତେ ଯେପରି ତା କର୍ଣ୍ଣକୁହରରେ ତାହା ପ୍ରହାର କରେ ବିଶାଳ ହାତୁଡ଼ି । ସାବିର ମୁହଁ ମ୍ଳାନ ପଡ଼ିଯାଏ, ନେତ୍ର ସଜଳ ହୋଇଉଠେ । ସାବିର ଫିକା ମୁହଁକୁ ଚାହିଁ ଦେଇ ସପନା ହସି ଦିଏ ଟିକିଏ, ନିଜ ଭାବକୁ ହୃଦୟରେ ଚାପି ରଖି; କାମ ଛଳନାରେ କାନ ପାଖକୁ ମୁହଁ ଆଣି କହେ– ‘‘କିଲୋ, ଆଜି କ’ଣ ଆମେ ମରିଯିବା କି ? ପୁଣି କାଲି ସକାଳୁ ତ ଦେଖା ହେବ । ଏଥିପାଇଁ ଏତେ ଚିନ୍ତା କାହିଁକି ?’’

 

ସାବି ନିରାଶରେ ‘ହୁଁ’ ମାରେ ସତ, ମାତ୍ର ସେହି ‘ହୁଁ’ରେ ତାର ପ୍ରାଣର ଆର୍ତ୍ତନାଦ ଭରି ରହିଥାଏ । ଛଳ ଛଳ ଆଖିରେ ସେ ଯେତେବେଳେ ସପନାଠାରୁ ବିଦାୟ ନେଇ ବସେ, ସପନା ସୁଯୋଗ ଦେଖି କେବେ କିପରି ସାବି ଗାଲ ଟିକିଏ ଚିପିଦିଏ । ଦୁହେଁ ଚକୋର–ଚକୋରୀ ପରି ବିଚ୍ଛିନ୍ନ ହୋଇଯାନ୍ତି ସକାଳୁ ହେବା ପର୍ଯ୍ୟନ୍ତ । ସାବି ଚାଲିଯାଏ ତା ସାଥିମାନଙ୍କ ସାଙ୍ଗରେ ତାର ନିର୍ଦ୍ଦିଷ୍ଟ କୋଠରୀକୁ–ତାର ଭାଇ ଭଜନା ପାଖକୁ ।

 

ସେଦିନ ଥାଏ ଦୋଳ-ପୂର୍ଣ୍ଣିମା । ମିଲ୍‌ ବନ୍ଦ ହୋଇଥାଏ ଦିନକ ପାଇଁ । ଶ୍ରମିକବସ୍ତିର ସମସ୍ତେ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଥାନ୍ତି ପଞ୍ଚ ‘ମ’ କାରରେ । ଆବାଳ–ବୃଦ୍ଧ–ବନିତାଙ୍କଠାରେ ଦେଖା ଦେଇଥାଏ ଏକ ନବ ଜାଗରଣ । ଦୁଃଖ, ଦାରିଦ୍ର୍ୟର ତୀବ୍ର ଯାତନାରୁ ତ୍ରାହି ପାଇବା ପାଇଁ ନିଜକୁ ଭୁଲାଇଥାନ୍ତି ମଉଜ, ମଜଲିସ୍‌ରେ; କିନ୍ତୁ ସପନା ସମସ୍ତଙ୍କଠାରୁ ଅଲଗା ହୋଇ,ଏକାକୀ ବସି କଣ ଚିନ୍ତା କରୁଥାଏ ।

 

କେତେକାଳ ଏକା ଏକା ବସି ନିଃସଙ୍ଗତାରେ ଅତିଷ୍ଠ ହୋଇ ଉଠିଲା ସପନା, ମନ ତାର ଲୋଡ଼ି ବସିଲା ସାବିର ସାନ୍ନିଧ୍ୟ । ସାବି କଥା ଭାବିବାରେ ସପନା ପାଗଳ ହୋଇଗଲା, ଚିତ୍ତ ସିନ୍ଧୁରେ ତରଙ୍ଗ ପରେ ତରଙ୍ଗ ଖେଳିବାକୁ ଲାଗିଲା, ସିନ୍ଧୁ ଉଦ୍‌ବେଳିତ ହେଲା, ସୀମାହୀନ ହୋଇଉଠିଲା ବିବେକର ପରିସୀମା । ଅସ୍ଥିର ଭାବରେ ହଠାତ୍‌ ସକ୍ରିୟ ହୋଇଉଠିଲା ତାର ପଦଦ୍ଵୟ । ସବୁ ବାଧା ବନ୍ଧନ ଏଡ଼ିଦେଇ, ଭୟ-ଭ୍ରାନ୍ତିକୁ ପଛରେ ପକାଇ ଆଗେଇ ଚାଲିଲା ବସ୍ତିର ଶେଷତମ ସ୍ଥଳରେ ରହିଥିବା କୁଡ଼ିଆକୁ । ସାବିର ବଡ଼ଭାଇ ଭଜନା, ସପନାର ଚରମ ଓ ଏକମାତ୍ର ଶତ୍ରୁ । ସପନାକୁ ଦେଖିଲେ ଭଜନା କି ଭୟଙ୍କର ହୋଇଉଠେ, ସପନା ଜାଣେ । ଥରେ ଭଜନା, ବସ୍ତିର ଗୋଟିଏ ନିରୀହା ବାଳିକାକୁ ଏକ ନିର୍ଜନ ସ୍ଥାନକୁ ନେଇ, ପଶୁବୃତ୍ତି ଚରିତାର୍ଥ କରିବା ଲାଗି ଅମାନୁଷିକ ଅତ୍ୟାଚାର ଚଳାଇବାକୁ ଆରମ୍ଭ କରିଥିଲା । ଠିକ୍‌ ସେହି ବାଟରେ ମିଲ୍‌ରୁ ଫେରୁଥିବା ବେଳେ ସେଠାରେ ପହଞ୍ଚି ସପନା ଅତି ନିଷ୍ଠୁର ଭାବରେ ଆଘାତ ଦେଲା ଭଜନାକୁ । ସେ ଆଘାତରେ ଭଜନାର ଛାମୁଦାନ୍ତ ଦୁଇଟା ଭାଙ୍ଗିଯାଇ ରକ୍ତାକ୍ତ ହୋଇଯାଇଥିଲା ସମସ୍ତ ଶରୀର । ତାର ବୀଭତ୍ସ ମୁଖ ଆହୁରି ଭୟଙ୍କର ହୋଇ ଉଠିଥିଲା ଭଙ୍ଗାଦାନ୍ତ ଯୋଗୁଁ । କିନ୍ତୁ ନିଜର ଅନୈତିକତା କାରଣକୁ ସପନାକୁ ସେ କିଛି କରି ନ ପାରି ଆହତ ସିଂହ ପରି ଗର୍ଜି ସେଠାରୁ ଚାଲି ଯାଇଥିଲା । ରକ୍ଷା ପାଇଥିଲା ନିରୀହ ଅସହାୟା ବାଳିକା; କିନ୍ତୁ ଭଜନାର ଅପୂରଣୀୟ ରାକ୍ଷସୀ ଆଶା ସେହିଦିନଠାରୁ ନୈରାଶ୍ୟ ଅନ୍ଧକାରରେ ଘୂରି ବୁଲିଲା ସପନା ଉପରେ ପ୍ରତିଶୋଧର ବହ୍ନି ଜାଳିଦେବା ପାଇଁ ।

 

ସାବି ସେହି ଭଜନାର ଭଉଣୀ ବୋଲି ସପନା ସେତେବେଳେ ପରିଚୟ ପାଇଲା, ମନ ତାର ଟିକିଏ ଦବିଗଲା । ମାତ୍ର ସାବିର ରୂପରେ, ଗୁଣରେ, ବ୍ୟବହାରରେ ସେ ଟାଣି ହୋଇ ଭଜନାର ଭୟଙ୍କର ରୂପକୁ ଭୁଲିଗଲା । ସାବି ପାଇଁ ଭଜନାକୁ କ୍ଷମା କରି ତା ପ୍ରତି ସଦୟ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲା । ସପନା ଆଜି ସାବିକୁ ଚିରଦିନ ଲାଗି ନିଜର କରିବାର ପ୍ରସ୍ତାବ ଭଜନାକୁ ଦେଇ ଆସିବ ବୋଲି ମନେ ମନେ ଭାବି ଚାଲିଥାଏ । ହୃଦୟର ଯାତନାକୁ ହୃଦୟରେ ଧରି ବଞ୍ଚି ରହିବା ଅପେକ୍ଷା ନିଜର ପୌରୁଷ ଓ ସାମର୍ଥ୍ୟରେ ଗୋଟାଏ ବୁଝାମଣା କରିଦେବା ତା ଉଦ୍ଦେଶ୍ୟର ସୀମା ଭିତରକୁ ଆସି ଯାଇଥିଲା, ତେଣୁ ବାହାରିବା ବେଳେ ଯେପରି ପଦକ୍ଷେପ ନେଉଥିଲା, ସେ ପଦକ୍ଷେପ କ୍ରମେ ଆଗକୁ ଆଗକୁ କ୍ଷିପ୍ରତର ହେଲା, ନିଶ୍ୱାସ ମଧ୍ୟ ସେପରି ଘନ ହୋଇ ଉଠିଲା । ପୂର୍ଣ୍ଣମୀର ଚନ୍ଦ୍ର ପୂର୍ବ ଆକାଶରେ ସ୍ପଷ୍ଟ ଭାବରେ ଉଦିତ ହୋଇଥିଲେ । ଜ୍ୟୋସ୍ନାର ଢଳ ଢଳ ସମ୍ଭାର ଅଜାଡ଼ି ହୋଇ ପଡ଼ିଥିଲା ପୃଥିବୀର ବକ୍ଷରେ, ସତେ ଯେପରି ଚନ୍ଦ୍ର ବସୁନ୍ଧରା ମଧ୍ୟରେ ରୂପାୟିତ ହୋଇ ଉଠିଛି ଲୀଳା । ସପନାର ଚିତ୍ତ ପଟରେ ସାବିର ଛୋଟ ମୁହଁଟି ଜଳାଶୟ ବକ୍ଷରେ ଢଳ ଢଳ ହେଉଥିବା କୁମୁଦିନୀଠାରୁ କୋମଳ ହୋଇ ଉଠିଛି ଏବଂ ଗଗନଗାମୀ ଚନ୍ଦ୍ରଠାରୁ ଗୁରୁତର ହୋଇଛି ।

 

ବସ୍ତିର ଅଦୂରବର୍ତ୍ତୀ ପାହାଡ଼ଟିର ନିମ୍ନ ଦେଶରେ ରହିଥିବା ବୁଦ୍‌ବୁଦିଆ ଜଙ୍ଗଲ ଭିତରେ ଗୋଟାଏ ବିରାଟ ପ୍ରସ୍ତର ଖଣ୍ଡ ନିକଟରେ ହଠାତ୍‌ ସାକ୍ଷାତ୍‌ ହେଲା ଦୁହିଁଙ୍କର । ଉଭୟଙ୍କର ଆଶା ଯେପରି ଏକ ଦିଗରେ ଧାବମାନ ଓ ଉଭୟେ ଜ୍ୟାମିତିର ସମାନ୍ତରାଳ ରେଖା ପରି ସମାନ ଦିଗରେ ଗତି କରୁ କରୁ ଜ୍ୟାମିତି ଏଡ଼ି ଦେଇ ସତେ ଯେପରି ଏକ ବିନ୍ଦୁରେ ଉପସ୍ଥିତ ହେଲେ । ସମାନ୍ତରାଳ ରେଖାର ଅସମ୍ଭାବ୍ୟ ମିଶ୍ରଣ ଏକ ବିନ୍ଦୁରେ ମିଳନରେ ପରିଣତ ହେଲା ।

 

ଦୁହେଁ ପରସ୍ପରକୁ ଏକ ଦୃଷ୍ଟିରେ ଚାହିଁ ରହିଲେ ବିହ୍ଵଳ ହୋଇ ସ୍ଥାଣୁ ପରି, ଶିଳା ନିର୍ମିତ ମୂର୍ତ୍ତି ସଦୃଶ । ନୀରବରେ କଟିଗଲା ସାମାନ୍ୟ କେତୋଟି ମୁହୂର୍ତ୍ତ । ହଠାତ୍‌ ଦୁହିଁଙ୍କର ଚେତନା ଫେରି ଆସିଲା । ସପନା ଆବେଗରେ ଆଭିଭୂତ ହୋଇ ସାବିକୁ ନିଜ ବକ୍ଷକୁ ଟାଣି ଆଣିଲା; ବିଶାଳ ବାହୁ ଦୁଇଟିରେ ଗୁଡ଼ାଇ ରଖିଲା ସାବିର କୋମଳ ଶରୀରଟି । ପ୍ରାଣ ବହୁଦିନରୁ ଏକ ହୋଇଥିଲା, ଦୁଇଟା ମନ ଗୋଟିକରେ ପରିଣତ ହୋଇଥିଲା; ଖାଲି ରହି ଯାଇଥିଲା ଦେହ । ଜ୍ୟୋସ୍ନାବିଧୌତ, ସୌରଭ ବିଚ୍ଛୁରିତ, ମଳୟ ପରିପ୍ଳୁତ ସେ ବାସନ୍ତୀ ସନ୍ଧ୍ୟାରେ ଶରୀର ଦୁଇଟି, ଶାମୁକାର ଅଲଗା ଅଲଗା ଦୁଇଫାଳ ଏକାଠି ଯୋଖି ହେଲା ପରି, ଏକ ହୋଇ ପୂର୍ଣ୍ଣମୂର୍ତ୍ତି ଧାରଣ କଲା । ଆଶା, ଆକାଂକ୍ଷା, ଆବେଗ ଏବଂ ଉଦ୍‌ବେଗରେ ବିଭୋର ହୋଇଉଠିଲେ ଦୁଇଟି ପ୍ରାଣୀ । ସପନା ଓ ସାବିର ଆଲିଙ୍ଗନ ନିବିଡ଼ ଏବଂ କ୍ରମଦୃଢ଼ ହେବାରେ ଲାଗିଲା ।

 

ଶୁଣାଯାଏ ବିନା ମେଘରେ ବଜ୍ରପାତ ହୁଏ । ବାସନ୍ତୀ ସନ୍ଧ୍ୟାରେ ମେଘର ସୂଚନା ନ ଥିଲା କିଛି । ବଜ୍ରର ସାମାନ୍ୟ ଧ୍ଵନି ମଧ୍ୟ ସୂଚିତ ହୋଇ ନ ଥିଲା । ହଠାତ୍‌ ଅନ୍ତରାଳରୁ–ସେ ପ୍ରସ୍ତରଖଣ୍ଡର ଅପର ପାର୍ଶ୍ଵରୁ ହଠାତ୍‌ ଗୋଟାଏ କଣ ବାହାରି ଆସି ଏତେ ଜୋରରେ ବସିଲା ଯେ, ଏକୀଭୂତ ଦୁଇଟି ଗ୍ରୀବା ଏକାବେଳକେ କଟିଗଲା, ଭୂଲୁଣ୍ଠିତ ହେଲା ଦୁଇଟି ମସ୍ତକ । ପ୍ରତିରୋଧର କ୍ଷୀଣ ଅବକାଶ ସୁଦ୍ଧା ମିଳିଲା ନାହିଁ ସାବିକୁ ଆଉ ସପନାକୁ କିମ୍ବା ପୁଣ୍ୟପ୍ରେମକୁ ପ୍ରକାଶ କରି ପରିଣତି ଲୋଡ଼ି ନେବାକୁ ।

 

ପ୍ରାଣ ଓ ଶରୀର ସଙ୍ଗକୁ ଶେଷରେ ଆତ୍ମା ଦୁଇଟି ମିଳିତ ହୋଇ ସ୍ଵର୍ଗ ରାଜ୍ୟରେ ମହାମିଳନର ମଧୁର ସନ୍ଧାନରେ ବିଦାୟ ନେଲେ ଏହି ନିଷ୍ଣୁର ନିତାନ୍ତ ସ୍ୱାର୍ଥପର ଦୁନିଆରୁ । ଜୀବନର-ସନ୍ଧ୍ୟା ରୂପାୟିତ ହେଲା ଚରମ-ସନ୍ଧ୍ୟାରେ ସେହିଦିନ । ଠିକ୍‌ ସେତିକିବେଳେ ସୂର୍ଯ୍ୟ ଅସ୍ତାଚଳରେ ବୁଡ଼ି ଯାଉଥିଲା ।

Image

 

ଭାଗ୍ୟଂ ଫଳତି ସର୍ବତ୍ର

 

ବାଣପୁର ହାଇସ୍କୁଲରୁ ଯେଉଁଦିନ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ କଲା ନିରଞ୍ଜନ, ସେ ଦିନ ତା ବାପା ଗୋପାଳବାବୁ ଆନନ୍ଦରେ କୁଣ୍ଢାଇ ପକାଇଲେ ତାଙ୍କ ଏକମାତ୍ର ଆଦରର ପୁଅକୁ । ପୁଅ ପାଶ କରିବ ଏ ବିଶ୍ୱାସ ତାଙ୍କର ଥିଲା; କିନ୍ତୁ ପ୍ରଥମ ହେବ, ଏତେଦୂର ଆଶା ପାଉ ନଥିଲା ।

 

ନିରଞ୍ଜନ ସୁନାଖଳା ଗ୍ରାମର ଜମିଦାର ଗୋପାଳଚନ୍ଦ୍ର ମହାପାତ୍ରଙ୍କ ପାଞ୍ଚଝିଅ ମଧ୍ୟରେ ଏକମାତ୍ର ପୁତ୍ର । ସୁନାଖଳାରେ ହାଇସ୍କୁଲ ନ ଥିବା ଫଳରେ ସେ ବାଣପୁର ହାଇସ୍କୁଲକୁ ପୁଅକୁ ପଠାଇଥିଲେ । ପୁଅ ଯଥେଷ୍ଟ ପାଠ ପଢ଼ି ପଣ୍ଡିତ ହେବା ତାଙ୍କର ଇଚ୍ଛା ନ ଥିଲା । ସାଧାରଣ ଯେତିକି ପଢ଼ିଲେ ଜମିଦାରଙ୍କ ସମ୍ମାନ ରହିବ, ସେତିକି ଶିକ୍ଷା ଦେବାକୁ ଗୋପାଳ ବାବୁ ମନେ ମନେ ଭାବିଥିଲେ । ଗୋଟିଏ ବୋଲି ତ ପୁଅ, ତାରି ପାଇଁ ସେ ସମସ୍ତ ସମ୍ପତ୍ତି ସାଇତି ରଖୁଛନ୍ତି । ତାଙ୍କ ଅନ୍ତେ ସବୁ ସେ ଭୋଗ କରିବ, ଗାଁର ସଦ୍‌ବ୍ୟବହାର ଯେପରି କରିପାରିବ, ସେତିକି ତାଙ୍କର ଇଚ୍ଛା । ଗାଁର ଟାଉଟର, ପ୍ରଜାକୁଳ ଓ ଅନ୍ୟ ଜମିଦାରଙ୍କଠାରୁ ସମ୍ପତ୍ତିକୁ ଛଳେ ବଳେ କୌଶଳେ ଯେପରି ରକ୍ଷା କରିପାରିବ ତାରି ପାଇଁ ତାଙ୍କର ଏ ବ୍ୟବସ୍ଥା । ପିଲା ପୁଅ–ତାକୁ ପଢ଼ାଇ ଶିଖାଇ, ଉଡ଼ାଇ ଦେଲେ, ତାଙ୍କର କର୍ତ୍ତବ୍ୟ ଶେଷ ହେବ । ତେଣିକି ସେ ରଖୁ ଅବା ବିକୁ, ସେ କ’ଣ ଆଉ ଦେଖି ଆସିବେ ? ମାତ୍ର ବାପ, ଗୋସେଇଁବାପାଙ୍କ ଜମିଦାର ଗୋପାଳବାବୁ ବଞ୍ଚିଥାଇ ବରବାଦ ହେବାର ଦେଖିପାରିବେ ନାହିଁ ।

 

ସେ ନିଜେ ଯଥେଷ୍ଟ ପଢ଼ି ନାହାନ୍ତି । ତେଣୁ କଲେକ୍ଟର ସାହେବ ଓ ଏସ୍‌.ଡ଼ି.ଓ.ଙ୍କ ସଙ୍ଗେ କଥା କହିପାରୁ ନାହାନ୍ତି ଇଂରାଜୀରେ । ପୁଅର ସେ ଅସୁବିଧା ଯେପରି ନହୁଏ, ତାହା ତାଙ୍କ ପରି ବୁଦ୍ଧିମାନ୍‌ ଲୋକ ଯେ ସହଜରେ ବୁଝି ପାରିଛନ୍ତି ଏଥିରେ ସନ୍ଦେହ କଣ ଅଛି ।

 

ପିଲାଦିନୁ ନିରଞ୍ଜନ ବଢ଼ି ଆସିଛି ଅତି ଅଲିଅଳରେ । ପାଖରେ ଦି’ଟା ଚାକର ସଦା ସର୍ବଦା ହାଜିର ଥାଆନ୍ତି । ପାଇଖାନାକୁ ଗଲେ ଚାକର ଢାଳ ନେବ, ଗାଧୋଇବାବେଳ ହେଲେ ତେଲ ଗିନା ଧରି ଅନୁନୟ କରି କହିବ–‘‘ସାନ ସାଆନ୍ତେ, ବେଳ ଗଡ଼ିଗଲା, ଗାଧୋଇବାକୁ ଚାଲନ୍ତୁ-।’’ ଖାଇବାକୁ ଠା’କୁ ଗଲାବେଳେ ପୂଜାରୀ ଛଅ ତିଅଣ ନ ଭଜା କରି ବାପ ପୁଅଙ୍କ ପାଇଁ ଅପେକ୍ଷା କରି, କାକୁସ୍ଥ ହୋଇ ଠିଆ ହୋଇଥିବ । ବାପପୁଅ ଖାଇସାରି ଏଉଡ଼ି ମାରି ଗଲାଯାଏ ତା ଦେହରେ ପ୍ରାଣ ନଥିବ । ନହେଲେ ପାଗ ଯଦି ବିଗିଡ଼ି ଯାଏ, ତେବେ ତା ଜୀବନ ଗଲା, ବାପ ଅଜା ଚଉଦ ପୁରୁଷ, ଉଇ କିମ୍ବା ପିମ୍ପୁଡିଙ୍କ ପରି, ଧାଡ଼ି ଲଗାଇ ନରକ ଆଡ଼କୁ ଯିବାରେ ଲାଗିବେ-

 

ଏଭଳି ଭାବରେ ନିରଞ୍ଜନର ବାଲ୍ୟପର୍ବ ବିତିଲା । ସେ ବଡ଼ ହେଲା । ଗାଁ ମାଇନର ସ୍କୁଲରୁ ପାଶ୍‌ କରିବା ପରେ ପୁଅକୁ ଆଉ ଅଧିକ ପଢ଼ାଇବା ପାଇଁ ଗୋପାଳବାବୁ ଚାରିଆଡ଼କୁ ନଜର ପକାଇ ଦେଖିଲେ । ତାଙ୍କୁ ଦେଖାଗଲା ବାଣପୁର ହାଇସ୍କୁଲ । ଏ ବିଦ୍ୟାଳୟ ଉତ୍ତମ ହେବ ବୋଲି ତାଙ୍କର ମଧ୍ୟ ଧାରଣା ହେଲା ।

 

ଗୋପାଳବାବୁ ଏପରି ଧାରଣା କରିବାର କାରଣ ରହିଛି । ସେ ତ ଆଖିରେ ଦେଖୁଛନ୍ତି ଯେ ଆଜିକାଲିର ଇସ୍କୁଲିଆ ପିଲାଗୁଡ଼ାକ ସହର ବଜାରରେ ପଢ଼ିବାକୁ ଯାଇ ବାବୁ ହୋଇ ଯାଉଛନ୍ତି-। ବାପା ମା’ଙ୍କଠାରୁ ନାନାମତେ ପଇସା ଟାଣି ନେଇ ଉଡ଼ାଇ ଦେବାରେ ଲାଗୁଛନ୍ତି-। ସିନେମା, ସିଗାରେଟ୍‌ ସେମାନଙ୍କର ପ୍ରାଣ ହୋଇଛି । ବାଣପୁର ହାଇସ୍କୁଲ ମଧ୍ୟ ସହରଠାରୁ ଦୂରରେ; କିନ୍ତୁ ନିହାତି ମଫସଲ ନୁହେଁ । ତାର ଗୋଟିଏ ପାଖରେ ଶାଳିଆ ନଦୀ କୁଳୁକୁଳୁ ହୋଇ ବହି ଚାଲିଛି, ନିକଟରେ ଘଣ୍ଟଶିଳା ପାହାଡ଼ ବଦ୍‌ଖର୍ଚ୍ଚକୁ ଜାଗିବା ପାଇଁ ମୁଣ୍ଡ ଟେକି ଠିଆ ହୋଇଛି । ବିଦ୍ୟାଳୟ ନିକଟରେ ଗୋଟିଏ ପ୍ରାଚୀନ ଦେବାଳୟ । ଘନଘଞ୍ଚ ତୋଟା ସ୍କୁଲଟିକୁ ନିଜ କୋଳରେ ଆବୃତ କରି ରଖିଛି । ଏପରି ପରିବେଶ ମଧ୍ୟରେ ଅସୁର ସୁଦ୍ଧା ଦେବତା ପାଲଟି ଯିବା କଥା । ସୁତରାଂ, ପିଲେ ସେଠାରେ ଛତରା ହେବାର ପ୍ରଶ୍ନ, କାହିଁ । ଓଡ଼ିଶାର ଆଧୁନିକ ‘ପଞ୍ଚସଖା’ ମଧ୍ୟରୁ ଏକତମ– ସ୍ଵର୍ଗତ ପଣ୍ଡିତ ଗୋଦାବରୀଶଙ୍କର ଶୁଭ ପ୍ରେରଣା ପୁଣି ସେହି ପୁଣ୍ୟ ଭୂମିର ପ୍ରତିରେଣୁରେ ଯେପରି ମିଶିଛି, ବିଦ୍ୟାଳୟ ସହିତ ସେପରି ଜଡ଼ିତ ହୋଇଛି । ନାନା କାରଣରୁ ସ୍କୁଲର ସୁନାମ ରହିଛି ଯଥେଷ୍ଟ । ସ୍କୁଲ ନିକଟରେ ହଷ୍ଟେଲ, ସୁତରାଂ, ରହିବା ପାଇଁ ଅସୁବିଧା ନାହିଁ-। ଦୂରାଦୂରାନ୍ତରୁ ପିଲାଏ ଆସି, ହଷ୍ଟେଲରେ ରହି, ଶିକ୍ଷା ଶେଷକରି ଫେରୁଛନ୍ତି-। ନିତାନ୍ତ ନିକଟହେଲେ ପୁଣି ସେ ଅସୁବିଧାର ଆଶଙ୍କା ରହିଛି, ସୁନାଖଳା ବାଣପୁର ମଧ୍ୟରେ ତାହା ସୁଦ୍ଧା ନାହିଁ । ସୁନାଖଳାଠାରୁ ଏହା ମଧ୍ୟ ବହୁଦୂର ନୁହେଁ, ଦୁରତା ମାତ୍ର ବାର ମାଇଲ ।

 

ଗୋପାଳବାକୁ ନିଜେ ଯାଇ ପ୍ରଧାନଶିକ୍ଷକଙ୍କ ସହିତ ପରାମର୍ଶ କଲେ, ପୁଅର ନାମ ଲେଖା ହେଲା ଓ ସେ ହଷ୍ଟେଲରେ ରହିବା କଥା ହେଲା । ମାତ୍ର ଏତିକି କହିବା ପରେ ଗୋପାଳବାବୁଙ୍କର ଆଖି ଛଳ ଛଳ ହୋଇଗଲା; ସେ ଭାବିଲେ ପୁଅ ଏକୁଟିଆ ଚଳିବ କିମିତି ?

 

ନିରଞ୍ଜନକୁ ମଧ୍ୟ ଖୁବ୍‌ ଅଡ଼ୁଆ ଲାଗିଲା । ତାର ମନେ ହେଲା ନିଜେ ଜଳ ଧରି ପାଇଖାନାକୁ ଯିବା ନିହାତି ଅସମ୍ମାନର କାର୍ଯ୍ୟ । ଖାଇ ସାରି ବାସନ ମାଜିବା–ଏହାଠାରୁ ଆଉ ପାହାଚେ ଅଧିକ, ସୁତରାଂ,ସେ ହଷ୍ଟେଲରେ ରହିବାକୁ ରାଜି ହେଲାନାହିଁ । ବହୁ କଷ୍ଟରେ ତୁଟିଲା ହେଡ଼ମାଷ୍ଟର ପ୍ରଥମେ କିଛି ଦିନପାଇଁ ନିରଞ୍ଜନକୁ ନିଜ ଘରେ ନିଜ ପୁଅପରି ରଖିବେ । ଚାକର ଗୋଟାଏ ଅଳ୍ପ କେତେ ଦିନ ରହିପାରେ ! ଗୋପାଳବାବୁ ସବୁ କଥା ତୁଟାଇ, ଠିକଣା ଭାବରେ ବନ୍ଦୋବସ୍ତ କରି ଫେରିଲେ ! ଫେରିଲେ ସିନା, ମାତ୍ର ମନ ରହିଲା ବାଣପୁରର ସେ ବନବିଦ୍ୟାଳୟ ତୋଟା ଗହଳରେ–ପୁଅ ପାଖରେ ।

 

ହେଡ଼ମାଷ୍ଟରଙ୍କ ଘରେ ଏତେ ଗହଳି ଭିତରେ ରହିବା ନିରଞ୍ଜନକୁ ପ୍ରଥମେ ପ୍ରଥମେ ଭାରି ଅସୁବିଧା ବୋଧହେଲା । ମାଷ୍ଟ୍ରଙ୍କ ପୁଅ ବୁଲୁ, ଝିଅ ଲିଲି ଓ ଭଣଜା ଦେବବ୍ରତ ପ୍ରାୟ ତାର ସମବୟସର, ମାତ୍ର ନିରଞ୍ଜନ ସେମାନଙ୍କର ସାଥି ନ ହୋଇ, ସେମାନଙ୍କ ସହିତ ଖେଳାବୁଲା ନ କରି, ଘର ଭିତରେ ଏକୁଟିଆ ବସି ନିଜ ଘର କଥା ମନେ ପକାଇ କାନ୍ଦିବାରେ ଲାଗେ । ସମସ୍ତଙ୍କ ସହିତ ନିଜକୁ ଖାପ ଖୁଆଇ ଚଳିବାକୁ ତାର ମନଥିଲେ ସୁଦ୍ଧା, ନିଜର ଅଭ୍ୟାସ ଅନୁଯାୟୀ ସେ ତା କରି ପାରୁ ନ ଥିଲା । ସେ ଯେ ଜମିଦାର ପୁଅ, ଏକଥା ଭୁଲିଯିବା ତା ପକ୍ଷରେ ସହଜ ହେଉ ନ ଥିଲା ।

 

ଦିନ ପରେ ଦିନ ବିତି ଚାଲିଥାଏ । ଦିନ ଯେତିକି ବିତିଲା ନିରଞ୍ଜନ ହେଡ଼ମାଷ୍ଟଙ୍କ ଘରେ ନିଜର ଅଧିକାର ସେତିକି ବିସ୍ତାର କରିବାକୁ ଆରମ୍ଭ କଲା ଧୀରେ–ଅତି ଧୀରେ । ପିଲାଙ୍କ ସହିତ ମିଳିମିଶି ଚଳି ପାଠରେ ମନ ଦେଲା । ହେଡ଼ମାଷ୍ଟର ହେଲେ ‘ସାର୍‌’ ଓ ତାଙ୍କ ସ୍ତ୍ରୀ ହେଲେ ‘ମା’ । ସ୍କୁଲ ଓ ହଷ୍ଟେଲରେ କ୍ରମେ କ୍ରମେ ତା ପାଇଁ ଅନେକ ସଙ୍ଗୀ ମଧ୍ୟ ଜୁଟିଲେ । ହେଡ଼ମାଷ୍ଟର ଜଣେ ହିସାବୀ ଲୋକ । ନିରଞ୍ଜନର ଘରୁ ଯେ ଟଙ୍କା ଆସେ, ସେ ତହିଁରେ ସ୍କୁଲଖର୍ଚ୍ଚ, ଖାଇବା ଖର୍ଚ୍ଚ ତୁଲାଇ ବଳିଲେ ନିରଞ୍ଜନକୁ ହାତଖର୍ଚ୍ଚ ପାଇଁ ସାମାନ୍ୟ କିଛି ଟଙ୍କା ଦିଅନ୍ତି । ପୁଅ ଟଙ୍କା ବିନା ମୁହଁ ଶୁଖାଇ ଦେଇଥିବ ଭାବି, ବୋଉ ଚିଠି ଭିତରେ ମଝିରେ ମଝିରେ ଟଙ୍କା ଲୁଚାଇ ପଠାନ୍ତି । ଏହି ଉଭୟ ଟଙ୍କାରେ ତାର ହାତ ଖର୍ଚ୍ଚ ବେଶ୍‌ ଚାଲେ ।

 

ବାଣପୁରରେ ଚାରି ବର୍ଷ କଟାଇ ନିରଞ୍ଜନ ମାଟ୍ରିକ୍‌ ପରୀକ୍ଷା ଦେଇ ଘରକୁ ଫେରିଲା । ସାଙ୍ଗସାଥୀଙ୍କଠାରୁ ବିଦାୟ ନେଇ ଆସିଲେ ତାର ମନେ ହେଲା ସତେ ଯେପରି ନିଜ ଜନ୍ମଭୂମିକୁ ଛାଡ଼ି ଆସିଛି । ଚଳଚ୍ଚିତ୍ର ପରି ତା ଆଖି ଆଗରେ ନାଚିଲା–ଶାଳିଆ ନଈରେ ଗାଧୁଆ, ଆମ୍ବତୋଟାରୁ ଆମ୍ବଖିଆ, ଘଣ୍ଟିଶିଳା ପାହାଡ଼ଚଢ଼ା, ବଣଭୋଜି ଏବଂ ସର୍ବୋପରି ହେଡ଼ମାଷ୍ଟରଙ୍କ ପିତୃତୁଲ୍ୟ ବତ୍ସଳ ବ୍ୟବହାର । ଏସବୁ ତାକୁ ଏତେ ଆକୃଷ୍ଟ କରିଥିଲେ ବୋଲି ସେ ବୁଝି ପାରି ନ ଥିଲା । ସ୍କୁଲ ପ୍ରତି ତାର ଯେଉଁ ନିବିଡ଼ ସ୍ନେହ ଜନ୍ମିଥିଲା, ସ୍ମୃତି ରୂପରେ ତାହା ଏବଂ ସେ ସାଇତା ହୋଇ ରହିଲା ତା ହୃଦୟର ଗନ୍ତାଘରେ ।

 

ବାଣପୁରରୁ ବିଦାୟ ନେଇ, ଶିକ୍ଷକମାନଙ୍କଠାରୁ ଆର୍ଶୀବାଦ ଗ୍ରହଣ କରି ଅଶ୍ରୁସଜଳଚକ୍ଷୁ ଓ ବିଦୀର୍ଣ୍ଣ ହୃଦୟରେ ସୁନାଖଳା ଆଡ଼େ ମୁହାଁଇଲା ।

 

ସୁନାଖଳାରେ ପହଞ୍ଚି ବୋଉର ସ୍ନେହ, ଭଉଣୀମାନଙ୍କ ଅଳି କିଞ୍ଚିତ୍‌ ପରିମାଣରେ ଆଶ୍ୱାସନା ଦେଲା ସତ, ମାତ୍ର ବେଦନାକୁ ସଂପୂର୍ଣ୍ଣରୂପେ ବିଦୂରିତ କରି ପାରିଲାନାହିଁ । ନିରଞ୍ଜନ ହୃଦୟରୁ ନିବିଡ଼ ବନ୍ଧନର ଗୋଟାଏ ସୂକ୍ଷ୍ମତମ ଅଥଚ ଦୃଢ଼ ସୂତ୍ର ଛିଣ୍ଡିଗଲା ଏବଂ କୈଶୋର ଚିରଦିନ ଲାଗି ଅତୀତରେ ଲୁଚିଗଲା । ଖାଲି ରହିଗଲା ତାର ମଧୁର ସ୍ମୃତି ଥରେ ଥରେ ଜାଗ୍ରତ ହୋଇ ଉଙ୍କି ମାରିବାକୁ ।

 

ପରୀକ୍ଷା ଫଳ ବାହାରିବା ପରେ ପରେ ସମସ୍ତେ ଆନନ୍ଦରେ ଅଭିଭୂତ ହେଲେ । ଏଥର ଲାଗିଲା ସହରକୁ ଯିବାର ଉଦଯୋଗପର୍ବ । ଗୋପାଳବାବୁ ପୁଅକୁ ପୁରୀ ପଠାଇବେ ଭାବିଥିଲେ, ମାତ୍ର ନିରଞ୍ଜନ ଜିଦ୍‌ ଧରିଲା କଟକ ରେଭେନ୍‌ସା କଲେଜରେ ପଢ଼ିବ । ଗୋପାଳବାବୁ ଭେଣ୍ଡା ପୁଅ ମୁହଁ ଉପରେ କିଛି କହିପାରିଲେ ନାହିଁ, ବିଶେଷତଃ ସେ ଯେତେବେଳେ ପ୍ରଥମ ଶ୍ରେଣୀରେ ପାଶ୍‌ କରିଛି ।

 

କଟକ ରେଭେନ୍‌ସା କଲେଜରେ ପ୍ରଥମ ବାର୍ଷିକ କଳାରେ ନିରଞ୍ଜନ ନାମ ଲେଖାଇଲା-। କଟକ ସହରର ହଟଚମଟ ଏଥିପୂର୍ବରୁ ସେ କେବେ ଦେଖି ନ ଥିଲା । ତାକୁ ସବୁ ଜିନିଷ ନୂଆ ଲାଗିଲା । ସହରର ପ୍ରତି ବସ୍ତୁ ତାକୁ ଅଭୂତପୂର୍ବ ଆନନ୍ଦ ଦେଲା । ତାର ମନେ ହେଲା–ପଢ଼ିବ ତ କଟକରେ ପଢ଼ିବ ।

 

ଅନ୍ୟତ୍ର ରହିବାର ସୁବିଧା ନ ଥିବାରୁ ନିରଞ୍ଜନର ହଷ୍ଟେଲରେ ରହିବାର ବନ୍ଦୋବସ୍ତ ହେଲା । ଯେଉଁ ବଖରାରେ ସେ ରହିଲା, ସେଥିରେ ଆଉ ତିନିଜଣ ପ୍ରଥମ ଓ ଦ୍ୱିତୀୟ ବାର୍ଷିକ କଳାର ଛାତ୍ର ଥାଆନ୍ତି–ରମେନ୍‌, ଶିଶିର ଓ ଦୀପକ । କ୍ରମେ କ୍ରମେ ସେମାନେ ସଙ୍ଗୀ ହେଲେ ଏକ ବଖରାର ଛାତ୍ର ବୋଲି, ପରେ ତାହା ରୂପାନ୍ତରିତ ହେଲା ନିରଞ୍ଜନର ପଇସା ଉପରେ ଦୃଢ଼ ଆସ୍ଥାନ ମେଲି ।

 

ନିରଞ୍ଜନ ଘରୁ ଯଥେଷ୍ଟ ଟଙ୍କା ପାଏ । ପ୍ରସ୍ଫୁଟିତ ହେବା ପରେ ପଦ୍ମରୁ ମଧୁ ଆହରଣ କରିବାକୁ ଭ୍ରମର ସଂଖ୍ୟା କ୍ରମେ ବଢ଼ି ଚାଲିଲା ପରି ତା ବନ୍ଧୁ ସଂଖ୍ୟା ବଢ଼ିବାରେ ଲାଗିଲା । କେତେଜଣ ବାନ୍ଧବୀ ମଧ୍ୟ ଆଡ଼ ନୟନରେ ଚାହିଁଲେ; କିନ୍ତୁ ନିରଞ୍ଜନ ସେ ସମସ୍ତଙ୍କ ମଧ୍ୟରୁ ବାଛିଥାଏ ତା ଶ୍ରେଣୀର ଗୋଟିଏ ସୁଦର୍ଶନ କରଣ ଯୁବକ ‘ସାଗର’କୁ ତାର ଅନ୍ତରଙ୍ଗ ବନ୍ଧୁ ଭାବରେ-। ସାଗର ରହେ ଚୌଧୁରୀ–ବଜାରରେ । ତାର ବାପା ଜଣେ ଛୋଟିଆ ଡାକ୍ତର ।

 

ଉଭୟଙ୍କର ପ୍ରତ୍ୟହ ଦେଖାହୁଏ ଦଶଟାରୁ ପାଞ୍ଚଟା । ମାତ୍ର ତାପରେ ହୁଏ ବିଚ୍ଛେଦ । ଦୁହେଁ ମନେ ଭାବୁ ଥାନ୍ତି ପୁଣି କିମିତି ରାତି ଯାଇ ସକାଳ ହେଲେ କଲେଜରେ ଦେଖା ହେବ । ହଷ୍ଟେଲ ନିୟମରେ ରାତିରେ କୁଆଡ଼େ ଯାଇ ହେବନି, ଏକଥା ଦୁହେଁ ଭଲଭାବରେ ଜାଣିଥାନ୍ତି; ତଥାପି ସାମାନ୍ୟ ରାତିଟାର କେତେ ଘଣ୍ଟାର ବିଚ୍ଛେଦ ଦୁହିଁଙ୍କ ପ୍ରାଣରେ ସମୟ ଦୃଷ୍ଟିରୁ ଅକଳନୀୟ ଅନନ୍ତ ବ୍ୟବଧାନ ସୃଷ୍ଟି କରେ ।

 

ନିରଞ୍ଜନ କେତେଥର ଭାବିଲାଣି ବାପାଙ୍କୁ କହିବ ହଷ୍ଟେଲରେ ନ ରହି ଗୋଟାଏ ଘର ଭଡ଼ା ନେଇ ରହିବ, ମାତ୍ର କଥାଟା ହୃଦୟ-ସିନ୍ଧୁରେ ତରଙ୍ଗ ସୃଷ୍ଟି କରେ ସିନା, ବେଳା ଲଙ୍ଘିପାରେ ନାହିଁ । ସେ ମନ କଥା ମନରେ ମାରି ପଢ଼ାରେ ମନ ଦିଏ ।

 

ପ୍ରଥମ ବର୍ଷ ପରୀକ୍ଷା ସରିଲା । ସାଗର, ନିରଞ୍ଜନ ଦୁହେଁ ପାଶ୍‌ କରି ଦ୍ୱିତୀୟ ବାର୍ଷିକ କଳାରେ ଯୋଗଦେଲେ । ଦୁହିଁଙ୍କର ଅନ୍ତରଙ୍ଗତା ପ୍ରୟୋଗରେ ଗଙ୍ଗା ଯମୁନାର ମିଳନରେ ଜଳ ଉଚ୍ଛ୍ଵସିତ ହେଲା ପରି କ୍ରମଶଃ ବଢ଼ିବାରେ ଲାଗିଲା । ତାହାଫଳରେ କଲେଜରେ ଅନ୍ୟ ପିଲାମାନେ ଥଟ୍ଟାରେ ଡାକିବାକୁ ଲାଗିଲେ ‘କୃଷ୍ଣ–ସୁଦାମା’ ।

 

ନିରଞ୍ଜନ ଓ ସାଗର ଭୟଙ୍କର ବନ୍ଧୁ ପ୍ରୀତି ଥିଲା ଅତି ପବିତ୍ର ଓ ସ୍ଵଚ୍ଛ । ଆବିଳତା ମନକୁ ସ୍ପର୍ଶ କରି ନ ଥିଲା । ଏକାଠି ମହାନଦୀ କୂଳରେ ଗଳ୍ପ କରିବା, ସିନେମା ଦେଖିବା, ପାଠ ପଢ଼ିବା ଓ ଚା ଖାଇବା ଭିତରେ ସେମାନେ ପରସ୍ପରର ଏତେ ନିକଟକୁ ଆସିଥିବେ ସେ ସେଥିରେ ଅର୍ଥର ହିସାବଟା ଅତି ନଗଣ୍ୟ । ଏପରି ଭାବରେ ଆଇ.ଏ.ପରୀକ୍ଷା ସରିଲା । ଉଭୟେ ପ୍ରଥମ ଶ୍ରେଣୀରେ ପାଶ୍‌ କରି ବି.ଏ ପଢ଼ିଲେ । ଗୋପାଳବାବୁଙ୍କ ଇଚ୍ଛା ପୁଅ ଆଉ ନ ପଢ଼ିବା; କିନ୍ତୁ ପୁଅ ମନ ରଖିବା ପାଇଁ ହଁ କଲେ ବାଧ୍ୟ ହେଇ ।

 

ବି.ଏ. ପରୀକ୍ଷା ପାଖେଇ ଗଲା । ମନ ଦେଇ ପାଠ ନ ପଢ଼ିଲେ ଆଶାର ଭବିଷ୍ୟତ ସୌଧ ଚୂନା ହେବ ଭାବି ଉଭୟେ ବାହାର ବୁଲା କମାଇ ଦେଲେ । ବହୁ ସମୟ ଧରି ଏକତ୍ର ବସି ଗଳ୍ପ କରିବା, ଦେଖା ସାକ୍ଷାତ୍‌ ମଧ୍ୟ ଊଣା ହୋଇଗଲା । ଏସବୁ ଦୁଃସହ ହେଲେ ସୁଦ୍ଧା, ସହନୀୟ ହେଲା କେବଳ ପଢ଼ା ଦୃଷ୍ଟିରୁ ।

 

ପରୀକ୍ଷା ସରିଗଲା ମାର୍ଚ୍ଚରେ । ସେଥର ଗାଁକୁ ଗଲାବେଳେ ନିରଞ୍ଜନ ସାଗରକୁ ସଙ୍ଗରେ ନେଲା ! ତା ପିଙ୍କ ତା ଅନୁମତି ନେଇ । ପରୀକ୍ଷା ପରେ ଲମ୍ବା ଛୁଟିଟା କଟକର ଗରମରେ, ବନ୍ଧୁ ବିଚ୍ଛେଦରେ ନ କଟାଇ, ଗ୍ରାମ ଦର୍ଶନର ସୌଭାଗ୍ୟରୁ ନିଜକୁ ବଞ୍ଚିତ କରିବା ଉଚିତ ହେବ ନାହିଁ ମନେକଲା ସାଗର । ତାହା ଫଳରେ ଦୁହେଁ ଆରାମରେ ଓ ପରସ୍ପରର ମିଳନରେ ଅବକାଶଟା କଟାଇବାକୁ ସୁନାଖଳା ଚାଲିଲେ ।

 

ଗଙ୍ଗାଧରପୁରଠାରୁ ସୁନାଖଳା ଦୁଇମାଇଲ ମାତ୍ର । ପହଞ୍ଚିବାପାଇଁ ଷ୍ଟେସନରୁ ବେଶି ସମୟ ଲାଗିଲା ନାହିଁ । ବାଟର ଦୁଇ କଡ଼ରେ ଧାନବିଲ, ପାହାଡ଼ର ଗମ୍ଭୀର ମୂର୍ତ୍ତି, ପ୍ରାନ୍ତରର ଶ୍ୟାମଳିମା, ସାଗରର ଯୁବକ ମନକୁ ବିମୋହିତ କଲା । ଗ୍ରାମର ସରଳ ଜୀବନ, ଲୋକଙ୍କର ନିରାଡ଼ମ୍ବର ବେଶଭୂଷା ତାକୁ ନୂତନ ଜଗତର ସନ୍ଧାନ ଦେଲା । ଅତି ଆନନ୍ଦରେ ସେ ବନ୍ଧୁ ପ୍ରତି କୃତଜ୍ଞତା ଜଣାଇଲା ।

 

ମାତ୍ର ଅଧଘଣ୍ଟାଏ ମଧ୍ୟରେ ଦୁଆର ପାଖରେ ଶଗଡ଼ ଆସି ଠିଆ ହେଲା । ତାର ଭିତରକୁ ଯାଇ ନିରଞ୍ଜନ ବୋଉ ସହିତ ସାଗରକୁ ଦେଖା କରାଇ କହିଲା,–‘‘ବୋଉ,ଏ ମୋ ସାଙ୍ଗ ସାଗର ! ସବୁବେଳେ ସହରରେ ଥାଏ, ଏଥର ମୁଁ ସାଙ୍ଗରେ ଆଣିଛି ଗାଁ ବୁଲିବ ଓ ପିଠା ଖାଇବ । ତା’ ପାଇଁ ଆଜି ସରୁ ଚକୁଳି, ମଣ୍ଡା ଆଉ ଆରିଷା କରିଦେବୁ ।’’

 

ସାଗର ବିନମ୍ର ଭାବରେ ପ୍ରଣାମ ସାରି କହିଲା,–‘‘ମାଉସୀ, ତମେ କ’ଣ ଭାବିଲ ମୁଁ ପେଟୁ ? ନିରଞ୍ଜନଟା ଆସୁ ଆସୁ ଖାଇବା କଥାଟା ବାଢ଼ି ବସିଲା କିମିତି, ତେବେ କେତେ ଦିନ ରହି ତମକୁ ହଇରାଣ କରିବି,ଏକଥା ନିଶ୍ଚୟ ।’’

 

କଥାଟାକୁ ମିଶାଇ ନେବା ଉଦ୍ଦେଶ୍ୟରେ ନିରଞ୍ଜନର ବୋଉ ହସି ହସି କହିଲେ, ‘‘ତମ କଥା ନିର ସବୁବେଳେ ଛୁଟିରେ ଆସିଲେ କହେ । ବାପା, ! ତୁମକୁ କ’ଣ ଏ ଅସନା ଗାଁ ଭଲ ଲାଗିବ ? ସହରର ବାବୁ ତମେ, ଏଠାର ଲୋକ ଅଲଗା । ତେବେ ଚାରି ଛଅଦିନ ଟିକିଏ କଷ୍ଟରେ ଚଳିଯିବ, ଆସିଛ ଯେତେବେଳେ ।’’

 

ସାଗର ନିରଞ୍ଜନ ବୋଉଙ୍କ କଥା ଶୁଣି ସ୍ତମ୍ଭୀଭୂତ ହେଲା । ସୁନାଖଳା ବିଖ୍ୟାତ ଜମିଦାର ଗୋପାଳବାବୁଙ୍କ ସ୍ତ୍ରୀ କହୁଛନ୍ତି–‘‘ଟିକିଏ କଷ୍ଟରେ ଚଳିଯିବ ?’’ ସାଗର ବିଚାରିଲା କି ସରଳ ଏମାନେ, ବିନୟରେ ପରିପୂର୍ଣ୍ଣ ଏମାନଙ୍କର ହୃଦୟ । ଏବେ ମଧ୍ୟ ଶାନ୍ତି ଅଛି ଏହି ସ୍ଥାନମାନଙ୍କରେ, ଯେଉଁଠି ସହରର କୃତ୍ରିମତା, ବିଜୁଳିବତୀର ନିର୍ଲଜ ଉଜ୍ଜ୍ୱଳତା ପ୍ରବେଶ କରିନାହିଁ । ସତରେ, ଏହିସ୍ଥାନଗୁଡ଼ିକ ସହରକୁ ଧିକ୍‌କାର ଦେଇ ନିଜର ପବିତ୍ରତା ରକ୍ଷା କରିଛି ।

 

ନିରଞ୍ଜନ ଘରେ ସାଗରର ରହିବା ସ୍ଥାନ ନିରୂପିତ ହେଲା । ପୋଖରୀରେ ଗାଧୋଇ ଖାଇ ବସିଲେ ତିନିହେଁ । ଖାଇବାର ପରିମାଣ ଓ ପ୍ରକାର ଭେଦ ଦେଖି ଚପ୍‌, କଟଲେଟ ଖିଆ ସାଗର ଡରିଗଲା । କହିଲା, ‘‘ନିରଞ୍ଜନ, ତମ ଘରେ ଦୈନିକ ଏପରି ଖାଅ ? ଏଇଥିପାଇଁ ହୋଟେଲ୍‌ ଖିଆ ତତେ ପୋଷାଏ ନାହିଁ । ତମେ ଜମିଦାର ସତ, ମାତ୍ର ଏତେ ବଡ଼ ବଡ଼ଲୋକ ବୋଲି ଜାଣି ନ ଥିଲି । ଏ ଯେ ଭୋଜିଠାରୁ ଅଧିକ ।’’

 

ଗୋପାଳବାବୁ ଅଳ୍ପ ହସି ଦେଇ କହିଲେ,–‘‘ନାଇ ସାଗର, ଏ ବେଶି କିଛି ନୁହେଁ । କାଲି ଆମ ଆଡ଼ର ମୁଗଡ଼ାଲି, କାକରା, ଆରିଷା, ସରୁ ଚକୁଳି କରି ଖାଇବାକୁ ମୁଁ ନିର ବୋଉଙ୍କୁ କହିଛି । ତମ ପରି ଚଢ଼େଇ ଆହାର ଖାଇ ଆମେ ଖଟି ପାରିବୁ ?’’

 

ଖାଇବା ପର୍ବ ସାରି ପଥଶ୍ରମ ଓ ଭୂରିଭୋଜନ ଯୋଗୁ ସେଦିନ ଆଉ କୁଆଡ଼େ ନ ଯାଇ ବିଶ୍ରାମ ନେବାର ହେଲା ।

 

ତା ପରଦିନଠାରୁ ସାହି ବୁଲା, ଗାଁ ବୁଲା, ବାଣପୁର, ଚିଲିକା ପ୍ରଭୃତି ବୁଲା ଚାଲିଲା । ଦିନଗୁଡ଼ିକ ଅତି ଆନନ୍ଦରେ କଟିଯାଏ ଜଣା ନ ପଡ଼ି । ଏ ମଧ୍ୟରେ ନିରଞ୍ଜନ ଭଉଣୀମାନଙ୍କ ସହିତ ସାଗରର ପରିଚୟ ହୋଇ ଦିପହରେ ତାସ ଖେଳଟା ଜମିଲା । ଦିନେ ତାସ୍‌ ଖେଳବେଳେ ଖବର ମିଳିଲା ଦୁହେଁ ପାଶ୍‌ କରିଛନ୍ତି ।

 

ଛୁଟି ସରି ଆସିଲା । ସାଗର କଟକ ବାହାରିଲା । ନିରଞ୍ଜନ କହିବ କହିବ ହୋଇ ବାପାଙ୍କୁ କହି ପାରୁ ନ ଥାଏ । ଦିନ ପାଖେଇ ଆସୁଛି ଦେଖି ଦିନେ କହିଲା, ନାନା, ଏମ୍‌.ଏ ଓ ଲ’ରେ ଭର୍ତ୍ତି ହେବା ଦିନ ହୋଇଗଲା । କାଲି ସାଗର ସଙ୍ଗେ କଟକ ଯିବି ।’’ ଗୋପାଳବାବୁ ପୁଅ କଥା ଶୁଣି ଚମକି ପଡ଼ିଲେ । ଧମକ ଦେଇ କହିଲେ,–‘‘କିରେ, କ’ଣ ବୁଢ଼ା ହେବା ପର୍ଯ୍ୟନ୍ତ ପଢ଼ୁଥିବୁ କି ? ତୋର ବାହାଘର ପରା ଗୋଡ଼ିପଡ଼ା ଜମିଦାରଙ୍କ ଘରେ ଠିକଣା ହୋଇଛି ? ଆର ମାସରେ ବାହାଘର !

 

ନିରଞ୍ଜନ ଆଶ୍ଚର୍ଯ୍ୟ ହେଲା ବାପାଙ୍କ କଥା ଶୁଣି । ତାର ବିବାହ, ପୁଣି ତା ଅଜାଣତରେ-? ଏପରି କି ଦିନ ମାସ ମଧ୍ୟ ସ୍ଥିର ହୋଇ ଯାଇଛି । ସେ କହିଲା, ‘‘ଯଦି ଠିକ୍‌ କରିଛନ୍ତି, ତେବେ ଦିଟା ବର୍ଷ ଗଡ଼ାଇ ଦିଅନ୍ତୁ ।’’ ଗୋପାଳବାବୁ ଗର୍ଜି ଉଠି କହିଲେ,–ବେଶି ପାଠ ପଢ଼ିଲାରୁ ମୁହଁ ଓପରକୁ ହେଲାଣି ନା ? ଅବାଧ୍ୟ ହେବୁ ଜାଣିଥିଲେ ମୁଁ ନିଜ ମୁଣ୍ଡ ନୁଆଇଁ ନଥାନ୍ତି-।’’

 

ସାଗର ନିରଞ୍ଜନକୁ ଖୋଜି, ହଠାତ୍‌ ସେଠାରେ ପହଞ୍ଚି ପରିସ୍ଥିତି ଦେଖି ଅପ୍ରସ୍ତୁତ ହେଲା-। ଅବସ୍ଥାକୁ ସମ୍ଭାଳି ନେବାକୁ କହିଲା,–‘‘ନାଇଁ ମଉସା, ନିରଞ୍ଜନ ମନା କରିବନାହିଁ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’’ ଗୋପାଳବାବୁ ଗର ଗର ହୋଇ ଉଠିଗଲେ । ସାଗର ଓ ନିରଞ୍ଜନ ନିଜ ବଖରାକୁ ଚାଲି ଆସିଲେ ଏବଂ ନିରଞ୍ଜନ ଗୁମ୍‌ମାରି ବସିପଡ଼ିଲା । ସାଗର ହସି ହସି କହିଲା–‘‘ଆଉ ବିଳମ୍ବ କାହିଁକି, ବନ୍ଧୁବର । ଏଥର ମୁକୁଟ ପିନ୍ଧି ବାହାରି ପଡ଼, ଯୋଡ଼ି ବଳଦ ହୋଇ ଆସିବ ।’’

 

ନିରଞ୍ଜନ ସାଗରର ପରିହାସରେ ବିରକ୍ତ ହୋଇ କହିଲା,–‘‘ଥଟ୍ଟା ରଖ, ଏପରି ଗୋଟାଏ ସମସ୍ୟା ଉଠିପାରେ, ଏକଥା ମୁଁ କଳ୍ପନା କରି ନ ଥିଲି । ବର୍ତ୍ତମାନ ଉପାୟ !’’ ସାଗର ଆଉ କଛି ଉପାୟ ନ ଦେଖି କହିଲା –‘‘ଦେଖ ନିରଞ୍ଜନ, ତୋର ମତ ନ ନେଇ ନିର୍ବନ୍ଧ ଠିକ୍‌ ହୋଇଛି ଯେତେବେଳେ, ଆପତ୍ତି କରିପାରୁ; ମାତ୍ର ଯେଉଁ ନିରୀହା ଝିଅଟି ତୋ ପାଇଁ ଉତ୍ସୃଷ୍ଟ ହୋଇଛି, ତା ଅବସ୍ଥା ଭାବି ଦେଖିଛୁ ! ଏ ନିର୍ବନ୍ଧ ଭାଙ୍ଗିଗଲେ, ସେ ଆଉ ବିବାହ ହୋଇ ପାରିବନାହିଁ । ସାରାଜୀବନ ସେ ରହିବ ଲାଞ୍ଛିତା ହୋଇ, ତୋର ଜିଦ୍‌ ପାଇଁ । ତୁ ଶିକ୍ଷିତ ହୋଇ ଏପରି ଜିଦ୍‌ ଧରି ବସନା । ମାନି ଯା ଭାଗ୍ୟକୁ ।’’

 

ନିରଞ୍ଜନ ସାଗରର ଯୁକ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା–‘‘ତୁ ଏକଥା କହି ପାରିଲୁ, ସାଗର ? ଯାହାକୁ ମୁଁ ଜାଣିନି, ଦେଖିନି, ତାକୁ ଅନ୍ଧ ଭାବରେ ଗ୍ରହଣ କରି ନିଜକୁ ନିଜେ ଫାଶି ଘେନିବି ସିନା । ମୋର ଆଶା ଆକାଶ ସ୍ଵପ୍ନ ସବୁ ବ୍ୟର୍ଥ ହୋଇଗଲା, ଭାଇ, ସବୁ ଧୂଳିରେ ମିଶିଗଲା । ଏପରି କି ପାପ ମୁଁ କରିଥିଲି, ଯାହାର ଫଳ ଭୋଗପାଇଁ ନିଜକୁ ଏପରି ବିଡ଼ମ୍ବିତ ହେବାକୁ ପଡ଼ିଲା । ସାଗର,କହିପାରିବୁ ଭାଇ ଏପରି କାହିଁକି ହେଲା ?’’–କହୁ କହୁ ନିରଞ୍ଜନ କାନ୍ଦି ପକାଇଲା ବ୍ୟାକୁଳ ଭାବରେ ।

 

ସାଗର ତାକୁ ଅନେକ ବୁଝାଇ କହିବାରେ ସେ ଟିକିଏ ସ୍ଥିର ହେଲା । କଥା ହେଲା ତା ପରଦିନ ସେ ଦୁହେଁ ଯାଇ କନ୍ୟାକୁ ଦେଖି ଆସିବା ପରେ କର୍ତ୍ତବ୍ୟ ସ୍ଥିର କରିବେ ।

 

ରାତି ଆଉ ଅଧିକ ନକରି ଦୁହେଁ ଖାଇ ପିଇ ଶୋଇଲେ; ମାତ୍ର ଦୁହିଁଙ୍କ ଆଖିକୁ ନିଦ ଆସିଲାନାହିଁ । ସକାଳୁ କ’ଣ ହେବ–ଏହି ଚିନ୍ତାରେ ମନ ଘୂରିବାକୁ ଲାଗିଲା ।

 

ପରଦିନ ସକାଳୁ ନିତ୍ୟକର୍ମ ସାରି ସାଗର ତା ପ୍ରସ୍ତାବ ଗୋପାଳବାବୁଙ୍କୁ ଦେଲା । ଗୋପାଳବାବୁ ଖୁସି ହୋଇ ସଙ୍ଗେ ସଙ୍ଗେ ଗୁମାସ୍ତାକୁ ଡାକି ବାହାରିବାର ବନ୍ଦୋବସ୍ତ କରି ଦେଲେ । ନିରଞ୍ଜନର ଇଚ୍ଛା ନଥିଲେ ମଧ୍ୟ, ସାଗର ଓ ଗୁମାସ୍ତା ସହିତ ଶଗଡ଼ରେ ବସିଗଲା । ଗୋଡ଼ିପଡ଼ାରେ ପହଞ୍ଚିଲା ବେଳକୁ ବେଳ ପହରେ । ପହଞ୍ଚିବା ପରେ ପରେ ଆଦର, ଅଭ୍ୟର୍ଥନା ଓ ଆପ୍ୟାୟନରେ କେତେ ସମୟ ବିତିଗଲା । ବେଳ ଯେତିକି ଗଡ଼ି ଯାଉଥାଏ, ନିରଞ୍ଜନ ଓ ସାଗରର ଛାତି ସେତିକି ଧଡ଼ ଧଡ଼ ହେଉଥାଏ । ଶେଷରେ କନ୍ୟାକୁ ସଙ୍ଗରେ ଘେନି ପ୍ରବେଶ କଲେ ସ୍ଵୟଂ ଜମିଦାର ନରହରିବାବୁ । କଲେଜ ବନ୍ଧୁ ଯୁଗଳ ଟିକିଏ ସଂକୁଚିତ ହୋଇଗଲେ । ନିରଞ୍ଜନ ଦେଖିଲା–କନ୍ୟା ସୁନ୍ଦରୀ ନୁହେଁ, ତା ବୋଲି ଅସୁନ୍ଦରୀରେ ମଧ୍ୟ ଗଣା ହେବନାହିଁ, କିନ୍ତୁ ଧୀର ଓ ଶାନ୍ତ । ବର୍ଣ୍ଣ ଶ୍ୟାମଳ, ମୁଖରେ ଆଭିଜାତ୍ୟ ଗର୍ବ ନାହିଁ, ଅଥଚ ଅଛି ନମ୍ରତା । ମୁହଁରେ ସରଳତାର ଛାପ, ଗଠନ ସୌଷ୍ଠବ ଶରୀରର ପ୍ରତି ଅଙ୍ଗରେ ପରିସ୍ଫୁଟ । ଏସବୁ ମିଶାଇ ଗୋଟିଏ ଧୀର, ସରଳ ବାଳିକାର ରୂପ ଘେନି ଠିଆ ହୋଇଛି ‘ବାଗ୍‌ଦତ୍ତା ।’’

 

କନ୍ୟା ସହିତ ସାଗର ଦି ଚାରି ପଦ କଥା ହୋଇ ବୁଝିଲା ଯେ ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି, ଘର କାମ ଜାଣେ, ରୋଷାଇ ଶିଖିଛି । ଏତିକିରେ କନ୍ୟା ଦେଖା ଶେଷ ହୋଇଗଲା । ଫେରିବା ବାଟରେ ସାଗର ପଚାରିଲା, ‘‘କ’ଣ ଦେଖିଲୁ, ନିରଞ୍ଜନ !’’

 

ନିରଞ୍ଜନ–‘‘ମନ୍ଦ ନୁହେଁ, ତେବେ ଏ ଯେ ନିତାନ୍ତ ଅପଟୁ । ଏହାକୁ ମଣିଷଟାଏ କରିବାକୁ ମତେ ଯୁଗ ଗୋଟାଏ ଲାଗିଯିବ !’’

 

ସାଗର–‘‘ଲାଗୁ ଭାଇ, ଚିନ୍ତା ନାହିଁ । ଆମ ସାଙ୍ଗେ ପଢ଼ୁଥିବା ମିସ୍‌ ଦାସ, ମିସ୍‌ ମହାପାତ୍ର, ମିସ୍‌ ମହାନ୍ତିଙ୍କଠାରୁ ଏ ଭଲ । ସେମାନେ ବାହାରକୁ ଗୋଲାପ ପରି ଅତି ଆକର୍ଷଣୀୟ; କିନ୍ତୁ ଭିତରେ ଆଗ୍ନେୟଗିରି । ତହିଁରୁ ତରଳ ପଙ୍କ କେତେବେଳେ ଉଦ୍‌ଗୀର୍ଣ୍ଣ ହେବ ଜଣା ନାହିଁ । ବାହାର ଚାକ୍‌ଚିକ୍‌କଣରେ ଭୁଲି ସାରା ଜୀବନଟାକୁ ହା ହୁତାଶରେ ଜାଳିବା ଅପେକ୍ଷା ଏ ଶତଗୁଣେ ଭଲ, ସହସ୍ର ଗୁଣେ ଭଲ । ତୋ ଭାଗ୍ୟ ଭଲ, ନିରଞ୍ଜନ !’’

 

ଏ ସବୁ ସତ୍ତ୍ୱେ ନିରଞ୍ଜନ ମନ ମାନୁ ନଥାଏ । ତାର ଏମ୍‌.ଏ.ପଢ଼ା କ’ଣ ତାହା ହେଲେ ସ୍ଵପ୍ନରେ ରହିଯିବ । ଧୂମକେତୁ ପରି ଏ ବିବାହ ଆସି ତାର ମଧୁମୟ ସ୍ଵପ୍ନ ଭାଙ୍ଗି ଦେଲା । ନାନା ଦୁଃଶ୍ଚିନ୍ତାରେ ନିରଞ୍ଜନର ମନ ଭାରାକ୍ରାନ୍ତ ହୋଇ ଉଠିଲା । ବାଟଟା କୌଣସି କ୍ରମେ ଚୁପ୍‌ଚାପରେ କଟିଗଲା ।

 

ଘରେ ପହଞ୍ଚି ସାଗର ଗୋପାଳବାବୁଙ୍କୁ କହିଲା, ‘‘ପାତ୍ରୀ ପସନ୍ଦକୁ ଆସିଛି, ନିରଞ୍ଜନ ବିଭା ହେବ । ତେବେ ବିବାହ ପରେ ତାକୁ ଏମ୍‌.ଏ.ପଢ଼ିବାକୁ ଅନୁମତି ଦେବେ ।’’ ଗୋପାଳବାବୁ କଣ ଟିକିଏ ଭାବି, ଅଳ୍ପ ହସି କହିଲେ,–‘‘ହଉ, ଅଛି ତ ସେ କଥା । ଦେଖ, ତମେ ନିଶ୍ଚୟ ସେତେବେଳକୁ ଆସିବ ।’’

 

ସାଗର–‘‘ହଁ ମଉସା, ନିରଞ୍ଜନର ବିବାହ, ମୁଁ ଆସିବି ନି ?’’ସାଗର ବିଦାୟ ନେଇ ଏକାକୀ କଟକ ଚାଲିଲା । ସାଥିରେ ଷ୍ଟେସନ୍‌କୁ ଛାଡ଼ିବାକୁ ଆସି ନିରଞ୍ଜନ ଭାବୁଥାଏ, ‘ମୁଁ ହେଲେ ବସି ଯାଆନ୍ତି ଟ୍ରେନ୍‌ରେ । ’

 

ବିବାହ ଦିନ ପାଖେଇ ଆସିଲା । ବିରାଟ ଆୟୋଜନ ହେଲା ଜମିଦାର ଘରେ । ସବୁ ସତ୍ତ୍ୱେ ନିରଞ୍ଜନ କିମିତି କିମିତି ମନ ମରା ହୋଇଥାଏ । ବୋଉ କେତେ ବୁଝାନ୍ତି; ତଥାପି ସେ ସାନ୍ତ୍ୱନା ପାଇ ପାରେ ନାହିଁ ।

 

ବୈଶାଖ ମାସର ଅକ୍ଷୟ ତୃତୀୟା ଲଗ୍ନରେ ବିବାହ ଠିକ୍‌ ହୋଇଥିଲା । ସେହିଦିନୁ ଆଉ ପଚିଶ ଦିନ ଥାଏ, ଏ ସମୟରେ ହଠାତ୍‌ ଗୋଡ଼ିପଡ଼ାର ପୁରୋହିତ ଆସି କହିଲେ, ‘‘ବିବାହ ବୈଶାଖ ମାସର ପ୍ରଥମ ଲଗ୍ନରେ ହେବ, କାରଣ ଦ୍ଵିତୀୟ ଓ ତୃତୀୟ ଲଗ୍ନ ବାରବେଳାରେ ପଡ଼ୁଛି-।’’ ସେଦିନକୁ ହିସାବ କଲେ ପ୍ରଥମ ଲଗ୍ନର ଦିନ ଥାଏ ମୋଟେ ତିନିଦିନ । ଗୋପାଳବାବୁଙ୍କୁ ଏ ହଠାତ୍‌ ପରିବର୍ତ୍ତନ ସୁଖ ଲାଗିଲା ନାହିଁ । ଟିକିଏ ବିରକ୍ତ ହୋଇ କହିଲେ, ‘‘କଣ, ନରହରିବାବୁ ଖେଳଘର ପାଇଛନ୍ତି କି ? ଯାଅ କହିଦେବ, ସେହି ତୃତୀୟ ଲଗ୍ନରେ ଅକ୍ଷୟ ତୃତୀୟା ଦିନ ହେବ, ନ ହେଲେ ନାହିଁ, କନିଆଁ ମତେ ଅପୂର୍ବ ହୋଇନି ମ ।’’

 

ନିରଞ୍ଜନ ବାପାଙ୍କର ଏଭଳି ଖିଆଲରେ ଆଶ୍ଚର୍ଯ୍ୟ ଓ ଆନନ୍ଦ ହେଲା । ସେହିକ୍ଷଣି କିନ୍ତୁ ପର ମୁହୂର୍ତ୍ତରେ ତାର ବିବେକ କହି ଉଠିଲା –‘ଏତେ ବାଟ ଆଗେଇ ଯାଇ ବନ୍ଦ ହେଲେ କେଡ଼େ ଅସୁନ୍ଦର କଥା । ’

 

ସେ ନିଜେ ଯାଇ ବାପାଙ୍କୁ କହିଲା–‘‘ନନା,ଏତେ ବାଟ ଆଗେଇ ଯାଇଛି ଯେତେବେଳେ ନାହିଁ କଲେ ଲୋକେ କ’ଣ କହିବେ ? ତାଙ୍କୁ କହି ଦିଅନ୍ତୁ ସେଇ ପ୍ରଥମ ଲଗ୍ନରେ ହେବ ।

 

ଗୋପାଳବାବୁ ବାକୁ ବାକୁ ହୋଇ ଚାହିଁଲେ ପୁଅ ମୁହଁକୁ । ତା କଥା ଶୁଣି କହିଲେ, ‘‘କି, ମନ ତରଳି ଗଲା କି କନିଆଁ ଦେଖି ? ନା,ଏ ବିଭା ହେବନି । ଯାହା କହିବା କଥା ମୁଁ କହିବି, ତୁ ଯା-।’’

 

ନିରଞ୍ଜନ–‘‘ନା ନନା, ଆଉ ନାହିଁ କରିବା ଅନୁଚିତ । ଆପଣ ନ କହିଲେ, ମୁଁ କହିବାକୁ ବାଧ୍ୟ ହେବି ।’’

 

ଗୋପାଳବାବୁ ଗର୍ଜି ଉଠିଲେ–‘‘ହେଁ, ତୁ କହିବୁ ? ଆଚ୍ଛା ଦେଖିବା, କିମିତି ଏ ବିଭାଘର ହବ ମୁଁ ଦେଖିବି ।’’

 

ନିରଞ୍ଜନ ଅତିରିକ୍ତ ବିସୃଷ୍ଟ ହୃଦୟରେ ଫେରି ଆସିଲା ବାପାଙ୍କ ପାଖରୁ । ପୁରୋହିତଙ୍କୁ କହିଲା–‘‘ଯାଅ ଗୋସାଇଁ, ସେହି ପ୍ରଥମ ଲଗ୍ନରେ ବିଭାଘର ହେବ ।’’

 

ଏହା ପରେ ନିରଞ୍ଜନର ହୃଦୟରେ ଖଣ୍ଡେପଟେ ଲାଗିଗଲା । ବିନା ଅସ୍ତ୍ରରେ କ୍ଷତ ବିକ୍ଷତ ହେଲା ନିରଞ୍ଜନ । ଶେଷରେ ବିବେକର ଜୟ ଦେଲା ତାର ମନେ ହେଲା ଗୋଟିଏ ନିରୀହା ବାଳିକାର ସର୍ବନାଶ କରିବାର ଅଧିକାର ତାର ନାହିଁ । ନିରପରାଧୀନୀର କଳଙ୍କ ଅନ୍ତତଃ ସେ ହୋଇପାରିବ ନାହିଁ, ଯାହା ହେବାର ହେଉ ପଛକେ ।

 

ବିବାହ ଦିନ ସକାଳୁ ଉଠି ନିରଞ୍ଜନ ଦେଖେ ତ ଶଙ୍ଖ ଓ ମହୁରି ବାଜୁଛି, ହୁଳହୁଳିରେ ଘର ଉଛୁଳୁଛି; କିନ୍ତୁ ସବୁ ଯେପରି ନୀରସ । ବିବାହ ପାଇଁ ତାକୁ ‘ବରବେଶ’ ରେ ବୋଉ ସଜାଇ ଦେଲେ କାନ୍ଦି କାନ୍ଦି ଅଶ୍ରୁସଜଳ ଲୋଚନରେ । ସେ କାରଣ ପଚାରି ବୁଝିଲେ, ‘‘ନନା ରାଗି ଚାଲି ଯାଇଛନ୍ତି ପୁରୀ, ଫେରିବେ ପରଦିନ ।’’

 

ଏକଥା ଶୁଣି ନିରଞ୍ଜନ ସ୍ତବ୍‍ଧ ଓ ହତୋତ୍ସାହ ହେଲା । କର୍ତ୍ତବ୍ୟ ସ୍ଥିର କରି, ମାମୁଁଙ୍କ ସହିତ ଯାଇ ବିବାହ ବେଦୀରେ ପହଞ୍ଚି ବିଭା ହୋଇ ଫେରିଲା ।

 

ଚାରିଦିନ ପରେ ଗୋପାଳବାବୁ ଫେରିଲେ । ପୂର୍ବର ଚଳଣି ତାଙ୍କଠାରେ ଆଉ ଦେଖିବାକୁ ମିଳିଲା ନାହିଁ । ଫେରି, ସେ ରହିଲେ ବାହାର କଚେରୀ ଘରେ; ଖାଇବା ମଧ୍ୟ ସେଠାରେ ହେଲା । ଭିତର ସହିତ ତାଙ୍କର ସମ୍ପର୍କ କ୍ଷୀଣ ହୋଇଗଲା । କ୍ଷୀଣତର ହେଲା ସମ୍ପର୍କ ନିରଞ୍ଜନ ସହିତ, ଏପରିକି ସେ କଥା ମଧ୍ୟ ତାକୁ କହିଲେ ନାହିଁ ।

 

ସାତ ଦିନ ଏପରି ବିତିଗଲା । ଶେଷରେ ଦିନେ ନିରଞ୍ଜନ ବାଧ୍ୟ ହୋଇ କହିଲା–‘‘ନନା, ମୁଁ କଟକ ଯିବି । ଏମ୍‌. ଏ.ରେ ନାଁ ଲେଖାଇବାର ଦିନ ହୋଇଗଲା ।’’

 

ଗୋପାଳବାବୁ ପ୍ରଥମେ ନ ଶୁଣିଲା ପରି ରହିଲେ । ତୁହାଇ ତୁହାଇ ସେହି କଥା ପଚାରିବାରେ ସେ ପାଟି କରି ଉଠିଲେ,–‘‘ଏମ୍‌.ଏ. ପଢ଼ିବ ତ ମତେ ସ୍ଵର୍ଗକୁ ନେବ । ବିଭା ହେବାକୁ କ’ଣ ମୋ ଅନୁମତି ଲୋଡ଼ା ହେଲା ? ଯାଉନ, ଶଶୁର ପାଖକୁ, ମୁଁ କିଏ କି !’’

 

ନିରଞ୍ଜନ ଏଭଳି ଉତ୍ତର ଆଶା କରି ନ ଥିଲା । ନନାଙ୍କ ସହିତ କଳି କିମ୍ବା ଉଚ୍ଚବାଚ କରିବା ପାଇଁ ତାର ମନ ହେଲନାହିଁ । ସୁତରାଂ ସେ କିଛି ନ କହି ଧୀରେ ଉଠି ଆସିଲା ।

 

କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ତାର କଟିଗଲା ସେ ଦିନଟା । ଶେଷରେ ଯାଇ ବୋଉଠାରୁ ନିଜର ଦୁରବସ୍ଥା ଓ ସଂକଳ୍ପ ଜଣାଇଲା । ଶେଷରେ ବୋଉଙ୍କଠାରୁ ଶହେଟି ଟଙ୍କା ନେଇ ସେହିଦିନ କଟକ ଚାଲିଗଲା ।

 

ବାଟସାରା କିମିତି କଟିଛି ସେ ନିଜେ ଜାଣେନା । ସନ୍ଧ୍ୟାରେ କଟକରେ ପହଞ୍ଚି ସିଧାସଳଖ ଗଲା ସାଗର ଘରକୁ । ହଠାତ୍‌ ନାଟକୀୟ ଭଙ୍ଗୀରେ ନିରଞ୍ଜନକୁ ସାଗର ଦେଖିବ, ଏ କଥା କେବେ କଳ୍ପନା କରି ନ ଥିଲା । ସେ ସ୍ୱପ୍ନରୁ ଉଠିଲା ପରି ପଚାରିଲା –‘‘ନିରଞ୍ଜନ, ତୁ ହଠାତ୍‌ ଏତେବେଳେ ? ମତେ ଗୋଟାଏ ଚିଠି ମଧ୍ୟ ଦେଇନୁ ସେ ଦିନୁ ? କଥା କ’ଣ ?

 

ଗୋଟାଏ ଦୀର୍ଘ ନିଶ୍ୱାସ ମାରି ନିରଞ୍ଜନ କହିଲା, ‘‘କାଲି ଯାଇ ଲ’ରେ ନାଁ ଲେଖାଇବି ଯିମିତି ହେଉ । ମତେ ‘ଲ’ ପାଶ୍‌ କରିବାକୁ ହେବ । ଘର ହିତ ଆଉ ସମ୍ପର୍କ କ’ଣ ? ଏଣିକି ନିଜ ଗୋଡ଼ରେ ଠିଆ ହେବାକୁ ହେବ । ଈଶ୍ଵରଙ୍କ ଇଚ୍ଛା କ’ଣ କେଜାଣି !’’

 

ପରଦିନ ‘ଲ’ କଲେଜରେ ନାମ ଲେଖା ହେଲା; ମାତ୍ର ନାମ ଲେଖା ହୋଇଗଲେ ତ ହେଲାନାହିଁ । ସେ ରହିବ କେଉଁଠି, ଚଳିବ କିପରି ? ନିରଞ୍ଜନ ବହୁ ଦଉଡ଼ା ଧାପଡ଼ା କରି ହଷ୍ଟେଲରେ ସିଟ୍‌ଟିଏ ପାଇଲା । ହଷ୍ଟେଲର ନିୟମ ଅନୁସାରେ ଅଗ୍ରିମ ଟଙ୍କା ଦେଲେ ରହି ପାରିବା କଥା । ଭାଗ୍ୟ ଏହିପରି ଯେ ଏହି ଟଙ୍କା କେତୋଟା ଯୋଗାଡ଼ କରିବା ପାଇଁ ବି.ଏ. ପାଶ୍‌ କରି ସୁଦ୍ଧା, ତାକୁ ଗୋଟାଏ ତଳ ପାହ୍ୟାରେ କିରାନୀ ଭାବରେ ଚାକିରି କରିବାକୁ ପଡ଼ିଲା ।

 

ନିରଞ୍ଜନ ନିଜର ବିଡ଼ମ୍ବିତ ଭାଗ୍ୟ ଧରି ବୁଲ୍‌ବୁଲ୍‌ ଦିନେ ଦେଖିଲା ବାଣପୁର ସ୍କୁଲର ହେଡ଼ମାଷ୍ଟ୍ରଙ୍କୁ । ସେ ସବୁକଥା ପଚାରିବାରେ ନିରଞ୍ଜନର ଅକପଟ ଚିତ୍ତରେ ନିଜର ଦୁର୍ଦ୍ଦଶା କହିଗଲା । ହେଡ଼ମାଷ୍ଟ୍ରେ ତା ଜୀବନର କରୁଣ କାହାଣୀ ଶୁଣି ବିଗଳିତ ହେଲେ । ସେ କହିଲେ, ‘‘ଆଚ୍ଛା, ତମେ କାଲି ସକାଳେ ଆମ ତେଲେଙ୍ଗା ବଜାର ବସାକୁ ଆସ । ଦେଖ ଲକ୍ଷ୍ମୀଧରକୁ କହି, ଯଦି କିଛି କରାଯାଇ ପାରେ ।’’

 

ନିରଞ୍ଜନ ଘନ ଅନ୍ଧାର ମଧ୍ୟରେ ଆଲୋକର କ୍ଷୀଣ ରେଖା ଦେଖିଲା । ତାର ମନେହେଲା, ଲକ୍ଷ୍ମୀଧରବାବୁ ଓକିଲ । ଯଦି ତାକୁ ପାଖରେ ରଖନ୍ତି, ତେବେ ସେ ‘ଲ’ପାଶ୍‌ କରି ତାଙ୍କ ନିକଟରେ ଜୁନିଅର ଭାବରେ କାର୍ଯ୍ୟ କରିପାରିବ । ଟଙ୍କା କୌଣସି କ୍ରମେ ଯୋଗାଡ଼ କରିବ ଟିଉସନ କରି, ଏସବୁ ଭାବି ଭାବି ଆନନ୍ଦ ମନରେ ପହଞ୍ଚିଲା ସାଗର ପାଖରେ ।

 

ନିରଞ୍ଜନ ତେଲଙ୍ଗା ବଜାରରେ ଲକ୍ଷ୍ମୀଧରବାବୁଙ୍କ ଘରେ ପହଞ୍ଚି ଦେଖେ ତ ଲକ୍ଷ୍ମୀଧରବାବୁଙ୍କ ସିରସ୍ତାରେ ମହକିଲ, ମୋହରିର ନେଇ ବସିଛନ୍ତି । ସେ ବିନମ୍ର ନମସ୍କାରଟିଏ ପକାଇ ପିଣ୍ଡାରେ ଅପେକ୍ଷା କରି ବସି ରହିଲା । ପ୍ରତୀକ୍ଷାର ଅବସାନ ଘଟାଇ ହେଡ଼ମାଷ୍ଟ୍ରେ ଆସି କହିଲେ–‘‘ନିରଞ୍ଜନ, ମୁଁ ଲକ୍ଷ୍ମୀଧର ସଙ୍ଗେ କଥା ହୋଇଛି । ହଁ, ସେ ତା ଅଫିସରେ ତମକୁ ରଖାଇବ ସନ୍ଧ୍ୟା ସମୟଟା ଓ ମାସିକ ଚାଳିଶ ଟଙ୍କା ଦେବ । ଏତିକିରେ ତମର ଯଦି ଚଳିଯିବ ମନେ କର, ତେବେ ଆଜିଠୁ ଆସି ଯୋଗ ଦିଅ । ଶୁଭସ୍ୟ ଶୀଘ୍ରମ୍‌ ।’’

 

ନିରଞ୍ଜନ ଥଳକୂଳ ପାଉ ନ ଥିଲା, ଏ କଥା ଶୁଣି ଅକୂଳରେ ଥଳ ପାଇଲା; ତଥାପି ତାର ଆହୁରି ସମସ୍ୟା ରହିଗଲା । ହେଲେ ସୁଦ୍ଧା ସେ କୃତଜ୍ଞତା ଜ୍ଞାପନ କରି ପ୍ରଣାମ କରି ଫେରିଲା କାଲିଠାରୁ ଆସିବ କହି । ମନେ ମନେ ହିସାବ କଲା । ଏହା ପରେ ଦୁଇଟି ଟିଉସନ୍‌ କରି କିଛି ଟଙ୍କାର ଯୋଗାଡ଼ କରିବ । ଅତିକମ୍‌ରେ ଆଉ ଚାଳିଶ ଟଙ୍କା ନହେଲେ ଚଳିବ ନାହିଁ । କଲେଜ ଦରମା, ହଷ୍ଟେଲ ଫିସ୍‌ ଓ ଖାଇବା ପାଇଁ ଏତକ ନିତାନ୍ତ ଦରକାର ହେବ; ଯିବା ଆସିବାଟା ସେ ପାଦରେ ଚଳାଇ ନେବ ପଛକେ ।

 

ବହୁ ଲୋକଙ୍କୁ ଧରା ଧରି କରି ସେ ଟିଉସନ୍‌ ଦୁଇଟି ଯୋଗାଡ଼ କଲା । ସକାଳ ‘ଲ’ କଲେଜ, ଦିପହରେ ଟିଉସନ ଓ ରାତିରେ ଓକିଲ ଘରକୁ ଦଉଡ଼ି ନିଜର ଭାଗ୍ୟ ଗଢ଼ିବାକୁ ଲାଗିଲା ନିରଞ୍ଜନ । ଜଳଖିଆ ନଖାଇ, ଖରା ତାତିରେ ଦଉଡ଼ି ସେ ନିଃଶେଷ ହେବାକୁ ବସିଲେ ସୁଦ୍ଧା, ମନର ବଳରେ ଉତ୍ସାହ ସହିତ ଦିନ ପରେ ଦିନ ବିତାଇଲା ।

 

ଘରୁ ବୋଉଠାରୁ ମଝିରେ ମଝିରେ ଚିଠି ପାଇ ସେ ଉତ୍ତର ଦିଏ । ନନା ଚିଠିଖଣ୍ଡେ କି ପଇସାଟିଏ ପଠାଇ ନାହାନ୍ତି । ନିରଞ୍ଜନ ନିଜ ଭାଗ୍ୟଦେବୀଙ୍କୁ ପ୍ରସନ୍ନ କରାଇବାକୁ ତଥାପି ଚେଷ୍ଟା ଚଳାଇଛି ।

 

ଆଇନର ପ୍ରଥମ ବାର୍ଷିକ ପରୀକ୍ଷା ସରିଲା । ନିରଞ୍ଜନର ଭାଗ୍ୟଦେବୀ ପ୍ରସନ୍ନା ହେଲେ, ସେ ପାଇଲା ପ୍ରଥମ ଶ୍ରେଣୀ । ବୃତ୍ତିଟାଏ ତାକୁ ସାହାଯ୍ୟ କଲା ଏ ଅସମୟରେ । ସେ ନିଜକୁ ପୁଣି ପ୍ରସ୍ତୁତ କଲା ଶେଷ ପରୀକ୍ଷା ପାଇଁ ।

 

କାଳ ତାର ନିୟମିତ ଗତି ଧରି ଚାଲିଛି । ଏହି ପ୍ରବାହର ଅନନ୍ତ ପରିବର୍ତ୍ତନ ମଧ୍ୟରେ ନିରଞ୍ଜନ ଜୀବନରେ ପରିବର୍ତ୍ତନ ଘଟିଗଲା । ସେ ଧଳା ପେଣ୍ଟ ଉପରେ କଳା କୋଟ ପିନ୍ଧୁଛି । କଚେରୀରେ ଜଜ୍‌ଙ୍କ ଆଗରେ ନିର୍ଭୀକ ଭାବରେ ତର୍ଜମା କରୁଛି । କଚେରୀରୁ ଫେରୁଛି ମଟରରେ । ତା ଆସିବା ବାଟକୁ ମିନତି ଚାହିଁ ରହୁଛି ପ୍ରତିଦିନ ।

 

ଜୀବନରେ ଦୁଃଖ ଆସେ, ତାର ମଧ୍ୟ ଅବସାନ ଘଟେ–ଲକ୍ଷ୍ମୀଧରଙ୍କ ପରି ଉଦାର ବ୍ୟକ୍ତିଙ୍କ ଯୋଗୁଁ ଏ ସଂସାରରେ କେତେ ଲକ୍ଷ ନିରଞ୍ଜନ ସତରେ ଅନ୍ଧହୋଇ ବୁଲୁଛନ୍ତି, ଅକାଳରେ ଝଡ଼ି ପଡ଼ୁଛନ୍ତି, ପ୍ରକୃତ ପଥ ଓ ସାହାଯ୍ୟ ନ ପାଇ ।

Image

 

ମତେ ଟୋପାଏ

 

‘ମତେ ଟୋପାଏ’, ‘ମତେ ଟୋପାଏ’, ‘ମତେ ଟୋପାଏ’–ଶବ୍ଦରେ ଅଞ୍ଚଳଟା ପ୍ରତିଧ୍ଵନିତ ହେଉଥାଏ । ବସ୍‌ଟା ଭିତରୁ ଝରକା ଭିତର ଦେଇ ପ୍ରାୟ ଦଶ ତିରିଶଟା ହାତ ପଦାକୁ ବାହାରି ଆସି ନିଜ ନିଜ ଆଡ଼କୁ ନିକଟକୁ ଡାକିବା ଭଳି ସୂଚନା ଦେଉଥାଏ । ଶୁଭୁଥାଏ–‘ମତେ ଟୋପାଏ’, ‘ମତେ ଟୋପାଏ ।’

 

ବସ୍‌ ବ୍ରହ୍ମପୁରରୁ ଛାଡ଼ ଛାଡ଼ ହେବା ବେଳକୁ ମଦନମୋହନ ବସ୍‌ ନିକଟରେ ପହଞ୍ଚିଲେ-। ସେତେବେଳକୁ ଚକ ରହିବା ଥାନରୁ ଦୁଇ ତିନି ଘୂରା ଦେଇ, ଅକସ୍ମାତ ଠିଆ ହୋଇ ଘୁମାଇବା ବିରାଡ଼ି ପରି ବସ୍‌ ଘୁଡ଼ୁ ଘୁଡ଼ୁ ହେଉଥାଏ । ବେଳ ହୋଇ ଯାଇଥିବା କାରଣରୁ ବସ୍‌ ଧରିବା ପାଇଁ ମଦନମୋହନଙ୍କୁ ଥୋଡ଼ାଏ ବାଟ ଦଉଡ଼ିବାକୁ ପଡ଼ିଲା । ସେ ଟିକିଏ ବପୁଷ୍ମାନ୍‍ । ସୁତରାଂ, ଥାକୁଲୁ ଥାକୁଲୁ ହୋଇ ଦଉଡ଼ିବାରେ ଅଣନିଶ୍ୱାସିଆ ହୋଇ ପଡ଼ିଥିଲେ । ସେଥିରେ ପୁଣି ପହଞ୍ଚି କଣ୍ଡକ୍ଟର ବାବୁଙ୍କୁ ଅନୁନୟ କରିବାକୁ ପଡ଼ିଲା । ଯାହାହେଉ ସେ ବାଟ ଛାଡ଼ିଦେବାରେ ମଦନମୋହନ ବସ୍‌ ଭିତରେ ପଶି, ଅନ୍ୟ କେଉଁଠାରେ ସ୍ଥାନ ନ ପାଇ, ନିତାନ୍ତ ଶେଷରେ ଲମ୍ବା ଆସନର ଡାହାଣ କୋଣରେ ଗୁଞ୍ଜି ହୋଇଗଲେ । ତାଙ୍କର ବପୁ ଓ ବେଶ ଦେଖି, ସେ ବସିଥିଲେ ସେମାନେ ଟିକିଏ ନିଜକୁ ସଙ୍କୁଚିତ କରିଦେବା ଫଳରେ, ବଡ଼ ମାଣ୍ଡିଟାଏ ଛୋଟ ତକିଆ ଖୋଳରେ ଗୁଞ୍ଜା ଗୁଞ୍ଜି କରି ପୂରାଇ ହେଲା ବୋଲି ଯେପରି ବିଚାର କରାଯାଏ, ମଦନମୋହନ ସେପରି ସାବଧାନସୂଚକ ଭାଷାରେ କହିଲେ–‘ହେଲା, ହେଲା, ଆଉ ଘୁଞ୍ଚିବା ଦରକାର ନାହିଁ ।’

 

ବସ୍‌ ତ ଛାଡ଼ିଥିଲା, ଆକସ୍ମିକ ରହିଯାଇଥିଲା ସିନା, ସୁତରାଂ ସ୍ଵାଭାବିକ ରୀତିରେ ଗତି ଧରି ଚାଲିଲା । କେଉଁଠାରେ ବେଗ କ୍ଷିପ୍ର ହେଲେ, କେଉଁଠାରେ କ୍ଷିପ୍ରତର ହେଲା । ସକାଳ ସାତଟା ସମୟ । ସୂର୍ଯ୍ୟ ମଦନମୋହନଙ୍କର ଡାହାଣପଟେ ମୁଣ୍ଡ ଟେକି କିଛି ବାଟ ଉଠିଥିଲେ ସୁଦ୍ଧା, ନିଜର କିରଣରେ ତାଙ୍କୁ ବାଧା ଦେଇ ପାରୁ ନ ଥିଲେ, କାରଣ ବଉଦ କେତେ ଖଣ୍ଡି ଛାଡ଼ବାଡ଼ରେ ରହି, ସୂର୍ଯ୍ୟଙ୍କୁ ମଝିରେ ମଝିରେ ଘୋଡ଼ାଇ ରଖି ମଦନମୋହନଙ୍କୁ ଏ ଦିଗରେ ସାହାଯ୍ୟ କରୁଥିଲେ । ପବନ ମୃଦୁମନ୍ଦ ଭାବରେ ବହୁଥିଲା, ମାତ୍ର ତାହା ବସ୍‌ର ବେଗ ଯୋଗୁ ମୃଦୁ ମନ୍ଦ ନ ହୋଇ ସାମାନ୍ୟ ପ୍ରତିଘାତୀ ହୋଇଥିଲା, ତେବେ ନିଦ ନ ଲାଗି ପାରିବା ଭଳି କିମ୍ବା ନିଦ ଭାଙ୍ଗିବା ଭଳି ହୋଇ ନ ଥିଲା । ନିଜର ସାମାନ୍ୟ କ୍ଳାନ୍ତି କାରଣରୁ ମଦନମୋହନ ଘୂମାଇ ପଡ଼ିଲେ । ତାଙ୍କର ବପୁର ବିଶାଳତା ଦୃଷ୍ଟିରୁ ସେହି ଲମ୍ବାସନରେ ପୂର୍ବରୁ ଯେ ସଙ୍କୋଚନ ବିଧି ଥରେ କାର୍ଯ୍ୟ ଆରମ୍ଭ କରିଥିଲା, ଘୁମନ୍ତ ବପୁର ଚାପ ପଡ଼ିଯିବା ଆଶଙ୍କାରେ ତାହା ପୁଣି କିଛି କାମ କଲା ।

 

‘ମତେ ଟୋପାଏ’, ‘ମତେ ଟୋପାଏ’, ନାଦରେ ମଦନମୋହନଙ୍କର ହଠାତ୍‌ ନିଦ ଭାଙ୍ଗିଗଲା । ସେ ବସିବା ସ୍ଥାନ ଛାଡ଼ି ନିଦ ବାଉଳାରେ ଡାହାଣ ପଟରୁ ବାମ ପଟକୁ ଆସି ଝରକାରେ ହାତ ବଢାଇ ‘ମତେ ଟୋପାଏ’, ‘ମତେ ଟୋପାଏ’ କହିଲେ; କିନ୍ତୁ ବସ୍‌ ସେତେବେଳକୁ ବେଗ ଧରି ନେଇଥିଲା ।

 

ମଦନମୋହନ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ସେ ବିଶ୍ଵବିଦ୍ୟାଳୟର ଉଚ୍ଚତମ କୃତିତ୍ଵ ଏମ୍. ଏ. ପରୀକ୍ଷାରେ ପାଶ୍‌ କରିଛନ୍ତି । କେତେଦିନ ପାଇଁ ଅଧ୍ୟାପନା ମଧ୍ୟ କରୁଥିଲେ । ବର୍ଣ୍ଣ ଗୌର, ବପୁ ପୁଷ୍କଳ, ତାମ୍ବୁଳର ଅରୁଣିମା ଓଷ୍ଠଦ୍ଵୟକୁ ରଞ୍ଜିତ କରିବାର ଦେଖାଯାଏ । ଲମ୍ବ ଓସାର କରି ସୂକ୍ଷ୍ମବସ୍ତ୍ରଟି ସେ ଯେପରି ପରିଧାନ କରନ୍ତି ଓ ସିଲ୍‌କ କମିଜ ଯେପରି ପିନ୍ଧନ୍ତି, ସେଥିରେ ସବୁବେଳେ ଜୋଇଁ ପୁଅ ପରି ଦିଶନ୍ତି । ତାଙ୍କର ପାଠ ସାଙ୍ଗକୁ ତାଙ୍କର ଏ ଶାଟ, ଆଟୋପକୁ ଗୋଟାଏ ରୂପ ଦିଏ । ଏହି କାରଣରୁ ସେ ନିଜକୁ ବସ୍‌ କୋଣରେ ଗୁଞ୍ଜି ଦେଇ ପାରିଲେ । ତାଙ୍କର ବପୁ ଓ ବେଶ ତାଙ୍କୁ ବହୁ ସମୟରେ ସୁଯୋଗ ସୁବିଧା ଦେଇଛି ଓ ଆଗଭର କରି ପାରିଛି ।

 

ନିଦ ବାଉଳାରେ ଉଠି ଆସି, ହାତ ବଢ଼ାଇ, ମଦନମୋହନ ହତାଶ ହେବା ପରେ ନିଜ ବସିବା ସ୍ଥାନରେ ଯାଇ ପୂରା ନିଶ୍ୱାସ ମାରି ପାରିଲେ ନାହିଁ । ନିଜର ହୃଦ୍‌ଯନ୍ତ୍ର କମାରଶାଳର ଭାତି ପରି, ଯେତିକି ଫୁଲିବା ଦରକାର ସେତିକି ଫୁଲିବା ପାଇଁ ସେଠାରେ ସୁବିଧା ନ ଥିଲା । ସେ ସେଥିପାଇଁ କେତେବେଳେ ଠିଆ ହେଲେ, କେତେବେଳେ ଆଗପଟ ବେଞ୍ଚ ଉପରେ ଦୃଢ଼ ଭାବରେ ରହିଥିବା ବକ୍ର ଲୌହଶଳାକା ଉପରେ ଆଉଜି ପଡ଼ିଲେ, କେତେବେଳେ ବା ମୁକ୍ତ ବାୟୁରୁ ପୁଳାଏ ପାଇବା ଉଦ୍ଦେଶ୍ୟରେ ନାକଟାକୁ ଝରକାବାଟେ ବାହାର ପଟକୁ ରଖି ଶୂନ୍ୟ ଆକାଶକୁ ତକାଇ ରହିଲେ । ସୂର୍ଯ୍ୟ ସେତେବେଳକୁ ପୁରା ଢାଙ୍କି ହୋଇ ରହିଥିଲେ ବଉଦତଳେ । ବସ୍‌ ପୁଣ୍ୟତୋୟା ଋଷିକୁଲ୍ୟା ନଦୀର ପୋଲ ପାର ହେଉଥିଲା ।

 

ଋଷିକୁଲ୍ୟା ପୋଲର ପ୍ରାୟ ମାଇଲିଏ ପୂର୍ବରୁ ସ୍ଥାନଟି ପନ୍ଦରବର୍ଷ ତଳେ ନିତାନ୍ତ ନିର୍ଜନ ନିକାଞ୍ଚନ ଥିଲା । ଏବେ ସେ ଜାଗାଟି ଆଉ ସେପରି ନାହିଁ । ବ୍ରହ୍ମପୁରରୁ କଟକ ଆସିଲାବେଳେ ବାମପଟେ ସେହି ସ୍ଥାନରେ ଗୋଟିଏ ଛୋଟିଆ ଦେଉଳ ତିଆରି ହୋଇଯାଇଛି । ଦେଉଳ ଆଗରେ ହଜାର ହଜାର ପତାକା ଉଡ଼ୁଛି । କୋରା, ଶାକର, ନଡ଼ିଆ, ପାଚିଲା କଦଳୀର ଦୋକାନ ବଜାର ବସିଗଲାଣି । ସାମାନ୍ୟ କେତେକ ଜନବସତି ମଧ୍ୟ ଆଖ ପାଖରେ ମୁଣ୍ଡ ଟେକିଛି । ସେହି କ୍ଷୁଦ୍ର ମନ୍ଦିରରେ ପ୍ରତିଷ୍ଠିତ ଦେବୀଙ୍କର ନାମ ହେଉଛି ‘ପୋଲକାସୁଣୀ’ । ଋଷିକୁଲ୍ୟା ପୋଲ ନିକଟରେ ଥିବାରୁ ଜଗଦ୍ଧାତ୍ରୀଙ୍କର ଏପରି ନାମ ହୋଇଛି ବୋଲି ସାଧାରଣ ଲୋକେ କହନ୍ତି । ମନାସିଥିବା କାରଣରୁ ଆସିଥିବା ଲୋକଙ୍କ ଭିତରେ ବେଳେ ବେଳେ ପଣ୍ଡିତମାନେ ମଧ୍ୟ ଥାଆନ୍ତି । ସେମାନେ ଆଲୋଚନା କରିବାବେଳେ ଏହି ନାମର ଅର୍ଥ କରି କିଏ କଣ କହେ । ଜଣେ କହିଲେ–‘‘ମହାମାୟାଙ୍କର ନାମ ସାଧାରଣ ଲୋକେ କହିବା ପରି ‘ପୋଲକାସୁଣୀ’ ନୁହେଁ । ଶୁଦ୍ଧ ଶବ୍ଦ ହେଉଛି ‘ପୁଲାକାଶନୀ’ । ‘ପୁଲକ’ ଶବ୍ଦର ଅର୍ଥ ହେଉଛି ଜାଉ ନ ହେଲେ କୁଣ୍ଡା ! ଗାଁ ଗହଳରେ ‘କୁଣ୍ଡାଖାଈ’ ଜନପୂଜିତ ଦେବତା । ‘ଜାଉଖାଈ’ ଘରେ କେହି ପୂଜା ପାଉ ନାହାନ୍ତି । ତେବେ ସଂସ୍କୃତ–ପଣ୍ଡିତମାନେ ପୂଜା କରିବା କଥା ହେଲେ କ’ଣ ‘କୁଣ୍ଡାଖାଈ’ଙ୍କର ପୂଜା କରିବେ ? ତାଙ୍କର ସବୁକଥା ଯେପରି ସଂସ୍କୃତ, ‘କୁଣ୍ଡାଖାଈ’ ସେହି ନିୟମରେ ‘ପୁଲାକାଶନୀ’ ହୋଇଛନ୍ତି ।

 

କଥାଟା ବିନା ପ୍ରତିବାଦରେ ଗଲା ନାହିଁ । ଆଉ ଜଣେ ଭବ୍ୟ ପଣ୍ଡିତ ଗାମୁଛାଟାକୁ ମୁଣ୍ଡରେ ଠେକା କରି ଭିଡ଼ି ଦେଇ, ଠିଆ ହୋଇପଡ଼ି କହିଲେ–‘‘ପୁଲାକ’’ ନ ହୋଇ ପୋଲିକା ହୋଇପାରେ । ପୋଲିକା ଶବ୍ଦର ଅର୍ଥ ପିଠା । ଏଠାକୁ ତ ମଣ୍ଡା, କାକରା, ଲଡ଼ୁ, ନାନମାନ, ଗଇଁଠା ଆରିଷା ସବୁ ପ୍ରକାର ପିଠା ପୂଜା ପାଇଁ ଆସୁଛି । ଦେବୀକୁଣ୍ଡା କି ଜାଉ ଖାଉଛନ୍ତି ବୋଲି କଦର୍ଥ କରିବାର କ’ଣ କାରଣ ଅଛି ? ମହାଶୟ, ଠିକ୍‌ ଭାବରେ ଅର୍ଥ କରନ୍ତୁ ।

 

ନିଜ ପାଣ୍ଡିତ୍ୟ ପଛରେ ପଡ଼ି ଯାଇଛି ମନେ କରି ପୌଢ଼ ପଣ୍ଡିତ ରାମହରି ରଥେ ଅଟୋପରେ ଚକାମୁଣ୍ଡିଟାଏ ପକାଇ, ପାନଖିଲଟାଏ ବଟୁଆରୁ ବାହାର କରି, ବାଁ ହାତ ପାପୁଲିର ମଧ୍ୟସ୍ଥଳରେ ରଖି, ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ଚକଟି ଚକଟି ମେଦା କରି, ପାଟିରେ ପକାଇ କହିଲେ–‘‘ହେଲା ହୋ, ପୁଲାକ କହ ପୋଲିକା କହ, ଖାଲି ଗୋ–ଖାଦ୍ୟ କଥା କହିଛ, ବାଘର ଆହାର କାହିଁ ? ଅର୍ଥଟାଏ କଲା ପରି କଲେ ସିନା ହେବ । ଭୋଜନ ଅର୍ଥରେ ‘ଅଶନ’ କହୁଛ । ପୁଂଲିଙ୍ଗରେ ହୋଇଥିଲେ ପୁଲାକାଶନ, ପୋଲିକାଶନ ହୋଇଥାନ୍ତା, ସ୍ତ୍ରୀଲିଙ୍ଗରେ ପୁଲକାଶନୀ ନହେଲେ ପୋଲକାଶନୀ ହୋଇଛି । ଏ ଅର୍ଥ କଲେ କ’ଣ ନାଲଭାଜି ମିଳିବ ? ବିନା ଛାଗବଳିରେ କ’ଣ ତାହା ସମ୍ଭବ ? ପୁଲାକ କିମ୍ବା ପୋଲିକ ସେହି ପ୍ରାଣ ବ୍ୟଞ୍ଜକ ‘ଅସୁ’ ଶବ୍ଦ ରହି ପୋଲାକାସୁନୀ ହୋଇଛି । ଦେବୀଙ୍କ ପୀଠରେ ଛୋଟକାଟର ପଣ୍ଡିତ ସଭା ଏହିଭଳି ବେଳେ ବେଳେ ବସେ ।

 

କିନ୍ତୁ ମହିମାରେ ପୋଲାକାସୁଣୀ ପୁରୁଷୋତ୍ତମପୁରର ତାରା ତାରିଣୀ, ବାଣପୁରର ଭଗବତୀ, ଭୁଷଣ୍ଡପୁରର ତାରା ଦେବୀ, ଏପରିକି କଟକର ଚଣ୍ଡୀ ଓ ଯାଜପୁରର ବିରଜାଙ୍କୁ ବଳି ପଡ଼ିଛନ୍ତି । ତାଙ୍କ ମହିମାରେ ବନ୍ଧ୍ୟା ପୁତ୍ର ପାଉଛି, ମକଦ୍ଦମାରେ ଜୟ ଘଟୁଛି, ପିଲାଏ ପରୀକ୍ଷାରେ ପାଶ୍‌ କରୁଛନ୍ତି, ଭୋଟରେ ପ୍ରତିଦ୍ଵନ୍ଦ୍ୱୀଙ୍କୁ ହରାଇ ପ୍ରାର୍ଥୀ ବିଜୟ ହାସଲ କରୁଛନ୍ତି । ତାଙ୍କର କୃପା କଟାକ୍ଷ କାରଣରୁ ଜଣେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ସେଠାରେ ବହୁ ସମୟରେ ଆଲୋଚନାରେ ପଡ଼େ । ସେଠାରେ ଦିନେ ଦିନେ ଏତେ ଜନଗହଳି ହୁଏ ଯେ ଟ୍ରକ, ମଟର, ବସ୍‌ ପାର ହେବାକୁ ଦୀର୍ଘ ସମୟ ଲାଗେ । କୌଣସି ବସ୍‌ ସେଠାରେ ନ ଅଟକି ନିଜର ପ୍ରଣତି ନ ଜଣାଇ ସିନ୍ଦୂର ଟୋପାଏ ନ ନେଇ ପାର ହୁଏନାହିଁ । ଶୁଣଯାଏ ଥରେ ଗୋଟାଏ ଟ୍ରକ ପ୍ରଣତି ନ ଜଣାଇ, ସିଧାସଳଖ ଚାଲିଗଲା । ସେ ଋଷିକୁଲ୍ୟା ପୋଲ ପାର ହୋଇ ପାରିଲାନାହିଁ । କିଛି ପୂର୍ବରୁ ଓଲଟି ପଡ଼ିଲା । ଡ୍ରାଇଭର ସାହେବଙ୍କର ପ୍ରାଣ ତ ଚାଲିଯାଇଥିଲେ ଭଲ ହୋଇଥାନ୍ତା, ମାତ୍ର ଛଟପଟ ହୋଇ ଘଟଣାକୁ ମନେ ରଖିବାପାଇଁ ସେ ବଞ୍ଚି ରହିଲେ । ଡାକ୍ତରଖାନାରେ ଭର୍ତ୍ତି ହୋଇ, ଆରୋଗ୍ୟ ଲାଭ କରି ସେ ଫେରିଲେ ମାତ୍ର ଦେହଟାରେ ତାଙ୍କର ଡାହାଣ ହାତଟା ଓ ଗୋଡ଼ରୁ ଅଧେ ନ ଥିଲା ।

 

ଭଗ୍ନମନୋରଥ ମଦନମୋହନ ନିଜ ସ୍ଥାନରେ ବସି, ହତାଶ ହୋଇ, ଭବିଷ୍ଣୁ ଦୁର୍ବିପାକର ଚିନ୍ତା କରୁ କରୁ ପୁଣି ଘୂମାଇ ପଡ଼ିଲେ । ତାଙ୍କର ମନ ହେଲା ଯେ ସେ ଏକ ଘନ ନିର୍ଜନ ଅରଣ୍ୟ ପଥରେ ଏକାକୀ ଚାଲିଛନ୍ତି । ପଛରୁ ତାଡ଼କାରାକ୍ଷସୀ ପରି ବାଳ ମୁକୁଳା କରି, ଗୋଟାଏ ବିକଟାଳ ମୂର୍ତ୍ତି ତାଙ୍କ ପଛେ ପଛେ ଗୋଡ଼ାଇ ଚାଲିଛି । ଦାନ୍ତଗୁଡ଼ାକ କେତେବେଳେ କିଟିମିଟି କରୁଛି, ଆଖି ଯୋଡ଼ାକ ଏପରି ଭାବରେ ବୁଲାଉଛି ଯେ ମନେ ହେଉଛି ସତେ ଯେପରି ସେହି ମୁହୂର୍ତ୍ତରେ ନିଆଁ ବାହାରି ପଡ଼ିବ । ଏ କରାଳମୂର୍ତ୍ତି ଭୀଷଣ ଗର୍ଜନ କରି କହୁଛି–‘‘ମାଗୁଥିଲୁ ପରା, ମତେ ଟୋପାଏ, ମତେ ଟୋପାଏ, ନେ, ହାତ ବଢ଼ା !’’

 

ସାରା ଦେହଟା ନଦୀରେ ବୁଡ଼ି ଗାଧୋଇ ତୋଠ ଉପରେ ଠିଆ ହେଲେ ଯେପରି ଦେଖା ଯାଆନ୍ତା, ଝାଳରେ ବୁଡ଼ି ସେପରି ହୋଇ ଯାଇଛି । ଛାତିଟା ଖାଲି ଧଡ଼ ଧଡ଼ ପଡ଼ୁଛି । ଦେହ କମ୍ପୁଛି, ସମଗ୍ର ଶରୀର ରୋମାଞ୍ଚିତ । ବାଉଳି ଚାଉଳି ହୋଇ ମଦନମୋହନ ତ୍ରସ୍ତ ଭୀତ ଭୟକମ୍ପିତ ସ୍ଵରରେ କହି ଉଠିଲେ–‘‘ମା ମତେ ଟୋପାଏ, ମତେ ଟୋପାଏ ।’

 

ବସ୍‌ ସେତେବେଳକୁ ତାର ଗତି କ୍ଷୀଣ କରି ରମ୍ଭାସଡ଼କ ଉପରେ ରେଳ ଗେଟ୍‌ ପଡ଼ିଥିବା କାରଣରୁ ଧଡ୍‌ କରି ଠିଆ ହୋଇ ଯାଇଥିଲା । ଏପାଖ ସେପାଖ ଦେଖି, ଜାଗାଟା ଠିକ୍‌ ଠଉରାଇ ପାରି, ନିଜର ଏ ଅବସ୍ଥାନ୍ତରର କାରଣ ହୃଦୟଙ୍ଗମ କରି, ଚାରିଆଡ଼କୁ ଚାହିଁ ମଦନମୋହନ ଗୋଟାଏ ମନଭରା ଦୀର୍ଘନିଶ୍ୱାସ ମାରିଲେ ।

Image

 

ଏ ଯୁଗର ବାବୁ ଭାୟା

 

ବାଜପୁର-ଖୋରଧା ମୁଲକର ଏକ ପ୍ରଖ୍ୟାତ ଗ୍ରାମ । ଶୁଣାଯାଏ ତାପଙ୍ଗ ଯେତେବେଳେ ରାଜା ଥିଲା, ବାଜପୁର ସେତେବେଳେ ମନ୍ତ୍ରୀ ଥିଲା । ଭୋଇବଂଶ ତାପଙ୍ଗ ଗଡ଼ରେ ରାଜୁତି କରୁଥିଲେ ଓ ସେହି ସମୟରେ ବାଜପୁରର କୁଳୀନ ବ୍ରାହ୍ମଣବଂଶର ଲୋକେ ମନ୍ତ୍ରୀ ରହିଥିଲେ । କରଣବଂଶର ଲୋକେ ବହୁ ରାଜକାର୍ଯ୍ୟରେ ନିଯୁକ୍ତ ଥିଲେ । ବାଜପୁରର ସେ ଗୌରବ ଲୋପ ପାଇ ଯାଇଛି । ତେବେ ଏହା ବେଶି ଦିନ ତଳର କଥା ନୁହେଁ, ମାତ୍ର ଦେଢ଼ଶହ ବର୍ଷରୁ କିଛି ଉର୍ଦ୍ଧ୍ଵ ଆଗ ସମୟର କଥା ।

 

ଏବେ ବାଜପୁର ଭାଜି ଭାଜି ଆସିଥିଲେ ସୁଦ୍ଧା, ଭାଜି ପଡ଼ିଥିବା ବରଗଛର ପତ୍ର, ଡାଳ, ଛୋଟ ବଡ଼ ଶାଖା–ଏପରିକି ଗଣ୍ଡି ଚାଲିଯିବା ପରେ, ଗଛ ସେଠାରେ ଥିବାର ସୂଚନା ଯେପରି ରହିଯାଏ–ବାଜପୁର ତାଠାରୁ ଅଧିକରେ ଅଛି । ସେତେବେଳେ ବାଜପୁର ହସୁଥିଲା । ସହରର ଗଳି କନ୍ଦି ପରି ବାଜପୁର ଗ୍ରାମରେ ନାନା ଗଳି କନ୍ଦି ଥିଲା । ଗୋଟିଏ ଗୋଟିଏ ଗଳିକୁ ସାହି କୁହାଯାଉଥିଲା ଓ ଗୋଟିଏ ଜାତିର ଲୋକେ ଏକ ସାହିରେ ବାସ କରୁଥିଲେ । ଏ ନିୟମର ସାମାନ୍ୟ ବ୍ୟତିକ୍ରମ ଯେ ନଥିଲା, ଏପରି ନୁହେଁ । ଗାଁର ଦୁଇ ମୁଣ୍ଡରେ ଦୁଇଟା ବଡ଼ ପୋଖରୀ । ପୋଖରୀକୁ ତ ‘ଦୀର୍ଘିକା’ କୁହାଯାଏ । ମାତ୍ର ସବୁ ପୋଖରୀ ଦୀର୍ଘିକା ନୁହେଁ । ବାଜପୁରର ଏ ପୋଖରୀଗୁଡ଼ିକ ‘ଦୀର୍ଘିକା’ ନାମକୁ ସାର୍ଥକ କରିଥିଲା ।

 

ବାଜପୁରର ପୂର୍ବ ବିଭବ ଯେତେବେଳେ ଥିଲା, ସେତେବେଳେ ଗାଁ ପଶ୍ଚିମମୁଣ୍ଡ ପୋଖରୀକୁ ବହୁ ଲୋକ ସାରବାର ପାଇଁ ଯାଉଥିଲେ; କିନ୍ତୁ ଏବେ କେତେକାଳ ହେଲା ସେ ପୋଖରୀଟିରେ ସାରବାର ସେତେ ପରିମାଣରେ ନାହିଁ । ପୋଖରୀଟି ପୋତି ହୋଇ ଆସିଲାଣି; ତଥାପି ବଇଶାଖ ଖରାରେ ପାଣି ମୁନ୍ଦିଏ ରହେ । ଦଳ ଆଡ଼େଇ ଦେଇ କାଚକେନ୍ଦୁପରି ପାଣି ଆଞ୍ଜୁଳାଏ ପିଇଲେ ଯେ କେହି ସନ୍ତୁଷ୍ଟ ହୁଏ, ଆତ୍ମା ଶୀତଳ ହୋଇଗଲା ପରି ଲାଗେ । ପୋଖରୀକୁ ଲାଗି ବୁଦୁବୁଦିଆ ଛୋଟ ଜଙ୍ଗଲ । ପୋଖରୀ, ତାର ପଶ୍ଚିମପଟେ ହୁଡ଼ା ଓ ତାକୁ ଲାଗି ଯେ ଛୋଟ ଜଙ୍ଗଲ–ଏସବୁ ପ୍ରକୃତିର ଅବହେଳିତ ପସରା ପରି ମନେ ହୁଏ । ଏ ସବୁ ଲକ୍ଷ୍ୟ କରି ଦାମିଆ ବାଉରି ସେହି ପଶ୍ଚିମ ପଟ ହୁଡ଼ାରେ ଗୋଟିଏ କୁଡ଼ିଆ ତିଆର କରି ରହିଲା ।

 

ଦାମିଆ ଗୋଟାଏ ଉଡ଼ନ୍ତା ପକ୍ଷୀ । ତା ଘର କେଉଁଠାରେ କେହି ଜାଣନ୍ତି ନାହିଁ । ତା ଗୋତ୍ର କଣ, ତା କୁଟୁମ୍ବ କେଉଁଠାରେ ଅଛନ୍ତି କିମ୍ବା ତା ବନ୍ଧୁବାନ୍ଧବ ସବୁ କେଉଁ ଗାଁରେ କେହି କହି ପାରିବେ ନାହିଁ । ସେ ମଧ୍ୟ ତାର ପିଲା କବିଲା ଧରି ଆସି ନଥିଲା । ସେ ଆସିଥିଲା ଛୋଟ କରିଆ ଖଣ୍ଡେ ପିନ୍ଧି, ଏକ କାନିକିଆ ହୋଇ । କାହାଠାରୁ କଣ ଶୁଣି ଆସିଥିଲା କେଜାଣି ଗାଁର ମକଦମଙ୍କ ପିଣ୍ଡା ତଳେ ଯାଇ ବସି ରହିଲା । ବେଳ ମୁଣ୍ଡ ଉପରକୁ ଯାଇ ନଥାଏ । ମକଦମେ ଖାଇ ସାରି, ହାତ ଧୋଇ, ପାଟିରେ ପାନଖିଲେ ଗୁଞ୍ଜି ଦେଇ, ଦିପହର ପହଡ଼ ପଡ଼ିବା ପୂର୍ବରୁ ପିଣ୍ଡାରେ ଚାରି ପାହୁଣ୍ଡ ବୁଲିବା ପାଇଁ ବାହାରି ପଡ଼ିଲେ । ଦାମିଆ ଧଡ଼୍‌କିନି ଉଠି ଲମ୍ବା ଚଉଡ଼ା ଦଣ୍ଡବତଟାଏ ପକାଇଲା ।

 

‘‘କିରେ, ତୁ କିଏ ରେ ?’’

 

‘‘ମୁଁ, ଆଜ୍ଞା ଦାମିଆ ବାଉରି । ହଜୁରଙ୍କୁ ଗୁହାରି କରିବାକୁ ଆସିଛି ।

 

ମନକର୍ଣ୍ଣ ଦେଇ ମୋ କଥାଟା ଟିକିଏ ଶୁଣିବା ହୁଅନ୍ତୁ ।’’

 

‘‘ଆରେ ଶୁଣିବି, ଶୁଣିବି । ଖାଇବା ବେଳଟା । ମକଦମଙ୍କ ଘରକୁ ଆସି ତୁଣ୍ଡ ଓଦା ନକରି କ’ଣ ଯିବୁ ! ଯା, ଯା, ବାଡ଼ିପଟକୁ ଯା । ମୁଁ କହିଦେଉଛି ତତେ ମୁଠେ ଦେବାପାଇଁ । ପେଟଟା ଶୀତଳ କରି ଆସେ, ତୋର ଯାହା ଚାରିପଦ କହିବାର ଅଛି ଶୁଣିବି ।’’

 

‘‘ହଜୁର ଯାଉଛି’’–କହି ଦାମିଆ ବାଡ଼ିପଟକୁ ଗଲା, ମକଦମେ ଶୋଇବା ଘରକୁ ଯାଇ ପଲଙ୍କରେ ଗଡ଼ିଲେ । ନିଦ ଘମାଘୋଟ କରି ତାଙ୍କୁ କେତେବେଳେ ଧରିନେଲା ସେ ଜାଣି ପାରିଲେ ନାହିଁ । ଘୁଙ୍ଗୁଡ଼ିର ନାଦ ଦୁଇବଖରା ଡେଇଁ, ଡୁବିର ଅନ୍ତରା ତାଳ ପରି, କିଛି ସମୟ ଛାଡ଼ି ଛାଡ଼ି ଶୁଣାଯିବାରେ ଲାଗିଲା ।

 

ଦାମିଆ ତରତରରେ ଖାଇ ଦେଇ, ମୁହଁ ପୋଛି ପୁଣି ଯେତେବେଳେ ପିଣ୍ଡା ତଳେ ଆସି ପହଞ୍ଚେ, ସେତେବେଳକୁ ମକଦମେ ନାହାନ୍ତି । ତାଙ୍କ ହାଲ ତାକୁ ଜଣାଇ ଦେବାକୁ ମଧ୍ୟ ପିଣ୍ଡାରେ କେହି ଲୋକ ନାହାନ୍ତି । ତାର ତ ଆଉ କିଛି ଉପାୟ ନ ଥିଲା । ତେଣୁ ଜଗି ବସିବା ଲାଗି ସେ ମନେ ମନେ ସ୍ଥିର କରି ନେଲା । ସୂର୍ଯ୍ୟଦେବତା ମୁଣ୍ଡ ଉପରକୁ ଆସି ଗଡ଼ିଲେ । ଶିତୁଳି ପଡ଼ିଲା । କ୍ରମେ ଖରାର ତାତୁଣିଆ ଯାଇ ଉଷୁମ ଭାଜି ଆସିଲା । ଦାମିଆ ବେଳେ ବେଳେ ଉଠି ଏପାଖ ସେପାଖ ଚାରି ପାହୁଣ୍ଡ ହୁଏ, ପୁଣି ଆସି ଥାନରେ ବସି ପଡ଼େ । ଖଡ଼୍‌ଖାଡ଼୍‌ ଟିକିଏ ହେଲେ ଉଠିବା ପରିଶ୍ରମ ନ କରି ମୁଣ୍ଡଟାକୁ ବୁଲାଇ ନଜର କରେ । ସେ ଗୋଟାଏ ଆଡ଼କୁ ଏପରି ନଜର କରୁଥିବା ସମୟରେ ଶୁଣାଗଲା–

 

‘‘ଦାମିଆ କିରେ, ବସିଛୁ ? ଖାଇଲୁଣି ? ଆଜି ତ ଶମ୍ବର ଦଶମୀ, ପିଠାପଣାର ଦିନ, ଟିକିଏ ବେଶି ହୋଇ ଯିବାରୁ ଘଡ଼ିଏ ଅଧିକା ଶୋଇ ପଡ଼ିଲି । ହଉ, କ’ଣ କହିବା କଥା କହ ।’’

 

“ହଜୁର, ଆଜ୍ଞା ହେଲେ ଏଇ ପଶ୍ଚିମ ମୁଣ୍ଡରେ ଯେ ପୋଖରୀ ହୁଡ଼ା ଅଛି, ସେଇଠି କୁଡ଼ିଆଟିଏ କରି ରହନ୍ତି । ମୋର ତ ବାସ ନାହିଁ । ଆପଣ ଦୟା କଲେ ବାସ ମିଳିବ । ” ଦୟାର ମୂର୍ତ୍ତିମାନ୍‌ ଅବତାର ପରି ମକଦମେ କହି ଉଠିଲେ–

 

‘‘ଆରେ ଯା, ଯା । କୁଡ଼ିଆ ଖଣ୍ଡିଏ ତ କରିବୁ, ସେଥିପାଇଁ ଏତେ ନିକୁଟି ହୋଇ କହୁଛୁ କାହିଁକି ? ଯା କୁଡ଼ିଆ କରେ, ତୋତେ କିଏ ଉଠାଇବ ମୁଁ ଦେଖିବି ?’’

 

ଦିନ ଚାରିଟା ଭିତରେ ଗାଁର ପଶ୍ଚିମ ମୁଣ୍ଡ ପୋଖରୀର ପଶ୍ଚିମ ହୁଡ଼ାରେ ଦକ୍ଷିଣ–ପଶ୍ଚିମ କୋଣରେ ଛୋଟ ଜଙ୍ଗଲକୁ ଲାଗି କୁଡ଼ିଆଟାଏ ମୁଣ୍ଡ ଟେକିଲା । ମଣିଷ ବୋଲି ତା ଭିତରେ ରହିଲେ ଦୁଇଜଣ–ଦାମିଆ, ଆଉ ତାର ସାତ ବରଷର ଝିଅ ସୋଲି ।

 

(୨)

 

ମାଳତୀ ଲତା ଦୁଇପତ୍ରର ହୋଇଥାଏ, ଆର ଦିନକୁ ଦେଖିବା ବେଳକୁ ଦୁଇ ଜାଗାରେ ଚାରିପତ୍ର ଗଗନ ମଣ୍ଡଳକୁ ଛାତି ପତାଇ ରହେ । ଏପରି ବଢ଼ିଚାଲେ ଯେ ଆଶ୍ରୟ କରି ମାଡ଼ୁଥିବା ଗଛଟାକୁ ଆଚ୍ଛାଦିତ କରିଦିଏ । ବର୍ଷେ, ଛ’ମାସରେ ଦେଖିବା ବେଳକୁ ତାହା ସେହି ଦୁଇ ପତ୍ରିଆ ମାଳତୀଲତା ବୋଲି ଆଉ ମନେ ହୁଏନାହିଁ, ମନେହୁଏ ସତେ ଯେପରି ଶୋଭାର ଅପୂର୍ବ ସମ୍ଭାର ଧରି କେଉଁ ଅଜଣା ରାଇଜରୁ ଏହା ଆସିଛି ।

 

ଦାମିଆ ଝିଅ ସୋଲିର ଅବସ୍ଥା ଠିକ୍‌ ସେହିପରି । ସମୟ ବାଳ କୁଣ୍ଡାଇବା ପରି ଚାଲିଗଲା । ଦଶ ସନ୍ଧି ପାର ହୋଇଯାଇଛି । ବାଜପୁରର ଟୋକାଏ ଭେଣ୍ଡା ହୋଇ ଠିଆ ହୋଇଗଲେଣି, ଦରବୁଢ଼ାଏ ବୁଢ଼ା ହେଲେଣି, ଆମ୍ବ, ତାଳ, ପଣସ, ନଡ଼ିଆ ଯାହାସବୁ ପୋଖରୀ ହୁଡ଼ାରେ ଲାଗି ବାଳୁତ ଅବସ୍ଥାରେ ଥିଲେ, ସେ ସବୁ ଫଳିଲେଣି । ସୋଲି ଜୀବନରେ ସେପରି ଦଶସନ୍ଧି ପାରହୋଇ ଯାଇଛି । ସେ ଆସିବା ବେଳେ ଯେପରି ସାତ ବରଷର ପିଲା ଥିଲା, ଆଉ ସେପରି ହୋଇନାହିଁ । ବୟସ ତାର ସତର, ମାଳତୀ ଲତା ଛନ୍‌ ଛନ୍‌ ହେଲା ଭଳି ସେ ହୋଇଛି । ତାର ସୁଠାମ ସୁନ୍ଦର ମୁହଁକୁ ଦେଖିଲେ, ଅଙ୍ଗ ପ୍ରତ୍ୟେଙ୍ଗର ମାଧୁରୀକୁ ଅନାଇଲେ ଶତ୍ରୁ ହେଲେ ସୁଦ୍ଧା, ଘଡ଼ିଏ ତକାଇ ରହିବ । ଜାତିରେ ବାଉରୀ ହେଲେ ସୁଦ୍ଧା, ସେ ଦେବ ପ୍ରତିମାକୁ ବଳିପଡ଼ିଛି । ତାକୁ ଦେଖିଲେ କେହି ଗୋରୀ କହିବେ ନାହିଁ, ମାତ୍ର କାଳୀ ବୋଲି କହିବାକୁ ପଛାଇବେ । ପଣତକାନିଟାକୁ ଅଣ୍ଟାରେ ଭିଡ଼ି ଦେଇ ସେ ଗୃହଜଞ୍ଜାଳରେ ଲାଗିଥିବା ବେଳେ ତାର କର୍ମଠତା ଜମିଦାର ଘରର ଝିଅ ବୋହୂଙ୍କୁ ବଳି ପଡ଼ିଲା ପରି ଜଣାପଡ଼େ । ଗାଁ ମାଇପଙ୍କ ତୁଣ୍ଡରେ ସୋଲି କଥା ଯେପରି ଥାଏ, ଗାଁର ବୁଢ଼ାଏ ମଧ୍ୟ ତା କଥା ସେହିପରି ପକାନ୍ତି । ସକାଳୁ ଉଠିଲେ ତା ବିଷୟରେ ଘଡ଼ିଏ ଚର୍ଚ୍ଚା କରିବା ଗାଁର ଟୋକା ଟୋକାଳିଆ ଲୋକଙ୍କର ତ ଦୈନନ୍ଦିନ କାମ ।

 

ସୋଲି ସକାଳୁ ଉଠି ବାସି ଆଡ଼ତି ସାରି ବାପା ପାଇଁ କେଉଁଦିନ ପଖାଳ, ମାଣ୍ଡିଆ ଜାଉ ସଜାଡ଼ି କରି ଦିଏ । ନଥିଲା ଘର ତ, ତେଣୁ ପଖାଳ କିମ୍ବା ଜାଉ ସାଙ୍ଗକୁ ପିଆଜ କୋଳେ ଚାଖଣା ହୁଏ । କେଉଁଦିନ ତେନ୍ତୁଳି ପାଗଟାଏ । କିଛି ନ ଥିଲା ଦିନ ଲୁଣ ଲଙ୍କା ମରିଚ । ସେତକ ଖାଇ ଦେଇ ଦାମିଆ ଯାଏ କାମକୁ । କାମ କରି ଯେ ମୂଲ ଆଣେ, ଚାଉଳ କିଣା, ତେଲ ଲୁଣ ସବୁ ହୁଏ, ଲୁଗା ପଟା ମଧ୍ୟ ସେହି ଆୟରେ । ପୁଣ୍ୟପର୍ବ ମଧ୍ୟ ତାହାରି ଭିତରେ । ଦାମିଆ ରୋଗ ବଇରାଗ କଣ ଜାଣେ ନାହିଁ । ସାରାଦିନ ସେ ଖଟେ, ସାରା ରାତି ସେ ବିଶ୍ରାମ ନିଏ । ବର୍ଷକ ବାର ମାସ ତାର ଏ ଭଳି ଯାଏ । କେବେ ହେଲେ ସାମାନ୍ୟ ବ୍ୟତିକ୍ରମ ଘଟେନାହିଁ, ବ୍ୟତିକ୍ରମ ମଧ୍ୟ ଦାମିଆକୁ ଭଲ ଲାଗେ ନାହିଁ ।

 

ଦାମିଆ ପଖାଳ ଖାଇ ଉଠିଯିବା ପରେ, ସୋଲି ସେହି କଂସାରେ ବସିଯାଏ । ଯାହା କିଛି ବଳକା ଥାଏ ସେତକ ‘ସୁ–ସା’ ହୋଇ ଖାଇ, ଦେଇ, ଅଇଁଠା ଉଠାଇ, ଜାଗା ଲିପି, କଂସା ମାଜି ରଖି ଦୁଆର ତାଟି ଲଗାଇ ଦିଏ । ଛୋଟ ଜଙ୍ଗଲ ଭିତରେ ପଶି ଜାଳକାଠ ଯୋଗାଡ଼ କରିବା ତାର ପ୍ରତିଦିନର କାମ । ଉପରଓଳି ସେ ବେତରେ ବୋଝ, ବାଉଁଶିଆ, ବେତୁଲି, ଚିଡ଼େଇ ବୁଣେ । ସୋଲି ବୁଣିବା ବେତକାମ ସୁନ୍ଦର । ମଜବୁତ୍‌ ବୋଲି ତା ଜିନିଷର ଚାହିଦା ବାଜପୁର ଗ୍ରାମରେ ଖୁବ୍‌ ବେଶି । ଲୋକେ ଆସି ଯେତେ ବରାଦ କରନ୍ତି, ସେ ବରାଦ ଅନୁସାରେ ବୁଣିବା ଲାଗି ସୋଲି ସମୟ ପାଏନାହିଁ ; କିନ୍ତୁ ଥରେ ବରାଦ ଅନୁସାରେ କଥା ଦେଲେ କାମଟା ଠିକ ଭାବରେ ଠିକଣା ସମୟରେ ଦେବା ଭଳି କରି ରଖେ । ଏଥିପାଇଁ ଗାଁରେ ସୋଲିର ସୁନାମ ।

 

ଭୋଜି ଭାତ ହେଲେ ଦାମିଆକୁ ଯେତେ ଡାକରା ପଡ଼େ, ତାଠାରୁ ବେଶି ପଡ଼େ ସୋଲିକୁ । ବିବାହ, ବ୍ରତ, ପୁଆଣିରେ ମଙ୍ଗଳନ ଜିନିଷ ସେ ଯୋଗାଏ । ତା ତିଆରି ଜିନିଷ ପାଇଁ ତ ସେ ମୂଲ ପାଏ, ଗୋଟାଏ ଓଳି ରାନ୍ଧିବା କଷ୍ଟରୁ ମଧ୍ୟ ରକ୍ଷା ପାଇଯାଏ । ବାପ ଝିଅ କ୍ଷିରୀପିଠା ତୁଣ୍ଡରେ ଲଗାଇବାକୁ ପାଆନ୍ତି । ଉଭୟଙ୍କର ରୋଜଗାରରେ, ଗାଁ ବାହାରେ ପୋଖରୀକୂଳେ କୁଡ଼ିଆ ଘରେ ରହି ସୁଦ୍ଧା, ସେମାନେ ସ୍ୱର୍ଗସୁଖ ଲାଭ କରୁଥାନ୍ତି । କାହା ମନରେ ବିରସ ଭାବ ଥିଲାପରି ମନେ ହୁଏନାହିଁ ।

 

(୩)

 

ସମୟ ସବୁବେଳେ ସମାନ ଯାଏ ନାହିଁ । ବସନ୍ତର ସୁଲୁସୁଲିଆ ବାଆ, ମଳୟର ମୃଦୁଲତା, ବଉଳର ମହକ କେଉଁଆଡ଼େ ଚାଲିଯାଏ, ତା ସ୍ଥାନ ମାଡ଼ିବସେ ବଇଶାଖ ତାତି, ଉଦୁଉଦିଆ ଖରା, ପ୍ରବଳ ଝାଞ୍ଜି ।

 

ଦାମିଆ ଦିନେ ସନ୍ଧ୍ୟାରେ କାମରୁ ଫେରି ଦେଖିଲା ଯେ ପୋଖରୀ ହୁଡ଼ାରେ ତାର ପତ୍ରକୁଡ଼ିଆ ପରି କେତେଗୁଡ଼ିଏ କନାକୁଡ଼ିଆ ମୁଣ୍ଡ ଟେକିଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇଗଲା । ଘରକୁ ଫେରି ସୋଲିକୁ ପଚାରିଲା–

 

‘‘ଏ କନାକୁଡ଼ିଆ ଗୁଡ଼ିକ କ’ଣ, ଝିଅ ତୁ ଜାଣିଛୁ ?’’

 

‘‘ବାପା, ମୁଁ ଜାଣିବି କିମିତି ମ, ଆଜି ଗାଁ ଭିତରକୁ ଯାଇଥିଲି, ଶୁଣିଲି ଆମ ଏଠି ବନ୍ଦୋବସ୍ତ ହେବ, ହାକିମ, ହୁକୁମା, ଅମିନ ରହିବାପାଇଁ ଏଗୁଡ଼ିକ ହୋଇଛି ।”

 

ବନ୍ଦୋବସ୍ତ କଣ ସୋଲି ଜାଣେ ନାହିଁ କିମ୍ବା ଦାମିଆ ଜାଣେ ନାହିଁ; କିନ୍ତୁ ହାକିମ, ହୁକୁମା, ଅମିନ କଥାରେ ତାର ଧାରଣା ହୋଇଥିଲା ସେ ବାବୁଭୟା ପଞ୍ଝାଏ ରହିବେ । ପୋଖରୀ ହୁଡ଼ାରେ, କନାଘରେ ସେମାନେ ଏପରି ରହିବା ତାକୁ ଆଶ୍ଚର୍ଯ୍ୟ ଲାଗିଥିଲା; କିନ୍ତୁ ଦାମିଆର ଗୋଟାଏ କଥା–‘‘ବାବୁଭାୟାଙ୍କର କ’ଣ ଠିକଣା ଅଛି !’’ କଥାଟା ଦାମିଆ ହୃଦୟ ଭିତରେ ବୁଝାଇ ଯେପରି ପଦାକୁ ଆସିଥିଲା, ପଦାକୁ ଆସିଲା ପରେ ସୋଲିକୁ ମଧ୍ୟ ସେପରି ବୁଝାଇଥିଲା । ରାତି ତ ହୋଇ ଯାଇଥିଲା, ଦୁହେଁ ସବୁଦିନ ପରି ଶୋଇ ପଡ଼ିଲେ ।

 

ଜମିବାଡ଼ି ଯାହାଙ୍କର ବେଶି ଅଧିକ, ବନ୍ଦୋବସ୍ତରେ ତାଙ୍କର ସମ୍ପର୍କ ବେଶି । ମକଦମେ ଯେତେ ସୁସ୍ଥି ଥିଲେ ସୁଦ୍ଧା ତାଙ୍କର ଖଟିବା ବେଳ ଏତିକିବେଳେ ଆସିଲା । ସୁତରାଂ ସେ ଦିନ ନାହିଁ, ରାତି ନାହିଁ ବନ୍ଦୋବସ୍ତ ଛାଉଣୀକୁ ଆସିବାରେ ଲାଗିଲେ । ସୋଲିକୁ ସେ ଦାମିଆ ଝିଅ ବୋଲି ଜାଣିଥିଲେ ଓ ପିଲାଦିନୁ ଦେଖିଥିଲେ; କିନ୍ତୁ ସେଦିନ ସୋଲିର ପ୍ରସ୍ଫୁଟନ ଯୌବନ ଶୋଭା ଦେଖିବା ପରେ ତାଙ୍କୁ କିମିତି କିମିତି ଲାଗିଲା ।

 

ସୋଲିର ଅପଖ୍ୟାତି ନ ଥିଲା । ତାର ବୟସ ହୋଇ ଯାଇଥିଲେ ସୁଦ୍ଧା, ସେ ତୁଣ୍ଡ ମୁଣ୍ଡ ଚିପି, ଶୃଙ୍ଖଳା ଓ ନିୟମ ମାନି ଚଳେ ବୋଲି ଗାଁ ମାଇପେ କଥା କଥାକେ କହନ୍ତି । ଝିଅ ବୋହୂଙ୍କୁ ସୋଲି ପରି ଚଳିବାକୁ ଶିଖାନ୍ତି । ସୋଲିର ଚାଲିଚଳଣି ଯେପରି ସେଥିରେ ତା ନାଁରେ ପଦେ ହେଲେ କେହି କହିବାକୁ ପଛାଏ । ସେ ସଂଯତ ମୁରୁକି ହସଟାଏ ଦେଇ ଚାଲିଗଲେ ଲୋକେ ସେତକ ସ୍ଵର୍ଗ ବୋଲି ମନେ କରନ୍ତି ।

 

‘‘ଦାମିଆ, କିରେ ଦାମିଆ ! ଘରେ ଅଛୁଟିକି ?’’ ତୁଣ୍ଡ ଶବ୍ଦ ହଠାତ୍‌ ଦାମିଆ ବାରି ପାରିଲା ନାହିଁ । କୁଡ଼ିଆ ବାହାରେ ହୁଡ଼ାକୁ ଯାଇ ବୁଝିବା ପାଇଁ ଝିଅକୁ ପଠାଇଲା । ଝିଅ ଫେରି ଆସି କହିଲା–

 

‘‘ମକଦମ ସାଆନ୍ତେ କହିଛନ୍ତି ତାଙ୍କ ସଙ୍ଗରେ ଘରଠି ଦେଖା କରିବାକୁ ।’’

 

ଦାମିଆ ବିଳମ୍ବ ନ କରି ମକଦମଙ୍କ ଘରଆଡ଼କୁ ଚାଲିଲା । ମକଦମେ ପିଣ୍ଡା ଉପରେ ବସିଥିଲେ । ଦାମିଆକୁ ଦେଖି ତାକୁ ବାଡ଼ିଆଡ଼କୁ ଯିବାକୁ ଇଙ୍ଗିତ ଦେଇ, ଘର ଭିତର ଦେଇ ସେ ନିଜେ ଗଲେ । ବାଡ଼ିଆଡ଼େ ଖଳାରେ ଦୁହିଙ୍କର କଥା ହେଲା ଖୁବ୍‌ ଧୀରେ ଧୀରେ । ଦାମିଆକୁ ସାବଧାନ କରାଇ ଶେଷରେ ମକଦମେ କହିଲେ–‘‘ଆରେ ସେଗୁଡ଼ାକ ସିନା କୋଟ କାମିଜ ପିନ୍ଧି, କିରସ୍ତାନ ପାଠ ପଢ଼ି ବାବୁଭାୟା ହୋଇଛନ୍ତି, ତାଙ୍କର କ’ଣ ଜାତିପତି ନା ଧର୍ମ ଅଧର୍ମ ଅଛି ? ଫୁଟୁର ଫାଟର ହେଉଛନ୍ତି । କେତେବେଳେ କ’ଣ କରିପାରନ୍ତି । ସୋଲି ଆଉ ତୁ ସେଠାରେ ରହିବା ମୁଁ ଠିକ୍‌ ଭାବୁ ନାହିଁ । ତତେ ସେଠାରୁ ଉଠାଇ ଦେବାଲାଗି ମଧ୍ୟ କଥା ପଡ଼ିବାର ମୁଁ ଶୁଣୁଛି । ଯା, ଦେଖିରଖି ଚଳିବୁ ।”

 

ଦାମିଆ ମକଦମଙ୍କ କଥା, କାନ ପାତି ଶୁଣି ଫେରିଲା । ମାତ୍ର ମୁଣ୍ଡଟା ଚକ୍ର ବୁଲିଲା ପରି ବୁଲିବାରେ ଲାଗିଲା ।

 

(୪)

 

‘‘ସୋଲି, ଲୋ ସୋଲି ।’’

 

‘‘କେଡ଼େ ନିଦରେ ଶୋଇଛୁ ମ । ତାଟିଟା କିଏ ଖଡ଼ଖଡ଼ କରୁଛି ଦେଖିଲୁ ? କୁକୁର ପଶି ଜାଉତକ ଖାଇଦେବ ।’’

 

“ଉଠିଲୁ ନାହିଁ ସୋଲି !’’

 

ପୁଣି ଶୋଇପଡ଼ିଲୁ କିଲୋ । ସୋଲି...ସୋଲି...ସୋଲି ! ଡିବିଟା ଲଗା, ଦୁଆରେ କିଏ ଡାକିଲା ପରି ଜଣାପଡ଼ୁଚି ନା କ’ଣ ?’’

 

ସୋଲି ଧଡ଼ପଡ଼ ହୋଇ ଉଠି ବସିଲା ଏବଂ ତାଟି ଖୋଲିବା ପରି ଆଉ ମଣିଷ କଥା ହେବାର ଶୁଣିପାରି କାନେଇଲା । ସେ ଯାହା ଶୁଣିଲା, ସେଥିରେ ତାର ଛାତି ଥରି ଉଠିଲା । ଗୋଡ଼ ଚଳିଲା ନାହିଁ । କୁଡ଼ିଆ ଭିତରେ ବାପା ପାଖକୁ ଚାରିହାତ ଘୁଞ୍ଚି ଆସିବା ଲାଗି ମଧ୍ୟ ସମର୍ଥ ହେଲା ନାହିଁ । ତାର ଦେହ, ହାତ ଅବଶ ହୋଇ ଆସିଲା ।

 

ଏତିକିବେଳେ ଚୋରିବତୀଟାଏ ତାର ଚୋରାଚାହାଣି ତାଟିଟା ଉପରେ ଥରେ ପକାଇଦେବା ଫଳରେ ସୋଲିର ଚେତନା ଆସିଲା, ଜଡ଼ତା ଭାଙ୍ଗିଗଲା । ସେ ବାପ ପାଖକୁ ଯାଇ ବାପ କାନରେ କହିଲା–

 

‘‘ବାପା, ଆମ ତାଟି ପାଖରେ ଦୁଇ ଚାରିଟା ଲୋକ କଥା ହେଉଚନ୍ତି ତୁନି ତୁନି, ସୋଲିକୁ ଟେକି ନେବା ବୋଲି । ମତେ ଭାରି ଡର ଲାଗୁଛି, ବାପା !’’

 

ଶୁଣୁ ଶୁଣୁ ଦାମିଆ ପାଟିକରି ଉଠିଲା–କ’ଣ କହୁଛନ୍ତି ? ସୋଲିକୁ ଟେକି ନେବେ ! ଦାମିଆ ବଞ୍ଚି ଥାଉ ଥାଉ ଏ କଥା ସମ୍ଭବ ? ସେ ପାଗଳ ପରି ପାଟି କରି ଉଠିଲା–ରଡ଼ି ଛାଡ଼ିଲା–‘‘ମକଦମ ସାଆନ୍ତେ, ମକଦମ ସାଆନ୍ତେ, ବାଜପୁର ଗାଁଲୋକେ ଧାଇଁ ଆସ–ଧାଇଁ ଆସ–ଏ ବାବୁଭାୟାଙ୍କ କାରବାର ଦେଖ, ସୋଲିକୁ ଟେକିନେବେ ବୋଲି ମୋ କୁଡ଼ିଆ ଉପରେ ଆସି ଚଢ଼ଉ କରୁଛନ୍ତି ।’’

 

ସୋଲି ଓ ଦାମିଆକୁ ବାଜପୁରର କିଏ ନ ଜାଣେ ! ଦାମିଆର ହୁରି ମେଘନାଦ ପରି ବାଜପୁର ଗାଁର ସମସ୍ତଙ୍କ କାନରେ ବାଜିଲା । ସୁଅ ମୁହଁରେ ଲୋକ ଚାଲିଲେ ଗାଁ ମୁଣ୍ଡର ପଶ୍ଚିମପଟ ପୋଖରୀ ପାଖକୁ । କାହା ହାତରେ ଠେଙ୍ଗା, କାହା ହାତରେ ବାଡ଼ି, ନ ହେଲେ କାତି, କୁରାଢ଼ି ଥିଲା । ଦିହୁଡ଼ି, ଲଣ୍ଠନ, ଚୋରୀବତୀ ଧରି ଯେ ଯାହାର ବାଟରେ ଯାଇ ସେଠାରେ ପହଞ୍ଚି ଦେଖିଲେ ଯେ ମକଦମେ ଠେଙ୍ଗାଟାଏ ଧରି ପାଗଳ ପରି କନାକୁଡ଼ିଆଗୁଡ଼ିକୁ ବାଡ଼େଇ ପିଟି ଭାଙ୍ଗିବାରେ ଲାଗିଛନ୍ତି; ବାବୁଭାୟା ସବୁ ଡରରେ ଲୁଚି ପଳେଇଗଲେଣି ।

 

ପୂର୍ବାକାଶରେ କୁଆଁତାରା ଦେଖାଯାଇଥିଲା, ପରସା ହୋଇ ଆସୁଥିଲା; ତଥାପି ଦାମିଆ ତା କୁଡ଼ିଆ ଭିତରୁ ରଡ଼ି କରିବା ଛାଡ଼ି ନ ଥିଲା । ମକଦମେ କୁଡ଼ିଆ ନିକଟରେ ପହଞ୍ଚି ତୁଣ୍ଡ ଶୁଣାଇବାରେ ସେ ଆଶ୍ଵସ୍ତ ହୋଇ ବାହାରକୁ ଆସିଲା । ମକଦମେ ସୋଲି ଓ ଦାମିଆକୁ ଦେଖି କହିଲେ–

 

‘‘ଦାମିଆ, ତୋତେ କିଏ ଉଠେଇବ ମୁଁ ଦେଖିବି । ମୋରି କଥା ରହିଲା । ବାବୁଭାୟାଗୁଡ଼ାକ କ’ଣ ବାବୁଭାୟା ? ଗଲେ ରକ୍ଷା ହେଲା ।’’

 

ମକଦମେ ଗାଁର ମୁଣ୍ଡପରି ଥିଲେ । ସେ ବିଚାର ଦେଇ କହିଲେ, ‘‘ଦାମିଆ ପଇସାଟିଏ କାହାର ଖାଏ ନାହିଁ କି ଧାରେ ନାହିଁ । ବାଉରିଟାଏ ହେଲେ କ’ଣ ହେଲା, ତାର କ’ଣ ଊଣା ନିଷ୍ଠା ? ସେହି ନିଷ୍ଠାରୁ ତ ଏଇ ଝିଅ ଜନ୍ମ ହୋଇଛି ବୋଲି ଆମ ଆଖି ଆଗରେ ସେ ଏଡ଼େରୁ ଏଡ଼େଟିଏ ହେଲା, ପଦେ ଶୁଣିନି । ଦାମିଆକୁ କୋଠ ନୌକର କରି ରଖ, ଗାଁ ଭିତରେ କେଉଁଠାରେ ବଖରାଏ ଘର ପାଇଁ ଜାଗା ଦିଅ । ”

 

ଦାମିଆ ମକଦମ ଓ ଗ୍ରାମବାସୀମାନଙ୍କର ଗୋଡ଼ତଳେ ମୁଣ୍ଡିଆଟାଏ ମାରି କହିଲା–

 

‘‘ଆପଣମାନେ ଦେବତାପରି, ମୁଁ ଆପଣମାନଙ୍କ କଥା କି ମକଦମ ସାଆନ୍ତଙ୍କ କଥା ନ ରଖିବି ? ମାତ୍ର ମୁଁ ମୋ କୁଡ଼ିଆ ଛାଡ଼ି କେଉଁଠାକୁ ଯିବି ନାହିଁ । ଏଠାରେ ରହି ଗାଁର କୋଠ ନୌକର ରହିବି । ଆପଣ ଥିଲେ ମୋର କ’ଣ ଧୋକା ଅଛି ? ମୁଁ ଯେଉଁଠି ଥିଲେ ସୁଦ୍ଧା ଆପଣମାନେ ମତେ ଘଣ୍ଟ ଘୋଡ଼ାଇ ରଖିବେ । ମୋ ଧର୍ମ ମୁଁ ରକ୍ଷା କରିବି ।’’

 

ସଂସ୍କୃତ ଭାଷାରେ ‘ବାଜ’ ଶବ୍ଦର ଅର୍ଥ ‘ଅନ୍ନ’ । ବାଜପୁରର ନାମ ସାର୍ଥକ ହେଲା ଦାମିଆ ପାଇଁ ଆଜୀବନ ଅନ୍ନ ଖଞ୍ଜିଦେବାରେ । ଏହା ବେଶି ଦିନର କଥା ନୁହେଁ, ୧୯୫୩–୫୪ ସାଲରେ ବନ୍ଦୋବସ୍ତ ହେବା ବେଳର କଥା ।

Image

 

ଭାବ-ବିନିମୟ

 

ଜନତା ଏକ୍‌ସପ୍ରେସ ତା ନିଜ ବାଟରେ ହାଓଡ଼ା ଆଡ଼ୁ ମାନ୍ଦ୍ରାଜ ଆଡ଼େ କ୍ଷିପ୍ର ଗତିରେ ଦଉଡ଼ିବାରେ ଲାଗିଛି । ଗୋଟାଏ ବାତୁଳ ବ୍ୟକ୍ତି ଚାଲୁ ଚାଲୁ ଠିଆ ହୋଇଯାଇ, ପୁଣି ଚାଲିଲା ପରି ରେଳଟା ଗତିର କ୍ଷିପ୍ରତା ମଧ୍ୟରେ ଠାଏ ଠାଏ ଅଟକୁଛି; ପୁଣି ସିଟି ବଜାଇ ସିଂହ ପରି ଝପଟିଛି । ମନେ ହେଉଛି ସତେ ଯେପରି କେହି ଆଗରେ ପଳାଉଛି ଏବଂ ଗାଡ଼ିଟା ତାକୁ ଧରିବାକୁ ଧାଉଁଛି, ଗୋଡ଼ାଇ ଗୋଡ଼ାଇ ଅତିରିକ୍ତ କ୍ଳାନ୍ତ ହେଲେ ଠାଏ ଠାଏ ସାମାନ୍ୟ ଅଟକି, କ୍ଷଣକ ପାଇଁ ବିଶ୍ରାମ ଘେନି ପୁଣି ନିଜ ଲକ୍ଷ୍ୟରେ ଧାଉଁଛି ।

 

ତିନିଥାକିଆ ଡବା ପାଖରେ କଣ ଖରାପ ହୋଇଯାଇଛି କେଜାଣି ଗାଡ଼ିଟା ସେହିଠାରୁ ଗୋଟାଏ ଧ୍ୱନି ତୋଳୁଛି । ସେଠାରେ ଏତେ ଧଡ଼୍‍ଧଡ଼୍‍ ହେଉଛି ଯେ ରାତିରେ ସେହି ଡବାର ଲୋକେ କିପରି ଶୋଇବେ ବୋଲି ଆଶଙ୍କା ହେଉଛି । ଖୋରଧା ରୋଡ଼ରେ ଧଡ଼୍‌ଧଡ଼୍‌କୁ ସୁଧାରିବା ପାଇଁ ଯାତ୍ରୀ ଜଣେ ଯତ୍ନ କଲେ । ରେଳ କର୍ମଚାରୀ, ସେହି ଯତ୍ନ କରିବା ପାଇଁ, ଲାଗି ପଡ଼ିଲେ; ତଥାପି ତାହା ତ ସୁଧୁରିଲା ନାହିଁ । ଠିକ୍‌ ଦୁଇଗୁଣ ନ ହୋଇ ଯାଇଥିଲେ ସୁଦ୍ଧା ଟିକିଏ ବଢ଼ିଗଲା ବୋଲି ସମସ୍ତଙ୍କ କାନକୁ ମନେହେଲା ।

 

ଗାଡ଼ି କଟକ ଛାଡ଼ିଲା ସକାଳ ନଅଟାରେ । କଣ୍ଡକ୍ଟରଙ୍କୁ ପଚାରି ସେ ଯାହାର ଜାଗା ଆବୋରି ନେଲେ । ତିନିଥାକିଆ ଏଗାର ନମ୍ବର ଶୋଇବା ଜାଗାଟି ସବାତଳର ଏବଂ ତେର ନମ୍ବର ସବା ଉପରର । ଠିକ୍‌ ଏହାର ବିପରୀତ ପାଖରେ ତଳଆଡ଼ୁ ଚଉଦ, ପନ୍ଦର ଓ ଷୋହଳ ନମ୍ବର ଶୋଇବା ଜାଗା । ଏ ଦୁଇପାଖର କଡ଼ପଟରେ ତଳ ଓପର ହୋଇ ତିନୋଟି ପରିବର୍ତ୍ତେ ଦୁଇଟି ଥାକ । ଏଗାର ନମ୍ବରକୁ ଦୁଇଥାକିଆର ତଳପାଖ ପଞ୍ଚଷଠି ନମ୍ବର ଲାଗିଛି । ସେ ଯାହାର ଜାଗ ଆବୋରି ନେବା ବେଳେ, ଏତେ ପାଖ ହେଲେ ସୁଦ୍ଧା, କେହି କାହାକୁ ଦେଖିବାର ସୁବିଧା ରହିଲା ନାହିଁ ।

 

ଗାଡ଼ି ଜଟଣି ପାର ହୋଇ ଯିବା ବେଳକୁ ଦେଖାଗଲା ଯେ ଏଗାର ନମ୍ବର ଓ ପଞ୍ଚଷଠି ଜାଗାର ଯାତ୍ରୀଦୁହେଁ ଶୋଇ ପଡ଼ିଛନ୍ତି । ଏଗାର ନମ୍ବର ଘୁଂଘୁଡ଼ି ମାରିବାର ଶୁଣାଯାଏ ରେଳ ଥମ୍ବିଗଲାବେଳେ କିମ୍ବା କୌଣସି ଷ୍ଟେସନରେ ଅଟକିଲେ । ଧଡ୍‍ଧଡ୍‌ ଶବ୍ଦ ଜଟଣିଠାରୁ ଅଧିକ ହେଲେ ମଧ୍ୟ ଏ ଦୁହିଁଙ୍କ ନିଦରେ ବ୍ୟାଘାତ ଘଟାଇ ପାରିଲାନାହିଁ । ସେମାନେ ଆରାମରେ ନିଦ୍ରାକୋଳରେ ଅଭିଭୂତ ହୋଇ ରହିଲେ ।

 

‘ଇଚ୍ଛାପୁର’ ଷ୍ଟେସନରେ ରେଳଟା ଧଡ୍‌କିନି ଠିଆ ହୋଇଗଲା ଡବା ଭିତରେ ବରାଦ ଖାଇବା ଯୋଗାଇବା ଉଦ୍ଦେଶ୍ୟରେ । ଲୋକ ପଶି ଥାଳି ଧରି ବରାଦ କରିଥିବା ଲୋକକୁ ଖୋଜି ବସିଲେ । ଏହି ଗହଳିରେ ପଞ୍ଚଷଠି ନମ୍ବରଙ୍କର ନିଦ ଭାଜିଗଲା । ଏଗାର ନମ୍ବର ମଧ୍ୟ ଆଖି ମଳି ମଳି ଉଠିଲେ ।

 

ଇଚ୍ଛାପୁର ଷ୍ଟେସନରେ ପ୍ଲାଟଫର୍ମଟା ପଡ଼ିଲା ପଞ୍ଚଷଠି ନମ୍ବର ଆଡ଼କୁ । ସେହି ପାଖରେ ପୁଣି ଦୁଇଟା ଝରକା ଠିଆ ମେଲା ହୋଇ ରହିଥାଏ । ଏଗାର ନମ୍ବର ସେହି ଆଡ଼କୁ ଚାହିଁ ପଞ୍ଚଷଠି ନମ୍ବରଙ୍କୁ ଦେଖି ବିସ୍ମିତ ହୋଇ ପଚାରିଲେ–

 

‘‘ଆପଣ ?’’

 

‘‘ଆପଣ ?’’

 

‘‘ଆପଣ କ’ଣ ମାନ୍ଦ୍ରାଜ ଯାଉଛନ୍ତି ? ସେଠାରୁ ମଦୁରା ଯିବେ ?–ଏଗାର ନମ୍ବର ଉଦ୍‌ଗ୍ରୀବ ହୋଇ ପଚାରିଲେ ।

 

‘ନା ।’

 

ଭୂତେଶ୍ଵର ବାବା ବୋଧହୁଏ ଆଜିକାଲି ଆନ୍ଧ୍ରପ୍ରଦେଶର ‘ତାଡ଼ପଲ୍ଲୀଗୁଡ଼ମ୍‌’ ରେ ରହୁ ନାହାନ୍ତି । ତାଙ୍କର ତ ଅନ୍ୟ ଏକ ଆଶ୍ରମ ରହିଛି ‘କୁମ୍ଭକୋଣମ୍‌’ରେ । ଆପଣ ତାହାହେଲେ ମାନ୍ଦ୍ରାଜ ଯାଇ ସେଠାରୁ କୁମ୍ଭକୋଣମ୍‌ ଯିବେ ।

 

–‘‘ନା ।’’

 

‘‘ତାହାହେଲେ କ’ଣ ନମ୍ବୁଦ୍ରି ସ୍ଵାମୀଙ୍କ ନିକଟକୁ ଯାଉଛନ୍ତି ? ତାଙ୍କ କଥାତ ବମ୍ବେରୁ ପ୍ରକାଶ ପାଉଥିବା ସାପ୍ତାହିକରେ ଖୁବ୍‌ ପ୍ରକାଶ ପାଉଛି । ଦିଲ୍ଲୀର ଗୋଟାଏ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା । ସେ ସବୁ ପଢ଼ାପଢ଼ି କରିବା ପରେ ସେଠାକୁ ଯିବାକୁ ସମ୍ଭବତଃ ଆପଣଙ୍କର ମନ ବଳିଛି । ଗଲେ ସେଠାରେ କେତେଦିନ ରହିବେ ?’’

 

“ନା, ମାଧବବାବୁ । ମୁଁ ମଦୁରା, କୁମ୍ଭକୋଣମ୍‌ କିମ୍ବା ନମ୍ବୁଦ୍ରି-ସ୍ଵାମୀ କାହା ପାଖକୁ ଯାଉନାହିଁ । ମୋର ମାନ୍ଦ୍ରାଜରେ ସାମାନ୍ୟ କାମ ଅଛି, ସେଥିପାଇଁ ଯାଉଛି । ଆପଣ କ’ଣ ମାନ୍ଦ୍ରାଜ ଯିବେ ?’’

 

“ଆଜ୍ଞା ହଁ । ମାନ୍ଦ୍ରାଜ ତ ନିଶ୍ଚୟ ଯିବି । ମୁଁ, ଭାର୍ଯ୍ୟା, ଭଉଣୀ ଓ ପୁଅ ତିନିଙ୍କୁ ନେଇ ମଦୁରା ଯାଉଛି । ଏହି ବୈଶାଖ ପୂର୍ଣ୍ଣିମା ଦିନ ‘ମା ମେଘମାଳା’ଙ୍କର ଦର୍ଶନ ମିଳିବ ! ତାଙ୍କ ଦର୍ଶନ ପାଇବା କଣ ସାମାନ୍ୟ କଥା, ରାଘବବାବୁ ?’’

 

‘‘ମୁଁ ସେ ଦର୍ଶନ ପାଇଛି, ମାଧବବାବୁ । ସେଥିପାଇଁ ତ ଆଉ କେବେ ଯିବା କଥା ଚିନ୍ତା କରିନାହିଁ ।’’

 

‘‘କେବେ ଯାଇଥିଲେ ଆଜ୍ଞା ? ଦର୍ଶନ କିପରି ମିଳିଲା ଟିକିଏ କହନ୍ତୁ । ରେଳରେ ତ ଏକାଠି ଯାଉଛେ; ସମୟ କିପରି କାଟିବାକୁ ହେବ ପୁଣ୍ୟ ଆଳାପରେ ସମୟ ନେବା ନାହିଁ କାହିଁକି-?’’

 

‘‘ସେ ୧୯୬୬ ମସିହା କଥା । ଅଗ୍ନିଶିଖା ପ୍ରତି ପତଙ୍ଗ ଧାବମାନ ହେଲାପରି ଲୋକେ ମଦୁରା ଛୁଟୁଥାନ୍ତି । ରେଳରେ ସେଥିପାଇଁ ଭାରି ଭିଡ଼ । ମଦୁରା ଉଦ୍ଦେଶ୍ୟରେ ଘରର ବିଭିନ୍ନ ରେଳପଥରେ ଦିଗ–ଦିଗନ୍ତରୁ, ପ୍ରତି ପ୍ରଦେଶରୁ ସ୍ପେଶାଲ୍‌ ଟ୍ରେନ୍‌ ଯୋଗେ ଭକ୍ତଗଣ ଧାଡ଼ି ଲାଗିଥାନ୍ତି-। ବୈଶାଖ ପୂର୍ଣ୍ଣିମା ମାତ୍ର ସପ୍ତାହେ ଥାଏ । ଖବର କାଗଜରୁ ‘ମା ମେଘମାଳା’ଙ୍କ ସମ୍ପର୍କରେ ମୁଁ ପଢ଼ିଥାଏ । ପୂର୍ବରୁ ଯାଇ ଯେଉଁମାନେ ଫେରିଥାନ୍ତି, ସେମାନଙ୍କ ଭିତରେ ମୋର ତ ପୁଣି କେତେ ବନ୍ଧୁ ଅଛନ୍ତି । ସେମାନେ ମଧ୍ୟ ମୋ କାନରେ ମା ମେଘମାଳାଙ୍କ କଥା ପକାନ୍ତି । ଆପଣ ତ ଜାଣନ୍ତି, ମୋର ଟିକିଏ ଏ ଆଡ଼କୁ ଝୁଙ୍କି ରହିଛି । ମନଟା କିମିତି ଲାଗିଲା । ମଦୁରା ଯିବା ଉଦ୍ଦେଶ୍ୟରେ ଗୋଟାଏ ସ୍ପେଶାଲ ଟ୍ରେନ ଧରିନେଲି ।

 

ମଦୁରାରେ ବୈଶାଖ ପୂର୍ଣ୍ଣିମା ଦିନ ଜନତା ରୁଣ୍ଡ ହେଲେ । ମା’ଙ୍କର ଦର୍ଶନ ଦେବା ବେଳେ ନିକଟତର ହୋଇ ଆସିଲା । ଠିକ୍‌ ବେଳ ଜାଣି ଆକାଶରେ ହଠାତ୍‌ ମେଘ ଘୋଟିଗଲା ଏବଂ ବରକୋଳିଆ ଟୋପା ପକାଇ ଶ୍ରାବଣ ଧାରା ପରି ଅଜାଡ଼ିବାରେ ଲାଗିଲା । ବେଶର ନାନା ବୈଭବରେ ନିଜକୁ ସଜ୍ଜିତ କରି ଭକ୍ତମାନେ ଆସିଥିଲେ । ମା’ଙ୍କର ଦର୍ଶନ ପୂର୍ବରୁ ସମସ୍ତେ ସଦ୍ୟସ୍ନାତ ହୋଇଗଲେ । ଏତିକିବେଳେ ଜନତା ମଧ୍ୟରେ କୋଳାହଳ ଶୁଣାଗଲା । ଚହଳରୁ ସମସ୍ତେ ମନେ କଲେ ଯେ ‘ମା ମେଘମାଳା’ଙ୍କର ଦର୍ଶନ ମିଳିଲା । ବିଜୁଳି ମାରି ଲୁଚିଗଲା ପରି ତିନିମହଲାର କୋଠାର ବାଲ୍‌କୋନିରେ ଦେଖା ଦେଇ ଲୁଚିଗଲେ ମା ମେଘମାଳା । ଏହି ପାବନ ମୂର୍ତ୍ତି କିଏ ଦେଖିଲେ, କିଏ ଦେଖି ପାରିଲେ ନାହିଁ । ସେ ଦେଖି ପାରିଲେ, ସେ ନିଜକୁ କୃତାର୍ଥ ମନେ କଲେ, ଜୀବନ ସାର୍ଥକ ହେଲା ବୋଲି ଭାବିଲେ । ସେ ଦେଖି ପାରିଲେ ନାହିଁ, ସେ ବିଥେଇ ହେବାରେ ଲାଗିଲେ । ଏତିକିରେ ସବୁ ଶେଷ ହେଲା ।

 

ମୁଁ ଭୂତେଶ୍ଵର ବାବା ଓ ନମ୍ବୁଦ୍ରି ସ୍ଵାମୀଙ୍କୁ ମଧ୍ୟ ଦେଖିଛି, ମାଧବବାବୁ । ଧର୍ମ ନାମରେ ଆମ ଲୋକଙ୍କୁ ମେଣ୍ଢାପଲରେ ପରିଣତ କରି ଦିଆଯାଉଛି । ବେଦ, ଉପନିଷଦ୍‍, ଗୀତା ଦେଶରେ ଗୋଟାଏ ପ୍ରହସନ ଚାଲିଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମନ୍ତ୍ରୀଗୁଡ଼ାକ ଯାଇ ମୁଣ୍ଡିଆ ମାରୁଛନ୍ତି । ଏହା ଫଳରେ ଲୋକଙ୍କର ଆତ୍ମିକ–ଚେତନା, ଆତ୍ମବଳ ଓ ଅଧ୍ୟାତ୍ମ ସାଧନା ଲୋପ ପାଇଯାଉଛି । ବୈଦେଶିକ ଶାସନରେ ରହି ଆମର ତ ସବୁ ଯାଇଛି, ସାମାନ୍ୟ ଯେ ଟିକିଏ ଅଧ୍ୟାତ୍ମ–ସାଧନା ଚମ୍ପାଫୁଲର ଅବଶିଷ୍ଟ ଗନ୍ଧ ପରି କିମ୍ବା କପୂର ଉଡ଼ିଯିବା ପରେ କନାରେ ସାମାନ୍ୟ ଗନ୍ଧ ରହି ଯାଇଥିବା ପରି ରହିଛି, ସେତକ ଆମରି ନିଜ ଶାସନରେ ଯିବାରେ ଲାଗିଛି । ଆମେ ସବୁ ବିଷୟରେ ପରନିର୍ଭରଶୀଳ ହୋଇଥିଲେ, ଏବେ ଆଧ୍ୟାତ୍ମ ବିଷୟରେ ସୁଦ୍ଧା ଆତ୍ମନିର୍ଭରତା ହରାଇ ପରନିର୍ଭରଶୀଳ ହେବାରେ ଲାଗିଛେ । ଲୋକଙ୍କୁ ଧର୍ମ ଧାରଣାରେ ମେଣ୍ଢା କରି ଏହି ଧର୍ମଗୁରୁଗଣ ସିଂହ ପରି ଗର୍ଜନ କରୁଛନ୍ତି, ବାଘ ପରି ଖାଉଛନ୍ତି, ଗୃଧ୍ର ପରି ଧନସଞ୍ଚୟ କରୁଛନ୍ତି ଓ ପାରା ପରି ଭୋଗ କରୁଛନ୍ତି । ସତରେ ଯଦି ନରକ ଥାଏ, ମଲେ ଏହିମାନେ ନରକ ଛଡ଼ା ଆଉ କେଉଁଠାକୁ ଯିବେ ?

 

‘‘ଏ କ’ଣ କହୁଛନ୍ତି ରାଘବବାବୁ, କ’ଣ କହୁଛନ୍ତି ? ଆପଣ ବୋଧହୁଏ ଏ ମଧ୍ୟରେ କମ୍ୟୁନିଷ୍ଟ ହୋଇଗଲେଣି । ତାହା ଫଳରେ ଧର୍ମକୁ ମଣିଷ ମନର ନିଶା, ଧୋକାବାଜି ବୋଲି ଗ୍ରହଣ କରୁଛନ୍ତି । ଆପଣଙ୍କ ପରି ଜଣେ ହିନ୍ଦୁ ବ୍ରାହ୍ମଣଠାରୁ ମୁଁ ଏପରି ଶୁଣିବା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।’’

 

ବାର ନମ୍ବର ବର୍ଥଟା ଏପର୍ଯ୍ୟନ୍ତ ଖାଲି ଥିଲା । ରେଳ ଶ୍ରୀକାକୁଲମ୍‌ରେ ପହଞ୍ଚିବାରେ ସେହିସ୍ଥାନ ପାଇଁ ଜଣେ ଯାତ୍ରୀ ଆସି ତାହା ଅଧିକାର କଲେ । ଜାଗାଟା ମଝି ଜାଗା । ତେଣୁ ନିଜର ଜିନିଷପତ୍ର ସୁବିଧାରେ ରଖି ଏଗାର ନମ୍ବରରେ ବସି ରହିଲେ । ସେ ଥିଲେ ଜଣେ ତୈଲଙ୍ଗଭାଷୀ । ତେଣୁ ସେ ବୁଝିପାରିବା ଭଳି ଭାଷାରେ ଆଲୋଚନାଟା ପୁଣି ଚାଲିଲା । ରାଘବବାବୁଙ୍କ ମତ ଶୁଣି ମାଧବବାବୁ ବ୍ୟସ୍ତ ହୋଇ ଯାଇଥିଲେ । ସେ ବାରନମ୍ବର ଯାତ୍ରୀଙ୍କୁ ମଧ୍ୟସ୍ଥ ମନେ କରି ରାଘବବାବୁଙ୍କ ମତାମତ ପ୍ରାଞ୍ଜଳ ଭାବରେ ପରଷିଲେ ।

 

‘‘ମାଧବବାବୁ, ମୋ କଥାଟାକୁ ଭୁଲ ବୁଝନ୍ତୁ ନାହିଁ । ଧର୍ମ ମଣିଷ ମନରେ ଗୋଟାଏ ନିଶା ବୋଲି ମୁଁ କହୁନାହିଁ ! ଆପଣ ତ ମୋ ମୁଣ୍ଡରେ କମ୍ୟୁନିଷ୍ଟ ଛାପ ମାରି ଦେଲେ; କିନ୍ତୁ ମୁଁ କମ୍ୟୁନିଷ୍ଟ ନୁହେଁ । ଜାଣି ରଖନ୍ତୁ, କମ୍ୟୁନିଜିମ୍‌ ମଧ୍ୟ କେତେ ଜଣ ମଣିଷଙ୍କ ମନର ଗୋଟାଏ ନିଶା-। ସେଥିରେ ସତ୍ୟ ନାହିଁ କିମ୍ବା ବାସ୍ତବତା ନାହିଁ । ତାହା ଏକ ରାଜନୀତିକ ଧୋକାବାଜି-। ଧୋକାବାଜିଟା କେତେବେଳେ ରାଜନୀତି, ସମାଜନୀତି ନ ହେଲେ ଧର୍ମ ନାମରେ ହେଉଛି-। ଏହା ଭିତରୁ କୌଣସି ଗୋଟାଏ ଧୋକାବାଜିର ହୋମକୁଣ୍ଡରେ ପଡ଼ି ଲୋକେ ରାଜନୀତିକ ନେତାମାନଙ୍କର ଜୟଗାନ କରୁଛନ୍ତି । ମଦୁରାକୁ ଟିକଟ କାଟୁଛନ୍ତି, ନ ହେଲେ ଚିତ୍ରପଟ ତଳେ ଭୋଳ ହୋଇ ପାଁପଡ଼ି ଶୋଇ କୁଙ୍କୁମ ବୋଳି ହେଉଛନ୍ତି । ଏହା ଯେପରି ଦଳେ ଲୋକ କରୁଛନ୍ତି, ଆଉ ଦଳେ ଲୋକ ସେହିପରି ଝଡ଼ିପୋକ ଭଳି କମ୍ୟୁନିଜମ୍‌ ପଛରେ ଚାଲିଛନ୍ତି । ଗୋଡ଼ାଇ ଗୋଡ଼ାଇ କିଛି ନ ପାଇ କ୍ଳାନ୍ତ ହେବାବେଳକୁ, ଝଡ଼ିପୋକର ପର ଦୁଇଟା ଛିଡ଼ିଯିବା ସମୟକୁ ଦୀପରୁ ତେଲ ସରି ଆସୁଛି । ବାର୍ଦ୍ଧକ୍ୟରେ ତ ଆଉ ଯୌବନର ଉନ୍ମାଦନା ରହେ ନାହିଁ, ସେତେବେଳେ ଉଦ୍ଦୀପନା ଆସିବ କେଉଁଠାରୁ ? ଏହି ତ ଅବସ୍ଥା ! ଏଥିରେ କ’ଣ କିଛି ହେବ-?’’

 

‘‘ବିଲକୁଲ୍‌ ଠିକ୍‌ ହୈ’’–ବାର ନମ୍ବର ଯାତ୍ରୀ ମୁଖର ହାସ୍ୟ ଭଙ୍ଗୀରେ ଓ ନିଜର ଉଭୟ କର ଚାଳନାରେ ଯାହା କହୁଥିଲେ, ତାହା ବ୍ୟଞ୍ଜିତ କଲେ । ମାଧବବାବୁଙ୍କ ମୁହଁଟା ଟିକିଏ ଶୁଖି ଆସିଲା । ଦୁଇଟା ରାକ୍ଷସଙ୍କ ମଧ୍ୟରେ ସେ ଚିପି ହୋଇଗଲା ପରି ବୋଧ କଲେ ।

 

ତଥାପି ମନର ଭାବକୁ ହୃଦୟରେ ଚାପି ରଖି, ମୁହଁରେ ହାସ୍ୟର ଗୋଟାଏ ସାଧାରଣ ଭଦ୍ରତାର ତରଙ୍ଗ ଖେଳାଇ ମାଧବବାବୁ କହିଲେ–

 

‘‘ଏ ମହାପୁରୁଷମାନଙ୍କ ପାଖରେ ଯେ ଅଲୌକିକ ଶକ୍ତି ଦେଖାଯାଉଛି ଓ ଏମାନଙ୍କର ମହିମାରେ ଭକ୍ତଗଣ ସେ ଆକର୍ଷିତ ହେଉଛନ୍ତି, ଏହାହିଁ ସମ୍ଭବତଃ ଆପଣଙ୍କର ସମାଲୋଚନାର କାରଣ ହୋଇଛି ! ଏହା କ’ଣ ଯୁଗେ ଯୁଗେ ମାହାତ୍ମାମାନଙ୍କ ବିଷୟରେ ଦେଖା ଯାଇନାହିଁ ?’’

 

ମାଧବବାବୁଙ୍କ ପ୍ରଶ୍ନ ଶୁଣି ରାଘବବାବୁ ହସି ଦେଇ କହିଲେ–

 

‘‘ମାଧବବାବୁ ମୁଁ ଆପଣଙ୍କର ମହାତ୍ମାମାନଙ୍କର ସମାଲୋଚନା କରୁନାହିଁ । କାହାର ଅଯଥା ଆଲୋଚନା କରିବା ମୋ ମତଲବ ନୁହେଁ । ମୋ କହିବା ଉଦ୍ଦେଶ୍ୟ ହେଉଛି ଯେ ଏମାନେ ଅବାଟରେ ଚାଲିଛନ୍ତି । ଧର୍ମକଥା କଥାରେ କହୁଛନ୍ତି ସତ; କିନ୍ତୁ ସାଧନାଟା ଧର୍ମ୍ମର ସାଧନା ନୁହେଁ । ଏମାନେ ଧର୍ମକଥା, ଶାସ୍ତ୍ରବ୍ୟାଖ୍ୟାନ ସହିତ ଯାଦୁ ମିଶାଉଛନ୍ତି । ଏମାନଙ୍କ ଭିତରୁ କେହି କ’ଣ ଯାଦୁ ସମ୍ରାଟ୍‌ ପି. ସି. ସରକାରଙ୍କୁ ଯାଦୁ ସାଧନାରେ ଜିଣି ପାରିବେ ? ଏମାନେ ଏହି ଯାଦୁ ବଳରେ ଜନ ସମାଜକୁ ମେଣ୍ଢାରେ ପରିଣତ କରି, ନିଜର ଭୋଗଟା ଯୋଗାଡ଼ ରଖୁଛନ୍ତି । ଏମାନଙ୍କର ଏହି ଭୋଗ ଭାବଟା ନ ଥାଇ ବସ୍ତୁତଃ ତ୍ୟାଗ ଥିଲେ, ମୋର କିଛି କହିବାର ନ ଥିଲା । ଏମାନେ ଆଣ୍ଠୁଏ ବହଳ ଗଦି ପଡ଼ିଥିବା ପଲଙ୍କରେ ଶୋଇବେ, ଘିଅ ରୁଟି, ମାଖନ, ଜେଲି ଖାଇବେ; ଦ୍ଵିତଳ, ତ୍ରିତଳ ଅଟ୍ଟାଳିକାରେ ରହିବେ; ସିଲ୍‌କ, ଟେରିଲିନ୍‌, ଟେରିକଟ୍‌ ପିନ୍ଧିବେ ଏବଂ ‘ପଞ୍ଚ ‘ମ’ କାର’କୁ ଆଦୌ ବାଦ୍‌ ଦେବେ ନାହିଁ, ଦେଲେ ପଦାରେ ଦେଇ ଭିତରେ ଭିତରେ ଚାଲୁ ରଖିବେ; ଅଥଚ ଆମର ଧର୍ମଗୁରୁ ହେବେ, ମୁଁ କାହିଁକି ଏହା ଭାବିପାରୁ ନାହିଁ, ଆଦୌ ଗ୍ରହଣ ମଧ୍ୟ କରି ପାରୁ ନାହିଁ । ମୋର ମନେ ହୁଏ ଅଧ୍ୟାତ୍ମ ସାଧନାରେ ଏମାନେ ଅନ୍ଧ । ଏମାନେ ଆମର ଗୁରୁ ହୋଇ ବାଟ କଢ଼ାଇଲେ ଉପନିଷଦ୍‌ର ସେହି ତତ୍ତ୍ଵବାଣୀ “ଅନ୍ଧେନ ନୀୟମାନାଃ ଯଥାନ୍ଧାଃ’’–କଥାଟା ସତ୍ୟରେ ପରିଣତ ହେବ । ଏହି କାରଣରୁ ଏମାନେ ଭଣ୍ଡ ବୋଲି ମୋର ଧାରଣା ହେଉଛି । ସାମାନ୍ୟ ଯାଦୁ କରି ଆମକୁ ଧର୍ମ ଦିଗକୁ ଆକୃଷ୍ଟ କରୁଛନ୍ତି ବୋଲି ଯେଉଁମାନେ ଏମାନଙ୍କ ତରଫରୁ ଯୁକ୍ତି କରୁଛନ୍ତି, ମୋର ମନେ ହୁଏ, ସେମାନେ ଅନ୍ଧ ହୋଇ ଅପରକୁ ଲାଙ୍ଗୁଳହୀନ ଶୃଗାଳ ପରି ଅନ୍ଧ କରିବାକୁ ବସିଛନ୍ତି । ଏ ଯୁକ୍ତି ନିତାନ୍ତ ନିରର୍ଥକ । ପୂର୍ବ ଯୁଗରେ ଆମ ମହାପୁରୁଷମାନେ କେହି ଏପରି କରୁ ନ ଥିଲେ । ଧର୍ମର ସାଧନା କ’ଣ ଭଳେଇ କରି କରାଯାଏ ? ଏହା ଏକ ଆତ୍ମପ୍ରେରଣାର ବିଷୟ । ଯାହାଙ୍କର ପ୍ରକୃତରେ ଆତ୍ମପ୍ରେରଣା ଏ ଦିଗରେ ରହିଛି, ଏହି ଭଣ୍ଡମାନେ ସେମାନଙ୍କଠାରୁ ଠିକ୍‌ ଫାଇଦା ଉଠାଇବାରେ ଲାଗିଛନ୍ତି । ଅଧ୍ୟାତ୍ମସାଧନା କ’ଣ ଭୋଗରେ ଘଟେ ? ଏହା ଘଟେ କେବଳ ତ୍ୟାଗରେ । ସେଥିପାଇଁ ଉପନିଷଦ୍‌ ରେ କୁହାଯାଇଛି–

 

‘‘ନ କର୍ମଣା, ନ ପ୍ରଜୟା, ନ ଧନେନ, ତ୍ୟାଗନୈକେ ଅମୃତତ୍ଵଂ ଆନଶୁଃ ।’’ –ଏ ଅମୃତତ୍ଵ ତ୍ୟାଗ ଛଡ଼ା କ’ଣ ଅନ୍ୟ କୌଣସି ବାଟରେ ମିଳିପାରେ ?’’

 

ରେଳ ବିଶାଖାପାଟଣା ଷ୍ଟେସନ ଛାଡ଼ି ଦେଇଥିଲା ଏବଂ ବସିବା ଜାଗା ସବୁ ପୂର୍ଣ୍ଣ ହୋଇଥିଲା । ଷୋହଳ ନମ୍ବରଟା ଗୋଟାଏ ପାଖର ସବା ଉପରଜାଗା । ‘ନ କର୍ମଣା, ନ ପ୍ରଜୟା, ନ ଧନେନ, ତ୍ୟାଗନୈକେ ଅମୃତତ୍ଵଂ ଆନଶୁଃ’–ଶୁଣିବା ମାତ୍ରକେ ‘ଷୋହଳ-ନମ୍ବର’ ସ୍ଵର୍ଗରୁ ଦେବର୍ଷି ନାରଦଙ୍କ ପରି ଓହ୍ଲାଇ ଆସିଲେ । ବ୍ରହ୍ମନିଷ୍ଠା ଓ ଭୋଗ କିପରି ପରସ୍ପର ବିରୋଧୀ, ଏହା କିପରି ଆଲୋକ ଅନ୍ଧାର, ତାପ ଓ ଶୀତ ପରି ବିପରୀତଧର୍ମୀ ତାହା ବୁଝାଇ କହି ବସିଲେ । ତାଙ୍କ କହିବାରେ ସେ କହିଲେ ଯେ– ଆମ ଲୋକଗୁଡ଼ାକ ଖରାପ ନୁହନ୍ତି, ଏମାନଙ୍କର ଧର୍ମବିଶ୍ଵାସ ଓ ଶ୍ରଦ୍ଧା ରହିଛି; କିନ୍ତୁ ଗୁଡ଼ିଏ ନରଗୃଧ୍ର ଏମାନଙ୍କୁ ଅବାଟରେ ପରିଚାଳିତ କରୁଛନ୍ତି । ବାସ୍ତବ ଧର୍ମପଥରୁ ବିଚ୍ୟୁତ କରି ନିଜ ପଛରେ କିପରି ଗୋଡ଼ାଇବେ, ତହିଁର ଯତ୍ନ କରିବାରେ ଲାଗିଛନ୍ତି । ରାଘବବାବୁ ଏତିକିବେଳେ ନିଶ୍ୱାସ ମାରିଲେ । ପଚାରିଲେ–‘‘ଆପଣ କିଏ ମୁଁ ଜାଣିପାରେ କି ?’’

 

“ନିଶ୍ଚୟ, ନ ଜାଣିପାରିବେ କାହିଁକି ? ମୁଁ ତାଡ଼ପଲ୍ଲୀ ରାମଶଙ୍କର ସୋମଯାଜୀ । ତିରୁପତି ବିଶ୍ଵବିଦ୍ୟାଳୟରେ ଦର୍ଶନଶାସ୍ତ୍ର ଅଧ୍ୟାପନା କରେ । ଆସିଥିଲି ଆନ୍ଧ୍ର ବିଶ୍ଵବିଦ୍ୟାଳୟକୁ, ଫେରୁଛି ।

 

ମାଧବବାବୁ ଘୋଡ଼ା ଘୋଡ଼ି ହୋଇ କାଠଗଡ଼ ପରି ଏଗାର ନମ୍ବରରେ ପଡ଼ି ଯାଇଥିଲେ-। ରେଳ ପୂର୍ବ ପରି ଧଡ଼୍‌ଧଡ଼୍‌ ଶବ୍ଦ କରି ଦକ୍ଷିଣ ଦିଗକୁ କ୍ଷିପ୍ରଗତିରେ ଦଉଡ଼ିବାରେ ଲାଗିଥିଲା ସତେ ଯେପରି କାହାକୁ ଧରିବାକୁ ।

Image

 

Unknown

ପରିତ୍ୟକ୍ତ

 

‘‘ବାବା’’ !

 

ସାଧୁ ରାମାନନ୍ଦ କଠଉ ଦୁଇଟା ଠକ୍‌ ଠକ୍‌ କରି ପଥର ଚାଞ୍ଚଡ଼ା ଉପରେ ଚାଲି ଯାଉ ଯାଉ ଥକି ଗଲେ; ସିଂହ ପରି ପଛ ଆଡ଼କୁ ଓଲଟି ଚାହିଁଲେ ।

 

ଆଖି ପଡ଼ିଯିବା ମାତ୍ରକେ ଶ୍ରାବଣୀ ଅମାବାସ୍ୟା ରାତ୍ରିର କଜ୍ଜ୍ଵଳ କଳା ମେଘମାଳା ମଧ୍ୟରେ ବିଜୁଳି ଝଲକରେ ଗୋଟାଏ କ୍ଷୀଣ ଆଭା ମୁଣ୍ଡ ଟେକି ଲିଭିଗଲା ପରି ଅତୀତ ମୁହୂର୍ତ୍ତକ ମଧ୍ୟରେ ଉଇଁ ଉଠିଲା । ସାଧୁ ମହାରାଜ ନିଜକୁ ସମ୍ବରଣ କରି ଦେଇ ପଚାରିଲେ,–

 

‘‘କିଏ ତୁମେ, ମା ! ଏପରି ଅସମୟରେ ଏତେ ଦୂର ପଥ ପାର ହୋଇ ଏ ନିର୍ଜନ ସ୍ଥଳୀକୁ ଆସିଲ କାହିଁକି ? କେଉଁଠାରୁ ଆସିଲ ? ରାତି କ’ଣ ଏଠାରେ ପୁହାଇ ଯିବ ?’’

 

ବାବାଙ୍କର ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ସରସ୍ଵତୀ ଦେବୀ କିପରି ଦେବେ ଜାଣି ପାରିଲେ ନାହିଁ । ଉତ୍ତରଗୁଡ଼ାକ ମନକୁ ଆସି ଯାଇଥିଲେ ଦେବାର ପ୍ରଣାଳୀ ପାଇଁ ଯତ୍ନ କରିଥାନ୍ତେ; କିନ୍ତୁ ମନକୁ କିଛି ଆସିଲା ନାହିଁ । ସେ ନିଷ୍ପନ୍ଦ ଓ ନିର୍ବାକ୍‌ ହୋଇ ଠିଆ ହୋଇଗଲେ ।

 

ନାରୀ ସୁଲଭ ଲଜ୍ଜା ଅଙ୍ଗଶୋଭାକୁ ଆବୃତ କରି ରଖିଥିଲେ ସୁଦ୍ଧା, ଥକା ଭାବଟା ମଝିରେ ମଝିରେ ପରିପ୍ରକାଶ ପାଉଥିଲା । କ୍ଳାନ୍ତି ଓ ଅବସାଦକୁ ଓ ଲକ୍ଷ୍ୟ କରି ବାବା କହିଲେ,–

 

‘‘ମା, ଚାଲ, ଚାଲ ଆଶ୍ରମକୁ ଯିବ । ଦୂରପଥ ଆସିବାରେ ଯେ ଶ୍ରାନ୍ତି ଓ କ୍ଳାନ୍ତି ଘଟିଛି, ବିଶ୍ରାମ ନେଇ ତାହା ଦୂର କର । ଚାଲ ।’’

 

ମଣ୍ଡନଗିରିର ସମ୍ରାଟ୍‌ ପରି କଠାଉ ଲଗାଇ ଚାଞ୍ଚଡ଼ା ଉପରେ ବାବା ଯେପରି ଚାଲି ଯାଉଥିଲେ ଠିକ୍‌ ସେହିପରି ଚାଲିଲେ । ସରସ୍ଵତୀ ଦେବୀ ତାଙ୍କ ପଛେ ପଛେ ଯାଇ ଆଶ୍ରମରେ ରହିଲେ ଗୋଟିଏ କୋଠରୀରେ ।

 

ସଂସାରଟା ଗୋଟିଏ ଜଟିଳ ଆଖଡ଼ା; ତଥାପି ଏହି ଜଟିଳତା ମଧ୍ୟରେ ନୀତି ନିୟମର, ନିଷ୍ଠୁର ନ୍ୟାୟର, ନିର୍ମମ ନିରପେକ୍ଷତାର ଗୋଟାଏ ନୈସର୍ଗିକ ଐଶ୍ଵରିକ ସୂତ୍ର ରହିଛି ବୋଲି ସବୁଦେଶର ପଣ୍ଡିତମାନେ ସବୁ କାଳରେ କହି ଆସିଛନ୍ତି । ଏହି ନିୟମ ନ ମାନି ଗୋରୁ ପାଦରେ ମାପି ହୋଇଯିବା ଭଳି ଆୟତନ ପୁଷ୍କର ତୀର୍ଥରାଜ ତାଲିକାରେ ଯେପରି ଯାଉଛି, ବାଳୁଙ୍ଗା ସେହିପରି ବେଳେ ବେଳେ ଧାନର ଆଖ୍ୟା ପାଉଛି । ବାଳୁଙ୍ଗା ପରି ମଣିଷଗୁଡ଼ାଏ ବେଳେ ବେଳେ ପୁରୁଷ ସିଂହ, ପୁରୁଷୋତ୍ତମ, ମହାତ୍ମା, ମହାପୁରୁଷ ମଧ୍ୟ ହୋଇ ଯାଉଛନ୍ତି । ଏଥିର ମଧ୍ୟ ଗୋଟାଏ କଣ ନିୟମ ଥାଇପାରେ । ସମ୍ଭବତଃ ଏହି ନିୟମରେ ପଡ଼ି ଖଣ୍ଡଗିରି ବିଶ୍ଵବିଶ୍ରୁତ ହୋଇଛି, ମଣ୍ଡନଗିରି ଅନ୍ଧକାରର ଆଚ୍ଛାଦନ ଭିତରେ ଲୁଚି ରହିଛି ।

 

ଖୋରଧାଠାରୁ ନୟାଗଡ଼ ରାସ୍ତାରେ ଗଲେ ବାଟରେ ରାଜସୁନାଖଳା । ରାଜସୁନାଖଳା ନିକଟ ପାଟବନ୍ଧଠାରୁ ବଣେ ବଣେ ଗଲେ ମଣ୍ଡନଗିରି । ଆଖପାଖ ଲୋକେ ଏହି ପାହାଡ଼କୁ ମୁଣ୍ଡିଆପଡ଼ା କହନ୍ତି; କିନ୍ତୁ ସାଧୁ ଭାଷାରେ କେହି କହିବାକୁ ଇଚ୍ଛା କଲେ ‘ମୁଣ୍ଡିଆପଡ଼ା’ ମଣ୍ଡନଗିରିର ରୂପ ନେଇଥାଏ ।

 

ଶାଳ–ପିଆଶାଳର ଘନଘଞ୍ଚ ବଣ ଦେଇ ମଣ୍ଡନଗିରିକୁ ଯିବାକୁ ହୁଏ । ମଣ୍ଡନଗିରି ଦେଖିବାକୁ ଗୋଟାଏ ଗୁମ୍ବଜ ପରି । ପାଖରେ ଗୋଟାଏ ନିତାନ୍ତ ମସୃଣ ବିରାଟ ପଥର ଚାଞ୍ଚଡ଼ା । ବନବାସବେଳେ ଭୀମ ଏହିଠାରେ ପ୍ରତିଦିନ ସକାଳେ କୁସ୍ତି କରୁଥିଲେ ଓ ସେହି କାରଣରୁ ପଥରର ମସୃଣତା ଆସିଛି ବୋଲି କିମ୍ବଦନ୍ତୀ ରହିଛି । ଅତି ନିକଟରେ ଝରଣାଟିଏ ନିରନ୍ତର କଳକଳ ନାଦ କରି ଚାଲିଛି ତାର ସେହି ଏକ ଲକ୍ଷ୍ୟରେ ।

 

ପଥର ଚାଞ୍ଚଡ଼ାକୁ ଭୀମ ମସୃଣ କରିବା ପୂର୍ବରୁ ବନବାସବେଳେ ରାମ, ସୀତା ଓ ଲକ୍ଷ୍ମଣ ଏଠାରେ କିଛିଦିନ କାଟିଥିଲେ ବୋଲି ପରବର୍ତ୍ତୀ କାଳରେ ଏଠାରେ ରାମ–ମନ୍ଦିର ପ୍ରତିଷ୍ଠା ହୋଇଛି-। ସେହି କାଳରୁ ମଣ୍ଡନଗିରିର ପ୍ରସିଦ୍ଧି ଓ ସେହି ସମୟରୁ ଏହା ସିଦ୍ଧ, ସାଧକ ଏବଂ ତପସ୍ଵୀମାନଙ୍କର ସାଧନାର କ୍ଷେତ୍ର ହୋଇ ରହିଛି ।

 

ସରସ୍ଵତୀ ଦେବୀଙ୍କର ରହିବା, ଖାଇବା, ପିଇବା ଏବଂ ଚଳାଚଳରେ କୌଣସି ଅସୁବିଧା ହେଲାନାହିଁ । ସେବାକାରୀ ଆସି ତାଙ୍କ କଥା ବୁଝିଦେଇ ଗଲେ; କିନ୍ତୁ ସେ ରାତିରେ ସାଧୁ ରାମାନନ୍ଦଙ୍କ ସହ ତାଙ୍କର ଆଉ ଦେଖା ହେଲା ନାହିଁ ।

 

X X X

 

ବନପୁରକୁ ଡାକେ ବାଟରେ ଲାଗିଥିବା ଗୋଡ଼ିଝର ଗାଁର ଗଡ଼ନାୟକଙ୍କ ପରି ଖାନ୍‌ଦାନ୍‌ ଲୋକ ନହେଲେ ସୁଦ୍ଧା, ଧନୀ ଲୋକ ଭାବରେ ମଧୁ ମିଶ୍ରଙ୍କର ବନପୁର ଗ୍ରାମରେ ଭାରି ପ୍ରତିପତ୍ତି ଥିଲା । ପୈତୃକ ସମ୍ପତ୍ତି ଭାବରେ ସେ ପ୍ରାୟ ଦୁଇବାଟି ଦୋଫସଲି ଜମି ପାଇଥିଲେ । ଘରେ ସମସ୍ତେ ପୂଣ୍ୟପର୍ବରେ ପିଠାପଣା ଖାଆନ୍ତି, ମାଛ ଦିନକୁ ବିଶାଏ କିଣା ହେବାରେ ଅଭାବ ନଥାଏ; ମାଇପେ ଓ ପିଲାଏ ଖାଇବା ଲାଗି ସାତଦିନକୁ ବିଶେ ବଡ଼ ଶୁଖୁଆ ରଖାଯାଏ; କୋଠିଆ–ବେଠିଆଙ୍କ ପାଇଁ ତାମ୍ପଡ଼ା ମାସକେ ତିନି ଚାରି ବିଶା ଖର୍ଚ୍ଚ ହୁଏ; କିନ୍ତୁ ମଧୁମିଶ୍ରେ ନଡ଼ିଆ କୋରା ଘେନି ପଖାଳ ଭାତ କଂସାଏ ବଜାଇ ଦିଅନ୍ତି । ମୁଣ୍ଡ ଉପରୁ ବେଳ ଖସିଲେ ତାଙ୍କ ନିରନ୍ନ ପେଟରେ ଏହି କଂସାକ ପଡ଼େ, ରାତିରେ ଆଉ କଂସାଏ । ନିଜର କଷକୁ ସମାନ ରଖି ସେ ଜୀବନ ଭିତରେ ହଳଦୀଗଡ଼ିରେ ଆଉ ତିନିବାଟି କରି ଯାଇଥିଲେ । ଶେଷ ନିଶ୍ୱାସ ଛାଡ଼ିବାର ପ୍ରାୟ ପଚିଶ ବର୍ଷ ପୂର୍ବରୁ ତାଙ୍କ ନାମ ମଧୁମିଶ୍ରେ ବୋଲି ଲୋକେ ଭୁଲି ଯାଇଥିଲେ । ‘କୋରାଖିଆ ମିଶ୍ରେ’ ବୋଲି କହିଲେ ଖଣ୍ଡ ମଣ୍ଡଳର ଲୋକେ ତାଙ୍କୁ ହିଁ ବୁଝୁଥିଲେ ।

 

ମଧୁମିଶ୍ରେ ‘ଅମରକୋଷରୁ’ ବାରବର୍ଗ କଣ୍ଠସ୍ଥ କରିଥିଲେ, ବିଲ ଚାଷ କରିବା ପୂର୍ବରୁ ବ୍ୟାକରଣ ଚାଷରେ ସାମାନ୍ୟ ପଶିଥିଲେ । କେବେ କିପରି ଖଣ୍ଡେ ଅଧେ ଶ୍ଳୋକ ସେ ବୋଲନ୍ତି । ତାଙ୍କ ତୁଣ୍ଡରୁ ଯେତେବେଳେ ‘ଗୃହସ୍ୟ ଭୂଷଣମ୍ ଶିଶୁଃ’–ଶୁଣାଯାଏ ସେତେବେଳେ ଆଖି ଦୁଇଟି ଲୁହରେ ଭରପୂର ହୋଇଥିବାର ଅନେକ ଦେଖିଛନ୍ତି । ପଛକୁ ପଛକୁ ଝରଣାର କୋରଡ଼ ଭିତରୁ ନିଗିଡ଼ି ଧାର ଚାଲିଲା ପରି, ଲୁହ ଆଖିର ଆୟତନ ଛାଡ଼ି ଗଣ୍ଡଦେଶରେ ବହିଲା । ଭାଇ ଗୋବିନ୍ଦର ପୁଅ ରାମହରିଙ୍କୁ ସେ ପୁଅ କରି ଆଣିବା ପରେ ଟିକିଏ ସୁସ୍ଥ ହେଲେ, ଚାରିପଦ କଥା ହେଲେ, ପୂର୍ବ ପରି ଆଉ ମନ ମାରି ରହିଲେ ନାହିଁ । ମାତ୍ର ବିଧାତା ତାଙ୍କର ଏ ସୁଖ ବେଶିଦିନ ଦେଖିଲେ ନାହିଁ । ରାମହରି ହାତକୁ ଦି’ହାତ ହେବାର ବର୍ଷ ପୂରି ନାହିଁ, ମଧୁମିଶ୍ରେ ଗାଁର ପଶ୍ଚିମମୁଣ୍ଡ ମଶାଣିକୁ ବୁହା ହୋଇଗଲେ ।

 

ଦୋଳର ଚାଚେରି ଚାଲିଛି । ଗାଁ ଉତ୍ସବରେ ପଡ଼ୁଛି ଉଠୁଛି, ଖୋଳ, ଚିନି, ଝାଂଜ, କରତାଳ, ମୃଦଙ୍ଗରେ ଠାଏ ଠାଏ ତାଳ, ମାନ, ଲୟ ଧରି ଦଳେ ଦଳେ ଲୋକ ବସି ଅପଲକ ନେତ୍ରରେ ଅପରର ଅପଲକ ନେତ୍ରକୁ ଚାହିଁ, ନାନା ଭଙ୍ଗୀରେ, ବିବିଧ ଢଙ୍ଗରେ ବଜାଇବାରେ ଲାଗିଛନ୍ତି । ରାମହରି ମୃଦଙ୍ଗ ଭଲ ବଜାନ୍ତି, ତାଙ୍କ ପରି ମାର୍ଦଙ୍ଗିକ ସେ ଅଞ୍ଚଳରେ କେହି ନଥିଲେ । ତାଙ୍କୁ ଲୋଡ଼ି ଖୋଜି ବାହାର କଲାବେଳକୁ ସେ ନାହାନ୍ତି । ଚାରିଆଡ଼େ ଖୋଜା ଗଲା, ମାତ୍ର ରାମହରି ମିଳିଲେ ନାହିଁ । ସେ କାହିଁକି ଗଲେ ବୋଲି ଠିକ୍‌ କାରଣ ତ ଜଣାଗଲା ନାହିଁ, ଲୋକଙ୍କ ମନରେ ନାନା ସନ୍ଦେହ ସ୍ଥାନ ପାଇଲା ।

 

କେତେ ଦୋଳ ପୂର୍ଣ୍ଣିମା ଏ ମଧ୍ୟରେ ବିତିଗଲାଣି, ରାମହରି ଫେରିଲେ ନାହିଁ । ସେ କେଉଁଆଡ଼େ ଗଲେ ଜଣାଗଲା ନାହିଁ । ବହୁ ଖୋଜ ଖବର ନିଆଗଲା, ହୁଲିଆ ପଡ଼ିଲା, ଶେଷରେ ସେ ନିଖୋଜ ବୋଲି ଧରି ନିଆଗଲା; ତଥାପି ତାଙ୍କ ସ୍ତ୍ରୀ ହାତକାଚକୁ ବଜ୍ର କରି, ଅହ୍ୟ ଲକ୍ଷଣ ଧରି ସମାଜରେ ସଧବା ସ୍ତ୍ରୀ ପରି ଚଳିଲେ, କୋଡ଼ର ପୁଅଟିକୁ ନିଜର ସମ୍ବଳ କରି । ତାଙ୍କର ଧାରଣା ହୋଇଥିଲା ପୁଅଟି ପାରିଲେ ତାଙ୍କର ଦୁଃଖ ଯିବ । ନିୟତି କିପରି ବିଡ଼ମ୍ବିତ କରେ–ପୁଅକୁ ଗେଲ କଲାବେଳେ ସରସ୍ଵତୀ ଦେବୀ ଜାଣି ନଥିଲେ ।

 

X X X

 

‘‘ବାବା’’–

 

‘‘କ’ଣ କହୁଛ ମା ? ସେଠାରେ ରହି କହ । ଏ ପୂଜା–ଘରକୁ କେହି କେବେ ଆସନ୍ତି ନାହିଁ । ଯାହାର ଯାହା କହିବା କଥା ସେହି ପିଣ୍ଡାରେ ରହି କହନ୍ତି । କହ, ଯାହା କହିବାର ଅଛି, କହ’’ ।

 

ସରସ୍ଵତୀ ଦେବୀଙ୍କର ଧାର ଧାର ଲୁହ ବୋହି ସାରିଥିଲା, କଣ୍ଠ ରୁଦ୍ଧ ହୋଇ ଆସିଥିଲା, ସେ କଥା କହି ପାରୁନଥିଲେ । ‘କହ’ ‘କହ’ ବୋଲି ବାବା କହିବାରେ ସେ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ; ପଦେ କହି ନୀରବ ହେଲେ ।

 

ସାଧୁ ରାମାନନ୍ଦ ମହାବଳ ବାଘ ଛାଲ ଉପରେ ଯେପରି ଧୀର ଗମ୍ଭୀର ଭାବରେ ବସିଥିଲେ, ତାଠାରୁ ଧୀରତା ଓ ଗମ୍ଭୀରତାର ମାତ୍ରା ଟିକିଏ ବଢ଼ାଇ, ଅଧିକ ସାନ୍ତ୍ୱନା ସୂଚକ ସ୍ଵରରେ କହିଲେ–

 

‘‘କହ ମା, କହ, ଯାହା କହିବାର ଅଛି । କହିବାରେ ଆପତ୍ତି ନାହିଁ କିମ୍ବା ଶୁଣିବାରେ ଆପତ୍ତି ନାହିଁ । କେତେ ଲୋକ ତ ଆସି ତାଙ୍କ ଦୁଃଖ କଥା କହୁଛନ୍ତି, ସବୁ ଏ କାନ ଶୁଣୁଛି । ତୁମ କଥା ନଶୁଣିବି କାହିଁକି ? ସଂସାରରେ ଜନ୍ମ ହେଲେ ସୁଖ ଦୁଃଖ ରହିବ । ଏ ଦୁଇଭାଇ କ’ଣ କାହାକୁ ଛାଡ଼ିଛନ୍ତି ? ତୁମେ ତ ରାମ-ସୀତା, ନଳ-ଦମୟନ୍ତୀଙ୍କ କଥା ପୁରାଣରେ ପଢ଼ିଥିବ– ।’’

 

ସରସ୍ଵତୀ ଦେବୀ ନିଜକୁ ସମ୍ବରଣ କରିପାରିଲେ ନାହିଁ । ସେ ଖୁବ ଉଚ୍ଚସ୍ଵରରେ କାନ୍ଦି ଉଠିଲେ । ତାଙ୍କୁ ପ୍ରବୋଧନା ଦେବା ପାଇଁ ଉଠି ଆସି ଦୁଆରବନ୍ଧ ପାଖେ ବାବା ଠିଆ ହୋଇଗଲେ-। ବାବାଙ୍କୁ ଏତେ ନିକଟରେ ଦେଖି, ସରସ୍ଵତୀ ପଣତକାନିରେ ଲୁହ ପୋଛି ଦେଇ, ପ୍ରକୃତିସ୍ଥ ହୋଇ ବାବାଙ୍କର ବାମ ପାଦକୁ ତକାଇ ଅନାଇ ରହିଲେ । ବାବାଙ୍କର ସେ ପାଦରେ କାଣି ଆଙ୍ଗୁଠିକୁ ଲାଗି ଆର ଆଙ୍ଗୁଠିଟା ଲାଗି ରହିଥିବାରୁ ତାଙ୍କର ଧାରଣା ଦୃଢ଼ୀଭୂତ ହୋଇଗଲା, ସେ ଏରୁଣ୍ଡି ବନ୍ଧ ପାର ହୋଇ ବାବାଙ୍କର ଗୋଡ଼ ଧରି ପାଦତଳେ ଲୋଟିବାରେ ଲାଗିଲେ ।

 

X X X

 

ପ୍ରତିଦିନ ସନ୍ଧ୍ୟାରେ ସାଧୁ ରାମାନନ୍ଦ ମଣ୍ଡନଗିରିର ବଡ଼ ଚାଞ୍ଚଡ଼ା ଉପରେ ବସି ଧ୍ୟାନ କରନ୍ତି । ପ୍ରତିଦିନ ପରି ଏ ଦିନ ମଧ୍ୟ ଗଲେ; ମାତ୍ର ଉପରବେଳା ସେ ପୂଜାଘରେ ଥିବାବେଳେ ସରସ୍ଵତୀଙ୍କର କାନ୍ଦ, ଗୋଡ଼ ଧରି ତଳେ ପଡ଼ିଯିବା ତାଙ୍କ ମନରୁ ଉଭେଇ ଯାଇ ନଥିଲା । ଧ୍ୟାନରେ ବସିବା ମାତ୍ରକେ ହଠାତ୍‌ ଗୋଟାଏ ଚିନ୍ତା ଭାସି ଉଠିଲା–ଏ କ’ଣ ତାହାହେଲେ ସେଇ ସୁଷମା ? ନାମଟା ବଦଳାଇ ସରସ୍ଵତୀ ଦେବୀ ହୋଇଛି ?’ ରାମାନନ୍ଦ ଯେତେ ଚିନ୍ତା କଲେ କ୍ରମେ ତାଙ୍କୁ ସବୁ ଘଟନା ସିନେମାରେ ଦେଖାଯିବା ଭଳି ଜଳ ଜଳ ଦେଖାଗଲା ।

 

ସାଧୁ ରାମାନନ୍ଦ ମଣ୍ଡନଗିରିକୁ ଆସିବାର ପଚିଶ ବର୍ଷ ପୂର୍ଣ୍ଣ ହୋଇଗଲାଣି । ସେ ଏତେ ଦିନ ପରେ ସଂସାର କରିବେ, ତାଙ୍କର ମନ ହେଲା ନାହିଁ । ଗୃହ ସଂସାର ଛାଡ଼ି ସେ ଚାଲି ଆସିଛନ୍ତି, ଏ ତ ସେଇ ଯାହା ଲାଗି ସେ ସଂସାର ଛାଡ଼ିଥିଲେ । ପୁଣି ସେହି ଜାଲରେ ଏବେ ଆଉ ବାନ୍ଧି ହେବେ କିପରି ?

 

ରାତି ପାହି ସକାଳ ହେଲା । ଆଶ୍ରମର ନୀତି ସବୁ ଯଥାରୀତି ଚାଲିଲା । ସମସ୍ତଙ୍କ ତୁଣ୍ଡରେ କେବଳ ଶୁଣାଗଲା–‘‘ବାବା କାହାନ୍ତି ? ବାବା କାହାନ୍ତି ?’’

 

ସରସ୍ଵତୀଙ୍କର ମନେ ହେଲା ସେହି ପୁରୁଣା ଦୋଳ ପୂର୍ଣ୍ଣିମା ପୁଣି ଥରେ ଫେରି ଆସିଲା-

Image

 

ରକ୍ତଦାନ

 

‘‘ଓଃ, ମୋ ଛାତିଟାକୁ ଟିକିଏ ଚିପି ଧର, ପିଠିପଟେ ଗୋଟିଏ ହାତ ପକାଅ । ମୁଣ୍ଡ ଭ୍ରମ ଦେଉଛି, ଛାତିଟା କଣ ହେଉଛି । ଆଖି ଆଗରେ ଗୁଡ଼ାଏ ଜୁଳୁଜୁଳିଆ ପୋକ ଉଡ଼ି ଯାଉଥିବାର ଦେଖାଯାଉଛି । ଓଃ...ଓଃ...ଓଃ’’ କହୁ କହୁ କଲ୍ୟାଣୀ ଅଚେତା ହୋଇ ପଡ଼ିଲେ ।

 

ସ୍ଵାମୀ ରମାକାନ୍ତ ନିଜକୁ କିଂକର୍ତ୍ତବ୍ୟବିମୂଢ଼ ମନେ କରି ଟିକିଏ ଥକିଗଲେ ଅବଶ୍ୟ, ମାତ୍ର ସଙ୍ଗେ ସଙ୍ଗେ ନିଜ ଗାମୁଛାଟାରେ କଲ୍ୟାଣୀଙ୍କ ମୁଖମଣ୍ଡଳରେ ପବନ ସଞ୍ଚାର କରିବାକୁ ଯତ୍ନକଲେ । ପାଖରେ ଯେ ମାଉସୀ ଥିଲେ ପାଣି ଆଣି କଲ୍ୟାଣୀଙ୍କ ମୁହଁରେ ଛିଟା ମାରି ବସିଲେ । ଝିଅ ଗିରିଜା ତାଳ ପଙ୍ଖାଟାଏ ଧରି ପବନ କରିବାରେ ଲାଗିଲା । କାନ ଫୁଙ୍କିବାରେ ଚେତା ଆସିଯାଇ ପାରେ ବୋଲି କେହି ପରାମର୍ଶ ଦେବାରେ କାନ ମଧ୍ୟ ଫୁଙ୍କାଗଲା । ଚେତା ତଥାପି ଆସିଲା ନାହିଁ । ଧୀର ମନ୍ଥର ଗତିରେ ପଙ୍ଖା ସେହିପରି ଚାଲିଥାଏ । ରମାକାନ୍ତ ଗୋଟାଏ ତଉଲିଆରେ କଲ୍ୟାଣୀଙ୍କ ମୁହଁରୁ ଛିଟା ମରାଯାଇଥିବା ପାଣିକୁ ପୋଛି, ଖୋସାରୁ ଖସି ଆସି ଇତସ୍ତତଃ ପଡ଼ି ଯାଇଥିବା ବାଳଗୁଡ଼ିକୁ ସଜାଡ଼ୁ ସଜାଡ଼ୁ କଲ୍ୟାଣୀଙ୍କ ଆଖି ଦୁଇଟି ସାମାନ୍ୟ ଫିଟିଗଲା । ସେ ନିଜ ହାତଟାକୁ ଛାତି ଆଡ଼କୁ ଟାଣି ନେଇ ଚିପି ଧରିବାରେ ଲାଗିଲେ ।

 

ଏତକ ହେବାରେ ରମାକାନ୍ତ, ଗିରିଜା ଓ ମାଉସୀଙ୍କ ମନରେ ସେ ଆନନ୍ଦର ସଞ୍ଚାର ହୋଇଥିଲା, ତାହା ଶୁକ୍ଳପକ୍ଷ ଦ୍ଵିତୀୟାର ଜହ୍ନପରି ଉଠୁ ଉଠୁ ଉଭେଇଗଲା । କଲ୍ୟାଣୀ ପୁଣି ପାଟିକରି ଉଠିଲେ–

 

‘‘ଓଃ...ଓଃ...ଓଃ...କି ଯନ୍ତ୍ରଣା ! ଆଉ ବଞ୍ଚି ପାରିବି ନାହିଁ, ଗିରିଜା ! ଶ୍ୟାମ କାହିଁ ? ତମେ ପାଖରେ ଅଛ ଟିକି ? ମୋ ମୁହଁ ପାଖକୁ ଆସିଲ ! ଓଃ...ଓଃ...’’–କହୁ କହୁ କଲ୍ୟାଣୀ ପୁଣି ଚେତା ହରାଇଲେ ।

 

ପୂର୍ବଥର ଚେତା ହରାଇ କଲ୍ୟାଣୀ ଯେତିକି ସମୟ ଭିତରେ ଚେତା ପାଇଥିଲେ, ଏଥର ସେତିକି କିମ୍ବା ତାଠାରୁ କିଛି ଅଧିକ ସମୟ ମଧ୍ୟରେ ଚେତା ଫେରି ଆସିବ ବୋଲି ସମସ୍ତଙ୍କର ଧାରଣା ହୋଇଥିଲା । କିନ୍ତୁ ଘଣ୍ଟା ପରେ ଘଣ୍ଟା ବିତିଲା, ଚେତା ଫେରିଲା ନାହିଁ । ଲୋକ ଯାଇ ସ୍ଥାନୀୟ ଡାକ୍ତରଙ୍କୁ ଡାକି ଆଣିଲେ, ଇଂଜେକ୍‌ସନ ଦେବାର ତିନି ଘଣ୍ଟା ପରେ କଲ୍ୟାଣୀ ଉଠିଲେ–ଖରାଦିନ ଦୁଇ ପହରେ ନିଘୋଡ଼ ନିଦରେ ଶୋଇ ଉପରବେଳା ଝାଡ଼ିଝୁଡ଼ି ହୋଇ ଉଠିବା ପରି । ଯନ୍ତ୍ରଣା ସେତେବେଳକୁ ଅତୀତର ବିଷୟବସ୍ତୁ, ସ୍ଵପ୍ନର ଘଟଣା ହୋଇଯାଇଥିଲା । ଘର ସଂସାର ପୁଣି ପୂର୍ବପରି ଚାଲିଲା; କିନ୍ତୁ ରମାନାଥଙ୍କ ମନରେ ଖଟକା ରହିଗଲା ଡାକ୍ତରବାବୁଙ୍କ କଥାରେ । ଇଂଜେକ୍‌ସନ ଦେଇ ସାରି ଯିବା ସମୟରେ ସେ କହିଗଲେ,–“ଏହା ହାର୍ଟ ଡିଜିଜ୍‌ । ସୁଚିକିତ୍ସା ନ ହେଲେ ଏହା ପୁଣି ହେବାର ସମ୍ଭାବନା ଅଛି ଏବଂ ଏପରି ଦୁଇ ତିନି ଥର ହେଲେ ରୋଗିଣୀ ବଞ୍ଚିବା କଷ୍ଟକର ।”

 

ରୋଗଟାର ପୁଣି ହେବାର ସମ୍ଭାବନା ରହିଛି ଏବଂ ରୋଗିଣୀ ବଞ୍ଚିବା ଅସମ୍ଭବ–ଡାକ୍ତରଙ୍କର ଏକଥା ରମାକାନ୍ତଙ୍କର ମନ ମଧ୍ୟରେ ବସା ବାନ୍ଧି ରହିଗଲା । କଥାଟା ନିବିଡ଼ରେ ବସା ବାନ୍ଧି ରହିଲେ ସୁଦ୍ଧା, କଲେଜ ଜଞ୍ଜାଳ ଛାଡ଼ି ରମାକାନ୍ତବାବୁ ସ୍ତ୍ରୀର ଚିକିତ୍ସା ପାଇଁ ସମୟ ଦେଇ ପାରିଲେ ନାହିଁ । ନୂଆ ହୋଇ କଲେଜ ଗଢ଼ା ଯାଇଛି । ରମାକାନ୍ତବାବୁ ପ୍ରିନ୍‌ସିପାଲ; ତାଙ୍କ ଉପରେ ଯେ କେବଳ ପ୍ରିନ୍‌ସିପାଲର ଦାୟିତ୍ଵ ରହିଛି ତା ନୁହେଁ, ସେ କଲେଜର ପିଅନ୍, ସେ କଲେଜର କିରାନୀ, ସେ କଲେଜର ଅଧ୍ୟାପକ ଏବଂ ସେ ହିଁ ସେହି କଲେଜର ଅଧ୍ୟକ୍ଷ । ରମାକାନ୍ତବାବୁ କଲେଜର ମେରୁଦଣ୍ଡ କହିଲେ ଆଦୌ ଭୁଲ ହେବନାହିଁ । ଶରୀର ମଧ୍ୟରେ ମସ୍ତିଷ୍କ ଓ ମେରୁଦଣ୍ଡ ଅଲଗା ଅଲଗା ହୋଇଥିବାରୁ ରମାକାନ୍ତବାବୁ କେତେବେଳେ କଲେଜର ମେରୁଦଣ୍ଡ ହେବେ ତ କେତେବେଳେ କଲେଜରେ ମସ୍ତିଷ୍କ ହେବେ । ତାହା ନ ହେଲେ ସେ ଏକାଧାରରେ ଏ ଦୁଇଟି ।

 

ପାୟ ଦେଢ଼ବର୍ଷ ବିତିଯିବା ପରେ କଲେଜରେ କାର୍ଯ୍ୟ କରୁଥିବା ସମୟରେ ରମାକାନ୍ତବାବୁଙ୍କୁ ଘରକୁ ତୁରନ୍ତ ଯିବା ପାଇଁ ଡାକରା ଆସିଲା । ପରୀକ୍ଷା ଚାଲିଥାଏ । ପରୀକ୍ଷା ସମୟରେ କେନ୍ଦ୍ର ଛାଡ଼ି ରମାକାନ୍ତବାବୁ ଯିବେ କିପରି ? ‘ଯାଉଛି’ କହି ସେ ଡାକି ଆସିଥିବା ଲୋକକୁ ପଠାଇ ଦେଲେ । ପରୀକ୍ଷା ସରିବା ପାଇଁ ଅଧଘଣ୍ଟାଏ ନ ଥାଏ, ପୁଣି ଡାକରା ଆସିଲା । ଏଥର ଲୋକ ଖବର ଦେଲା–‘ମା ଅଚେତା ହୋଇ ପଡ଼ିଛନ୍ତି, ଶୀଘ୍ର ଆସନ୍ତୁ । ’ ପତ୍ନୀପ୍ରେମ, ସ୍ନେହ, ମମତା, କର୍ତ୍ତବ୍ୟର ଅନୁବନ୍ଧ ଗୋଟାଏ ପଟେ–ଏବଂ ଆଉ ଗୋଟାଏ ପଟେ ଦାୟିତ୍ଵ, କର୍ତ୍ତବ୍ୟନିଷ୍ଠା ଯୁଦ୍ଧ କରିବାରେ ଲାଗିଲେ । ଦଶ ମିନିଟ୍‌ ଲାଗିଲା ସତ୍ୟ; କିନ୍ତୁ ମହାସମରରେ ଘର, ପୁଅ, ଝିଅ, ସ୍ନେହ–ମମତା, ପତ୍ନୀପ୍ରେମ ଏବଂ ଏମାନଙ୍କ ପ୍ରତି ରହିଥିବା କର୍ତ୍ତବ୍ୟ ସମସ୍ତେ ହାରିଗଲେ, ରମାକାନ୍ତବାବୁ ନିଜ କର୍ତ୍ତବ୍ୟରେ ଅଟଳ ରହିଲେ । ପରୀକ୍ଷା ସାରି ଘରକୁ ଯିବାବେଳକୁ ଦେଖିଲେ ଛିଞ୍ଚା ବିଞ୍ଚା ଚାଲିଛି । ମୂର୍ଚ୍ଛା ଯିବା ଠାରୁ ଉଠିବା ଭିତରେ ଅଢ଼େଇ ଘଣ୍ଟା ବିତିଗଲା । କଲ୍ୟାଣୀ ଉଠିଲେ ସତ୍ୟ; କିନ୍ତୁ ପୂର୍ବଥର ଅପେକ୍ଷା ଏଥର ତାଙ୍କ ଦୁର୍ବଳତା ଅଧିକ ।

 

ରୋଗ ଦ୍ଵିତୀୟବାର ତାଗିଦା କରିଗଲା ବୋଲି ରମାକାନ୍ତବାବୁ ବୁଝିଗଲେ; କିନ୍ତୁ କାର୍ଯ୍ୟଧନ୍ଦାରୁ ନିଜକୁ ମୁକ୍ତ କରି କଲ୍ୟାଣୀଙ୍କର ସୁଚିକିତ୍ସା କରିପାରିଲେ ନାହିଁ । କେବଳ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ନେଲେ ।

 

ରମାକାନ୍ତ ବାବୁ ମୂର୍ଖ ନୁହନ୍ତି, ଜଣେ ଜାଣିବାର ଲୋକ । ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ପରୀକ୍ଷା ଏମ୍‌. ଏ. ସେ ପାଶ୍‌ କରିଛନ୍ତି, ଥରେ ନୁହେଁ ଦୁଇଥର, ଦୁଇଟି ବିଷୟରେ; ଭାରତର ଦୁଇଟି ପ୍ରଖ୍ୟାତ ବିଶ୍ଵବିଦ୍ୟାଳୟରୁ । ସମୟ ମିଳିଲେ ଘରୋଇ ଭାବରେ ସଂସ୍କୃତ ସାହିତ୍ୟ ଏବଂ ଜ୍ୟୋତିଷ ଚର୍ଚ୍ଚା କରନ୍ତି । ସେ ସଂସ୍କୃତ ଶ୍ଳୋକ ପଢ଼ିଲାବେଳେ ବେଦ ଧ୍ୱନି ପରି ଶୁଣାଯାଏ । ଏସବୁ ଚର୍ଚ୍ଚା ଫଳରେ ସେ ଜାଣି ପାରିଛନ୍ତି ଯେ ରୋଗଶେଷ, ଅଗ୍ନିଶେଷ ଓ ଋଣଶେଷ ରଖିବା ବିବେକୀ ଲୋକର କାର୍ଯ୍ୟ ନୁହେଁ; ତଥାପି କଲ୍ୟାଣୀଙ୍କର ସୁଚିକିତ୍ସା କରାଇ ରୋଗ ନିର୍ମୂଳ କରାଯାଇ ପାରିଲାନାହିଁ ।

 

ପ୍ରଳୟଙ୍କରୀ ବନ୍ୟା ଯେତେବେଳେ ମାଡ଼ି ଆସେ ସେତେବେଳେ ଅନ୍ୟ ଧନ୍ଦା ରହେ ନାହିଁ, ରକ୍ଷା ପାଇବା ହୁଏ କେବଳ ଧନ୍ଦା । ଠିକ୍‌ ଏହିପରି ସମୟ କଲ୍ୟାଣୀଙ୍କ ଜୀବନରେ ମାଡ଼ି ଆସିଲା । ମାନ୍ଦ୍ରାଜ ରାଜ୍ୟର ‘ଭେଲୋର’ ଡାକ୍ତରଖାନାକୁ ଯାଇ ଅସ୍ତ୍ରଚିକିତ୍ସା ନ କଲେ କଲ୍ୟାଣୀଙ୍କର ପାଞ୍ଜି ପୋଛି ହୋଇଯାଉଛି ବୋଲି ଜଣାଗଲା । ଏଥର ରମାକାନ୍ତ ପୂର୍ବ ପରି ସ୍ଥିର ନ ହୋଇ ଅସ୍ଥିର ହେଲେ, ଅଣ୍ଟାଭିଡ଼ି ଭେଲୋର ଯିବା ପାଇଁ ସବୁପ୍ରକାର ଯତ୍ନ କଲେ ।

 

ସୀମିତ ସମ୍ବଳ ମଧ୍ୟରେ ଏଭଳି ଏକ ବ୍ୟୟସାଧ୍ୟ ଚିକିତ୍ସା ନିଜ ପକ୍ଷରେ ଅସମ୍ଭବ ମନେ ହେଲେ ସୁଦ୍ଧା, ଏସବୁ ନିମନ୍ତେ ନିଜକୁ ଛନ୍ଦିବାନ୍ଧି କଲ୍ୟାଣୀଙ୍କୁ ରକ୍ଷା କରିବାକୁ ସ୍ଥିର ନିଶ୍ଚୟ କଲେ ।

 

ଇଂରେଜ ପଢ଼ୁଆ, ଉଚ୍ଚ ଶିକ୍ଷିତ, ଆଧୁନିକ ସଭ୍ୟ ହେଲେ ସୁଦ୍ଧା ପ୍ରାଚୀନତାରେ, ପରଂପରାରେ ରମାକାନ୍ତବାବୁଙ୍କର ଘୋର ବିଶ୍ୱାସ । ପୂଜାପାଠ କରନ୍ତି, ସକାଳୁ ସ୍ନାନ ସାରି ଘଣ୍ଟାଏ ଧ୍ୟାନମଗ୍ନ ରହନ୍ତି । ତାଙ୍କର ଏ ସବୁରେ ଶ୍ରଦ୍ଧା ରହିଥିବାରୁ ସେ ଶୁଭଦିନ ମଙ୍ଗଳମୁହୂର୍ତ୍ତ ଦେଖି ଭେଲୋର ଯାତ୍ରା କଲେ ଏବଂ ସେଠାରେ ପହଞ୍ଚି ରୋଗର ପ୍ରାଥମିକ ପରୀକ୍ଷା ଶେଷ କରାଇଲେ । ପ୍ରବୀଣ ଚିକିତ୍ସକମାନେ ମତ ଦେଲେ ବିନା ଅସ୍ତ୍ର ଚିକିତ୍ସାରେ ରୋଗର ନିରାକରଣ ଅସମ୍ଭବ ଏବଂ ଅସ୍ତ୍ରୋପଚାର ହୃଦୟଯନ୍ତ୍ର ଉପରେ କରିବାକୁ ହେବ । ଏପରି ଏକ ଅସ୍ତ୍ରଚିକିତ୍ସାରେ ରୋଗୀ ଏପାଖ ନହେଲେ ସେପାଖ ହୋଇଯିବାର ଆଶଙ୍କା ବେଶି । ତଥାପି ବିଶାରଦ ଚିକିତ୍ସକମାନେ ଉତ୍ସାହ ଦେଲେ ଅସ୍ତ୍ରୋପଚାର ପୂର୍ବରୁ ସମସ୍ତ ଉପାଦାନ, ଏପରିକି ରୋଗିଣୀ ଦେହରେ ଅସ୍ତ୍ରୋପଚାର ପୂର୍ବରୁ ଏବଂ ଅବ୍ୟବହିତ ପରେ ରକ୍ତ ବିନିଯୋଜନା ପାଇଁ ରକ୍ତ ମଧ୍ୟ ସଜ୍ଜିତ କରି ରଖା ଯାଇଥିଲା-। ବିନିଯୋଜ୍ୟ ରକ୍ତ ତ ବଛା ହୋଇ ଦିଆଯାଏ । ପରୀକ୍ଷାରେ କଲ୍ୟାଣୀଙ୍କର ରକ୍ତ ରମାକାନ୍ତବାବୁଙ୍କ ରକ୍ତ ସହିତ ସମାନ ଭାବରେ ମିଳିଥିଲା । ସେଥିପାଇଁ ଅସ୍ତ୍ରଚିକିତ୍ସା ପୂର୍ବରୁ ସେ ଦୁଇ ଶିଶି ରକ୍ତ ଦେଇଥିଲେ ।

 

ଚାରିଜଣ ପାରଙ୍ଗମ ଡାକ୍ତରଙ୍କ ଉପସ୍ଥିତିରେ ଅସ୍ତ୍ରଚିକିତ୍ସା ଆରମ୍ଭ ହେଲା । ଅପରେସନ୍‌ ସରିବା ପରେ ଡାକ୍ତର ବାହାରକୁ ଆସି ଘୋଷଣା କଲେ–‘‘ଚିନ୍ତା କରିବାର କାରଣ ନାହିଁ, ଅପରେସନ୍‌ ସକ୍‌ସେସ୍‌ଫୁଲ୍‌ ।’’ ଡାକ୍ତରଙ୍କ କଥା ରମାକାନ୍ତବାବୁଙ୍କୁ ଭଗବାନଙ୍କ ବାଣୀ ପରି ଶୁଣାଗଲା । ସେ ହୃଦୟକନ୍ଦରରେ ବୁହାଏ ତାଳି ମାରି ନାଚିଲେ, ଗୋଟାଏ ଦୁଇଟା ଶ୍ଳୋକ ଗାଇ ଗଲେ, ମନେ ମନେ ଭଗବାନଙ୍କୁ ସ୍ତୁତି କଲେ, ମୁଣ୍ଡିଆ ମାଇଲେ, ଶେଷରେ ବସିଥିବା ଜାଗାରୁ ଉଠି ପଡ଼ି ଦୁଇ ଚାରି ପାଦ ଚାଲିଗଲେ ।

 

ରମାକାନ୍ତବାବୁଙ୍କ ଚାଲିବା ଶେଷ ହୋଇନାହିଁ, ରୋଗିଣୀ ଅପରସେନ୍‌ ଟେବୁଲ ଉପରୁ ଘୁଞ୍ଚା ହୋଇ ସ୍ଥାନାନ୍ତରିତ ହୋଇନାହିଁ, ଡାକ୍ତରବାବୁ ପୁଣି ପଦାକୁ ଆସି କହିଲେ–‘‘ରମାକାନ୍ତବାବୁ, ଆଉ କିଛି ରକ୍ତ ଲୋଡ଼ା । ରୋଗିଣୀର ରକ୍ତ ସହିତ ସାମ୍ୟ ରକ୍ଷା କରିବା ଭଳି ସେହି ଏକା ଗ୍ରୂପର ରକ୍ତ, ରକ୍ତ–ଭଣ୍ଡାରରେ ନାହିଁ । କ’ଣ କରାଯିବ... ?’’

 

ପ୍ରଶ୍ନ ନ ସରୁଣୁ ରମାକାନ୍ତବାବୁ ନିଜେ ରକ୍ତଦେବାକୁ ପ୍ରସ୍ତୁତ ହୋଇଗଲେ । ପାଖରେ ଆଉ ଏକ ପ୍ରକୋଷ୍ଠରେ ରମାକାନ୍ତବାବୁଙ୍କ ଠାରୁ ରକ୍ତ ନେବାର ବ୍ୟବସ୍ଥା ହେଲା । ଶିଶିଏ ରକ୍ତ ଆଣି ଦିଆଗଲା ଓ ଆଉ ଶିଶିଏ ନିଆ ଚାଲିଲା ।

 

ସଂସାର କ୍ଷେତ୍ରରେ ବିଧାତାଙ୍କର ବିଧାନ ଗୋଟାଏ ବିଚିତ୍ର ଧରଣର । କେତେକ କ୍ଷେତ୍ରରେ ସେ କ୍ଷୁଦ୍ର ପରିସର ମଧ୍ୟରେ ଗହଳି କରନ୍ତି, କେତେକ କ୍ଷେତ୍ରରେ ପରିସର ମଧ୍ୟରେ ଗହଳି ହେବାକୁ ଦିଅନ୍ତି ନାହିଁ ଏବଂ ଆଉ କେତେକ କ୍ଷେତ୍ରରେ ତାଙ୍କର କଡ଼ାକଡ଼ ନିୟମ, ଜଣେ ଗଲେ ଜଣେ ରହେ କାର୍ଯ୍ୟ କରିବାକୁ । ଶେଷ ନିୟମଟା ରମାକାନ୍ତବାବୁଙ୍କ ଭାଗ୍ୟରେ ଥିଲା ! ରକ୍ତ ନିଆଯିବା ଅବସରରେ କଣ ହେଲା କେଜାଣି, ରମାକାନ୍ତବାବୁଙ୍କର ହୃଦ୍‌ଯନ୍ତ୍ର କ୍ରମଶଃ ଦୁର୍ବଳ ହୋଇ ଆସିଲା ଏବଂ ଅଳ୍ପ ସମୟ ମଧ୍ୟରେ–ଘଣ୍ଟାର ମୂଳ ସ୍ପ୍ରିଙ୍ଗ ଛିଣ୍ଡିଗଲେ ଟକ୍‌ଟକ୍‌ ଶବ୍ଦ ବନ୍ଦ ହୋଇ ଗଲାପରି ରମାକାନ୍ତଙ୍କର ହୃଦୟଘଣ୍ଟା ବନ୍ଦ ହୋଇଗଲା ।

 

କଲ୍ୟାଣୀଙ୍କ ପାଇଁ ରକ୍ତ ଖୁବ୍‌ ସୁବିଧାରେ ମିଳି ପାରିଲା । ଅପରସେନ୍‌ ଯେପରି ଭଲ ଭାବରେ ସମାହିତ ହୋଇଥିଲା, ରୋଗ ମଧ୍ୟ ଦିନକୁ ଦିନ ସେପରି ଘୁଞ୍ଚି ଦୂର ଦୂରାନ୍ତରକୁ ଚାଲିଯିବାକୁ ବାଧ୍ୟ ହେଲା । ଡାକ୍ତରବାବୁ ରମାକାନ୍ତବାବୁଙ୍କ ଘରକୁ ଟେଲିଗ୍ରାମ କରି ସବୁକଥା ଜଣାଇ ତାଙ୍କ ସାନ ଭାଇକୁ ଡକାଇଥିଲେ । କଲ୍ୟାଣୀ ଝାଡ଼ିଝୁଡ଼ି ହୋଇ ଉଠିଲେ ! ଉଠିବାବେଳକୁ ହାତରୁ କାଚ ଚାଲିଯାଇଥିଲା । ଦିଅର ସଙ୍ଗରେ ଫେରିଲେ ଜନ୍ମଭୂଇଁକୁ ଅନାଥା ହୋଇ ।

 

ତୁଳସୀ ଚଉରା ମୂଳେ ବସି କଲ୍ୟାଣୀ ଦାମୋଦରଙ୍କ ଉପାସନା କରନ୍ତି, ରମାକାନ୍ତଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରନ୍ତି । ନାଥ ଚାଲିଗଲେ, ପ୍ରାଣ ରହିଗଲା–ରଖିଦେଇ ଗଲେ ଭାବି ଆଖିରୁ ଦୁଇଧାର ଲୁହ ଗଡ଼ାଇ ଦିଅନ୍ତି, ଦାର୍ଘ ନିଃଶ୍ଵାସଟିଏ ପକାଇ ପୁଣି ଫେରନ୍ତି ଘରକୁ–ଏ ସାଧନାର ଏ ପର୍ଯ୍ୟନ୍ତ ବ୍ୟତିକ୍ରମ ଘଟିନାହିଁ ।

Image

 

ମହାମିଳନ

 

‘‘ମଧୁ’’–

 

‘‘ହୁଁ’’

 

‘‘କାନ୍ଦୁଛୁ’’ ?

 

‘‘ନା ତ, ତମର ଭବିଷ୍ୟତରେ ନିଆଁ ଲଗାଇବି କେଉଁ ଅଧିକାରରେ’’ ?

 

‘‘ନା ମଧୁ, ଅଭିମାନ କରନା । ତୋ ଅଭିମାନ ଯେ ମୋ ହୃଦୟରେ କି ଯାତନା ସୃଷ୍ଟି କରେ, ତାର ସଙ୍କେତ ତୁ କ’ଣ କେବେ ପାଇନାହୁଁ ? କେତେଦିନ ଆଉ ଲାଗିବ, ତତେ ତୋ ଶଙ୍କରଭାଇ ହୃଦୟ ଚିହ୍ନିବା ପାଇଁ, ମଧୁ ?”

 

–‘‘ଜାଣେ ଶଙ୍କରଭାଇ ! ଆଉ ଅଧିକ କିଛି କହି ମୋ ମୃତ୍ୟୁପଥ ପରିଷ୍କାର କରିଦିଅ ନାହିଁ ।’’

 

‘‘ନାରେ ମଧୁ, ତୁ ବୁଝିନୁ । ତୁ ତ ଜାଣୁ, ମୋ କଥା ମାମୁଁ କେବେ ଭାଙ୍ଗନ୍ତି ନାହିଁ । ଆଉ ମା ତ ତତେ କେତେ ସ୍ନେହ କରେ ତତେ ଅଜଣା ନାହିଁ । ଏଥିରେ ଆଉ ସନ୍ଦେହର ଅବକାଶ ରହିଲା କେଉଁଠି ଶୁଣେ ? ଭବିଷ୍ୟତରେ ଜୀବନକୁ ଉପଭୋଗ କରିବାକୁ ହେଲେ, ସୁନେଲି ଦିବାସ୍ୱପ୍ନକୁ ବାସ୍ତବରେ ପରିଣତ କରିବା କଥା ରହିଲେ, ସର୍ବଶେଷରେ ତୋ ମୁହଁରେ ମଦୁଆ ହସର ଛଟା ସବୁବେଳ ପାଇଁ ଲଗାଇ ରଖିବାକୁ ହେଲେ, ମତେ ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡ଼ିବ । ତାକୁ ଗଢ଼ିବା ପାଇଁ ପଡ଼ିବ । ତୁ ତ ଜାଣୁ, ଆମ ଦରିଦ୍ରତା କାରଣରୁ ଗଢ଼ି ଉଠିଥିବା ନ୍ୟୂନତ୍ଵବୋଧକ ମନୋଭାବର ଯନ୍ତ୍ରଣା ଭୁଲିବାକୁ ହେଲେ ଆମକୁ ବାଛି ନେବାକୁ ପଡ଼ିବ ଗୋଟିଏ ଏହି ଦୁଇ ମାର୍ଗ ମଧ୍ୟରୁ । ସେଥିପାଇଁ ସ୍ଥଳ ବିଶେଷରେ ଚୋର ଡକାଏତ ସାଜି ସମାଜ ଉପରେ ପ୍ରତିହିଂସାର ବହ୍ନି ଜାଳିଦେବା ଓ ମୋ ପକ୍ଷରେ ସମ୍ଭବପର ନୁହେଁ । ଏକମାତ୍ର ମାର୍ଗ ହେଉଛି, ପ୍ରତିଭାର କ୍ରମୋନ୍ନତି କରି, ନିଜର ବ୍ୟକ୍ତିତ୍ଵର ପରାକାଷ୍ଠା କଣ ହୋଇପାରେ ତାର ଏକ ଚାକ୍ଷୁଷ ପ୍ରମାଣ ସମାଜ ନିକଟରେ ଦେବା । କହ ମଧୁ, ଏହା କ’ଣ ସମ୍ଭବ ହୋଇପାରିବ ନାହିଁ ମୋ ଜୀବନରେ ?’’

 

–‘‘ମାତ୍ର ଶଙ୍କରଭାଇ, ଏ ଯୁକ୍ତି ମୋ ପାଇଁ ନୁହେଁ । ମତେ ଛଳନା କରି ଅପମାନିତ କରିବା ଉଦ୍ଦେଶ୍ୟରେ ଏହା ନୁହେଁ ବୋଲି କିଏ କହିବ ? ଅନାବିଳ ପ୍ରେମର ଅମୃତତ୍ଵ ଲାଭ ପାଇଁ ରଙ୍ଗିନ ପରଦା ପାତ କରି, ଏକ ଅଧ୍ୟାୟର ପରିସମାପ୍ତି ପରେ ଅନ୍ୟ ଅଧ୍ୟାୟ ଉନ୍ମୋଚନ କରି, ଚିରଦିନ ପାଇଁ ସେ ଅମୃତତ୍ଵର ବିଜୟଢ଼କ୍‌କା ବଜାଇବା କ’ଣ କେବଳ ପୁରୁଷର କର୍ତ୍ତବ୍ୟ ? ତାହା କ’ଣ ନାରୀ ଧର୍ମର ବହିର୍ଭୂତ ?’’

 

–‘‘ହଁ ମଧୁ, ଠିକ୍‌ କହିଛୁ । ମାତ୍ର ସମାଜ ଆଜି ତା ଚାହେଁନା । ସେ ପୁରୁଷକୁ ବାଧ୍ୟ କରିଛି ସେଥିପାଇଁ କର୍ତ୍ତବ୍ୟରେ ଲିପ୍ତ ରହିବା ଲାଗି । ନାରୀଧର୍ମର ବହିର୍ଭୂତ ହୋଇପଡ଼ିଛି ସେ କର୍ତ୍ତବ୍ୟ । ବୈଦିକ ଯୁଗର ନାରୀର ସ୍ଵାଧୀନତା ଓ ସ୍ୱତନ୍ତ୍ରତା ଲୋପ ପାଇ ଯାଇଛି ଏ ଭିତରେ । ନାରୀ ଅବଳା, ନିରୀହା । ପୁରୁଷ ତାର ଭର୍ତ୍ତା, ସ୍ଵାମୀ, ରକ୍ଷକ । ଉପାର୍ଜନ କରିବା ପାଇଁ ସ୍ତ୍ରୀର ମୁଣ୍ଡ ବଥାଏ ନାହିଁ । ସଂଗୃହୀତ ସାମଗ୍ରୀର ସଦୁପଯୋଗ କରି ତାହା ଭୋଜନର ଉପଯୋଗୀ କରି ପାରିବାହିଁ ତାର କର୍ମ ଓ ସେତିକିରେ ତାର ଧର୍ମ ପର୍ଯ୍ୟବସିତ । ଫଳରେ ପୁରୁଷ ଉଦ୍‌ଯୋଗୀ ନ ହୋଇ ବସି ରହିଲେ, ତାକୁ କାପୁରୁଷ ସିନା, ପୁରୁଷ କୁହାଯିବ ନାହିଁ ।’’

 

ସନ୍ଧ୍ୟା ଆଗତ ପ୍ରାୟ । ଅସ୍ତାଚଳୋନ୍ମୁଖୀ ସବିତାଙ୍କର ସୁବର୍ଣ୍ଣ ଫୁଟିତ କିରଣରାଶି ବିଛାଇ ହୋଇପଡ଼ିଛି ଉଦ୍ୟାନର କେତେକ ଅଂଶରେ । ସୂର୍ଯ୍ୟମୁଖୀ ତାର ପ୍ରେମିକକୁ ସାମୟିକ ବିଦାୟ ଦେବା ଦୁଃଖରେ ପଶ୍ଚିମ ଦିଗ୍‌ବଳୟକୁ ଅନାଇଁ ରହିଛି ଉଦ୍‌ବିଗ୍ନ ହୃଦୟରେ ଆବେଗ ସହିତ-। ସୂର୍ଯ୍ୟମୁଖୀର ଉତ୍‌ଫୁଲ ପ୍ରଣୟ ଲାଭରେ ଆହତ ହୋଇପଡ଼ିଛି ମଲ୍ଲିକା ଦିନ ସାରା-। ତାର ଦୁର୍ଦ୍ଦଶା ବଖାଣି ହେବନାହିଁ । ପ୍ରଣୟୀର ମୁଖମଣ୍ଡଳ ଦେଖିବା ଲାଗି ପ୍ରଣୟିନୀ ଦିବାଲୋକରେ କୌଣସି କ୍ରମେ ସାହସ କଲାପରି ଚେଷ୍ଟା କରିଛି ମଲ୍ଲିକା; କିନ୍ତୁ ପାରି ଉଠି ନାହିଁ । ଅର୍ଦ୍ଧନିମୀଳିତ ଅବସ୍ଥାରେ ରହିଛି ସତେ ଯେପରି ପ୍ରଣୟୀ ଚନ୍ଦ୍ରମାକୁ ଦେଖିଲେ ଆର ଅଧିକ ଖୋଲିବ ।

 

ପ୍ରାଚୁର୍ଯ୍ୟରେ ପରିବର୍ଦ୍ଧିତ ହୋଇଥିବା ସୁନ୍ଦରୀ, ଯୁବତୀ ମାଧୁରୀ ଓ ତାର ଜୀବନର ପରମ ପ୍ରଣୟୀ ଶଙ୍କର ଆଜି ହୋଇ ଉଠିଛନ୍ତି ତନ୍ମୟ । ବିଗତ ଜୀବନର କେତେ ମଧୁର ସ୍ମୃତି ଏହି ବଗିଚାଟିରେ ଜଡ଼ିତ ରହିଅଛି, ତାର ହିସାବ କେହି ରଖି ନାହାନ୍ତି । ସେ ଝାଙ୍କିଲା ଚୂତ ତରୁ ଓ ବସନ୍ତମାଳତୀ ଲତାକୁଞ୍ଜି ତାର ମୂକ ସାକ୍ଷୀ । ଅତିକ୍ରାନ୍ତ ଦିବସର ମଧୁର ଅନୁଭୂତି ଓ ଆଜିକାର ଏ ତିକ୍ତ ଅନୁଭବ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ପରିଲକ୍ଷିତ ହେଉଥାଏ । ଶଙ୍କର ଆଜି ଆସି ନାହିଁ ମାଧବୀର ସୁକୋମଳ ଗଣ୍ଡଦେଶରୁ ନିଃଶେଷ କରିବାକୁ ତାର ପୀୟୁଷର ଧାରା କିମ୍ବା ତାର ଜାନୁଦେଶରେ ମାଧବୀର ମସ୍ତକ ସ୍ଥାପନ କରି ଫୁଲ ରାଣୀ ସହିତ ମଧୁଲିଟ୍‌ର କ୍ରୀଡ଼ା ଉପଭୋଗ କରିବା ପାଇଁ । ସେ ଆଜି ଆସିଛି ମାଧବୀଠାରୁ ବିଦାୟ ନେବାକୁ ଏଲାହାବାଦ ଯିବା ଲାଗି–ଆଲୋକର ସନ୍ଧାନରେ । ଜୀବନରେ ଆଲୋକର ଆପାଦନ ଓ ସଞ୍ଚୟ ମାଧବୀ ପାଇଁ ତାର ନିତାନ୍ତ ଦରକାର । ମାଧବୀ କିନ୍ତୁ ଏକ ଅଜଣା ଭୟରେ ଆତଙ୍କିତ ହୋଇ ଉଠୁଛି । ତାର ଭବିଷ୍ୟତ ଜୀବନର ରୂପରେଖ ବଦଳି ଯାଇପାରେ ପିତାଙ୍କ ନିଷ୍ଠୁର ବିଚାରରେ, ଆଦେଶରେ । ଏହି ଆଶଙ୍କାରେ କାତର ହୋଇଉଠୁଛି ତାର ନିତାନ୍ତ ସରଳ ପ୍ରାଣ; ତଥାପି ସେ ତା ଜୀବନ-ପୋତର ନାବିକ ଶଙ୍କରଙ୍କୁ ବାଧା ଦେବାକୁ ଇଚ୍ଛା କରେନାହିଁ । ହୃଦୟର ପରମ ଆରାଧ୍ୟ ଶଙ୍କରଙ୍କୁ କୌଣସି କ୍ରମେ ହେଲେ ଆହତ କରିବାକୁ ସେ ମୃତ୍ୟୁ ଯନ୍ତ୍ରଣା ସହିତ ତୁଳନା କରିଥାଏ ସବୁବେଳେ, ଅକସ୍ମାତ୍‌ କେବେ ସେ ଆହତ ହେଲେ ମାଧବୀ ହୁଏ ଅର୍ଦ୍ଧମୃତା । ଯନ୍ତ୍ରଣା ତାକୁ ଜାଳି ରଖେ ଦୀର୍ଘକାଳ । ସ୍ମୃତିପଟରୁ ତାହା ଲିଭିଯିବା ପାଇଁ ମୁହୂର୍ତ୍ତ, ଦଣ୍ଡ, ପ୍ରହର ଦିଏନାହିଁ, ନିଏ ସପ୍ତାହ, ପକ୍ଷ, ମାସ, ବର୍ଷ ।

 

ଶଙ୍କର ମାଧବୀଠାରୁ ବିଦାୟ ନେଇ ଯାଇଛି । ମାଧବୀ ଆଜି ବିରହିଣୀ, ସାଥିହୀନା । ଜୀବନ ତାର ଭରି ଉଠିଛି କରୁଣ ରସରେ, ପ୍ରାଣ ତାର ବିରହ ରାଗରେ ରଞ୍ଜିତ । ତାର ଏ ଅସ୍ଵାଭାବିକ ପରିବର୍ତ୍ତନରେ ଦୁଃଖିତ ହୋଇ ପଡ଼ିଛନ୍ତି ତାର ମାତା, ପିତା ଚିନ୍ତିତ ହୋଇଛନ୍ତି ।

 

ଶଙ୍କରର ଅପ୍ରତ୍ୟାଶିତ ଏଲାହାବାଦ ଯାତ୍ରା ସଙ୍ଗେ ସଙ୍ଗେ ମାଧବୀର ଏ ଆକସ୍ମିକ ପରିବର୍ତ୍ତନ, ତାର ମାଆଙ୍କ ମନରେ ସୃଷ୍ଟି କରିଛି ଏକ ଚିନ୍ତା । ଅତୀତ ଘଟିତ ବିଖଣ୍ଡିତ ଭାବନା ରାଶିକୁ ଏକତ୍ର କରି ଯଥାର୍ଥ କାରଣ ଅନୁସନ୍ଧାନରେ କୃତକାର୍ଯ୍ୟ ହେବାର ସାମର୍ଥ୍ୟ ଲାଭ କରିଛନ୍ତି ସେ ଓ ତାଙ୍କ ସ୍ଵାମୀଙ୍କୁ ନିବେଦନ କରିଛନ୍ତି ତାଙ୍କର ଭାବର ଉଚ୍ଛ୍ଵାସ, ମାତ୍ର ପଦାହତା, ଦୂରକ୍ଷିପ୍ତା ହୋଇଛି ତାଙ୍କର ସେ ନମ୍ର ନିବେଦନ । ମର୍ମସ୍ପର୍ଶୀ ବାକ୍ୟବାଣରେ ତାଙ୍କର ‘ମାଆ ମନ’ ଦ୍ରବୀଭୂତ ହୋଇପଡ଼ିଛି । ପରିସ୍ଥିତିର ଆବେଷ୍ଟନୀର ସହାନୁଭୂତି ଏକମାତ୍ର ସମ୍ବଳ ହୋଇଛି ତାଙ୍କ କନ୍ୟା ଲାଗି । ଜିଦ୍‌ଖୋର, କ୍ରୋଧୀସ୍ଵାମୀ ତାଙ୍କର ଚିରଦିନ ଅବୁଝା ହୋଇ ରହିଯାଇଛନ୍ତି, ଅବୁଝା ଭାବଟା ତାଙ୍କର ଗୋଟାଏ ଆନ୍ତ୍ରିକ ଗୁଣରେ ପରିଣତ ହୋଇଛି । ତାହା ହୃଦୟରେ ଏପରି ଆସ୍ଥାନ ଜମାଇଛି ଯେ ଏ ଜନ୍ମରେ ତାଙ୍କର ଏ ଦୁରାରୋଗ୍ୟ ବ୍ୟାଧି ଘୁଞ୍ଚିପାରିବ ବୋଲି କେହି ହେଲେ ମନେ କରି ନାହାନ୍ତି ।

 

କର୍ଣ୍ଣକୁହରରେ ତାଙ୍କର ପ୍ରତିଧ୍ଵନିତ ହୋଇ ଉଠୁଛି କେତୋଟି ମାତ୍ର ନିଷ୍ଠୁର ଶବ୍ଦ–‘‘ଲକ୍ଷପତିର ଏକମାତ୍ର ଅଲିଅଳ ଦୁଲାଳୀ କୋଟିପତିର ପୁତ୍ରବଧୂ ରୂପେ ପରିଚିତ ହେବା ପାଇଁ ଯାହା କରାଯାଇ ପାରେ ମୁଁ ତାହା–ମାତ୍ର ଧନହୀନ, ଭିକାରୀ, ପାଗଳ ଶଙ୍କର ହାତରେ ମାଧବୀର ଜୀବନ୍ତ ଶରୀର ଦାନ କରି ପାରିବି ନାହିଁ । ମାଧବୀର ଦୂର ସମ୍ପର୍କୀୟ ଭାଇ ହେବାର ଛଳନା କରି ସେ ଯଥେଷ୍ଟ ଫାଇଦା ଉଠାଇଛି । ଏଇ ଘର ସହିତ ସମ୍ପର୍କ ରଖି ପାରିଛି ଏହା ତା ପକ୍ଷରେ ଯଥେଷ୍ଟ ନୁହେଁ ଯେ, ପୁଣି ସେ ମାଧବୀକୁ ଚାହେଁ ! ସେ ମୂର୍ଖ, ଗଜଗଣ୍ଡ । ମୋ ଚକ୍ଷୁ ସମକ୍ଷରେ କାଳିମାର ଏକ ତୀବ୍ର ଆବରଣ ଘେରାଇ ଦେଇ ସେ ଆଗେଇ ଯାଇଛି । ମାତ୍ର ଆଉ ନୁହେଁ, ଆଉ ନୁହେଁ । କାଳିମାର ଆବରଣ ଅପ୍ରାକୃତ କରି କୁହୁଡ଼ି ଭେଦ କରିବାର ସାମର୍ଥ୍ୟ ମୁଁ ଲାଭ କରିଛି । ମୁଁ ମୋ ମାଧବୀକୁ ତାଠାରୁ କେତେ ଉଚ୍ଚରେ ରାଜରାଣୀ କରିପାରେ ତାହା ତାର କଳ୍ପନାତୀତ । ସେ ଏ ନଭଶ୍ଚୁମ୍ବୀ ଆଶା ତ୍ୟାଗ କରୁ, ନଚେତ୍‌ ତା ଜୀବନର ପରିଣତି ଭୟଙ୍କର ଓ ଭୟାବହ କରିବାରେ ରାୟବାହାଦୂର ଶ୍ରୀ ରାଧାନାଥ ପଟ୍ଟନାୟକ ତିଳାର୍ଦ୍ଧ କୁଣ୍ଠିତ ହେବେନାହିଁ ।’’

 

ବିନା ମେଘରେ ବଜ୍ରପାତ ସଦୃଶ ଏପରି ନିଷ୍ଠୁର ବାକ୍ୟର ଧାରା ଶ୍ରାବଣ ଶୁଣିବାରେ ମାଧବୀ ସ୍ତବ୍‌ଧ ହୋଇଗଲା । ପ୍ରସ୍ତର ପ୍ରତିମା ପରି ସେ ଲାଖି ରହିଲା ଘରର ଗୋଟାଏ କାନ୍ଥରେ ନିତାନ୍ତ ନିଥର ଭାବରେ, ସତେ ଯେପରି ପ୍ରାଣ ଉଡ଼ିଯାଇଛି, ଶରୀରଟା ଜଡ଼ ହୋଇ ସ୍ଥାଣୁପରି ଠିଆ ହୋଇଛି । ଏ ସବୁ ଆସ୍ଫାଳନର କାରଣ ବୁଝି ପାରିବା ଭଳି ତୀକ୍ଷ୍‌ଣ ବୁଦ୍ଧି ଓ ପ୍ରଖର ପ୍ରତିଭାର ଅଭାବ ତାର ନ ଥିଲା । ବିଜୁଳି ତାର ବାହାରକୁ ଜଡ଼, ଅଚେତନ ପରି ମନେ ହେଲେ ସୁଦ୍ଧା ତାର ଅନ୍ତଃସ୍ଥଳରେ ଶକ୍ତି ଯେପରି ଜାଗ୍ରତ ରହିଥାଏ, ମାଧବୀର ଏହି ନିତାନ୍ତ ଜଡ଼ତା ଓ ପ୍ରସ୍ତର ପ୍ରତିମା ମଧ୍ୟରେ ଚିନ୍ତା ତଡ଼ିତ୍‌ ପରି କାର୍ଯ୍ୟ କରୁଥିଲା ।

 

କେତେ ସମୟ ସେ ଏପରି ଠିଆ ହୋଇଛି ନିଶ୍ଚଳ ପ୍ରତିମା ପରି ସେ ଜାଣେନା । ମୁଣ୍ଡଟା ଯେତେବେଳେ ଗରମ ହୋଇ ଉଠିଲା ଓ ସାରା ଶରୀରଟା ଘର୍ମସିକ୍ତ ହୋଇଗଲା, ସେତେବେଳେ ସେ ଅନୁଭବ କଲା ଯେ ଗୋଟାଏ ପ୍ରବଳ ପ୍ରବାହ ଦେହରେ ଶିରା ପ୍ରଶିରାରେ ପ୍ରଖରଭାବରେ ଖେଳି ବୁଲୁଛି । ହୃତ୍‌ପିଣ୍ଡ କ୍ରିୟାର ଗତି ଅସ୍ଵାଭାବିକ ଭାବରେ ତୀବ୍ର ହୋଇ ଉଠିଛି-। ସମଗ୍ର ଅଙ୍ଗ ପ୍ରତ୍ୟଙ୍ଗରେ ଅନୁଭବ କଲା ଜ୍ଵାଳା । ମନେହେଲା ସତେ ଯେପରି ମୁଣ୍ଡ ଭିତରେ ଗୋଟାଏ ପିଶାଚ ପ୍ରବେଶ କରି, ଟାଣି ଓଟାରି, ସବୁ ଛିଣ୍ଡାଇ ଦେବାକୁ ବ୍ୟଗ୍ର ହୋଇ ଛିଞ୍ଚାଡ଼ି ହେଉଛି ।

 

ଶଙ୍କର ଆଜି କାହିଁ ଆଠଶହ ମାଇଲ ଦୂରରେ । ସେ ମାଧବୀର ଦୁଃଖ ଉପଲବ୍‌ଧି କରିବାର ଦୁର୍ଯ୍ୟୋଗରୁ ବଞ୍ଚିତ ହୋଇଛି । ନିଜକୁ ମାଧବୀର ସମକକ୍ଷ କରିବାରେ ଲାଗି ପଡ଼ିଛି ଅହରହ କଠିନ ପରିଶ୍ରମ କରି । ମାଧବୀ କିନ୍ତୁ ଏଆଡ଼େ ଉପାୟହୀନା ସାହାଯ୍ୟଶୂନ୍ୟା । ସାନ୍ତ୍ଵନାଦାୟିନୀ ମାଆ ତାର ରୂପାନ୍ତରିତ ହୋଇଯାଇଛି ପ୍ରାଣଶୂନ୍ୟା ପାଷାଣୀ ପ୍ରତିମାରେ ଯାହାର କି ଭାଷା ନାହିଁ କହିବାକୁ, ଭାବ ନାହିଁ ପ୍ରକାଶ କରିବାକୁ । ଓଃ, କି ଦୂରବସ୍ଥା !

 

ଶଙ୍କର ନିର୍ଦ୍ଦୋଷ । ତାର ବା ଏଥିରେ କ’ଣ ଭୁଲ ଅଛି ? ସେ ମାଧବୀକୁ ପ୍ରେମ ବନ୍ଧନରେ ବାନ୍ଧି ରଖିବାର ଚେଷ୍ଟା କରି ନ ଥିଲା । ଏକ ଅପରିଧେୟ ଲୂତାତନ୍ତୁ ଆବଦ୍ଧ କରିଛି ଉଭୟଙ୍କର ଦୁଇଟି ହୃଦୟକୁ ଗୋଟିଏ କରି । ମାମୁଁ ରାୟବାହାଦୁରଙ୍କ ଉପରେ ତାର ସଂପୂର୍ଣ୍ଣ ଆସ୍ଥା ରହିଛି । ମାଈଁ ମଧ୍ୟ ତାକୁ ନିଜ ପୁତ୍ରବତ୍‌ ଦେଖୁଥିଲେ । ଦୂର ସମ୍ପର୍କୀୟ ମାମୁଁ ହେଲେ ମଧ୍ୟ, ନିହାତି ଦୂର ନୁହେଁ । ସେ ଘରେ ହିଁ ସେ ସମୟ ଅତିବାହିତ କରିଛି ଦିନ ଦିନ, ମାସ ମାସ, ବର୍ଷ ବର୍ଷ । ଦିନେ ପୁଣି ତାରି ପାଇଁ ଏତେ ବଡ଼ ଝଡ଼ ସୃଷ୍ଟି କରି, ସମୟ ଆସିବ ଏହା ଥିଲା ତାର କଳ୍ପନାତୀତ, ସ୍ୱପ୍ନରେ ସୁଦ୍ଧା ମନକୁ କେବେ ଆସି ନ ଥିଲା । ଏ ଅବାଞ୍ଛିତ ପରିସ୍ଥିତିର ସୂଚନା ସୁଦ୍ଧା ନ ଥିଲା ସେତେବେଳେ, ସେ ଯେତେବେଳେ ଗତାଗତ କରୁଥିଲା, ତେଣୁ ସେ ବା ଏପରି ଗୋଟାଏ ଆଶଙ୍କା କରନ୍ତା କିପରି ?

 

ମାଧବୀ ତା ହୃଦୟର ଆବେଗଭରା କୋହକୁ ପ୍ରକାଶ ନ କରି ଚାପି ରଖିଲା ତାର ଚିର ଆକାଂକ୍ଷିତ ଶଙ୍କରର ପଥକୁ ଅପେକ୍ଷା କରି । ଶଙ୍କରକୁ ଏ ସମସ୍ତ ଖବର ଦେଇ ତାକୁ ବିଦେଶରେ ବ୍ୟସ୍ତ ଓ ବିବ୍ରତ କରିବା ସେ ଉଚିତ ମନେ କଲାନାହିଁ । ସୁତରାଂ କେବଳ ଅପେକ୍ଷା ହିଁ ତାର ଏକମାତ୍ର ଉପାୟ ଓ ଅବଲମ୍ବନ ହେଲା ।

 

ହାତରେ ଗୋଟିଏ ଟେଲିଗ୍ରାମ୍‌ କାଗଜ ଧରି ଘର ଭିତରକୁ ପଶି ଆସିଲେ ରାୟବାହାଦୁର ପଟ୍ଟନାୟକ । ବ୍ୟଥିତା ମାଧବୀ ତାର ମସ୍ତକକୁ ଚାପି ଧରି ବସିଥିଲା ସୋଫା ଉପରେ । ମାଆ ତାର ଆଶ୍ୱାସନା ଦେଉଥିଲେ ଶଙ୍କରକୁ ଭୁଲିଯିବା ପାଇଁ ଓ ଶଙ୍କରଠାରୁ ଯଥେଷ୍ଟ ସୁନ୍ଦର କୋଟିପତିର ପୁଅ ଶିକ୍ଷିତ ବୀରେନ୍ଦ୍ରକୁ ବରି ନେବାକୁ ଧୀର କୋମଳ କଣ୍ଠରେ ବୁଝାଉଥିଲେ-। ଏହା ମାଧବୀର ଅଶ୍ରାବ୍ୟ ହେଉଥିଲା ଅକାମ୍ୟ କାରଣରୁ, କ୍ରମଶଃ ଅସହ୍ୟ ହୋଇ ଉଠୁଥିଲା । ମାଆ ପ୍ରତି ମନ ବିତୃଷ୍ଣାରେ ଭରି ଉଠୁଥିଲା ତାର; କିନ୍ତୁ ପଦାକୁ କିଛି ପ୍ରକାଶ ପାଉ ନ ଥିଲା । ସବୁ ରହୁଥିଲା ନିଭୃତରେ ତାର ହୃଦୟ କନ୍ଦରରେ । ନୀରବରେ ଅଶ୍ରୁପାତ କରିବା ଛଡ଼ା ତାର ଅନ୍ୟ ଉପାୟ ନ ଥିଲା ।

 

ରାୟବାହାଦୁରଙ୍କ ଆକସ୍ମିକ ଆଗମନରେ ମା, ଝିଅ ଉଭୟେ ଚମକି ପଡ଼ିଲେ । ଗୋଟାଏ ଗୁରୁତର ସମସ୍ୟାର ଅବତାରଣା ହୋଇପାରେ ଭାବି ଦୁହେଁ ଠିଆ ହେଲେ ସତ୍ୟ; କିନ୍ତୁ ସ୍ତବ୍‌ଧ ହୋଇ ରହିଲେ । ହଠାତ୍‌ ମାଧବୀ ମୁଣ୍ଡ ବୁଲାଇ ଦେଲା, ସେ ପଡ଼ିଯିବା ଭୟରେ ସୋଫାର ହାତକୁ ଜାବୁଡ଼ି ଧରି ଠିଆ ହେଲା ପଡ଼ୁ ପଡ଼ୁ । ମା ତାର ସ୍ଥାଣୁ ପରି ଠିଆ ହୋଇ ରହିଥାନ୍ତି ସ୍ଵାମୀଙ୍କ ମୁହଁକୁ ଚାହିଁ । ହସି ହସି ରାୟବାହାଦୁର କହିଲେ–‘‘ସବିତା, ଟେଲିଗ୍ରାମ୍‌ ମିଳିଲା, ବୀରେନ୍ଦ୍ର ରାଜି ହୋଇଛି ମାଧବୀକୁ ବିବାହ କରିବା ପାଇଁ । ଆଗାମୀ ବସନ୍ତ ପଞ୍ଚମୀରେ ହେବା ପାଇଁ ବିବାହ ଦିନ ସ୍ଥିର ହୋଇଛି ।’’

 

ଆଉ କିଛି ଶୁଣିବା ପୂର୍ବରୁ ମାଧବୀ କ୍ଷିପ୍ତ ହୋଇ ଉଠିଲା । ସେ କେବେହେଲେ ବାପାଙ୍କ ଆଗରେ ମୁହଁ ଖୋଲି କୌଣସି ଦିନ ପ୍ରତିବାଦ କରି ନ ଥିଲା; ମାତ୍ର ଏ ପରିସ୍ଥିତିରେ ନିଜକୁ ସମ୍ଭାଳି ପାରିବା ତା ପକ୍ଷରେ ଦୁଷ୍କର ହୋଇ ଉଠିଲା । ଜୀବନର ଏ ଜଟିଳ ପରିସ୍ଥିତିରେ ସେ ନିଜର କର୍ତ୍ତବ୍ୟ ପଥ ବାଛି ନେବାକୁ କହିଲା ନିତାନ୍ତ ନମ୍ର କୋମଳ କଣ୍ଠରେ–

 

‘‘ବାପା, ଏ ବିବାହରେ ମୋର କିଛି କହିବାର ଅଛି । ବୀରେନ୍ଦ୍ର ବାବୁଙ୍କ ମତ ଯେପରି ମତ ଦରକାର, ମୋ ମତ ତ ସେହିପରି ଲୋଡ଼ା ! ମୁଁ ଏଥିରେ ସୁଖୀ ହୋଇପାରିବି ନାହିଁ । ଜୀବନରେ କେବେ ଆପଣଙ୍କର ଅବାଧ୍ୟ ହୋଇନାହିଁ । ମତେ କ୍ଷମା କରିବେ ।’’

 

ମାଧବୀ କଥା ଶେଷ ନ ହେଉ କ୍ରୋଧରେ ଜର୍ଜର ହୋଇପଡ଼ିଲେ ରାୟବାହାଦୁର । ଆପାଦମସ୍ତକ ତାଙ୍କର ଥରି ଉଠିଲା । ଭାଷା ମୁହଁରୁ ବାହାରିବା ପୂର୍ବରୁ ତାଙ୍କର ହାତ ମାଧବୀର ଗାଲରେ ବମ୍‌ ଫାଟିଲା ପରି ଶବ୍ଦ କରି ବସିଗଲା । ମାଧବୀର କ୍ଷୀଣ ଶରୀର ତାଙ୍କର ଏ ପ୍ରଚଣ୍ଡ ଆଘାତ ସହି ପାରିଲା ନାହିଁ । ‘ଓଃ ମରିଗଲି’ କହି କଟା କଦଳୀଗଛ ପରି ସେ ତଳେ ପଡ଼ିଗଲା । ମାଆ ତାର ନିଷ୍ଫଳ ନିର୍ବାକ୍‌ ହୋଇ ଅନାଇ ରହିଥିଲା । ଏ ଅପ୍ରତ୍ୟାଶିତ ଘଟଣା ଦେଖିବା ପରେ ତାଙ୍କର ଚେତନା ଫେରିଲା ମାଧବୀର ଶରୀର ତଳେ ପଡ଼ିଯିବାର ଦେଖି । ସେ ବସି ପଡ଼ିଲେ, ମାଧବୀର ମୁଣ୍ଡକୁ ନିଜ କୋଳକୁ ଟେକି ନେଲେ । ରାୟବାହାଦୁରଙ୍କ ଗର୍ଜନରେ ମାଧବୀ ଓ ତାର ମାଆଙ୍କର ବିଳାପ ମେଘନାଦରେ ପିକବଧୂର କୁହୁସ୍ଵନ ଲୀନ ହେବାପରି ବୁଡ଼ି ରହିଲା । ପତ୍ନୀ ଓ କନ୍ୟାର ଏ ଦୂରବସ୍ଥା ଦେଖି ରାୟବାହାଦୁର ଟିକିଏ ଧୀର, ସ୍ଥିର ଶିଥିଳ ହେବା ଦୂରେ ଥାଉ ତାଙ୍କର ଗର୍ଜନ ଭୀଷଣରୁ ଭୀଷଣତର ହେବାରେ ଲାଗିଲା । ମନେହେଲା ସମୁଦ୍ର ସତେ ଯେପରି ବେଳା ଲଙ୍ଘନ କରିବାକୁ ପ୍ରତି ଦମକାରେ ଅପେକ୍ଷାକୃତ ଅଧିକ ଉଦ୍ୟମ କରୁଛି ।

 

ପ୍ରୟାଗରୁ ତ ଶଙ୍କର ଫେରିବାର ଥିଲା, ସେ ଏହି ଅବସରରେ ଫେରି ଆସିଛି ଓ ପୂର୍ବପରି ଆସିଛି ମାଧବୀ ପାଖକୁ । ରାୟବାହାଦୁରଙ୍କ ଏପରି ଅବସ୍ଥା ଦେଖି ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଲା କିଛି କହି ନ ପାରି । ମାମୁଁଙ୍କର ଏ ଭୀଷଣ ମୂର୍ତ୍ତି ସେ କେବେ ଦେଖି ନ ଥିଲା । ମାଧବୀକୁ ଏପରି ପଡ଼ିଥିବାର ଦେଖି ଓ ମାଆଙ୍କ ଆଡ଼କୁ ଅନାଇ ସେ ମାମୁଁଙ୍କୁ ଅଭିବାଦନ କରିବାକୁ ଭୁଲିଗଲା । ମାଧବୀର ଅବସ୍ଥାକୁ ଅଧିକ ନିରୀକ୍ଷା କରିବା ଲାଗି ତା ନିକଟକୁ ଯାଉ ଯାଉ ହଠାତ୍‌ ଶୁଣିଲା ରାୟବାହାଦୁରଙ୍କ ଗର୍ଜନ–

 

‘‘ମାଧବୀ ପାଖକୁ ଗଲେ ଏହି ମୁହୂର୍ତ୍ତରେ କୁକୁର ପରି ତତେ ଗୁଳିକରି ମାରିବି, ଶଙ୍କର-। ବାହାରି ଯାଆ ତୁ ମୋ ଘରୁ ଏହି ମୁହୂର୍ତ୍ତରେ ।’’

 

ଶଙ୍କର ମାମୁଁଙ୍କ କଥା ନ ଶୁଣି, ମାଧବୀ ପାଖକୁ ଯାଇ ତାକୁ ଉଠାଇ ସୋଫା ଉପରେ ଶୁଆଇ ଦେଲା । ମାଧବୀର ଶୁଷ୍କ ଓଷ୍ଠ ଦୁଇଟିରେ ତୃପ୍ତିର ଚିହ୍ନ ସ୍ଵରୂପ ହସ ଫୁଟି ଉଠିଲା । ହଠାତ୍‌ ମାଆଙ୍କର ଭୟାର୍ତ୍ତ ଚିତ୍କାରରେ ଦୁହେଁ ଚମକି ପଡ଼ି ଦେଖନ୍ତି ତ ରାୟବାହାଦୁର ହାତରେ ବନ୍ଧୁକ ଧରି ଆଗେଇ ଆସୁଚନ୍ତି ଶଙ୍କରକୁ ଲକ୍ଷ୍ୟ କରି, ଆଗେଇବାବେଳେ ମାଧବୀର ମାଆ ରାୟବାହାଦୁରଙ୍କୁ ବାଧା ଦେଲେ ଏବଂ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଲା । ଶଙ୍କର ମାଧବୀକୁ ସୋଫା ଉପରେ ଶୁଆଇ ଦେଇ ଚାଲିଯିବାକୁ ବାହାରିଲା; କିନ୍ତୁ ମାଧବୀ ତାକୁ ଅଟକାଇ ରଖିଲା । ରାୟବାହାଦୁର ଶଙ୍କର ଆଡ଼କୁ ଆଗେଇ ଆସିଲେ ସ୍ତ୍ରୀଙ୍କୁ ପଛକୁ ଠେଲି ଦେଇ । ଏସବୁ ପ୍ରହେଳିକା ପରି ଲାଗୁଥାଏ ଶଙ୍କରକୁ । ସେ ସତେ ଅବା ସ୍ଵପ୍ନ ଦେଖୁଛି ! କ୍ରୋଧର ଆଧିକ୍ୟ ହେତୁ ପ୍ରଥମଥର ରାୟବାହାଦୁରଙ୍କ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ତାହା କାନ୍ଥରେ ବସି କାନ୍ଥଟାକୁ ଛିନଛତ୍ର କରିଦେଲା । ଲକ୍ଷ୍ୟଭ୍ରଷ୍ଟ ହେବାରେ ଦ୍ଵିଗୁଣିତ ହୋଇଗଲା ତାଙ୍କର ମନର ବେଗ ଓ କ୍ରୋଧର ମାତ୍ରା । ସେ ଆହତ ନାଗ ସାପ ପରି ହେବାକୁ ଲାଗିଲେ ।

 

ଶଙ୍କର ନିଜର କର୍ତ୍ତବ୍ୟ ନିର୍ଦ୍ଧାରଣ କରି ମାଧବୀକୁ ଛାଡ଼ି ଯିବାକୁ ଉଦ୍ୟତ ହେବାବେଳକୁ ପୁଣି ଥରେ ବନ୍ଧୁକ ଗର୍ଜି ଉଠିଲା–ମାଧବୀର କୋମଳ ଶରୀର ଆଉଜି ଯାଇଥିଲା ଶଙ୍କରର ବାମ ବାହୁ ଉପରେ ରକ୍ତାକ୍ତ ଅବସ୍ଥାରେ । ମୁଣ୍ଡର ଖପୁରିଟା ଉଡ଼ିଯାଇ କାନ୍ଥରେ ପ୍ରତିହତ ହୋଇ ତଳେ ପଡ଼ିଥିଲା ।

 

ଶଙ୍କର ଏ ଅବସ୍ଥା ଦେଖି ସ୍ତବ୍‌ଧ, ସ୍ତିମିତ, ସ୍ତମ୍ଭୀଭୂତ ହୋଇଗଲା । କ୍ଷଣକ ଲାଗି ମସ୍ତିଷ୍କ କାର୍ଯ୍ୟ କଲାନାହିଁ । ସେ ହଠାତ୍‌ ନିଦରୁ ଉଠି ମାଧବୀର ମୃତ ଶରୀରକୁ ଧରି ଏଘରୁ ସେ ଘରକୁ, ସେ ଘରୁ ଏ ଘରକୁ ଦୌଡ଼ିବାରେ ଲାଗିଲା ଓ ହୋ ହୋ ହୋଇ ବିକଟାଳ ଅଟ୍ଟହାସ୍ୟରେ ଘର ଫଟାଇ ଦେଲା । ଦକ୍ଷ ଯଜ୍ଞର ଦଗ୍‌ଧା ସତୀଙ୍କୁ ଧରି ଶିବ ତାଣ୍ଡବ ସୃଷ୍ଟି କଲାପରି ସେ ସୃଷ୍ଟି କଲା ଏକ ଅଭୂତପୂର୍ବ ବାତାବରଣ, କି ଭୟାନକ ସେ ! କି ଅଦ୍‌ଭୁତ ପ୍ରତିକ୍ରିୟା !! ନିକଟରେ ଥୁଆ ହୋଇଥିବା ଗୋଟାଏ ବଡ଼ ଛୁରି ସେ ଦୃଢ଼ଭାବରେ ମୁଠାଇ ଧରିଲା । ମନେହେଲା ରାୟବାହାଦୁରଙ୍କ ପ୍ରାଣପକ୍ଷୀ ପିଞ୍ଜରା ଛାଡ଼ିଯିବାକୁ ସମୟ ସାମାନ୍ୟ ବାକି ରହିଛି ।

 

ଛୁରିଟାକୁ ଧରି ଶଙ୍କର ଭୀମ ଗର୍ଜନ କଲା । ତାର ଅଟ୍ଟହାସ୍ୟରେ ଗଗନ ପବନ ହେଲା ମୁଖରିତ । ସେ ମାତାଲ ପରି ଏପାଖ ସେପାଖ ଦୌଡ଼ିଲା । ମନେହେଲା ଏଥର ରାୟବାହାଦୁର ଯିବେ । କିନ୍ତୁ ସେ ରାୟବାହାଦୁରଙ୍କ ଆଡ଼କୁ ଗତି ନକରି ନିଜ ଦେହରୁ ପୁଳାଏ ପୁଳାଏ ମାଂସ କାଟି ପକାଇଲା । ମହାରାଜ ଶିବ ଶ୍ୟେନ ପାଇଁ ନିଜ ଦେହରୁ ମାଂସ କାଟି ତୁଳାଦଣ୍ଡରେ ଥୋଇବା ପରି ସେ ନିଜର ମାଂସ କାଟି ମାଧବୀ ପାଖରେ ଗଦା କରିବାରେ ଲାଗିଲା । ଧନ୍ୟ ପରିଣାମ ! ଧନ୍ୟ ପ୍ରେମ !!

 

ରାୟବାହାଦୁର ଶ୍ରୀ ରାଧାନାଥ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ସବିତା ଦେବୀ ସେ ଘରେ ଠିଆ ହୋଇ ମୂକ ପରି ଦେଖୁଥିଲେ, ମାଧବୀ ଓ ଶଙ୍କରର ମହାମିଳନ ଘଟିଲା ମୃତ୍ୟୁରେ । ଜଡ଼ ଶରୀର ସିନା ପଡ଼ି ରହିଲା, ଅମର ଆତ୍ମା ଅମୃତର ଲାଭ କଲା ମହାମିଳନରେ ।

Image

 

ଛାଡ଼ପତ୍ର

(୧)

 

ଶୁଭଶଙ୍କର ଦେଖିବାକୁ ଖୁବ୍‌ ଗୋରା ତୋରା, ଏତେ ତକ୍‌ତକ୍‌ ଗୋରା ଯେ, ଦୂରରୁ ଦେଖି ତାଙ୍କୁ କେହି କେହି ସାହେବ ବୋଲି ମନେ କରନ୍ତି । ତାଙ୍କର ଚଳଣିଟା ମଧ୍ୟ ଟିକିଏ ସାହେବ ପରି । ସେ କଥା କଥାକେ ଇଂରାଜୀ କହନ୍ତି । କଥା କହିବାବେଳେ ଟିକିଏ ଢଳି ଢଳି କହନ୍ତି । ମଝିରେ ମଝିରେ ହସର ଲହର ମେଲିଯାଏ ଏବଂ ତାହା କେତେବେଳେ ସମୁଦ୍ରର ଗର୍ଜନ ପରି ଶୁଣାଯାଏ ତ କେତେବେଳେ ଖିଲିଖିଲି ପବନ ପରି ଗଳି ପଶି ଚାଲିଯାଏ ।

 

ଚେହେରାଟା ସାଙ୍ଗକୁ ବେଶଭୂଷା ମଧ୍ୟ ଊଣା ନୁହେଁ । ସେ ଟେରେଲିନ୍‌ର ଚିପା ପ୍ୟାଣ୍ଟ ପିନ୍ଧନ୍ତି, ଉପରକୁ ଟେରିକଟ୍‌ର ସାର୍ଟ । ତଳଟାର ରଙ୍ଗ ସବୁବେଳେ କଳା ଏବଂ ଉପରଟାର ରଙ୍ଗ ସବୁବେଳେ ଧଳା । ଏ ନିୟମର କଦାଚିତ୍‌ ବ୍ୟତିକ୍ରମ ହେବାର କେହି କେବେ ଦେଖି ନାହିଁ । ମୁଣ୍ଡର ବାଳକୁ ସେ ଛାଟି କରି କୁଣ୍ଡାନ୍ତି ପଛକୁ । କଲି ଦୁଇଟା ଗାଲର ଅଧେ ମାଡ଼ି ରହିଥାଏ । ନିଶ ଦୁଇପଟା ରହିଛି ସତ୍ୟ, ମାତ୍ର ଶୁଭଶଙ୍କର ତାକୁ କେବଳ ନାସାରନ୍ଧ୍ରର ସିଧା ସାମନାରେ ରଖି ନାହାନ୍ତି କିମ୍ବା ପୂରା ରଖି ନାହାନ୍ତି । କେବଳ ନାସାରନ୍ଧ୍ର ସାମନାରେ ରହିଲେ ତାହା ହିଟ୍‍ଲରଙ୍କ ପରି ହୋଇଯିବ ବୋଲି ତାଙ୍କ ଧାରଣା । ପୁରା ରଖି ନେଲେ ପ୍ରକୃତି–ଦେବୀଙ୍କୁ ମାନି ନେବା ଭଳି ହେବ । ସେ ସେଥିପାଇଁ ଦୁଇକଡ଼ରେ ଖୁର ଲଗାଇ ଲମ୍ବାଟାକୁ ସାନ କରି ଦେଇଛନ୍ତି ଏବଂ କତୁରୀରେ କାଟି ଉଚ୍ଚତାକୁ ମଧ୍ୟ ହ୍ରାସ କରିଛନ୍ତି । ଦାଢ଼ି ଆଦୌ ନାହିଁ, ପ୍ରତିଦିନ ଖିଅର ହେବା ଫଳରେ ଗଣ୍ଡଯୁଗଳ ମୋଜାଇକ ଚଟାଣ ପରି ଚିକ୍‌କଣ ହୋଇ ରହିଛି । ଶୀତଦିନେ କ୍ରିମ୍‌ ଓ ଖରାଦିନେ ପାଉଡ଼ର ଦୁଇ ଗାଲକୁ ମସୃଣତର କରିବାରେ ହେଳା କେବେ ଘଟେନାହିଁ । ଶୁଭଶଙ୍କର ଚାଲିଗଲେ ପବନ ନିଜର ଗନ୍ଧବହ ନାମ ସାର୍ଥକ କରେ । ଜବାକୁସୁମ ତୈଳର ସ୍ନିଗ୍‌ଧ ଗନ୍ଧ ବିଚ୍ଛୁରିତ ହୋଇଉଠେ । ଛାତି ପକେଟର ରୁମାଲଟା ରହିଥାଏ ଚାରିଚଉତା ହୋଇ । ନିଜର ତିନି କୋଣକୁ ପକେଟ୍‌ ଭିତରେ ଲୁଚାଇ ରଖି ଏବଂ ଗୋଟିଏ କୋଣକୁ, ଖରା ଖାଇବା ପାଇଁ ପାଣି ଭିତରୁ ମୁଣ୍ଡ କାଢ଼ି କୁମ୍ଭୀର ପଡ଼ିଲା ପରି କିମ୍ବା ଖୋଳପା ଭିତରୁ ବେକ କାଢ଼ି କଇଁଚ ରହିଥିଲା ପରି-। ପ୍ରୟୋଜନବେଳେ ରୁମାଲଟା ବାହାରିଲେ ମଳୟ ପର୍ବତଟା ନିକଟତର ହେଲା ପରି ମନେ ହୁଏ, ଚନ୍ଦନଗନ୍ଧ ଘରଟାକୁ ଭରପୂର କରିଦିଏ ।

 

କେତେ କମ୍ପାନୀ ମୁଣ୍ଡ ଟେକି ଉଠିଥିଲେ ସୁଦ୍ଧା ସେ ସବୁ ନାମ ପଢ଼ିଲେ ଶୁଭଶଙ୍କର ନାକ ଟେକନ୍ତି । ‘କରୋନା’, ‘ପେକ୍‌ସ’ ତାଙ୍କ ମନକୁ ପାଏ ନାହିଁ । ‘ବାଟା–କମ୍ପାନୀ’ ତାଙ୍କ ମନକୁ ଦୀର୍ଘମିଆଦି ପଟା ନେଇଥିଲା ପରି ମନେ ହୁଏ । ସେ ଘରେ ବାଟା ଚଟି ପିନ୍ଧନ୍ତି, ବାହାରକୁ ଗଲେ ‘ଗୋ ଗୋ’ ସୁ କିନ୍ତୁ କଲେଜକୁ ଗଲେ ସାହେବି ବେଶରେ ଯାଆନ୍ତି; ତେଣୁ ଫୁଲ୍‌ସୁ ପିନ୍ଧିବା ଦରକାର ପଡ଼େ । ଏ ସବୁ ବାଟା କମ୍ପାନୀର । ଏପରିକି ତାଙ୍କ ପଢ଼ାଘର କାନ୍ଥରେ ସୁଦ୍ଧା ବାଟା କମ୍ପାନୀର ଛାପର ବୋଧହୁଏ ପ୍ରତିଦିନ କମ୍ପାନୀକୁ ମନେ ରଖିବା ଲାଗି–କ୍ୟାଲେଣ୍ଡରଟାଏ ରହିଛି-

 

ଶୁଭଶଙ୍କର ମଫସଲରେ ରହି ମାଟ୍ରିକୁଲେସନ ପର୍ଯ୍ୟନ୍ତ ପାଠ ପଢ଼ି ତା’ପରେ ସହରକୁ ଆସି କଲେଜରେ ନାମ ଲେଖାଇଲେ । ନିଜକୁ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ୍‌ କରିବା ପରେ ସେହି ବିଷୟରେ ଏମ୍‌. ଏ. ପାଶ୍‌ କରିବାରେ ତାଙ୍କୁ ପରିଶ୍ରମ ପଡ଼ିଥିବା ପରି କେହି ମନେ କରନ୍ତି ନାହିଁ । ପଢ଼ିବା ସମୟ ତାଙ୍କର ପାହାନ୍ତିଆରେ ଘଣ୍ଟାଏ, ସକାଳେ ଦୁଇଘଣ୍ଟା ଏବଂ ସନ୍ଧ୍ୟାରେ ଘଣ୍ଟାଏ ମାତ୍ର, ସେଥିରେ ଶୁଭଶଙ୍କର ଫାଷ୍ଟକ୍ଲାସ ଫାଷ୍ଟ–ଗୋଲ୍‌ଡ଼ ମେଡ଼ାଲିଷ୍ଟ ।

 

ଈଶ୍ଵର କେତେ ନିରପେକ୍ଷ ହୁଅନ୍ତୁ ନା କାହିଁକି ସେ ବେଳେବେଳେ ସବୁଗୁଣକୁ ଏକାଠି ଠୁଳ କରି ପରିଣାମକୁ ଲକ୍ଷ୍ୟ କରୁଥିବା ଭଳି ଦେଖାଯାଏ । ଦାର୍ଶନିକ ପଣ୍ଡିତମାନେ ଏପରି ଏକ ଘଟନାକୁ କଳ୍ପ କଳ୍ପାନ୍ତରର ପ୍ରବାହରେ କର୍ମର ବିପାକ ବୋଲି ଯୁକ୍ତି କରିବେ । ପଣ୍ଡିତମାନଙ୍କ ଏ ଯୁକ୍ତି ଈଶ୍ଵରଙ୍କ କୃତିତ୍ଵର ବ୍ୟାଖ୍ୟା ମାତ୍ର । ଈଶ୍ଵରଙ୍କର ଏହି କୃତିତ୍ଵ ଫଳରେ ଶୁଭଶଙ୍କରଙ୍କର ରୂପ, ଗୁଣ, ବିଦ୍ୟା, ବୁଦ୍ଧି କୌଣସିଟିର ଊଣା ନାହିଁ । ଏପରିକି ମଧ୍ୟ ଅଭାବ ନାହିଁ । ବସି ଖାଇଲେ ତ ନଈ ବାଲି ସରେ; ତଥାପି ଶୁଭଶଙ୍କରଙ୍କର ପୈତୃକ ସମ୍ପତ୍ତି ଯାହା, ତାହା ବସି ଖାଇଲେ ସାତପୁରୁଷ ନିଧୋକରେ କଟିଯିବ ।

 

ଏମ୍‌. ଏ. ପାଶ୍‌ କରି ଶୁଭଶଙ୍କର ‘ଲ' ପଢ଼ିଲେ ଓ ସେଥିରେ ମଧ୍ୟ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ମିଳିଲା । ଓକିଲାତି କରିବା ଇଚ୍ଛାରେ ସେ ହାଇକୋର୍ଟକୁ ଯିବା ଆସିବା କଲେ । ବୟସ ଛବିଶ ପାର ହୋଇ ସତେଇଶକୁ ପଦାର୍ପଣ କରିବାକୁ ଯତ୍ନ କରୁଥାଏ । ସମୟ ହୋଇଯାଉଛି ମନେ କରି ତାଙ୍କ ବୋଉ ହାତକୁ ଦିହାତ କରିବା ଚିନ୍ତା କରୁଥାନ୍ତି ।

 

(୨)

 

ଲୀଳାବତୀ ସହରର ଝିଅ, ସହରରେ ଜନ୍ମ ହୋଇ ସହରରେ ବଢ଼ିଛନ୍ତି । ମାଟ୍ରିକୁଲେସନ୍‌ ପାଶ୍‌ କରି କଲେଜରେ ବର୍ଷକୁ ବର୍ଷ ପାହାଚ ଉଠି, ତୃତୀୟ ସୋପାନରେ ପହଞ୍ଚିଛନ୍ତି । ଆଉ ଗୋଟାଏ ବର୍ଷ ପାର ହେଲେ ତାଙ୍କ ନାମଟା ଲେଖିବାବେଳେ ଲେଖାଯିବ ‘କୁମାରୀ ଲୀଳାବତୀ ଦେବୀ, ବି. ଏ. ।’

 

ବିଧାତା ତାଙ୍କୁ ଯେ ଗାରିମା ଦେଇଛନ୍ତି, ତାହାର ତୁଳନା ଚମ୍ପାଫୁଲ ସହିତ ସ୍ଵଚ୍ଛନ୍ଦରେ କରାଯାଇ ପାରେ । ଦାନ୍ତ ଦୁଇ ଧାଡ଼ି ଠିକ୍‌ କୁନ୍ଦ କଢ଼ି ପରି । ଆଖି ଦୁଇଟି ଲୋଳ ଚପଳ, ମନେ ହେବ ଦୁଇଟା ଛୋଟ କାଚ ଫରୁଆ ଭିତରେ ଦୁଇଟା କଳା ଭ୍ରମର ଇତସ୍ତତଃ ଘୂରି ବୁଲିବାରେ ଲାଗିଛନ୍ତି । ବାଳ ପେଣ୍ଡାକ ଦେଖିବାର ବିଷୟ । ଚମରୀ ଗାଈର ପୁଚ୍ଛପରି ଘନୀଭୂତ କେଶଗୁଚ୍ଛ ଥରେ ଫିଟି ଯାଇଥିଲେ କାହା ଆଖି ଲାଖି ନ ରହିବ । ଚାଲିବାରେ, ଚାହିଁବାରେ, କଥା କହିବାରେ ଲୀଳାବତୀଙ୍କର ଗୋଟାଏ ସ୍ଵତନ୍ତ୍ର ଢାଞ୍ଚା ଥାଏ । ସେ ପଣତକାନିଟାକୁ ଦୋହଲାଇ କଲେଜ କରିଡ୍‌ରରେ, ଦୁର୍ବାଶ୍ୟାମଳ ପ୍ରାଙ୍ଗଣରେ ଚାଲିଯିବା ବେଳେ, ସିଡ଼ି ଉପରୁ ତଳକୁ ଓହ୍ଲାଇଲାବେଳେ, ଆୟାସ ଅନୁଭବ କରି ସିଡ଼ିକୁ ଉଠିଲାବେଳେ କଲେଜ ପିଲାଏ ଚିତ୍ର ପିତୁଳା ପରି ଠିଆ ହୋଇ ରହନ୍ତି । ଶତଚକ୍ଷୁ ଗୋଟାଏ ବିନ୍ଦୁରେ କେନ୍ଦ୍ରୀଭୂତ ହେବା ପରି ରହେ ! ଲୀଳାବତୀ ଚକ୍ଷୁର ଅନ୍ତରାଳକୁ ଘୁଞ୍ଚିଗଲେ ପବନର ଗୋଟାଏ ସ୍ରୋତ କାନକୁ ଶୁଣାଯାଏ–ଏକ ସମୟରେ ଶତ ଦୀର୍ଘନିଶ୍ଵାସର ମର୍ମାନ୍ତିକ ପରିଣାମ ।

 

ଲୀଳାବତୀଙ୍କର କେଶର ଆଟୋପ ରହିଛି, ମାତ୍ର ଭୂଷା ଖୁବ୍‌ ସରଳ । କାଁ ଭାଁ ସେ ନାଇଲନ୍‌ ଶାଢ଼ି ପିନ୍ଧନ୍ତି, ନହେଲେ ଶହେ ନମ୍ବରୀ ସୂତାର ସମ୍ବଲପୁର ଶାଢ଼ି ପିନ୍ଧିବାରେ ତାଙ୍କର ସଉକ ଅଧିକ । ଲୁଗାର ରଙ୍ଗର ଅନୁବର୍ଣ୍ଣୀ ହୁଏ ବ୍ଳାଉସ୍‌ । ରୁମାଲଟିଏ କେବେ ହାତରେ, କେବେ ଅଣ୍ଟା କଡ଼ରେ ବାମ ପାଖରେ ଖୋସା ହୋଇ ରହିଥାଏ ସମବର୍ଣ୍ଣର ।

 

ଲୀଳାବତୀ ନାରୀ ଜନ୍ମ ପାଇଛନ୍ତି ସତ୍ୟ, ମାତ୍ର କେତେଗୁଡ଼ିଏ ଘଟନାରେ ସମାଜ ନାରୀ ପାଇଁ ସବୁଥିରେ ସଜାଡ଼ି ରଖିଥିବା ପାର୍ଥକ୍ୟକୁ ସେ ସ୍ୱୀକାର କରନ୍ତି ନାହିଁ–ଅନ୍ତତଃ ପାଦୁକାରେ । ସେ ବାଟା କମ୍ପାନୀର ଜୋତା ପିନ୍ଧନ୍ତି; କିନ୍ତୁ ତାହା ପୁରୁଷ ଜୋତା । ପାଦ ମଇଳା ହୋଇଯିବ ବୋଲି ତାଙ୍କର ସେ ପଦ୍ମପାଦ ଲାଗି ପରିପୂର୍ଣ୍ଣ ଆବରଣ ଲୋଡ଼ା ।

 

ବିଦ୍ୟାରେ ବୁଦ୍ଧିରେ ଲୀଳାବତୀ ଊଣା ନୁହନ୍ତି । ସେ ପ୍ରଥମଶ୍ରେଣୀ ଛାତ୍ରୀ । ମାଟ୍ରିକୁଲେସନରେ, ପିୟୁରେ, ପରିଶେଷରେ ବି. ଏ. ପରୀକ୍ଷାରେ ଏଥିରୁ କୌଣସି ଗୋଟିକରେ ହେଲେ ସେ ଶ୍ରେଣୀଚ୍ୟୁତା ହୋଇନାହାନ୍ତି ।

 

ଲୀଳାବତୀଙ୍କର ବାପା ଓ ବୋଉ ଦୁହେଁ ସ୍ଥିର କରିଥିଲେ ଯେ ଝିଅ ବି. ଏ. ପାଶ୍‌ କରିବାପରେ ତାର ବିବାହ ସମାପନ କରିବେ । ସେଥିପାଇଁ ବର ଖୋଜିବାରେ ବାପ ଆଗଭର ହୋଇଛନ୍ତି । କୌଣସିକ୍ରମେ ଶୁଭଶଙ୍କରଙ୍କ ପ୍ରସ୍ତାବ ତାଙ୍କ ନିକଟରେ ପହଞ୍ଚିଲା ।

 

(୩)

 

ବାପା ବୋଉଙ୍କର ଇଚ୍ଛା ବିବାହ ବୈଦିକ ରୀତିରେ ହେବ ବେଦୀ ଉପରେ ବସି । ଜ୍ଞାତି–କୁଟୁମ୍ବ ମଧ୍ୟ ସେହି କଥା ଲୋଡ଼ୁଛନ୍ତି; କିନ୍ତୁ ଶୁଭଶଙ୍କରଙ୍କ ଇଚ୍ଛା ସେ ରେଜଷ୍ଟ୍ରି-ବିବାହ କରିବେ ନୂତନତାର ପ୍ରବର୍ତ୍ତନ କରିବେ । ଲୀଳାବତୀ ମଧ୍ୟ ନୂତନତାର ପକ୍ଷପାତିନୀ । ଶୁଭଶଙ୍କରଙ୍କର ବିଦ୍ୟା, ବୁଦ୍ଧି, ବିଚକ୍ଷଣତା ତାଙ୍କ ମନକୁ ଖୁବ୍‌ ପାଇଥିବା ଫଳରେ ସେ ତାଙ୍କ କଥାରେ ଦ୍ଵିଧା କରିବା କଳ୍ପନା କରିନାହାନ୍ତି । ଉଭୟ ପକ୍ଷର ବାପା ବୋଉଙ୍କ ଇଚ୍ଛା ହୃଦୟରେ ଉଦୟ ହୋଇ ସେହି ହୃଦୟରେ ଅସ୍ତମିତ ହେଲା । ଜ୍ଞାତି କୁଟୁମ୍ବମାନଙ୍କର ଆପତ୍ତି ବାଏଁ ବାଏଁ ଉଡ଼ିଗଲା । ଦିନ ମୁହୂର୍ତ୍ତ ଦେଖି ବିବାହ ରେଜେଷ୍ଟ୍ରି ହେଲା । ‘ଶୁଭ ବିବାହ’ ଶିରୋନାମାରେ ‘ସମାଜ ଓ ପ୍ରଜାତନ୍ତ୍ର’ ଉଭୟ କାଗଜରେ ସମ୍ବାଦ ପ୍ରକାଶ ପାଇଲା ।

 

ଭୋଜି ଭାତ ତ ହେଲାନାହିଁ, ହେଲା ଗୋଟିଏ ଟି–ପାର୍ଟି । ‘ବୁଫେ’ ପ୍ରଣାଳୀରେ ଚପ୍‌, କଟ୍‌ଲେଟ୍‌, ସିଙ୍ଗଡ଼ା, ରସଗୋଲା, ଦହିବରା, ବାରମଜା, ଆଳୁଦମ୍‌, ସାଲେଡ଼ ଟେବୁଲ ଉପରେ ସଜା ହୋଇ ରହିଲା । ଆମନ୍ତ୍ରିତ ଭଦ୍ରବ୍ୟକ୍ତି ନିଜ ନିଜ ଇଚ୍ଛାରେ ଗୋଟିଏ ପ୍ଳେଟ୍‌ରେ ମନଇଚ୍ଛା ଜଳଖିଆ ଧରି ଘର ଭିତରେ ବୁଲି ବୁଲି ଖାଇଲେ । ଖାଦ୍ୟ ଶେଷରେ ଯାହାର ଇଚ୍ଛା ସେ ଖାଇଲା କଫି, ନ ହେଲେ ଚା ।

 

ଟି-ପାର୍ଟି ସରିବା ପରେ ସମସ୍ତେ ବିବାହକୁ ଦୀର୍ଘମିଆଦି ପଟା ଦେଇ ବନ୍ଦୋବସ୍ତ କାମ ଶେଷକରି ଯେ ଯାହାର ଗଲେ । ବିବାହ ପରେ ସମୟ ଯେପରି କଟିବା କଥା, ସେହିପରି ମଧୁମୟ ଭାବରେ କଟିବାରେ ଲାଗିଲା ଦାମ୍ପତ୍ୟ ଜୀବନ । ଦିନ ପରେ ଦିନ ଗଡ଼ି ଚାଲିଲା ।

 

ତିନି-ବର୍ଷ ପୂରିବାକୁ ଆହୁରି ଦେଢ଼ ମାସ ବାକି ଅଛି, ଲୀଳାବତୀ କିଛିଦିନ ପାଇଁ ବାପଘରକୁ ଯିବା ପ୍ରସ୍ତାବ ଦେଲେ । ପ୍ରସ୍ତାବଟା ବିଚାର ପରେ ଗୃହୀତ ହୋଇଗଲା ଓ ଦିନ ତିନିଟା ଭିତରେ କାର୍ଯ୍ୟରେ ପରିଣତ ହେଲା ।

 

ଆକସ୍ମିକ ଭାବରେ କେତେକ କାର୍ଯ୍ୟରେ ଗଢ଼ା, ଯୋଖା ଯେପରି ଦେଖାଯାଏ, ସେହିପରି ଆକସ୍ମିକ ଭାବରେ ଭଙ୍ଗାରୁଜା ହେବା ମଧ୍ୟ ଦେଖା ଯାଇଥାଏ । ଏଥିର ନିଶ୍ଚୟ ଗୋଟାଏ କିଛି ନିୟମ ଥିବ । ଏ ନିୟମ ଲୀଳାବତୀ, ଶୁଭଶଙ୍କରଙ୍କର ବାପ, ମା ଯେପରି ଜାଣନ୍ତି ନାହିଁ, ତାଙ୍କ ଜ୍ଞାତି–ଗୋତ୍ର କୁଟୁମ୍ବ ମଧ୍ୟ ଜାଣନ୍ତି ନାହିଁ । ଦେଶ ନେତାଏ ବୁଝିପାରୁଥିବେ ଅବା ! ଏହି ନିୟମରେ ପଡ଼ି ଯାହା ହେଲା ଲୀଳାବତୀ ବାପଘରକୁ ଯିବାର ପ୍ରାୟ ପଚିଶ ଦିନ ପରେ ଶୁଭଶଙ୍କର ଗୋଟିଏ କୋର୍ଟ ନୋଟିସ ପାଇଲେ । ପଢ଼ି ଦେଖନ୍ତି ତ ଗୋଟାଏ ‘ଛାଡ଼ପତ୍ର’ ନୋଟିସ୍‌-। ଲୀଳାବତୀଙ୍କ ତରଫରୁ ଏଥିପାଇଁ ମକଦ୍ଦମା ହୋଇଛି ।

 

ମକଦ୍ଦମାରେ ଛାଡ଼ପତ୍ର ସାବ୍ୟସ୍ତ ହେଲା । ଶୁଭଶଙ୍କର ସ୍ଵାମୀ ହୋଇ, ଓକିଲାତି କରି ମୁହଁ ଶୁଖାଇ ଫେରିଲେ । କଚେରୀ ଘରୁ ଦର୍ପରେ ବାଟା ଜୋତାକୁ ଠାଇ ଠାଇ କରି ଚାଲିଗଲେ ଲାଳାବତୀ ।

 

ଏ ଛାଡ଼ପତ୍ର ପରେ ଶୁଭଶଙ୍କର ଆଉ ବିବାହ କରି ନାହାନ୍ତି ! ଲୀଳାବତୀ ଯେଉଁ ଆଳରେ ବାପଘରକୁ ଯାଇଥିଲେ ତାର ପରିଣାମ ସ୍ଵରୂପ ବର୍ତ୍ତମାନ ତାଙ୍କ କୋଳରେ ତାଙ୍କରି ପରି ଗୋଟିଏ ଝିଅ ।

Image

 

ପଛରେ କିଏ

 

ଧରାଧାମରେ ମଣିଷ ଯେପରି ଲକ୍ଷ ଲକ୍ଷ, କୋଟି କୋଟି ଜନ୍ମୁଛନ୍ତି, ମରୁଛନ୍ତି, ଗଛ ମଧ୍ୟ ସେହିପରି ଧରିତ୍ରୀ ବନ୍ଧାରେ ଲକ୍ଷ ଲକ୍ଷ କୋଟି କୋଟି ଉଠି ଲୀନ ହେଉଛି । ସହସ୍ରକେ ଜଣେ ଲୋକ ଖ୍ୟାତି ଲାଭ କଲା ପରି କୋଟିକେ ଗୋଟିଏ ଗଛ ପ୍ରସିଦ୍ଧି ପାଉଥିବେ । ଶ୍ରୀକ୍ଷେତ୍ରରେ କଳ୍ପବୃକ୍ଷର ମହିମା ସମସ୍ତେ ଜାଣନ୍ତି । ଠାଏ ଠାଏ ତୀର୍ଥରେ ଏହିପରି ଗୋଟାଏ ଗୋଟାଏ ଗଛ କାଁ ଭାଁ ରହିଛି ।

 

ତୀର୍ଥରେ ଥିବାରୁ ସିନା ଏ ମାହାତ୍ମ୍ୟ । ଅତୀର୍ଥରେ ରହି ମହିମା ପ୍ରକାଶ କରିବା କିମ୍ବା ପ୍ରସିଦ୍ଧି ଅର୍ଜନ କରିବା ଗଛ ପାଇଁ ଗହନ କଥା । କିନ୍ତୁ ବୁଢ଼ାଆମ୍ବ ପାଇଁ ତାହା ହେଲାନାହିଁ । କୋଦଳା, କବି ସୂର୍ଯ୍ୟନଗର ଆସିକା, ପୋଲସରା ଯିବା ଲୋକଙ୍କ ଭିତରୁ ବୁଢ଼ାଆମ୍ବକୁ କିଏ ନଜାଣେ, କିଏ ନ ଚିହ୍ନେ । ଗଞ୍ଜାମ ଜିଲ୍ଲାର ଆସିକା–କୋଦଳା ସଡ଼କରେ ବୁଢ଼ାଆମ୍ବ ଏଭଳି ଖ୍ୟାତି ପାଇଲା ଯେ ସେହିବାଟେ ଯେ ଗଲେ ସେ ଦାଣ୍ଡେ–ଘଡ଼ିଏ ଅଟକିଲେ । ଜଳଖିଆ ଦୋକାନ, ହୋଟେଲ ସେହିଠାରେ ହେଲା । ଯାତ୍ରୀବାହୀ ବସ୍‌ ମଧ୍ୟ ସେଠାରେ ଠିଆ ହେଲା ।

 

ଭାରତ ସ୍ଵାଧୀନ ହେବାପରେ ସିନା ଏବେ ଗାଁ ଗହଳି ଭିତରକୁ ବସ୍‌ ଯିବାଆସିବା କରୁଛି, ପୂର୍ବରୁ ସେପରି କରୁନଥିଲା; କିନ୍ତୁ ଗଞ୍ଜାମ ଜିଲ୍ଲା କଥା ଥିଲା ଅଲଗା । ସେଠାରେ ଇଂରେଜ ଅମଳରେ ସୁଦ୍ଧା ବହୁ ବସ୍‌ ଯିବା–ଆସିବା କରୁଥିଲା । ବସ୍‌ ଆସିକାରୁ କୋଦଳା ଦେଇ ଖଲିକୋଟକୁ ଯାଇ, ଯିବା ରାସ୍ତାରେ ପୁଣି ଫେରୁଥିଲା । ବୁଢ଼ାଆମ୍ବ ପାଖେ ସେ ବସ୍‌ କିଛି ସମୟ ଅଟକେ । ଯାତ୍ରୀମାନଙ୍କ ମଧ୍ୟରୁ କିଏ କିପରି ପାଣି ମୁନ୍ଦିଏ ପିଅନ୍ତି । ଖଜା, ଗଜା, ମିଠେଇ ନ ଥିଲେ ମୁଢ଼ି, ଉଖୁଡ଼ା ଖାଆନ୍ତି; କିନ୍ତୁ ପୋଲସରା ଯିବା ଲୋକଙ୍କୁ ଏହି ବୁଢ଼ାଆମ୍ବଠାରୁ ଚାଲିକରି ଯିବାକୁ ହୁଏ । ସେତେବେଳେ କାଳି–ସଡ଼କ ନଥିଲା, ଥିଲା ନାଲି ସଡ଼କ । ଚାରିକୋଶ ଚାଲିଯିବା ଲୋକର ଲୁଗାର ତଳ ପାଖ ବାବାଜୀଙ୍କ ଲୁଗା ପରି ହୋଇଯାଉଥିଲା ଏବଂ ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଗେରୁ ବୋଳି ଦେଲା ପରି ଦେଖା ଯାଉଥିଲା ।

 

କୁହୁଡ଼ି ନିକଟ ପୁତନା–ଗ୍ରାମ ଏବେ ଭାଙ୍ଗିରୁଜି ଗଲାଣି । କୁହୁଡ଼ିରେ ଯେତେବେଳେ ପାଇକରାଜା ରାଜୁତି କରୁଥିଲେ, ସେତେବେଳେ ସେ ଗ୍ରାମ ହସୁଥିଲା । ପୁତନା କହିଲେ ଖୋରଧାଠାରୁ ଖାଲିକୋଟ ଯାଏ ସମସ୍ତେ ଜାଣୁଥିଲେ ଗାଁଟାର ସେତେବେଳେ ଗୋଟାଏ ପ୍ରଖ୍ୟାତି ଥିଲା । ଲୋକେ ଗାଁଟାକୁ ଯେପରି ଜାଣୁଥିଲେ, ଗାଁର ମୁକୁନ୍ଦପ୍ରସାଦ ବାହୁବଳିୟାରସିଂହକୁ ମଧ୍ୟ ସମସ୍ତେ ସେହିପରି ଚିହ୍ନୁଥିଲେ ।

 

ରେଳ ଧରିବାକୁ ହେଲେ ପୁତନାରୁ କୁହୁଡ଼ି ରେଳଷ୍ଟେସନକୁ ଯିବାକୁ ହୁଏ । ରେଳ ଷ୍ଟେସନଟା ନିତାନ୍ତ ସାନ ଷ୍ଟେସନଟିଏ । ପାସେଞ୍ଜର ଛଡ଼ା ଆଉ କେଉଁ ଗାଡ଼ି ସେଠାରେ ଅଟକେ ନାହିଁ । ଘଡ଼ିଏ ଦୁଇଘଡ଼ି ଆଗରୁ ଯାଇ ଷ୍ଟେସନରେ ବସି ନଥିଲେ ରେଳ ଫିଟିଯାଏ, ସେଥିପାଇଁ ଖଣ୍ଡେଶ୍ଵର ବେଳକାଳ ଉଣ୍ଡି, ରେଳ ନ ଫିଟିଯିବା ଭଳି ସମୟ ହାତରେ ରଖି ଆଗରୁ ଆସିଥିଲେ । ସେ ବର୍ଷ ଦଶହରା ସେ ଭଉଣୀ ଘରେ କାଟିବେ ବୋଲି କଥା ହୋଇଥିଲା, ଯିବେ ମହାଳୟା ପୂର୍ବରୁ–ଫେରିବେ କୁମାର ପୂର୍ଣ୍ଣମୀ ପରେ । ଝିଅ ସୁଶୀଳା ଘରକୁ ମୁକୁନ୍ଦପ୍ରସାଦ ବାହୁବଳିୟାରସିଂହ କୁମାର ପୂର୍ଣ୍ଣମୀ ପାଇଁ ସେ ଭାର ପଠାଇବେ, ସେ ଲୋକ ଓ ଖଣ୍ଡେଶ୍ଵର ଏକାଠି ଫେରିବା କଥା ହୋଇଥିଲା ।

 

ଖଣ୍ଡେଶ୍ଵର ରେଳ ଧରିବାରେ କୌଣସି ଅସୁବିଧା ହେଲାନାହିଁ । ସେ ପହଞ୍ଚି ଘଡ଼ିଏ ବସିବା ପରେ ରେଳଟା ଘୁମାଇ ଘୁମାଇ କୁହୁଡ଼ିରେ ପହଞ୍ଚିଲା । ଖଣ୍ଡେଶ୍ୱର କେଶରପୁର ଷ୍ଟେସନରେ ଓହ୍ଲାଇଲେ । ଇଂରେଜ ଶାସନ ସରି ଆସିବା ବେଳକୁ ଖଲିକୋଟରାଜା ଖ୍ୟାତି ଅର୍ଜିବା ଫଳରେ ନିଜ ରାଜ୍ୟର ନାମ ରେଳ ବିଭାଗରେ ପ୍ରସିଦ୍ଧ କରିବା ଉଦ୍ଦେଶ୍ୟ ରଖି ରେଳ ଷ୍ଟେସନର ‘କେଶପୁର’ ନାମ ବଦଳାଇ ‘ଖଲିକୋଟ’ କରିଛନ୍ତି ।

 

କେଶପୁର ଷ୍ଟେସନରୁ ବସ୍‌ ଯାଏ ଆସିକା, ଖଣ୍ଡେଶ୍ଵର । ଏହି ବସ୍‌ ଧରିବା କଥା । ଈଶ୍ଵର ତ ଖିଆଲିଆ ନୁହନ୍ତି ବୋଲି ପଣ୍ଡିତମାନେ କହନ୍ତି; କିନ୍ତୁ ଲୀଳାମୟ ବେଳେ ବେଳେ କି ଲୀଳା ଲଗାନ୍ତି କେଜାଣି, ସେଥିରେ ଗୋଟାଏ କଥା ଠିକ୍‌ ଭାବରେ କିମ୍ବା ନିତାନ୍ତ ଆକସ୍ମିକ ଭାବରେ ହେବାବେଳକୁ ଆଉ ଗୋଟିଏ କଥା ସେହିପରି ଆକସ୍ମିକ ଭାବରେ ଫିଟିଯାଏ । ଉତ୍ତର ଗାଡ଼ିଟା ଘୁମାଇ ଘୁମାଇ ଆସି ଘଡ଼ିଏ ବିଳମ୍ବରେ କୁହୁଡ଼ିରେ ପହଞ୍ଚିଥିଲା । ତାହା ଗଙ୍ଗାଧରପୁର, ବାଲୁଗାଁ ପାର ହୋଇ କେଶପୁରରେ ପହଞ୍ଚିଲାବେଳକୁ କେଶପୁର–ଆସିକା ବସ୍‌ ଦକ୍ଷିଣଗାଡ଼ିରୁ ଯାତ୍ରୀ ଧରି ଚାଲିଯାଇଥିଲା । ଖଣ୍ଡେଶ୍ଵର ଚାଲି ଚାଲି ଖଲିକୋଟ ଗାଡ଼ିରେ ପହଞ୍ଚିଲେ । ତାଙ୍କୁ ନ ନେଇ ଆସିଥିବା ବସ୍‌ଟିର ଇଞ୍ଜିନ ଖରାପ ହୋଇ ଯାଇଥିବାରୁ ମରାମତି ଚାଲିଥିଲା । ସନ୍ଧ୍ୟା ହୋଇ ଆସିଥିଲେ ସୁଦ୍ଧା ବସ୍‌ ଧରି ଖଣ୍ଡେଶ୍ଵର ରାତି ପହରେ ଛ’ଘଡ଼ି ମଧ୍ୟରେ ପୋଲସରା ଭଉଣୀ ଘରେ ପହଞ୍ଚି ଯାଇ ପାରିବେ ବୋଲି ମନେ ମନେ କଳ୍ପନା କଲେ ।

 

ବସ୍‌ କୋଦଳା ପାରହୋଇ ଆସିକା ଆଡ଼କୁ ଚାଲିଲା । ବୁଢ଼ାଆମ୍ବ କ୍ରମେ ନିକଟରୁ ନିକଟତର ହେଲା । ଯେତେ ନିକଟତର ହେଲା ଖଣ୍ଡେଶ୍ଵରଙ୍କର ଛାତି ପଡ଼ିବା ଉଠିବା ସେତେ ଅଧିକ ହେଲା କେବଳ ଗୋଟିଏ ଚିନ୍ତାରେ–‘ସେ ବୁଢ଼ାଆମ୍ବଠାରୁ ପୋଲସରାକୁ ଏକାକୀ ଯିବେ କିପରି ?’

 

ମଲ୍ଲୀଫୁଲ ବିଛାଇ ଦେଲା ପରି ଚନ୍ଦ୍ରକିରଣ ପଡ଼ିଥାଏ, ସୁଲୁସୁଲିଆ ପବନ ନିଜ ଘରେ ନିଜେ ଶ୍ୟାମଳ ଶସ୍ୟ କ୍ଷେତ୍ର ଉପରେ ଖେଳି ଖେଳି କୁଳୁକୁଳୁ ନାଦରେ ନୀରବତାକୁ ଭଙ୍ଗ କରୁଥାଏ-। ଏ ସବୁ ହେଉଥାଏ ସତ୍ୟ; ତଥାପି ଖଣ୍ଡେଶ୍ଵର ନିଜ ହାତରେ ସିନା ଚଉଦପା, କିନ୍ତୁ ଗଜ, ଫୁଟ, ଇଞ୍ଚରେ ମାପି ବସିଲେ ତାଙ୍କ ଉଚ୍ଚତା ଏକ ଗଜ, ଦୁଇ ଫୁଟ, ଦଶଇଞ୍ଚ । ଏଭଳି ଏକ ଉଚ୍ଚ ବପୁକୁ ତଉଲି ଦେଲା ପରି ବାହୁଯୁଗଳ । କବି ବର୍ଣ୍ଣନା କଲେ ବାହୁକୁ ଶାଳପ୍ରାଂଶୁ ବୋଲି ଯେପରି କହିବେ, ଦୁଇଟିକୁ ରମ୍ଭାଗଛ ସହିତ ସମାନ କରିବେ । ଖଣ୍ଡେଶ୍ଵର ଗୋଡ଼ ଦୁଇଟି କଦଳୀ ଗଛ ପରି ମଟକା ନୁହେଁ । କୁହୁଡ଼ି ନିକଟ ସୋରଣ ପଡ଼ିଆରେ ଥରେ ଦୁଇଟା ଷଣ୍ଢ ଲଢ଼େଇ ଲାଗିଲେ-। ପହରେ ବେଳଠାରୁ ଲାଗିଲେ ଯେ, ପହରେ ବେଳ ବାକି ରହିଲା ସନ୍ଧ୍ୟା ହେବାପାଇଁ । ଶେଷରେ ଗୋଟାଏ ହଟିଯିବାର ସୂଚନା ଜଣାପଡ଼ିଗଲା । ହଜାରେ ଲୋକ ରୁଣ୍ଡ ହୋଇଥାନ୍ତି, କାହାର ସାହସ ହେଲା ନାହିଁ ସେ ଭିତରେ ପଶି ଲଢ଼େଇ ଭାଙ୍ଗିଦେବାକୁ । ଖଣ୍ଡେଶ୍ଵର ଅଣ୍ଟା ଭିଡ଼ି ବାହାରି ପଡ଼ିଲେ-। ଲଢ଼ୁଆ ଷଣ୍ଢଟାକୁ ଶିଙ୍ଘ ଧରି ତାକୁ ଠେଲି ଶେଷରେ ଶୁଆଇଦେଲେ । ସେହିଦିନଠାରୁ ଖଣ୍ଡେଶ୍ଵର ସେ ଅଞ୍ଚଳରେ ଖ୍ୟାତି ଶୁଣିଲେ । କେହି କେହି ତାଙ୍କୁ ଷଣ୍ଢମର୍ଦନ ଖଣ୍ଡେଶ୍ଵର ବୋଲି କହନ୍ତି-

 

ପୋଲସରା ସଡ଼କରେ ପଚାଶହାତ ଗତି କରିଥିବେ କି ନାହିଁ, ଖଣ୍ଡେଶ୍ଵର ପଛକୁ ବୁଲି ପଡ଼ି ବୁଢ଼ାଆମ୍ବ ଗଛଟାକୁ ଟିକିଏ ଚାହିଁଲେ । ସେ ଚନ୍ଦ୍ରକିରଣ ଆଲୁଅରେ ତାଙ୍କର ମନେ ହେଲା କିଏ ଜଣେ ସେ ଗଛରୁ ଓହ୍ଲାଇ ପୋଲସରା ସଡ଼କରେ ତାଙ୍କଆଡ଼କୁ ଆସୁଛି । ଛାତିଟା ଦମ୍‌ କିନି ହୋଇଗଲା; ତଥାପି ସାହସ ବାନ୍ଧି ସେ ତା ଅପେକ୍ଷାରେ ରହିଲେ । ସମୟ କିଛି ବିତିଲା ସିନା, କେହି ଆସିବାର ଜଣାଗଲା ନାହିଁ ।

 

ସେ କେଉଁଆଡ଼କୁ ଯିବେ ସ୍ଥିର କରିପାରିଲେ ନାହିଁ, ନିଜର ହାତବାକ୍‌ସଟି ମୁଠାଇ ଏକମୁହାଁ ହୋଇ ଧାଇଁବାରେ ଲାଗିଲେ । ବାଟରେ ମଥୁରା ଗାଁ ପଡ଼ିଲା । ସେ ଗାଁ ଭିତରକୁ ପଶି ଯାଇ ଗୋଟାଏ ପିଣ୍ଡାରେ ଲାଥୁକିନା ବସି ପଡ଼ିଲେ । ବସିବାବେଳେ ତାଙ୍କର ମନେ ହେଲା ଯେ ବୁଢ଼ାଆମ୍ବରୁ ଓହ୍ଲାଇ ତାଙ୍କ ପଛରେ ଆସୁଥିବା ଲୋକ, ତାଙ୍କ ଆଗରୁ ଆସି ପିଣ୍ଡାରେ ବସି ଯାଇଛି । ସେ ସେହି ଲୋକଟାକୁ କୁଣ୍ଢାଇ ପକାଇଲେ । ଲୋକଟା ‘ଭୂତ’ ‘ଭୂତ’ ବୋଲି ପାଟି କରିବାରେ ଲାଗିଲା । ଖଣ୍ଡେଶ୍ଵର ଅଚେତା ହୋଇ ପଡ଼ିଲେ । ରାତି ସେତେବେଳକୁ ମାତ୍ର ଦୁଇଘଡ଼ି କିମ୍ବା ତିନିଘଡ଼ି ହୋଇଥିବ ।

 

ଖଣ୍ଡେଶ୍ଵର ଜାଣନ୍ତି ନାହିଁ କିଏ ତାଙ୍କୁ କିପରି ଚିହ୍ନିଲା ଓ ସେ କିପରି ପୋଲସରା ଛାମୁକରଣ ଦୟାନିଧି ଶ୍ରୀଚନ୍ଦନ ଘରକୁ ଆସିଲେ । ପରଦିନ ସକାଳେ ଭଉଣୀ ସୁଶୀଳାକୁ ଦେଖି ତାଙ୍କର ଦେହ ସୁସ୍ଥ ହେଲା । ସେ ଗାଁ ଭିତରେ ଚଲାବୁଲା କଲେ; କିନ୍ତୁ ଦୁଇ ଘଡ଼ି ବେଳ ଥାଉ ଥାଉ ଘରକୁ ଫେରିଲେ । ଅନ୍ଧାର ହେଲେ ପିଣ୍ଡାତଳକୁ ଓହ୍ଲାଇଲେ ନାହିଁ । ଅନ୍ଧାର ଭିତରେ ଘରୁ ଘରକୁ ଗଲେ ମଧ୍ୟ ତାଙ୍କର ମନେହେଲା ତାଙ୍କ ପଛରେ କିଏ ଜଣେ ଆସୁଛି ।

 

କୁମାର ପୂର୍ଣ୍ଣମୀ ପରେ ନିଜ ଲୋକ ସହିତ ଖଣ୍ଡେଶ୍ଵର ପୁତନା ଫେରିଲେ । ସେଦିନ ସନ୍ଧ୍ୟାରେ ବୁଢ଼ାଆମ୍ବଠାରେ ତାଙ୍କର ଯାହା ଅନୁଭୂତି ଘଟିଲା, ତାହା ସାରା ଜୀବନ ରହିଗଲା । ସେ ସନ୍ଧ୍ୟା ହେଲେ କେଉଁ ଗଛମୂଳକୁ ଯାଇ ନାହାନ୍ତି କିମ୍ବା କେଉଁ ଗଛ ଆଡ଼କୁ ଚାହିଁ ନାହାନ୍ତି । ଏବେ ମଧ୍ୟ ତାଙ୍କର ମନେହୁଏ, ଗୋଟାଏ ବଖରାରୁ ଆଉ ଗୋଟାଏ ବଖରାକୁ ଗଲେ ତାଙ୍କ ପଛରେ କିଏ ଯାଉଛି । ସେ ବେଳେ ବେଳେ ଅଟକି ପଚାରି ଦିଅନ୍ତି–‘ପଛରେ କିଏ ?’ ସ୍ଵର ଶବ୍ଦ ନ ପାଇଲେ ତାଙ୍କର ଚିକିଏ ଉଦ୍‌ବେଗ ବଢ଼େ ସତ୍ୟ; ମାତ୍ର ସେ ନିଜକୁ ଏବେ ପର୍ଯ୍ୟବସିତ କରି ନେଲେଣି । କେତେ ଥଇଥାନ କରିଥିଲେ ସୁଦ୍ଧା, ‘ପଛରେ କିଏ’ ଆସୁଥିବା ଭାବଟା ଉଭାଇ ଯାଇନାହିଁ ।

Image